Unknown

 

 

 

 

 

 

 

 

 

 

 

ତୀର୍ଥ ମାଟି

ନରସିଂହ ପ୍ରସାଦ ଗୁରୁ

 

ପଦେ ଅଧେ–

 

ପଶ୍ଚିମ ଓଡ଼ିଶାର, ବିଶେଷ କରି ବଲାଙ୍ଗିର ଜିଲ୍ଲା ପଲ୍ଲୀ ଜୀବନରେ ଏକ ନିଖୁଣ ଚିତ୍ର ବାଢ଼ିବା ପାଇଁ ଏଇ ଉପନ୍ୟାସରେ ପ୍ରୟାସ କରାହୋଇଛି । ସ୍ଥଳବିଶେଷରେ ପଲ୍ଲୀ ଅଞ୍ଚଳରେ ନିତ୍ୟ ବ୍ୟବହୃତ ସାଧାରଣ ଗାଉଁଲି ଶବ୍ଦ ତଥା ପଲ୍ଲୀ ପ୍ରଚଳିତ ପ୍ରବଚନ ଓ ଢଙ୍ଗ ଆଦି ସଂଯୋଜନା କରିବା ପାଇଁ ସୁଯୋଗର ସଦ୍‍ବ୍ୟବହାର କରିଛି । ଏ ଅଞ୍ଚଳରେ ରୀତିନୀତି, ଲୋକ ସଂସ୍କୃତି ତଥା ନୃତ୍ୟ ସଂଗୀତ ସହ ପାଠକପାଠିକାମାନଙ୍କୁ ଯତ୍‍କିଞ୍ଚିତ ପରିଚିତ କରାଇବା ପାଇଁ ମୋର ସାମାନ୍ୟ ଚେଷ୍ଟା ବୋଧହୁଏ ଅପ୍ରାସଙ୍ଗିକ ହୋଇନାହିଁ ।

 

ମୋର ପ୍ରଥମ ଉପନ୍ୟାସ ରୂପେ ଏଥିରେ ଭୁଲ ତୃଟି ରହିଥିବା ସ୍ୱାଭାବିକ । ସେଥିପାଇଁ ସହୃଦୟ ପାଠକ ପାଠିକା ମାନଙ୍କଠାରୁ କ୍ଷମା ମାଗି ନେଉଛି । ଦୀର୍ଘ ସାତ ବର୍ଷ ପରେ ପାଣ୍ଡୁଲିପିଟି ପୁସ୍ତକାକାରର ଦିବାଲୋକ ଦର୍ଶନ କରିବା ସୁଯୋଗ ଲାଭ କରିଛି । ଏଣୁ ପରିସ୍ଥିତିର ପରିବର୍ତ୍ତନ ଦୃଷ୍ଟିକୋଣରୁ ଘଟଣାବଳୀର ବିଚାର କରିବାର ଆବଶ୍ୟକତା ରହିଛି ।

 

ଶେଷରେ ମୋର ଅନ୍ତରଙ୍ଗ ବନ୍ଧୁ ତଥା ଓଡ଼ିଶାର ବିଶିଷ୍ଟ କବି ଓ ଲେଖକଦ୍ୱୟ ଶ୍ରୀ ରାମପ୍ରସାଦ ପୁରୋହିତ ଓ ଶ୍ରୀ ବ୍ରଜବିହାରୀ ବହିଦାର ଏହି ଉପନ୍ୟାସ ଲେଖିବାରେ ମୋତେ ନାନା ଭାବରେ ଉତ୍ସାହିତ କରିଥିବାରୁ ସେମାନେ ମୋର ଧନ୍ୟବାଦାର୍ହା ।

 

ଏହାଛଡ଼ା ମୋର ପୂଜ୍ୟ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ କଂଗ୍ରେସ ନେତା ଶ୍ରୀ କପିଳେଶ୍ୱର ପ୍ରସାଦ ନନ୍ଦ ଓ ବର୍ତ୍ତମାନ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ ମୋର ଏହି ଉପନ୍ୟାସଟିକୁ ପୂର୍ଣ୍ଣାଙ୍ଗ ତଥା ଉପାଦେୟ କରିବା ପାଇଁ ଯେଉଁ ବିଜ୍ଞ ପରାମର୍ଶ ଦେଇଛନ୍ତି ସେଥିପାଇଁ ସେମାନଙ୍କ ପ୍ରତି ମୁଁ କୃତଜ୍ଞ ।

 

ବିନୀତ

ଲେଖକ

Image

 

–ଉତ୍ସର୍ଗ–

 

–ମୋର ପରମ ପୂଜ୍ୟ ପିତୃ ଦେବ ସ୍ୱର୍ଗତ

ଭଗବାନ ଗୁରୁଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ

‘‘ତୀର୍ଥ ମାଟି’’ ଉପନ୍ୟାସଟି

ଅର୍ପଣ କଲି–

 

–ନରସିଂହ–

 

ଏକ

 

ଜ୍ୟେଷ୍ଠର ଏକ ଡହକ ବିକଳିଆ ରାତିରେ ଆଦିନିଆଁ ବଉଦ ଖଣ୍ଡେ ଆସି କରାପାଣି ଅସରାଏ କୁଟି ଦେଇ ଯାଇଛି । ମାଟିରୁ ଉଠୁଛି ଏକ ପ୍ରାଣ ଚହଲା ମହକ । ଚନ୍ଦନଠୁଁ ବଳି ମଧୁର ତାର ବାସନା । ସିନ୍ଦୁରା ଫାଟିଲାଣି । ପୂରୁବ ଆକାଶରେ କୁଆଁ ତାରାଟି ମିଟିମିଟି କରି ଚାହିଁଛି । କୁକୁଡ଼ା ଡାକୁଛି କଁକ୍ ରେ......କଁକ୍ । ଦକ୍ଷିଣ ଦିଗରୁ ବହି ଆସୁଛି ଅସରା ଅସରା କାକର ପବନ । ବର୍ଷା ପାଣିରେ ଗାଧୋଇ ପାଧୋଇ ଗଛଲତା ସତେଜ ହୋଇ ଉଠିଛନ୍ତି । ଚୋରାପବନ ଲୁଚକାଳି ଖେଳିବା ପାଇଁ ମେଘବତୁରା ଗଛମାନଙ୍କର ଡାଳପତ୍ର ଉପରେ ହାତମାରି ଦେଇ ଯାଉଛି । ଡାଳେ ଡାଳେ ଆଜି ଜାଗିଉଠୁଛି ନୂତନ ଶିହରଣ । ପତ୍ର ଅଗରୁ ନିଗିଡ଼ି ପଡ଼ୁଛି ଥପ୍ ଥପ୍ ପାଣି ।

 

ଦୂରର କୁହୁଳିଆ ଛାପ୍‍ଛାପ୍‍କିଆ ପାହାଡ଼ଗୁଡ଼ିକ ଭଲକରି ବାରି ହେଉ ନାହିଁ । ପାହାଡ଼ ତଳେ କାହିଁ କେତେ ଦୂର ଲାଗି ରହିଛି ନିଛାଟିଆ ଅରମା ବଣ । ବଣର ଏପଟେ ଯେତେ ଦୂର ଆଖି ପାଏ–ଖାଲି କ୍ଷେତ, ବାହାଲ, ଆଟ, ଗୋଚର ଆଉ ହାତୀ ପାଞ୍ଜଲର ଧାଡ଼ି । ଚାରିଆଡ଼େ ମାଟି । କଳା–ନାଲି–ଧୂସର ।

 

ବଙ୍କା ବଙ୍କା ହିଡ଼ ଉପରେ ଚାଲିଛନ୍ତି କଳା କଳା ମଣିଷ । ମୁଣ୍ଡରେ ପାଗ, କାନ ସନ୍ଧିରେ କେନ୍ଦୁପତ୍ରର ପିକା । ଗୋଟିଏ ହାତରେ ନିଆଁ ବେଣ୍ଟି, ଆର ହାତରେ ତିନି ଫୁଟିଆ ପାଞ୍ଚଣ ବାଡ଼ି । ସଙ୍ଗରେ ଯୁଆଳି ଆଉ ଲଙ୍ଗଳ ଯୋଚା ହୋଇ ହଳେ ବଳଦ । କାହାରି ପାଟିରେ କଥା ନାହିଁ । ସମସ୍ତେ ନୀରବ; ଯେପରି କେବଳ ଗୋଟାଏ ଗୋଟାଏ ମେସିନ୍ । ମାଟିର ନିଶା ପିଇ ସମସ୍ତେ ଯେପରି ମତୁଆଲା !

 

ମାଟି ଓଲ ଅଛି । ଜମି ହଳ ପାଇଁ ଠିକ୍‍ ବତର ସମୟ । ଘାସଲଟା ସବୁ ବିହନ ପଡ଼ିବା ଆଗରୁ ନିର୍ମୂଳ ହେବା ଦରକାର । ଆଖ ପାଖ ଜମିମାନଙ୍କରେ କନ୍ଧେନ୍‍ପାଲିର ପ୍ରଜାମାନେ ହଳଲଙ୍ଗଳ ଛାଡ଼ିଦେଲେଣି । ଚାରିଆଡ଼ୁ ଭାସିଆସୁଛି ମନମତାଣିଆ ଗୀତର ଲହରୀ । ଲଙ୍ଗଳ ମୁନରେ ଘାସ କନ୍ଦା ଉପୁଡ଼ିବାର ଶବ୍ଦ । ମାଟିରେ ଓଲ ଥିବା ଯାଏ ଲଙ୍ଗଳ ଗଡ଼ିବ । ଯିମିତି ପରଚଣ୍ଡ ଖରା, ଫେର୍ ଦୁଇଦିନେ ଓଲ ଶୁଖିଗଲେ ମାଟି ହେବ ଖଡ଼ଖଡ଼ା । ଏଇ କେଇଦିନ ଭିତରେ ଲାଗିପଡ଼ି ଜମିତକ ଥରେ ଥରେ ଉଆରି ନେବା ଦରକାର ।

 

ସକାଳ ପହର କୁକୁଡ଼ା ଡାକରୁ ମହନ ସାହୁ ଶଗଡ଼ରେ ପୋଢ଼ ହଳଟା ଫାନ୍ଦି ଝାଞ୍ଜିରେ ଖତ ଦୁହାରୁଛି । ମୂଲିଆ ଦି'ଟା ଲାଗି ଜମିରେ ଆଜି ତାର ହଳ କରୁଛନ୍ତି । ଏକାକୀ ମଣିଷ । ଆହା-! ସାହାକୁ କେହି ନାହିଁ । ହାତରୁ ପଛେ ଯାଉ, ଜମିତକ କାସେ କାସେ ଯୋତା ସରିଯାଉ-। ଯିମିତି ପହିଲି ଆଷାଢ଼କୁ ଆଉ ଝଞ୍ଜଟ ନ ଥିବ । ମହନ ଜମି ପାଇଁ କେବେ ହାଲିଆ କରି ନାହିଁ-। ଏମିତି ଦରକାର ପଡ଼ିଲା ୟା ହାତ ଧରି ତା ଗୋଡ଼ ଧରି, ମୂଲିଆ ବିଚାରି ଯୋଗାଡ଼ କରି ନେଇ ଲେଞ୍ଜେରା ତୁଟାଇ ଦିଏ । ବାରିପଟ ମୁନୁଗା ଗଛ ତଳେ ପାହାଡ଼ ପରି ଖତଗଦା । ବର୍ଷସାରା ଲାଗି ଘରଣୀ ତାର ଗୁହାଳ ପୋଛି ଲୁନ୍ଦାଏ ମେଞ୍ଚାଏ କରି ଏତକ ଜମେଇଛି । ତେଣୁ ଖତ ପାଇଁ କାହା ଦୁଆର ମୁହଁରେ ଗୋଡ଼ଭାଙ୍ଗି ଠିଆହେବାକୁ ପଡ଼େ ନାହିଁ ।

 

ଚାହୁଁ ଚାହୁଁ ମାଡ଼ିଆସୁଛି ପହିଲି ଆଷାଢ଼ । ସେଥିପାଇଁ ପଛକୁ ଆଉ ପାଇଟି ନ ରଖି ଖତତକ ସେ ଜମିକୁ ତାର ଦୁହାରି ପକାଉଛି । ମୁଣ୍ଡଟେକି ଆକାଶକୁ ଚାହିଁଲା ମହନ । ବେଳ ଚଢ଼ି ଆସୁଛି । ଥିରପିଆ ବେଳ ଗଡ଼ିଗଲାଣି । ସକାଳଟାରୁ ପେଟରେ କିଛି ପଡ଼ି ନାହିଁ । ଗାଡ଼ି ଅଟକାଇ ସେ ଚାରିଆଡ଼କୁ ଥରେ ଆଖି ପକାଇଲା, କାଳେ ତାର ସ୍ତ୍ରୀ ତୁଲ୍‍ସା ଥିର ନେଇ ଆସୁଥିବ ବୋଲି । ଅଙ୍କା ବଙ୍କା ମଣିଷଚଲା ରାସ୍ତାଟି ଯୋର ଭିତର ଦେଇ ଗାଁମୁଣ୍ଡକୁ ଲମ୍ବିଯାଇଛି । କାହିଁ ? କାହାରି ତ ଦେଖା ନାହିଁ ! ମନ ଅଥୟ ହେଲାଣି । ପେଟରେ ବାସି ତୋରାଣି ଢୋକେ ନ ପଡ଼ିଲେ କାମ କରିବାକୁ ବି ବପୁ ପୁରୁ ନାହିଁ । ଗାଁ ମୁଣ୍ଡ ଧର୍ସା ଦୁଇକଡ଼ ଗୋଚରଭୂଇଁରେ ପଲ ପଲ ଛେଳିମେଣ୍ଢା ଥୋମଣି ଗେଞ୍ଜି ଘାସ ପିଲ ଖୁଣ୍ଟୁଛନ୍ତି । ଚରୁହ ପିଲାମାନେ ଝାମ୍ପୁଡ଼ା ବରଗଛ ତଳେ ବସି ଟଣାଓଟରା ହୋଇ ମଉଜ କରୁଛନ୍ତି । କ୍ଷେତ ଆଡ଼କୁ ମହନ ଗାଡ଼ି ଫେରାଇଲା । ମୂଲିଆ ଦି'ଟା କେଇ ଖଣ୍ଡ ଡୁଲି ହଳକରି ସାରି ପଲ୍‍ସାମାଳ ବଡ଼ ଡୁଲି ଭିତରକୁ ପଶୁଛନ୍ତି । ମାଟି ଦିଶୁଛି ସତେଜ-। ଖତତକ ଡୁଲି ଭିତରେ ଅଜାଡ଼ି ଦେଇ ଯୋର ଆଡ଼କୁ ପୋଢ଼ ହଳକ ଅଡ଼ାଇ ଆଣିଲା ମହନ-। ସକାଳ ପହରୁ ଗାଡ଼ି ବାହି ବାହି ସେ ଥକି ପଡ଼ିଲାଣି । ଟିକିଏ ଝାଳ ମାରିବ ପରା !

 

ଯୋରର ଠିକ୍ କୂଳେ କୂଳେ କରଞ୍ଜ ଆଉ ସର୍ଗିଗଛର ବୁଦାଳିଆ ଅରମା ଜଙ୍ଗଲ । କୁରେଗଛର ଡାଳରେ ଫୁଟିଛି ପେନ୍ଥା ପେନ୍ଥା କୁରେଫୁଲ । ସକାଳୁଆ ଧୀର ପବନ ବାଜି ଫୁଲଗୁଡ଼ିକ ଏ କଡ଼ରୁ ସେ କଡ଼କୁ ଦୋହଲି ଦୋହଲି ନାଚୁଛନ୍ତି । କଳା କଳା ଭଅଁର ଗୁଣୁ ଗୁଣୁ ଗୀତ ଗାଇ ଧଳା ଧଳା ଫୁଲପେନ୍ଥାର ରେଶମୀ ପାଖୁଡ଼ା ଉପରେ ସରୁ ଓଠମାନ ଲଗାଇ ମହୁ ପିଉଛନ୍ତି । କଣ୍ଟେଇକୋଳି ଗଛର କଣ୍ଟା ଝାଣ୍ଟରେ ମାଡ଼ିଛି ବାଇଡ଼ଙ୍କ ଲତା । ନାରଙ୍ଗି ରଙ୍ଗିଆ ଲମ୍ବା ଲମ୍ବା ବାଇଡ଼ଙ୍କ ଫଳ ସବୁ ପେନ୍ଥା ପେନ୍ଥା ହୋଇ ତଳକୁ ଓହଳିଛି । ହଳଦୀ, ନାଲି, ନେଳୀ ରଙ୍ଗର ଛୋଟ ଛୋଟ ଚଢ଼େଇ ସବୁ ଏ ଡାଳରୁ ସେ ଡାଳକୁ ଡେଇଁ ଡେଇଁକା ଲୁକ୍‍ଲୁକାନି ଖେଳ ଖେଳୁଛନ୍ତି-। କୂଳରେ ଥିବା ଫୋମ୍ପଡ଼ା ମହୁଲ ଗଛଟି ପାଣି ଉପରକୁ ନଇଁ ପଡ଼ିଛି । ସତେ ଯେପରି ଝଲଝଲା ପାଣିର ଦର୍ପଣ ଉପରେ ନିଜ ଝରା–ଯୌବନର ପ୍ରତିବିମ୍ବ ଦେଖିବାକୁ ସେ ବ୍ୟାକୁଳ । କୂଳର ମାଟି ଧୋଇ ହୋଇ ବଡ଼ ବଡ଼ ଚେର କେଇଟା ପାଣି ଭିତରେ ଜଳଜଳ ଦିଶୁଛି । ଗଛ ଉପରେ କଅଁଳିଆ ପତ୍ର ଆଢ଼ୁଆଳରେ ପେନ୍ଥା ପେନ୍ଥା ଧୂସର ରଙ୍ଗିଆ ଟୋଲ କଷି । ମହୁଆ ନିଶାରେ ବିଭୋର ହୋଇ ସତେ ଯେପରି ଗଛଟି ହସୁଛି ଖିଲ୍ ଖିଲ୍ ହୋଇ !

 

ବାଦଲ ଟିକିଏ ଫାଙ୍କି ଗଲାଣି । ଖରା ଆଉ ସହି ହେଉ ନାହିଁ । ଯୋର ଖଣ୍ଡିରେ ପୋଢ଼ ହଳକ ଛାଡ଼ି ଦେଇ ଭୂଇଁର ଶାଗୁଆ ଶାଗୁଆ ଘାସଗଛର ଗାଲିଚା ଉପରେ ମହନ ବସି ପଡ଼ି ଥକ୍କା ମାରିଲା । ମୁଣ୍ଡର ପାଗ ଆଢ଼ୁଆଳରୁ ରୁଢ଼ିଆ ଗାଲ ଉପର ଦେଇ ଥପ୍ ଥପ୍ କରି ନିର୍ଝରି ପଡ଼ୁଛି ବୁନ୍ଦା ବୁନ୍ଦା ଝାଳ । ଡାହାଣ ବାହାରେ ବନ୍ଧା ହୋଇଥିବା କଳା ଦଉଡ଼ିରେ ଗୁନ୍ଥା ଡଉଁରିଆ ମାଳଟି ଝାଳରେ ଜୁଡ଼ୁବୁଡ଼ୁ ହୋଇଗଲାଣି । ଜିଭ ପିତା ପିତା ଲାଗୁଛି । କାମରେ ମାତି ଧୂଆଁ ଢୋକେ ବି ଖାଇ ପାରି ନାହିଁ ସେ । ଅଣ୍ଟାରେ ଗେଞ୍ଜା ହୋଇଥିବା କେନ୍ଦୁପତ୍ରର ପିକାଟି ଝାଳରେ ଭିଜି ଯାଇଛି-। ମୁଣ୍ଡରୁ ଫିଟାଇ ଝାଳ ପୋଛିଲା ମହନ । ସୁଲୁସୁଲିଆ ପବନ ମନରେ ଆଣୁଛି ପୁଲକ-। ପାଲଟଣା ବୋଇତ ଭଳି ଆକାଶରେ ଭାସି ବୁଲୁଛନ୍ତି ଖଣ୍ଡ ଖଣ୍ଡିକିଆ ମେଘ । କଳାକଳା ଚିଲ ଏଣେ ତେଣେ ବୁଲି ବାଜି ମାରୁଛନ୍ତି । ପାଖ ବରଗଛ ତଳୁ ବଇଁଶୀର ମାଦକ ଭରା ସୁର ତାଳେ ତାଳେ ଭାସିଆସୁଛି । କନ୍ଧେନପାଲି ଗାଁର ଛୋଟିଆ ବସ୍ତିଟି ବେଶ୍ ବାରି ହେଉଛି । ଗାଁର ଯୁବତୀମାନେ କାଖରେ ମାଠିଆ ଧରି ଯୋରକୁ ପାଣି ନେବା ପାଇଁ ଆସୁଛନ୍ତି । କଜଳପାତିଆ ଚିକ୍‍କଣ ଖୋସାରେ ତାଙ୍କର କୁରେଫୁଲର ଝୁମ୍ପା ବେଶ୍ ମାନୁଛି । ସମସ୍ତଙ୍କ ମୁହଁରେ ଖେଳୁଛି ହସର ଲହରୀ । ରୂପର ନିଶା, ବଅସର ମୋହରେ ସମସ୍ତେ ମସ୍‍ଗୁଲ । ସବୁ ଦେଖୁଛି ମହନ-। କାହିଁରେ ମନ ନାହିଁ ତାର । ଚଲା ବାଦଲ ପରି ମନ ତାର ଘୂରି ବୁଲୁଛି ଭବିଷ୍ୟତର କନ୍ଦିବିକନ୍ଦି ଭିତରେ ।

 

ପଞ୍ଚହତା ମରଦ । ଚଉଡ଼ା ଚଉଡ଼ା ଛାତି । ମୁଦଗର ପରି ଡେଣା । ପୂରିଲା ପୂରିଲା ଗାଲ । ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ବାଳ । ନାକ ତଳେ ଦି ପଟ ସରୁ ନିଶ । ବଅସ ତିରିଶି ଟପି ନାହିଁ । ଦେହରେ ଅସୀମ ବଳ । ଯେଉଁ କାମରେ ହାତ ଦେବ ତାକୁ ନ ସାରି ଛାଡ଼ିବ ନାହିଁ । କୋଦାଳ ଧରି ମାଟି ହାଣୁଥିଲେ ପାଣି ମାଗେ ନାହିଁ । ବେଳ ଟଳି ଯିବ । ବାକି ହଳିଆମାନେ ପଛେ ହଟିଯିବେ, ସେ ହଟିବ ନାହିଁ । ଏଇ ଗଲା ସାଲର କଥା । ମଙ୍ଗଲୁ ଭୁଏର କ୍ଷେତ ଆଡ଼ରେ ଥିବା ମଜବୁତ୍ ମହୁଲଗଛଟାକୁ ଢୁଳାଇବା ପାଇଁ କେହି ମଙ୍ଗିଲେ ନାହିଁ । ମହନ ଏକା ଅଣ୍ଟାରେ ଗାମୁଛା ଭିଡ଼ି ଓଳିକେ ମସ୍ତବଡ଼ ନିଦା ଗଛଟାକୁ ଗଡ଼େଇ ପକାଇଲା । ଲୋକେ ଦେଖି ତଟକା ! କିଏ କହିଲା, ‘’ପହେଲବାନ୍’’; ଆଉ କିଏ କହିଲା, ‘‘ପଲଟନ୍’’ ।

 

ପାଟି ପିତା ପିତା ହୋଇ ଆସିଲାଣି । ପେଟରେ କିଛି ପଡ଼ି ନାହିଁ । ଦେହ ଅବଶ ଲାଗୁଛି । କାମ କରିବାକୁ ମନ ବଳୁ ନାହିଁ । ମହନ ଉଠି ଛିଡ଼ାହେଲା । ପାଖ ସର୍ଗିଗଛରୁ ପତ୍ରଟିଏ ତୋଳି ପିଙ୍କା ମୋଡ଼ି ବସିଲା । ଦେଖିଲା, ଆମ୍ବତୋଟା ଭିତରେ ଦେଇ ପଡ଼ିଥିବା ସଳଖ ମଣିଷଚଲା ରାସ୍ତା ଉପରେ ଆସୁଛି ତୁଲ୍‍ସା, ତାର ସ୍ତ୍ରୀ । ମୁଣ୍ଡରେ ତାର ବଇଠି ବସା ଖୁରି ଆଉ ପାଣିଗଡ଼ୁ । ପଛେ ପଛେ ତାର କାଳିଆ ରଙ୍ଗର ପୋଷା କୁକୁରଟି ଧାଇଁଛି । ମହନ ମନେ ମନେ ତୁଲ୍‍ସାକୁ ପ୍ରଶଂସା କରିବାରେ ଲାଗିଲା । ତୁଲ୍‍ସା ସତେ କେଡ଼େ ଭଲ ମଣିଷ ! ମନ ଜାଣି କେତେ ସେବା କରୁଛି ତାର । କିଏ ଶିଖାଇଲା ଏଇ ଘରକରଣା ବୁଦ୍ଧି ? କିଏ ବତାଇଲା ତାକୁ ମନଜାଣିବା କୌଶଳ ? ସେ ତ ଆଜିଯାଏ ପଦିଏ ହେଲେ କଥା ଶିଖାଇ ନାଇଁ ତାକୁ । ତଥାପି ନାଡ଼ି ଚିପି ଦେହ କଥା ଜାଣିଲା ପରି ମୁହଁ ଦେଖି ତାରି ସବୁ ମନ କଥା ଜାଣେ ସେ । ଭାବୁ ଭାବୁ ମହନର ମନ କୁରୁଳି ଉଠିଲା ଆନନ୍ଦରେ ।

 

ଯୋର ପାରି ହୋଇ ତୁଲ୍‍ସା ଖୁଣ୍ଟା ତାଳଗଛ ତଳେ ଆସି ପହଞ୍ଚିଲା । ଦେଖିଲା, ମହନ ନାହିଁ । ପାଖ କୁରେଗଛ ଆଢ଼ୁଆଳରେ ଭାତକଂସା ଆଉ ପାଣିଗଡ଼ୁଟି ରଖି ଦେଇ ପତ୍ରାଆଡ଼କୁ ଆଖି ପକାଇଲା । ଦେଖିଲା, ମହନ କରଞ୍ଜ ଗଛରୁ ଭାଙ୍ଗୁଛି ଖଣ୍ଡିଏ ଛାଟ । ତୁଲ୍‍ସା ମହନ ପାଖକୁ ଗଲା । ତାରି ଦେହକୁ ଲାଗି ଯାଇ କଟାକ୍ଷ ହାଣି କହିଲା–‘‘ଚାଲ, ଥିର ଟିକାକ ପିଇଦେବ । ସକାଳ ପହରୁ ଖତ ଦୁହାରି ଦୁହାରି ପାଣି ଉତୁରି ଗଲାଣି ମୁହଁରୁ ।’’

 

‘‘ତତେ ଟାକି ଟାକି ତ ବେଳା ହେଲା ଆସି । ଏତେ ଡେରି କେମିତି ହେଲା ଆଜି ?’’ ଡାଳରୁ ଡାବିଲି ଟଙ୍ଗିଆରେ ପତ୍ରଗୁଡ଼ାକ ଚାଞ୍ଛି ଦେଉଁ ଦେଉଁ ପଚାରିଲା ମହନ ।

 

‘‘ଡବିରେ ଦୁକୁତା ନ ଥିଲା । ବୁଢ଼ାଲାଗି ଦୁକୁତା ପତର ଚୁରି ଦେଉଥିଲି ।’’ କାନିପଣତରେ ମହନ ପିଠିରୁ ଝାଳ ପୋଛି ଦେଉଁ ଦେଉଁ କହିଲା ତୁଲ୍‍ସା ।

 

ମହନ ଜାଣେ, ତୁଲ୍‍ସା ଘର କାମ ପାଇଟିକୁ ଏକଲା । ଆସୁଁ ଆସୁଁ ଟିକିଏ ଡେରି ହୋଇଯାଇଛି । ସେ ତାର କଥାର ଆଉ କିଛି ଜବାବ ଦେଲା ନାହିଁ । ତୁଲ୍‍ସାର ଭେଳିକି ଲଗା ମୁହଁକୁ ଦେଖି ହସି ଦେଲା ଟିକିଏ । ତା'ପରେ କୁରେଗଛରୁ ଫୁଲକେଣ୍ଡାଟିଏ ଭାଙ୍ଗି ଅତି ଶରଧାରେ ତାର କଳା ବଉଦିଆ ଚିକିଣିଆଁ ଅଏନ୍ ଖୁସା ଉପରେ ଖୋସି ଦେଲା । ତୁଲ୍‍ସାର ଦେହରେ ଖେଳିଲା ଅଜଣା ପୁଲକ । ଓଠ କଡ଼ରେ ତା’ର ନାଚି ଉଠିଲା ଖଣ୍ଡିଏ ସରୁ ହସ । କୃତ୍ରିମ ଅଭିମାନ ମିଶା ଭଙ୍ଗୀରେ କଟାକ୍ଷ ହାଣି କହିଲା, ‘‘ଥାଉ ଥାଉ ତୁମର ଛଡ଼ି ! ପେଟ ଯାଇ ପାତାଳରେ ପଶିଲାଣି; ଆଉ କେତେ ଭୁରକୁଟି କାଢ଼ୁଛ ? ଚାଲ ଜଲ୍‍ଦି, ମୋର କେତେ କବାର ପଡ଼ିଛି !’’ ଯୋରରୁ ମୁହଁ ହାତ ଧୋଇ ଆସି ମହନ ଖାଇ ବସିଲା । ପୋଢ଼ ହଳକ ପାଣି ଭିତରେ ପଡ଼ିଲେଣି-। ଚରିବା ଛାଡ଼ି କାଦୁଅ ପାଣିରେ ଲୁଟୁପୁଟୁ ହେବାକୁ ତାଙ୍କୁ ସୁଖ ଲାଗେ । ପୋଷା କୁକୁରଟି ପାଣି ଧାର ଡେଇଁ ନ ପାରି ହାତେ ଜିଭ କାଢ଼ି ଧକଉଛି । ଦୁଇଟା ଆଦିବାସୀ ପିଲା କାଦୁଅ ପାଣିରେ ଥପିଟିଏ ଧରି ମାଛ ମାରୁଛନ୍ତି । ଧଳାଧଳା କେଇଟା ବଗ ଯୋର ଭିତର ପଥର ଉପରେ ବସି ପାଣି ଭିତରକୁ ଅନିସା କରିଛନ୍ତି ।

 

ମହନ ଖାଇସାରି ଆସି ପିକା ଲଗାଇଲା । ତୁଲ୍‍ସା ଅଇଁଠାବାସନ ନେଇ ଚାଲିଗଲାଣି କେତେବେଳୁ । ଦୁଇଚାରି ଢୋକ ଧୂଆଁ ପିଇ ମହନ ଆପଣ କ୍ଷେତ ଆଡ଼କୁ ମୁହାଁଇଲା । ହଠାତ୍ ଦୂରରେ କଣ ଦେଖି ଚମକି ପଡ଼ିଲା ସେ । ଆଖି ଆଗରେ ନାଚି ଉଠିଲା ଭୟ ଆଉ ଆଶଙ୍କାର ବାବନାଭୂତ । ମୁହଁରୁ ତାର ଝାଳ ଫିଟିପଡ଼ିଲା ଗମ୍ ଗମ୍ । ସେହି ଗୋଟିଏ ଜାଗାରେ ସେ ଖୁଣ୍ଟ ପରି ଠିଆ ହୋଇ ରହିଲା କେବଳ । ପାଦ ଚଳିଲା ନାହିଁ ଆଗକୁ । ହାତରୁ ତାରି ମନକୁ ଦରପୋଡ଼ା ପିକାଟି ଖସିପଡ଼ିଲା ତାର ଅଜାଣତରେ । ମହନ କଣ ଯେ କରିବ, କିଛି ବୁଝିପାରିଲା ନାହିଁ । ତାକୁ ଜଣାଗଲା, ସତେ ଯେପରି ତାର ସବୁ ବୁଦ୍ଧିବୃତ୍ତି ଲୋପ ହୋଇଯାଉଛି ଧୀରେ ଧୀରେ; ଆଉ ମସ୍ତିସ୍କ ତାର ହୋଇ ଯାଉଛି ଫମ୍ପା । ସେ ମନେକଲା, ଆଜି ଏଇ ବାଘ କବଳରୁ ବର୍ତ୍ତିଯିବା ମୁସ୍କିଲ । ବାଘଠାରୁ ହେଲେ ଫିଟିଯିବାର ଉପାୟ ଅଛି; କିନ୍ତୁ ମଣିଷଖିଆ ଏଇ ଜାନୁଆର ଠାରୁ ମୁକ୍ତି ପାଇବାର ଉପାୟ ନାହିଁ । ବାଘଠୁଁ ଯେପରି ସେ ଆହୁରି ଭୟାନକ, ଆହୁରି ଧୂର୍ତ୍ତ ।

 

ଚାହୁଁ ଚାହୁଁ ଯମଦୂତ ପରି ଆସି ପହଞ୍ଚିଲା ସାହୁକା ଭାନୁମଲ୍ ପନ୍‍ସାରିର ଦିଆବା । ଗେଡ଼ାହୋଇ ତ୍ରିପଣ୍ଡ କାଳିଆ ଲୋକଟାଏ । ଟାଙ୍ଗୁର ମୁଣ୍ଡରେ ବାଳ ବୋଲି ଗୋଟାଏ ନାହିଁ । କେବଳ ଦୁଇ କାନ ସନ୍ଧିରେ ସରୁ ସରୁ କଇରୀ ବାଳ ଦୁଇଧାଡ଼ି । ଚେପଟା ନାକ ତଳକୁ ଘୋଡ଼ା ଲାଞ୍ଜିଆ ନିଶହଳକ ବର୍ଚ୍ଛା ପରି କାନ ଭିତରକୁ ବଙ୍କେଇ ଯାଇଛି । କଇଁରା କଇଁରା ଆଖି ଯୋଡ଼ାକ ଠିକ୍ ଚିଲ ଆଖି ପରି । ନିଶାଦାଉରେ ରଙ୍ଗିଆ ରଙ୍ଗିଆ ଆଖି ଉପରକୁ ପତା ଦୁଇଟି ନଇଁ ଆସୁଛି ! ଦେଖିଲେ ଜଣାପଡ଼େ, ଲୋକଟା ଗରମ ମିଜାଜିଆ ଆଉ ଅବିବେକି । ଦେହରେ ହାତକଟା କଳା ନେହରୁ ବଣ୍ଡି । ଅଣ୍ଟାତଳକୁ ତାଳିମରା ଅସକଟିଆ ଖାକି ପେଣ୍ଟ । ହାତରେ ପଞ୍ଚହତା ତେଲ ଚିକିଟା ଖଣ୍ଡିଏ ମୋଟା ଠେଙ୍ଗା । ପାଖକୁ ଆସି ମହନର ମୁଣ୍ଡରୁ ଗୋଡ଼ଯାଏ ଡୋଳା ଦିଓଟି ତାର ପହଁରି ଆସିଲା । ଠେଙ୍ଗାଟିକୁ ମାଟି ଉପରେ ଯୋରରେ କଚାଡ଼ି ଦେଇ ଚଢ଼ା ଗଳାରେ ତୁଫାନ କାଢ଼ି କହିଲା– ‘‘ଟଙ୍କା ଏଇ ହପ୍ତା ଭିତରେ ଦେବୁ ତ ଦେ ନ ହେଲେ ତୋର ଭଲ ଗତି ହେବ ନାହିଁ ଜାଣି ଥା । ତୋର ଘର ଦୁଆର, ଜମିବାରି ସବୁ ନିଲାମ ହେବ । କଣ କହୁଛୁ ଜଲଦି କହ ?’’ ଗୁମାସ୍ତାକୁ ଦେଖି ମହନର ଦେହରୁ ପରସ୍ତେ ଝାଳ ବହି ପଡ଼ିଲା । ଜଣାଗଲା ସତେ ଯେପରି ପାଦ ତଳ ମାଟି ଚକଡ଼େ ଦବି ଦବି ଯାଉଛି ତଳକୁ । ଭାବିଲା, ଆଉ ଉପାୟ ନାହିଁ । ମୂର୍ଖ ଆଗରେ ବିନତି ହେବାକୁ ପଡ଼ିବ । ଭଗବାନ ତ ପୁଣି ଅସମୟରେ ଗଧର ପାଦ ଧରିଥିଲେ । କରମ ଅଚଳରେ ପାଞ୍ଚ ଲୋକଠୁଁ ପାଞ୍ଚ କଥା ଶୁଣିବାକୁ ମିଳେ । ସବୁଥିରେ ମୁଣ୍ଡନଇଁ ସହିବାକୁ ପଡ଼ିବ । କଥାରେ କହନ୍ତି– ‘‘ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।’’ ତିନିବର୍ଷ ହେଲା ତାର ବିଭାଘର ଖର୍ଚ୍ଚ ପାଇଁ ବାପ ଆଣିଥିଲା ମହାଜନ ଦୁଆରୁ ପାଞ୍ଚକୋଡ଼ି ଟଙ୍କା କରଜ । ମୂଳ ସୁଧ ବଢ଼ି ବଢ଼ି ଆଜି ତିନିଶ । କ'ଣ କରିବ ? ପୋଡ଼ା କପାଳକୁ ତାର ଗଲା ସାଲ ଭଲ ପାଳକ କଲା ନାହିଁ । ଠିକ୍ ରୁଆ ବିହୁଡ଼ା ବେଳେ ମେଘ ଛାଡ଼ିଦେଲା । ଚାଷ ପଛେଇ ଗଲା । ଫାଟୁଆରେ ବଳଦ ହଳକ ମଲେ । କମାଣିରୁ ଯେଉଁ ଦି'ମାଣ ଆଦାୟ ହେଲା, ବରଷ ଶେଷକୁ ସେତକ ନିଅଣ୍ଟ । ଆଗ ପଛକୁ ସାହା ଭରସା ହେବାକୁ କେହି ନାହିଁ । ଭିନେ ବଣ୍ଟାହେଲା ଦିନୁ ବଡ଼ ଭାଇ କଇରୁ ସାହୁ ତ ପଚାରୁ ନାହିଁ । ବାପ ବୁଢ଼ା କାମ କରିବାକୁ ଅପାରଗ । ବଅସ ଆସି ହେଲା ତିନିକୋଡ଼ି ଚଉଦ । କିଏ ଅଛି ଆଉ ତାର ? ମହନକୁ ଚାରିଆଡ଼ ଦେଖାଗଲା ଅନ୍ଧକାର । କେଉଁଠୁ ସେ ପାଇବ ତିନିଶହ ଟଙ୍କା ? ଘରେ ତାର କଅଣ ଅଛି ଯେ ବନ୍ଧା ପକାଇ ଟଙ୍କା ପୂରାଇବ ? ଅଳଙ୍କାର ଦି'ଖଣ୍ଡ ତ କେବେଠୁଁ ବନ୍ଧା ପଡ଼ି ସୁଧ ବଢ଼ୁଛି । ମହନ ଚିନ୍ତାର ଅଥଳ ସମୁଦ୍ରରେ ବୁଡ଼ି କୂଳ କିନାରା ପାଉନାହିଁ । ଠିକ୍ ଏତିକିବେଳେ ହଠାତ୍ କାହାରି ଗର୍ଜନ ଶୁଣି ଚମକିପଡ଼ି ଦେଖିଲା, ଗଛ ଛାଇ ତଳେ ବସି ତାରି ଆଡ଼କୁ ଢେମା ଢେମା ଆଖିରେ ଅନେଇଛି ମହାଜନର ପିଆଦା । ମହନ କେତେ କାକୁତି ମିନତି ହେଲା । ହାତ ଯୋଡ଼ି କହିଲା–ଆଉ ସେ ଟାଳମଟାଳ କରିବ ନାହିଁ । ଏଇ ଆଇଲା ସାଲକୁ ଯେପରି ହେଉ ସବୁତକ ଟଙ୍କା ଶୁଝିଦେବ । ଗୁମୁସ୍ତା ମୁହଁ ନେଫଡ଼େଇ ଘୁଷୁରି ପରି ଶେତା ଓଠ ଉପରେ ଜିଭ ବୁଲାଇ ଆଣିଲା । ଆଖି ମିଟି ମିଟି କରି ବିରକ୍ତ ହୋଇ କହିଲା–ଶଳା ମଣିଷ ଭର୍‍ଘା ହେଇ ଆଉ କେତେ ନର୍‍ଦିବ ହୋ ! ନିର୍‍ଦି ନିର୍‍ଦି ତ ଗୋଡ଼ ଚନ୍ଦା ହେଲା । ଲାଭ ଲବ୍‍ଧି ବଲି କିଛି ନାଇଁ; ଖାଲି ଅଥା ହେବାର ସାର ! ଆଚ୍ଛା ହଉ ମୋର ବିଦାକିଟା ଦେ । ମୁଁ ଯାଇ ମହାଜନକୁ ସବୁ କଥା ବୁଝାଇ ଦେବି ।

 

ଲୋକଟା ନଛୋଡ଼ ବନ୍ଧା । ସାହୁକାର କାମରେ ଆସିଛି ବୋଲି ଦୁଇ ପଇସା ହାତ ପଇଠ ନ କରି ଛାଡ଼ୁଛି କେତେକେ । ନ ଦେବାକୁ ବି ଚାରା ନାହିଁ । ମହନ ହାତ ମାରି ଦେଖିଲା ଅଣ୍ଟିରେ କଣା ପଇସାଟିଏ ବି ନାହିଁ । କ'ଣ କରିବ ? ଅନ୍ୟ ଉପାୟ ନ ଦେଖି କହିଲା–ସାଉ, ପାଖେ ତ ଗୁଠେ ହେଲେ ପଇସା ନାଇଁ । ଆସିଲା ଶନିବାରକୁ ମେଲ୍‍ଛା ପଟକ ହାଟେ ବିକି ତୁମ ବିଦାକିଟା ତୁଟାଇ ଦେବି ।’’ ପିଆଦା ଦେଖିଲା ଚଢ଼େଇ ଚୋପ କାଣ୍ଡିଆରେ ଠିକ୍ ଲାଖିଛି । କଳ ଚାଳି ଜାଣିଲେ ହେଲା । ଯେଉଁ ଜାଗାକୁ ସେ ଯାଏ ଦୁଇ ପଇସା ମୁନାଫା ନ କରି ଫେରେ ନାହିଁ, ଆଜି ଖାଲି ହାତରେ ଫେରିବା ତା ପକ୍ଷରେ ନିହାତି ଅସୁନ୍ଦର କଥା । ତେଣୁ ମହନର କଥା ଶୁଣି ଖିଲମରା ପାନକଷିଆ ଦାନ୍ତ ହଳକ ଦେଖାଇ ଦେଇ ଫିକ୍ କିନା ହସି ଦେଲା । ଖାକି ପେଣ୍ଟ ପଛ ପଟୁ ଧୂଳି ମାଟି ଝାଡ଼ି ଦେଉଁ ଦେଉଁ କହିଲା–

 

‘‘ପଇସା ନଥିଲେ କଣ ହେଲା ହୋ ? ଚାଉଳ, ମୁଗରୁ କିଛି ହେଲେ ବି ମୋର ଚଳିଯିବ....... ।’’

 

ମହନ କଣ କରିବ ? ଭାବିବାକୁ ବେଳ ନାହିଁ । ଦେଖିଲା ଲୋକଟା ସହଜେ ଛାଡ଼ିବାର ମୂର୍ତ୍ତି ନୁହେଁ । ନ ହେଲେ କଣ ବୋଲି କଣ କରି ପକାଇବ ? ଶେଷରେ ବାଧ୍ୟ ହୋଇ ସେ ଗାଁଆଡ଼କୁ ମୁହାଁଇଲା ।

 

ଦୁଇ

 

ବୁଦୁବୁଦିକିଆ ଜଙ୍ଗଲ ଘେରା ପାହାଡ଼ ପାଚେରୀ ଭିତରେ କନ୍ଧେନପାଲି ଅତି ଛୋଟିଆ ଗାଁଟିଏ । ଗାଁ ମୁଣ୍ଡ ବାଁ କଡ଼କୁ ମସ୍ତବଡ଼ କଦମ୍ବ ଗଛ ତଳ ଛାଇରେ ମହନର ଟିକି କୁଡ଼ିଆ ଖଣ୍ଡି । ସତେ ଯେପରି ତାରି ବିଶାଳ ଶାଖା ପ୍ରଶାଖାର ବାହୁ ଆଶ୍ରା ତଳେ ସେ ନିଶ୍ଚିନ୍ତରେ କେତେ ଝଡ଼, ଝଞ୍ଜା, ବତାସକୁ ଖାତିର ନ କରି ମୁଣ୍ଡ ନୁଆଇଁ ଛିଡ଼ା ହୋଇଛି । କୁଡ଼ିଆର ଡେବିରି କଡ଼କୁ ଲାଗି ମାଟି ଆଉ ପଥରର ଛୋଟ ବଖରାଟିଏ । ଉପରେ ନଡ଼ା ଛାଦନ । ମହନର ବାପ ଉଜଲ ତା ଦିହକରେ ଇଟା କାନ୍ଥ ଦେଇ ପାରି ନାହିଁ କି ଚାଳ ଉପରେ ଭଙ୍ଗାରୁଜା କରି ଖପର ଦି'ଟା ଚଢ଼ାଇ ପାରିନାହିଁ । ଅଭାବ ଅନାଟନର କାଳିଆଭୂତ ସବୁଦିନ ତା ପଛେ ପଛେ ଗୋଡ଼ାଇଛି । ମନର ଆଶା ମରିଛି ମନରେ । କେତେ ସୁନେଲି କଳ୍ପନା, ଫଗୁଣର କେତେ ସୁଖ ସପନ ଶୀତଦିନିଆଁ କୁହୁଡ଼ି ପରି ନିମିଷକେ ଦେଖା ଦେଇ ଚାହୁଁ ଚାହୁଁ ଉଭେଇ ଯାଇଛି । ସେ ହୋଇଛି ନିରାଶ । ନିଅଣ୍ଟିଆ କପାଳକୁ ତାର ଦି'ପଇସା ବଳିନାହିଁ କେବେ । ଏଇ ସୁନେଲି ସପନକୁ ରୂପ ଦେବାକୁ ପୂରୁବ ପୁରୁଷିଆ ମାଟିଖଣ୍ଡକ କାମୁଡ଼ି ନାନା ଅଭାବ ଆଉ ଅସୁବିଧାର ଜଂଜାଳ ଭିତରେ ପଡ଼ିରହିଛି ସେ । ଏଇ ଜମିର ମାଟି ହାଣି, ଫସଲ ଖାଇ ଦୁଇ ଦୁଇଟା ପୁଅକୁ ମଣିଷ କରିଛି ସେ । ସେମାନଙ୍କ ବିଭାଚୂଡ଼ା, ଭଲମନ୍ଦ କେଉଁଥିରେ ହେଲେ ତାକୁ ଲାଗୁଆ ହେବାକୁ ପଡ଼ିନାହିଁ । ସବୁ ଚଳିଯାଇଛି ସୁରୁଖୁରୁରେ । ଆଡ଼ମ୍ବର କ'ଣ ବୁଢ଼ା ଜାଣି ନାହିଁ କେବେ ? ଅଣ୍ଟାକୁ ମୋଟା ରୁଠା ଖଣ୍ଡେ ଆଉ ପେଟକୁ ବଗଡ଼ା କର୍ଣ୍ଣି କୁସୁମାରୁ ମୁଠାଏ ହେଲେ ଯାର ଚଳେ, ତାର ଅଏସ ଉସୁନାକରେ କି ଲୋଡ଼ା । ଟେକି ଟାଣ କରି ପଦିଏ ହେଲେ କଥା ବାହାରି ନାହିଁ କେବେ ତା ତୁଣ୍ଡରୁ । ‘‘ଆରେ ବାବୁ, ଆମେ ଆଉ କେତେ ଦିନ କି ? ପାଚିଲା ପତର ଆଜି ନ ହେଲେ କାଲି ଝଡ଼ିବା ସାର । ଏଥିରେ ଫେର୍ ଏତେ ରାଗ, ଅଭିମାନ, ଟେକ, ଟାଣ କାହିଁକି ? କିଏ ଅବା କଣ ମୁଣ୍ଡାଇ ନେଇଛି..... ?’’

 

ଉଜଲ ସାହୁର ଏଇ ଖୋଲା ମନ, ସରଳିଆ ଭାବ ଲାଗି ଲୋକଙ୍କର ତା ପ୍ରତି ଭାରି ଶରଧା । ଭାରି ଭକ୍ତି । ଗୁଣିଟୁଣି ଟିକିଏ ଜାଣେ ବୋଲି ଆଖ ପାଖ ଗାଁର ଲୋକେ ତାକୁ ବେଶ୍ ମାନନ୍ତି । କାହାର ସ୍ତ୍ରୀ ଦିନ ଦି'ପହରେ ଛିନା ଘାଟରୁ ମୁଣ୍ଡ କାନ ଘସି ଗାଧୋଇ ଆସିଲା । ଘରେ ପାଦ ଦେଇଛି କି ନ ଦେଇଛି ଆଖି ଡୋଳାକୁ ଡେରି ଦେଇ ହାତେ ଜିଭ କାଢ଼ି ଖାଲି ନାଚୁଛି । କା’ର ଦୁଇ ବରଷର ପୁଅକୁ ନଜର ପଡ଼ିଛି । କା’ ଘରେ ପ୍ରେତ ପଶି ଉପଦ୍ରବ କରୁଛି ଆଉ କା’ ଘରେ ସ୍ତ୍ରୀ କି ପୁଅଟିଏ ହେଇ ଫୁଲ ପଡ଼ୁନାହିଁ, ସବୁଥିରେ ଡାକ ଉଜଲ ସାହୁକୁ । ଉଜଲ ବୁଢ଼ା ନ ଆସିବା ଯାଏ କାହାରି ତର ନାହିଁ । ଗୁଣି ଗାରେଡ଼ି ଆଉ ଚେରମୂଳ କିଆରେ ଚୁଟୁକି ଫୁଟାଇଲା ପରି ବୁଢ଼ା ବଡ଼ ବଡ଼ ଘାଟି ପାରି କରିଦିଏ ।

 

ଆଜି ବୁଢ଼ା ହେଲେ ବି ଲୋକେ ଭୁଲିନାହାନ୍ତି ସେ କଥା । କିନ୍ତୁ ଅଦିନିଆ ମେଘ ଭଳି ସେ ଦିନଗୁଡ଼ାକ ଅପସରି ଯାଇଛି । ବୁଢ଼ାର ଏବେ ପୁରାତନ ବେଳ । ବାଙ୍କୁଡ଼ି ବାଉଁଶ ବାଡ଼ିଟିଏ ଧରି ପାହେ ପାହେ ବାଟ ଚାଲେ । ମୁଣ୍ଡର ବାଳ ଝୋଟ ହୋଇଗଲାଣି । ଆଖିକି ଜାଲୁଜାଲୁଆ ଦିଶେ । ଦୂରରୁ ଚେହେରା ଭଲକରି ବାରି ପାରେ ନାହିଁ । ଦେହର ବଳ ସରି ସରି ଆସିଲାଣି । ନିହାତି ଜରୁରୀ ନ ପଡ଼ିଲେ କୁଆଡ଼କୁ ଗୋଡ଼ କାଢ଼େ ନାହିଁ । ଖୁଲି ବାରଣ୍ଡାରେ ଛିଣ୍ଡା ଖଟଟି ପାରି ପଟରସି ଲଗା ଚଷମା ହଳକ ନାକ ତଳେ ଝୁଲାଇ ଦେଇ କଳାମାଣିକ କେଶବ କୋଇଲି ନ ହେଲେ ମନବୋଧ ଚଉତିଶାରୁ ଛାନ୍ଦେ ଅଧେ ଗାଏ । ଗାଉ ଗାଉ କେତେ ବେଳେ ହାତରୁ ତାର ବହିଟି ଖସିପଡ଼େ ଆଉ ସେ ଘୁଙ୍ଗୁଡ଼ି ମାରି ଶୋଇପଡ଼େ, ଜାଣି ପାରେ ନାହିଁ ।

 

ସେଦିନ କାହାରି କଅଁଳ ଡାକରେ ବୁଢ଼ାର କଞ୍ଚା ନିଦ ଭାଙ୍ଗିଗଲା । ଉଠି ବସି ଦେଖିଲା, ପିଣ୍ଡା ତଳେ ଠିଆ ହୋଇଛି ମହନ ତାର ସାନ ପୁଅ । ମହନ ମୁଣ୍ଡ ପୋତି ରହି ରହି କହିଲା–‘‘ବା, ମୁଁ କାଳିମାଟି ଯିବି !’’

 

ମହାଜନର ଟଙ୍କା ନ ଶୁଝି ଆଉ ରକ୍ଷା ନାହିଁ । ଶଳା ପିଆଦା ପଠାଇ ଥରକୁ ଥର ବଡ଼ ହରବର କରୁଛି । ବୁଢ଼ା ପୁଅର ଏମିତି ଉଦାସିଆ ଚେହେରା ଦେଖି ନ ଥିଲା କେବେ ? ଗାଁ ଛାଡ଼ି ବିଦେଶ ଯିବା କଥା ସେ ତାକୁ କହିନାଇଁ କେବେ ? ତେବେ ଆଜି ଏ କଥାର ଗୁରୁତ୍ୱଟା ସେ ବେଶ୍ ବୁଝି ପାରିଲା । ବେଳ ମୁଣ୍ଡ ଉପରକୁ ରଙ୍ଗି ଆସିଲାଣି । ଗାଁର ହଳିଆ, ମୂଲିଆମାନେ ଖାଇ ପିଇ ସାରିଲେଣି । କଣ କରୁଥିଲା ମହନ ଏତେବେଳ ଯାଏ ? ବୁଢ଼ା ମହନର ଏଇ ଖଇଖେନ । ରୂପ ଦେଖି କହିଲା–

 

‘‘ଆରେ ତୁ ଯୁଆଡ଼େ ଯିବା କଥା ପଛେ ଯିବୁ । ଆଗେ ଯା ସହଳ ଗାଧୋଇ ଆ..... ।’’ ସେମିତି ମୁଣ୍ଡ ପୋତି ମହନ ଯୋର ଆଡ଼େ ଚାଲିଗଲା । ତା’ରି ଯିବା ବାଟକୁ ଅନେଇ ରହିଲା ଉଜଲ ବୁଢ଼ା । ଅଇଁଠା ବାସନରେ ଚୁଲିର ଖାର ବୋଳୁ ବୋଳୁ କେତେବେଳୁ ସେଇଆଡ଼କୁ ଅନେଇଥିଲା ତୁଲ୍‍ସା । ସମୁଦ୍ରବେଳାରେ ଢେଉ ପିଟି ହୋଇ ମୂର୍ଚ୍ଛା ଗଲା ପରି ଦିହିଁଙ୍କ ମନରେ ଖେଳୁଥିଲା ଆଶଙ୍କା ଆଉ ଦୁଶ୍ଚିନ୍ତାର ଢେଉ ।

 

ବୁଢ଼ା ଭାବନା ସାଗରର ଅଥଳ ଢେଉ ଭିତରେ ଉକୁବୁକୁ ହେଲାବେଳେ ମହନ ଆସି ପହଞ୍ଚିଲା । ତୁଲ୍‍ସା ପିଢ଼ାଟା ପକାଇ ଦେଇ ଖୁରିରେ ପଖାଳ ତୋରାଣି କରି ଆଣି ବାଢ଼ିଦେଲା । ପଲ୍‍ସା ପତ୍ରର ଦନାରେ ମୁନୁଗା ଶାଗ ଖରଡ଼ା ଟିକିଏ ଆଉ ପତରରେ ଭେଣ୍ଡି ଭଜାରୁ ଦିଖଣ୍ଡ, ଲୁଣ, ମରିଚ, ଆମୁଲରୁ ପୁଳାଏ ଆଣି ଥୋଇଦେଲା । ମହନ ଖାଉଥିଲାବେଳେ ଦାଣ୍ଡପଟ ବାରଣ୍ଡାରୁ ବୁଢ଼ା ପାଟି କରି କହିଲା, ‘‘ହଇରେ ସୁରୁ, କାଳିମାଟି ଯିବା ଲାଗି ତୋର ଏତେ ଦକ କାହିଁକି ? ଗାଁ ଛାଡ଼ି ବିଦେଶ ଗଲେ ଅଧିକାଟା କଣ ହେବ କହିଲୁ ? ଭଗବାନ କଣ ଆମକୁ ଏମିତି ଅସୁବିଧାରେ ପକାଇ ଥିବେ ସବୁଦିନ । ଆମ ଅବସ୍ଥା କଣ ଆଉ ସୁଧୁରିବ ନାଇଁ..... ?’’

 

ତୋରାଣି ଢୋକେ ପିଇ ମହନ କହିଲା– ‘‘ବା, ମହାଜନର ଜୁଲମ ଆଉ ସହି ହେଉ ନାହିଁ । ଧମକ୍ ଦେଉଛି ଜମିବାରି ନିଲାମ କରି ଟଙ୍କା ଉଠାଇବ ।’’ ଏ କଥା ଶୁଣି ବୁଢ଼ା ପୁଅ ପାଖକୁ ଆସି କହିଲା–‘‘ହେଃ, ଶଳା ଭାରି ନିଲାମ କରିଲାବାଲା । ମୁଁ ଥାଉଁ ଥାଉଁ ଜମି ନିଲାମ କରି ନେଇଯିବ । କେନ୍ ବେଟା ଆସି ମୋ ଜମି ଉପରେ ପଡ଼ି ହାକିବ ଦେଖିମି....... ।’’

 

‘‘ଟଙ୍କା ଆଉ ଶୁଝାଯିବ କିପରି ?’’ ଅତି ନିର୍ଲିପ୍ତ ଭାବରେ ପଚାରିଲା ମହନ । ବୁଢ଼ା ମହନର କଥା ଉପରେ ତେତେ ଯୋର୍ ନ ଦେଇ ଅତି ସହଜ ଆଉ ସାଦାସିଧା ଭାବରେ ଉତ୍ତର ଦେଲା–’’ ହେଃ, ନାଇଁ ତ ଜମିରୁ ଦୁଇ ଟୁକୁରି ବିକି ଦେଇ ତାର ଟଙ୍କା ନିକାଲି ଦେଲେ ତ ଅଡ଼ୁଆ ଯିବ । ଆଉ ଏତେ ହିନସ୍ତା କାଇଁକି ?

 

ମହନ ହାତ ଧୋଇ ସାରି ଅଙ୍ଗୁଛିରେ ହାତ ପୋଛୁ ପୋଛୁ କହିଲା– ‘‘ତାହା ମୁଁ କରିଦେବି ନାହିଁ । ବାପ ଅଜା ତିନି ପୁରୁଷ ଅମଳରେ ସୁନାମୁହିଁ ଜମି ଖଣ୍ଡକ ମୁଁ ପରହାତକୁ ଟେକି ଦେବି ନାଇଁ..... । ଏଇ ଜମି ଲାଗି ଆଜି ଆମେ ମଣିଷ । ଏଇ ଜମି ଆଜି ତିନିପ୍ରାଣୀ କୁଟୁମ୍ବ ପୋଷୁଛି ସିନା । ଜମି ବିକି ମୁଁ କୁଟୁମ୍ବକୁ ମଝି ନଈରେ ଭସାଇ ଦେବି ??’’

 

ପୁଅର ଏଇ ରୋକ୍ ଠୋକ୍ କଥା ଶୁଣି ବୁଢ଼ା କଣ କହି ଯେ ଏଇ ଅବୁଝା ପିଲାକୁ ବୁଝାଇବ କିଛି ଠିକ୍ କରି ପାରିଲା ନାହିଁ । ମୁହଁରୁ ତାର ପାଣି ଉତୁରି ଗଲା । ସତରେ ଟଙ୍କା କେତେଟା ଲାଗି ଯଦି ସେ କାଳିମାଟି ଯାଏ, ଅବସ୍ଥା ତାର କ'ଣ ହେବ.... ? ପାଚିଲା ଆମ୍ବ ଆଜି ଅଛି, ଟିକିଏ ପବନ ହେଲେ ଝଡ଼ି ପଡ଼ିବ । ପାଟିରେ ତାର ପାଣି ଦେବ କିଏ ? ମହନ ଆଡ଼କୁ ମୁହଁ ବୁଲାଇ ବୁଢ଼ା ପୁଣି କହିଲା– ‘‘ମୋ କଥା ମାନ ବାବୁ, ବିଦେଶ ଯିବାକୁ ଏତେ ଜିଦ୍ ଧରନା । କାଳିମାଟି କେଡ଼େ ବଡ଼ ସହର । କାରଖାନାରେ ଖଟିବୁ । ତାର ହାୱା ପାଣି ତୋ ଦେହରେ ଯିବ ନାଇଁ । କେତେ ରୋଗ ବଇରାଗର ଖଣି ସେଇ ମାଟିରେ.... ।’’ ମହନ ବାପର କଥା ତୁନି ହୋଇ ଶୁଣୁଥିଲା । ଏ କଥାର ଆଉ ଜବାବ୍ ଦେବାକୁ ସେ ଚାହିଁଲା ନାହିଁ । ତାର ସେଇ ଏକା ଜିଦ୍ କୁଲିଗିରି ପଛେ କରିବ, ସେ ତାର ଜମି ମାଣକ ବିକି ଦେଇ ପାରିବ ନାହିଁ !

 

ଏମିତି ଅଭାବର ଟଙ୍ଗିଆ ଚୋଟରେ ଘାଏଲ ହୋଇ କେତେ ଗାଁବାଲା ଜମିବାରି ଛାଡ଼ି ଗୋଡ଼ କାଢ଼ୁଛନ୍ତି ପଦାକୁ । ସେ ତ କିଛି ନୂଆ କଥା କରୁନାହିଁ । କରମରେ ଯାର ଯାହା ଲେଖା, ଭୋଗିବାକୁ ହିଁ ପଡ଼ିବ । ଗାଁ ଛାଡ଼ି ବିଦେଶ ଯିବାକୁ କିଏ ଚାହେଁ ? ଘର ଦୁଆର ପିଲା କବିଲା ଛାଡ଼ି ହା ହୁତାଶ ଭରା ନୀରସ ଜୀବନ ବିତାଇବାକୁ କାହାର ମନ ଡାକେ ? କିନ୍ତୁ ଅବସ୍ଥା ଚକ୍ରରେ ପଡ଼ି ମଣିଷ ଯାହା ଚାହେଁ ନାହିଁ ତାକୁ ହିଁ ପୁଣି ଆଦରି ନେବାକୁ ପଡ଼େ ଦିନେ । ମହନ ଠିକ୍ କଲା ତାକୁ କାଳିମାଟି ଯିବାକୁ ହେବ । ଆଜିଯାଏ ବାପର କଥା ଟାଳି ଦେଇ ନାହିଁ ସେ କେବେ, କିନ୍ତୁ ଆଜି ? ଆଜି ତାକୁ ଅବାଧ୍ୟ ହେବାକୁ ପଡ଼ିବ, କେବଳ ତାର ଜମିଖଣ୍ଡକ ପାଇଁ ।

 

ଗାମୁଛା ଖଣ୍ଡକ କାନ୍ଧରେ ପକାଇ ମହନ ଖୁଲି ଦାଣ୍ଡଆଡ଼େ ବାହାରିଗଲା । ବୁଢ଼ା ଜଳ ଜଳ କରି ଚାହିଁ ରହିଲା ତାରି ଆଡ଼କୁ । ଭିତିରି ଖଞ୍ଜା ତାଟି ଆଢ଼ୁଆଳରେ ମହନର ସବୁ ହାବଭାବ ଲକ୍ଷ୍ୟ କରୁଥିଲା ତୁଲ୍‍ସା । ଆଜି କେଜାଣି କାହିଁକି ମହନର କଥାବାର୍ତ୍ତା–ଚାଲିଚଳନ ତାକୁ ଲାଗୁଛି ନୂଆ ନୂଆ । ବିଭା ହୋଇ ଆସିଲାଦିନୁ ମହନର ଏମିତି ଉଦାସିଆ ଚେହେରା ତ ସେ ଦେଖିନାହିଁ କେବେ ? ଆଜି ମହନର ଏଇ ପରିବର୍ତ୍ତନ ମନକୁ ତାର ଚିନ୍ତା ଆଉ ଭୟର ଦଦରା ନାଆରେ ବସାଇ ଦରିଆ ପାରିର କେଉଁ ଅଜଣା ରାଇଜକୁ ଭସାଇ ନେଲା । ମହନର ବିଦେଶ ଯିବା କଥା ସତେ ଯେପରି ତାର ମନ ଗହନର କେଉଁ ବାଉଁଶ ବଣରେ ନିଆଁ ଲଗାଇ ଦେଲା । ଆଉ ସେଇ ନିଆଁରେ ସେ ନୀରବରେ ଛଟପଟ ହେବାକୁ ଲାଗିଲା ନିରୀହା କପୋତୀ ପରି ।

 

ଠିକ୍ ଏତିକିବେଳେ ବାରିପଟ ଆମ୍ବଗଛ ଗହଳ ଡାଳ ଭିତରୁ କାନ୍ଦି ଉଠିଲା କାପତାଟିଏ–‘ଝିକଥୁ...ପିକଥୁ..... ।’

 

ତିନି

 

ଟାଟା ସହର ।

 

ପିଚ୍‍ଦିଆ କଳା ମିଚ୍ ମିଚ୍ ରାସ୍ତା । କେତେ ଚଉଡ଼ା । କେତେ ପରିଷ୍କାର । ରାସ୍ତା ମଝିରେ ଅସରନ୍ତି ମୋଟର ଆଉ ସାଇକେଲର ଶୋଭାଯାତ୍ରା । ରଙ୍ଗ ବେରଙ୍ଗ, ଜାତି ଜାତିକା । ରାସ୍ତା କଡ଼ରେ ଚକ୍‍ମକିଆ ଦୋକାନ ବଜାର ଆଉ ଭଳି ଭଳି କୋଠାବାଡ଼ି । କେଡ଼େ ସୁନ୍ଦର, କେଡ଼େ ଲୋଭନୀୟ । ଏତେ ବଡ଼ ସହର, ମହନ ଜୀବନରେ ଦେଖି ନ ଥିଲା କେବେ । କୂଅ ବେଙ୍ଗ ପରି ପିଲାବେଳୁ ଗାଁ ସୀମା ଭିତରେ ବଢ଼ି ଆସିଛି ! ଆଜି ଭାଗ୍ୟ ଅବଳରୁ ଗାଁ ଛାଡ଼ିଲା ବୋଲି ଟାଟା ସହରରେ ପାଦ ଦେବାର ସୁଯୋଗ ଜୁଟିଲା ସିନା । କନ୍ଧେନପାଲି ପାଖ ସର୍ଗିପଦର ଗାଁର ଭଇଁରା କାଲ୍‍ସାଏ ବି ଆସି ଆଗରୁ ଅଛି ଏଠି । ମହନ ଖୋଜି ଖୋଜି ଆଗ ଯାଇ ତା ପାଖରେ ପହଞ୍ଚିଲା । ମହନକୁ ଦେଖି ଭଇଁରା କାବା ହୋଇଯାଇ କହିଲା–‘‘ହଇରେ, ଏତେ ବାଟ ଆସିଲୁ, ହଜିହୁଜା ଗଲୁନାଇଁ କେମିତି ! ‘‘ତାର ମତଲବ୍ ହେଉଛି ମହନ ଭାରି ଡରକୁଳା ଲୋକ, ଗାଁ ଛାଡ଼ି ବିଦେଶ ଯାଇନାଇଁ କେବେ, ଆଜି ଏକଲା କାଳିମାଟି ଆସିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲା ! ମହନ ଭୟ ଆଉ ହସ ମିଶା ଗଳାରେ କହିଲା– ‘‘କେମିତି ଆଉ ଆସନ୍ତିରେ.......ଦେଉଳପାଲି ଗାଁରୁ ବିଷ୍‍ନୁ ଭୁଏ ଆସୁଥିବାର ଖବର ପାଇଥିଲି । ପରଦିନ ପଙ୍ଗ୍ ପଙ୍ଗ୍‍ରୁ ତ ଦିହେଁ ବାହାରିଛୁ ସାଙ୍ଗ ହୋଇ !! ଆଉ ଏକଲା ହୋଇ ମୁଁ କେଉଁଠି ଆସିଥାନ୍ତି କି ।’’ ଖିଲମରା ଭାଙ୍ଗକଷିଆ ଦାନ୍ତ ଦି'ପାଟି ଦେଖେଇ ମହନକୁ ଟିକେ ଠେଲି ଦେଇ ହସିଉଠିଲା ଭଇଁରା-। ଚେହେରା ଫିଟେଇବା ପାଇଁ ନାଲି ରଙ୍ଗର ସେଲୁଲଏଡ଼୍ ପାନିଆଁରେ ଲମ୍ବ ଲମ୍ବ ବହଳ କଇଁରା ବାଳ ଉପରେ ଟେରୀ କାଟୁ କାଟୁ ନିଜର ବାହାଦୁରି ଦେଖାଇ କହିଲା–‘‘ଭଲ କଲୁ ଭାଇ-। ମାଟି ଖଣ୍ଡେ କାମୁଡ଼ି କରି ପଡ଼ି ରହିଥିଲେ କଣ କରମ ବଦଳି ଥାନ୍ତା ? ଭାଗ୍ୟ ସଙ୍ଗେ ଲଢ଼େଇ କରିବାକୁ ହେବ ମହନ ! ବିଥିମତ୍ ଲଢ଼ିବାକୁ ହେବ । ଦେଖୁଛୁ ତ ମତେ ! କେମିତି ଆଡ଼୍ଡ଼ାରେ ଅଛି-। ଗାଁରେ ଏ ମଜା ମିଳିବ.... ?’’ ମହନ ଭଇଁରାର ତାଳୁରୁ ତଳିପା ଯାଏ ଆଖି ମାରି ନେଇ କହିଲା–‘‘ସତେ ତ ଭାଇ, ତତେ ତ ଆଉ ଚିହ୍ନି ବି ହେଉ ନାହିଁ । ତୋର ଫୁଲ୍‍କୁ ଫୁଲ୍‍କୁ ଗାଲ, ତାକଡ଼ା ଦେହ ଆଉ ସହରିଆ ଖାତୁ ଦେଖିଲେ ତୋର ପିଠିର ଭାଇ ତତେ ଚିହ୍ନୁଛି କେତେକେ....-?' ମହନର ଏଇ ସରୁ ମନ୍ତବ୍ୟଟା ଭଇଁରାର ମନକୁ ବେଶ୍ ପାଇଲା । ଭ୍ରୂଲତା ଦୁଇଟା କପାଳ ଉପରକୁ ଟେକି ଦେଇ ସେ ହସି ହସି ଗଡ଼ିଗଲା ।

 

ଏମିତି ଦୁଃଖ ସୁଖ ହେଉ ହେଉ ଦୁହେଁ ସାଙ୍ଗ ହୋଇ ପିଚ୍ ରାସ୍ତା କଡ଼େ କଡ଼େ ବସାଆଡ଼କୁ ମୁହାଁଇଲେ । ଯାଉ ଯାଉ ମହନକୁ ଆଗରୁ ସାବଧାନ କରେଇ ଦେଇ କହିଲା–‘‘ମହନ, ତୁ ନୂଆ ଲୋକ । କେତେ ନୂଆ କଥା, ନୂଆ ନିଅମକାନୁନ୍ ଶିଖିବାର ଅଛି ଏଠି । ନ ହେଲେ ପଦେ ପଦେ ବିପଦ । ଜୀବନ ଯିବା ବି ବଡ଼ କଥା ନୁହେଁ....... । ଏମିତି ତ ଫେର୍ ରୋଜ୍ ରୋଜ୍ କେତେ ମରୁଛନ୍ତି ନିଜ ଅସାବଧାନତାରୁ.... ।’’ ମହନ ଭୟମିଶା ଗଳାରେ ଭଇଁରା ହାତକୁ ପଛକୁ ଟିକିଏ ଛିଙ୍କି ଦେଇ କହିଲା–କଣ ତୁ ସବୁ କହୁଛୁ ଭଇଁରା ? ମୁଁ ତ କିଛି ବୁଝି ପାରୁନାହିଁ । ଭଇଁରା ମହନର କଥାଆଡ଼କୁ ତେତେ ନିଘା ନ ଦେଇ ଅତି ସହଜ ଗଳାରେ କହିଲା– ‘‘ଘାବରାଇବା ଦରକାର ନାଇଁ । ମୋ କଥା ପହିଲେ ଶୁଣ । ରାସ୍ତାଘାଟ ତ ଦେଖୁଛୁ ଏ ଯାଗାର । ଚାଣ୍ଟି ଧାର ପରି ମୋଟର, ରିକ୍ସା, ସାଇକେଲ ଆଉ ମଣିଷରେ ଭରପୁର । ମନେରଖ, ସବୁବେଳେ ତୋର ଡେବିରି କଡ଼କୁ ମାଡ଼ି ଚାଲିବୁ । ଫେର୍ ରାସ୍ତାର ଗୋଟିଏ ପାଖରୁ ଆର ପାଖକୁ ଯିବାକୁ ହେଲେ ଦି'ପାଖକୁ ଦେଖିଚାହିଁ ଯିବାକୁ ହେବ । ଛକ ଯାଗାମାନଙ୍କରେ ଆହୁରି ବିପଦ । ତୁ ରହିଗଲେ ବଳେ ବଳେ ଜାଣିଯିବୁ ଯେ । ମୁଁ ତ ନୂଆ ନୂଆ ତୋପରି ହଉଥିଲି ! ଆଉ ଗୋଟିଏ କଥା ଭାଇ, ପକେଟମାରକୁ ସାବଧାନ..... !!’’

 

ଏମିତି କଥା ହେଉ ହେଉ ଦିହେଁ ବସା ପାଖରେ ପହଞ୍ଚିଗଲେ । ବସା ବୋଇଲେ ସାକ୍‍ଚି ବଜାର ପାଖ ରାସ୍ତା ତଳି କୁଡ଼ିଆଟାଏ । ଝାଟିମାଟିର କାନ୍ଥ ଉପରେ ନଡ଼ାଛାଦନ । ଛୋଟ କୁଡ଼ିଆଟିଏ ହେଲେ କଣ ହେଲା, କୁଲି ମଜୁରୀଆଙ୍କ ସୁଖ ଦୁଃଖର ସାଥି । ବିପଦ ଆପଦର ଭରସା ଏଇ ଟିକି କୁଡ଼ିଆଟି । ୟାରି ତଳେ ମୁଣ୍ଡଗୁଞ୍ଜି ମଣିଷ ଭୁଲିଯାଏ ସାରା ଦିନର ହାଡ଼ଭଙ୍ଗା ଖଟଣୀ, ଚିନ୍ତା ଆଉ ଆଶଙ୍କାର ଜଂଜାଳ । ମହନ ଯାଇ ଏଇ ବସାରେ ରହିଲା । ମନରେ ଆଜି ତାର ନୂଆ ଆନନ୍ଦ, ନୂଆ ତୃପ୍ତି । ଗୋଟାଏ ପୁରୁଣା ଘର ଛାଡ଼ି ଆଜି ସେ ପାଇଛି ଏକ ନୂଆ ଘରର ସନ୍ଧାନ । ପୁରୁଣା ଯାଗା ଛାଡ଼ି ସେ ଆସିଛି ନୂଆ ଯାଗାକୁ । ଜୀବନକୁ ନୂଆ ରୂପରେଖ ଦେଇ ସୁନା ସପନକୁ ତାର ଗଢ଼ି ତୋଳିବାକୁ ।

 

ଦୁଇଦିନ ପରେ ଟିସକୋ ଲୁହା କାରଖାନାରେ କୁଲି କାମଟିଏ ମିଳିଲା ତାକୁ । କାଲିଠୁଁ କାମରେ ଜଏନ୍ କରିବାକୁ ହେବ । ମହନର ଆଜି ଆନନ୍ଦର ସୀମା ନାହିଁ । ସେ ଚାକିରି କରିବ । ଟଙ୍କା କମାଇବ । ଋଣତକ ତାର ଶୁଝିଦେବ ଅଳ୍ପ କେଇ ମାସ ଭିତରେ । ଭାବୁ ଭାବୁ ମନ ତାର କୁରୁଳି ଉଠିଲା । ମନ ଗହନର କେଉଁ ଗୋପନ କୋଣରେ ଉଙ୍କି ମାରି ଉଠିଲା କେତେ ଅନାଗତ ସୁଖ ସମ୍ଭୋଗର ସୁନେଲି ଓ ନୂଆ ଆଶାର ରଙ୍ଗୀନ କଳ୍ପନା; ଠିକ୍ ବାଦଲ ଆଢ଼ୁଆଳରେ ପୁନେଇଁ ଜହ୍ନ ଉଙ୍କି ମାରିଲା ପରି ।

 

ତହିଁଆର ଦିନ ସହଳ ସହଳ ପାଇଟି ସାରି କାମକୁ ବାହାରି ପଡ଼ିଲା ମହନ । ସଙ୍ଗରେ ଭଇଁରା ଆଉ ବିଷ୍‍ନୁ । ଏତେ ବଡ଼ ବିରାଟ କାରଖାନା । ପ୍ରକାଣ୍ଡ ରାକ୍ଷସ ଭଳି ମେସିନ୍ । ଟିକିଏ ବି ବିରାମ ନାହିଁ । ଚାଣ୍ଟିପରି ମଣିଷ ଖଟୁଛି ସେଠି ଜୀବନକୁ ପାଣି ଛଡ଼େଇ ଦେଇ । ମେସିନ୍ ସଙ୍ଗେ ମଣିଷର ହାତାହାତି ରକ୍ତାକ୍ତ ସଂଗ୍ରାମ । ମହନର ମନରେ ଅଜଣା ଆଶଙ୍କା ଓ ଅହେତୁକ ଭୟର ଉଆଁସ ଅନ୍ଧାର ଘନେଇ ଆସୁଥିଲା । ପାଦ ଥରି ଥରି ଉଠୁଥିଲା । ଆଖି ତାର ଖୋସି ହୋଇଗଲା କପାଳରେ । କେବଳ ବଲବଲ କରି ଅନେଇ ରହିଲା ସେ ଏଇ ତୁଫାନ୍‍ରୂପୀ ଯନ୍ତ୍ର ଦାନବକୁ । ତାକୁ ଜଣାଗଲା ପାଦତଳ ମାଟି ଚାଖଣ୍ଡେ ସତେ ଯେପରି ଦବି ଯାଉଛି ତଳକୁ ତଳକୁ । ଆଉ ପାହାଡ଼ ପର୍ବତ କୋଠା, ବାଡ଼ି ସବୁ ଘୂରୁଛନ୍ତି ତା ଚାରି ପାଖରେ ଠିକ୍ ତରହଟି ଦୋଳି ଭଳି । ଭାବନାର ବୁଢ଼ିଆଣୀ ମନ ଭିତରେ ତାର ବସା ବାନ୍ଧୁଥିଲା । କାହିଁକି ସେ ତାର ଜନମ ମାଟିକି ଛାଡ଼ି ଆସିଲା ଏଇ ଅପନ୍ତରା ଯାଗାକୁ । ପେଟ ତ ତାର ଅପୋଷା ରହୁ ନ ଥିଲା । ମରଣ ବେଦୀରେ ଜୀବନର ଅଫୁଟା ଫୁଲଟି ଅକାଳରେ ଝରିଯିବା ପାଇଁ କଣ ତେବେ ତାର ଜନମ ? ନାନା ଅବଶୋଷ ଆଉ ପଶ୍ଚାତ୍ତାପର କୁହୁଡ଼ି ଆଖି ଆଗରେ ତାର ଜମାଟ ବାନ୍ଧି ଆସିଲା ।

 

ମହନର ଏଇ ଡରକୁଳା ଭାବ ଲକ୍ଷ୍ୟ କରି ଭଇଁରା ହସିଲା । ପିଠି ଥାପୁଡ଼େଇ କହିଲା–‘‘କିରେ ଭକୁଆପରି ଅନେଇଛୁ କଣ.......ଡରୁଛୁ କି....... । ଏଥିରେ ଡରିବାର କଣ ଅଛି.....-? ଦେଖୁଛୁ ତ କେତେ ଲୋକ ଖଟୁଛନ୍ତି ଦିନରାତି । ସେମାନେ ତ ପୁଣି ଗାଁ ଗାଉଁଲିରୁ ଆସିଛନ୍ତି ଆମପରି । ଛାତି ଦମ୍ଭ ନ କଲେ ଜୀବନ ପଥରେ ଆଗେଇବା ବଡ଼ କଠିନ ମହନ ! ଡରକୁଳା ଲୋକର କାହିଁ ଯାଗା ନାହିଁ......ବୁଝିଲୁ ।’’ ଶୀତର ପହିଲି ସୂର୍ଯ୍ୟ କିରଣରେ ଦିଗହରା କୁହୁଡ଼ିର ପରଦା ଆକାଶରୁ ଅପସରି ଗଲାପରି ଭଇଁରାର କେଇପାଦ ଆଶ୍ଵାସନାବୋଳା କଥାରେ ମହନର ଭୟ ଟିକିଏ ଘୁଞ୍ଚିଗଲା ସତ, କିନ୍ତୁ ଅଜଣା ଆଶଙ୍କା ଓ ଅହେତୁକ ବିପଦର ରୁଦ୍ରମୂର୍ତ୍ତି ମନରେ ତାର କରୁଥିଲା ତାଣ୍ଡବର ସୂତ୍ରପାତ ।

 

ସବୁଦିନ ସବୁକଥା ଥାଏ ନାହିଁ । ଦିହଘଷା ହୋଇଗଲେ ନୂଆ ହୁଏ ପୁରୁଣା । ପର ପୁଣି ହୁଏ ଆପଣା । ଆଗ୍ରହ ଉତ୍କଣ୍ଠାବି କମି କମି ଆସେ ଧିରେ ଧିରେ । ନିତିଦିନିଆଁ କାମ ଏବେ ମହନର ଦିହଘସା ହୋଇଗଲାଣି । ବଡ଼ ବଡ଼ କଳ କାରଖାନା ଦେଖିଲେ ଏବେ ଆଉ ସେ ଘାବରାଏ ନାହିଁ । ଆଗପରି କାରଖାନା ଭିତରକୁ ଗଲାବେଳେ ଫାଟକ ଠାରେ ପାଦ ତାର ଆଉ ଅଟକେ ନାହିଁ । ଏହିପରି ପାଣି ସୁଅପରି ବହିଯାଏ ଦିନପରେ ଦିନ । ମୋହନ ମେସିନ୍ ଧୂଆଁ ଭିତରେ ଖଟେ ଆପଣା ତତଲା ରକ୍ତ କେଇ ବୁନ୍ଦାକୁ ଝାଳରେ ପରିଣତ କରି । ସଞ୍ଜକୁ ବସାକୁ ଫେରିଲେ ଚାଉଳ ଫୁଟା ଦିଟା ପାଟିରେ ଗୁଞ୍ଜିଦେଇ ତେଲଚିକିଟା ମଳିଆ ଦରି ଉପରେ ଲୋଟାଇଦିଏ ତା ଅବଶ ଦେହ । ସାରା ଦିନର ହାଡ଼ଭଙ୍ଗା ଖଟଣି ପରେ ଆଖିକି ତାର ବେଢ଼ି ଆସେ ଝୁମୁରା ।

 

କୁଡ଼ିଆ ପଛପଟେ ପଚାସଢ଼ା ନର୍ଦ୍ଦମା । ମଶା, ମାଛି ଆଉ ରୋଗ ଜୀବାଣୁର ଖଣି । ବେଳ ବୁଡ଼ୁବୁଡ଼ୁ ବାହାରେ ଢେମା ଢେମା ମଶା ଦଳର ଶୋଭାଯାତ୍ରା । ଶତ ମୂରଲୀର ଗୁଣୁଗୁଣୁ ନିନାଦରେ ଜାଗାଟା ମୁଖରିତ ହୋଇ ଉଠେ । ତା ପରେ ମଣିଷ ଉପରେ ଚାଲେ ଛୁରି ବର୍ଚ୍ଛାର ଧାରାବାହିକ ଚଢ଼ାଉ ।

 

ମାଟି ଡିବିରିଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି । କୁଡ଼ିଆ ଭିତରେ କେତେ ଦରପୋଡ଼ା ଥୁଣ୍ଟି ବିଡ଼ିର ଗଦା । କାନ୍ଥର ଠାଏ ଠାଏ ପାନ ପିକର ଦାଗ । କୋଣକୁ ଦରଚୋବା ପାନର ସିଠି । କେଇ ମାସ ହେଲା ବୋଧହୁଏ ବାଢ଼ୁଣି ବୁଲିନି ଘରେ । ଏଇ ଅପରିଛନିଆଁ କୁଡ଼ିଆ ଭିତରକୁ ନିଦ୍ରାଦେବୀ ପଶିବାକୁ ଡରିମରି ଶାନ୍ତି ସମ୍ଭୋଗଭରା ଚକ୍‍ମକିଆ ତିନିତାଲା କୋଠା ଆଡ଼କୁ ପଳାଏ-

 

କୁଡ଼ିଆର ଡେବିରି ପଟକୁ ଖଣି କଣ୍ଟାକ୍ଟରଙ୍କ ନୀଳ ରଙ୍ଗିଆ ତିନି ତାଲା କୋଠା । କୋଠା ଭିତର ସୁସଜ୍ଜିତ କାମେରାମାନଙ୍କରେ ନେଳି ନାଲି ରଙ୍ଗର ବିଜୁଳି ଆଲୁଅ । ଛାତ ତଳକୁ ଝୁଲିଥିବା ବିଜୁଳି ପଙ୍ଖାର ସୁଶୀତଳ ହାୱାରେ କୋଠରୀଗୁଡ଼ିକ ଭର୍‍ପୁର । ଉପର ମହଲାରୁ ଭାସି ଆସୁଛି ପ୍ରାଣ ଚହଲା ସଙ୍ଗୀତର ସୁଲଳିତ ଝଙ୍କାର । ହେନା ଆଉ ଗୋଲାପର ମନ ମତାଣିଆ ସୁବାସ କୋଠା ଚାରିଆଡ଼େ ଘୂରି ଘୂରି ଚୋରା ମଳୟ ସଙ୍ଗେ ଖେଳୁଛି ବହୁଚୋରି ଖେଳ । ଉପର ମହଲାର ଏକ ସୁସଜ୍ଜିତ କୋଠରୀ ଭିତରେ ଦାମିକା ସ୍କ୍ରିନ ଆଢ଼ୁଆଳରେ ଗଦିଦିଆ ସୋଫା ଉପରେ ଭାରି ଦେହଟାକୁ ଲୋଟାଇ ଦେଇଛନ୍ତି କଣ୍ଟାକ୍ଟର୍‍ ସାହେବ । ହାତରେ ସୁଶୀତଳ ପାନୀୟ-। ସାମ୍ନାରେ ସ୍ପ୍ରିଙ୍ଗ ଲଗା ଇଜି ଚେଆର ଉପରେ ବସିଛନ୍ତି ଲାବଣ୍ୟଭରା ସୁନ୍ଦରୀ ଯୁବତୀଟିଏ-। ମୁହଁରେ ତାଙ୍କର ମାଦକଭରା ଚାହାଣୀ । ଲିପଷ୍ଟିକ୍ ବୋଳା ଓଠ କଡ଼ରେ ମୃଦୁ ହସର ଲହରୀ-। କୁଡ଼ିଆ ଫାଙ୍କରୁ ବେଶ୍ ଦେଖାଯାଉଛି ମହନକୁ । ଆଖିରୁ ତାର ଫାଙ୍କି ଫାଙ୍କି ଆସୁଛି ତନ୍ଦ୍ରାର ନିଶା-। ମନ ଗହନର ଗୋପନ କୋଣରେ କୁହୁଳି ଉଠୁଛି ବିପ୍ଳବର ନିଆଁ । ଧନୀ ଓ ଗରିବ ଭିତରେ ଠିଆ ହୋଇଥିବା ଭେଦର ପାଚେରୀ ଆଜି ଆଖି ଆଗରେ ତାର ସୃଷ୍ଟି କରୁଛି ଶତ ପ୍ରଶ୍ନବାଣ । ଗରିବ ହୋଇ ଜନ୍ମ ହେବା ତା ହେଲେ ଏକ ଅଭିଶାପ ! ପାପ ! ନ ହେଲେ କାହିଁକି ଏ ସରଗ ଆଉ ନରକର ପ୍ରଭେଦ । ଜଣକର କରମରେ ସରଗର ସୁଖଶିରୀ ତ ଆଉ ଜଣକର ଭାଗ୍ୟରେ ନରକର ଦହଗଞ୍ଜ । କାହିଁକି ? ସୃଷ୍ଟିରେ କାହିଁକି ଏ ବାଛ ବିଚାର ? କାହିଁକି ଏ ବ୍ୟତିକ୍ରମ ? ସଭିଏଁ ତ ଗୋଟିଏ ବାପର ଛୁଆ ? ତେବେ ସୃଷ୍ଟି ଯେ ଗଢ଼ିଛି, ମଣିଷର ଜୀବନ ସଙ୍ଗେ ନିତିଦିନିଆଁ ଯାର ଖେଳ, ତାର ପକ୍ଷପାତ ବିଚାର ନୁହେଁତ ଆଉ କଣ ? ରକ୍ତରେ ଲାଗେ ନିଆଁ । ମନ ହୁଏ ଅସ୍ଥିର । ଶୋଇବାକୁ ଚେଷ୍ଟା କରେ ମହନ, କିନ୍ତୁ ଶୋଇ ପାରେନା । ଭଇଁରା ଏତେବେଳଯାଏ ଫେରି ନାହିଁ-। ତା ମନର କଥା ଜଣାପଡ଼େ ନା ସହଜେ । ସେ ଯାହା କରେ ସବୁ ଲୁଚେଇ ଛପେଇ କରେ-। ରାତି ଅଧକୁ ଢଳି ଢଳି ଫେରେ ବସାକୁ ।

 

ଫର୍ଚ୍ଚା ଆକାଶର ମୁକୁଳା ଛାତିରେ ଉଠିଛି ଅଷ୍ଟମୀର ଜହ୍ନ । କୋଠାବାଡ଼ିର ଦେହରେ ମେଞ୍ଚା ମେଞ୍ଚା ଚାନ୍ଦିନୀର ଜରିଲଗା ଝାଲର । ଦୂର ପାହାଡ଼ର ମଥାନ ଛୁଇଁ ବହି ଆସୁଛି ସୁଲୁସୁଲିଆ କାଲୁଆ ପବନ । ମହନର ଆଖି ଆଗରୁ ଖସଡ଼ି ଯାଉଛି ନିଦ । ତା ବଦଳରେ ନାଚି ଉଠୁଛି କାହାର ଗୋରା ତକ୍‍ତକ୍ ଚିହ୍ନା ଚେହେରାର ଛଳଛଳ ନିରୀହ ଚାହାଣି । ଧାରା ଶିରାବଣ ପାଣି ଧାର ପରି କଳା କଳା ଡୋଳା ଦିଓଟିରୁ ତାର ଝରି ପଡ଼ୁଛି ବୁନ୍ଦା ବୁନ୍ଦା ଲୁହ । ଛାତିରୁ ଉଠୁଛି ତୁହାଇ ତୁହାଇ କୋହ । ପଦ୍ମପାଖୁଡ଼ା ପରି ସତେଜ ମୁହଁଟି ମଉଳି ଯାଇଛି । ନାହିଁ ସେଇ ଆଗର ସରସତା । ନାହିଁ ସେଇ ଦୀପ୍ତି ! ଆସିଲାବେଳେ କାନ୍ଧ ଉପରେ ମୁଣ୍ଡ ରଖି ଓଦା ଗଳାରେ କହିଥିଲା–

 

‘‘ଭୁଲି ଯିବ ନାହିଁ....ଚିଠି ଦେଉଥିବ......’’ ।

 

ମହନର ମନରେ ଗୁଡ଼େଇ ତୁଡ଼େଇ ହେଉଥିଲା ତୁଲ୍‍ସାର କଥା । ସତେ ତ, କହୁଁ କହୁଁ ତାର ଆସିବାର ଚାରିମାସ ହୋଇଗଲା । ଆଜିଯାଏ ତ ଚିଠି ଦେବାକୁ ଭୁଲି ଯାଇଛି ସେ । କଣ ଭାବିଥିବ ତୁଲ୍‍ସା । କେତେ ଦୁଶ୍ଚିନ୍ତା ଆଉ ଆଶଙ୍କାର ଘନଘଟା ଭିତରେ ଦିନ କାଟୁ ନ ଥିବ ସତେ-! ବାପ ବୁଢ଼ାଟା ତା ଚିଠିକି ଅନାଇ ବସିଥିବ ଚାତକପରି । ବୁଢ଼ା ମଣିଷଟା, କଣ ହୋଇଥିବ ତାର ଅବସ୍ଥା..... ? ପାଚିଲା ଆମ୍ବ....ଟିକିଏ ପବନ ହେଲେ ଝଡ଼ି ପଡ଼ିବ ସିନା । ଭାବୁ ଭାବୁ ମହନର ଆଖି ଛଳ ଛଳ ହୋଇ ଆସିଲା । ଆଖି ଆଗରେ ତାର ନାଚି ଉଠିଲା ଖେତର ବଙ୍କା ଟେଙ୍କା ଆଡ଼ି ଆଉ କଳା ମିଚି ମିଚି ମାଟି ।

 

ମାଟି ମାଆର ଗଳାରେ ଶିଶିର–ମୁକୁତା ମାଳ ଲମ୍ବାଇ ଦେଇ ଗାଁ–ପ୍ରକୃତି କୋଳକୁ ଓହ୍ଲେଇ ଆସିଥିବ ଆଶ୍ୱିନ । ଖେତ ବାହାଲରେ ହସି ଉଠୁଥିବ ସୁନାର ଫସଲ କେଣ୍ଡା । ସିରିସିରିଆ ପବନ ଧାନଗଛର ଓଢ଼ଣା ଟାଣି ଚୁମି ଯାଉଥିବ ଲୁଚି ଲୁଚି । କାଶତଣ୍ଡୀର ମଉଛବ ଲାଗିଥିବ ଯୋର ପନ୍ତାରରେ । ଜାତି ଜାତିକା ଫୁଲ ମାଡ଼ିଥିବ ବାରି ଲତା ଗହଳରେ । ଖେତ ବାହାଲରେ ଧାନର ସବୁଜ ଶିରୀ ଦେଖି ଚାଷୀର ପ୍ରାଣ ଉଲୁସି ଉଠୁଥିବ ସତେ ! ପଲ୍‍ସା ମାଳର ଆଟ ଜମିରେ ରାଶି ଆଉ ମୁଗ ଫସଲ ଗହଳରେ ଲୁଚି ଲୁଚି ନାଚୁଥିବେ ଛୋଟ ଛୋଟ ଠେକୁଆ ଆଉ ଗୁଣ୍ଡୁଚି ମୂଷା । ବାରିପଟ ମୁନୁଗା ଗଛରେ ଫୁଲକଢ଼ ନଦି ହୋଇଥିବ । କାଳି ଗାଈଟା ଫଳିଥିଲା । କାଳି ବାଛୁରିଟିଏ ପ୍ରସବ କରିବଣି । କୁରୁଳି ଉଠୁଥିଲା ମହନର ମନ । ଭାବୁ ଭାବୁ ସପନ ରାଇଜର କେଉଁ ନନ୍ଦନକାନନରେ ବୁଲୁଥିଲା ତା’ର ଅଶରୀରୀ ଆତ୍ମା । ପାଖ ଜାମୁ ଗଛ ଡାଳରେ ଫଡ଼ ଫଡ଼ ହେଇ ଉଡ଼ିଗଲେ କେତୋଟି ବାଦୁଡ଼ି..... !! ଜହ୍ନ ଦୂର ପର୍ବତ ଆଢ଼ୁଆଳରେ ନଇଁ ଯାଉଛି । ଆକାଶ ଉପରେ ଦୂର ଦିଗ୍‍ବଳୟ କୋଳରୁ ଭାସି ଆସୁଛି ଖଣ୍ଡ ଖଣ୍ଡ ଭସା ମେଘ । ମହନ ପଦାକୁ ଆସିଲା-। ଆକାଶର କଳା ଚାନ୍ଦୁଆ ତଳେ ଜୁଳୁଜୁଳିଆ ପୋକ ପରି ମାଳ ମାଳ ତାରା ମିଟି ମିଟି ଆଖିରେ ଅନେଇଛନ୍ତି ତାରି ଆଡ଼କୁ । ମହନର ମନ ବାହୁନି ଉଠୁଛି । ସତେ ଅବା ତାର ଦୁଇଟି ଡେଣା ଥାଆନ୍ତା, ସେ ଉଡ଼ି ଯାଆନ୍ତା ତାର ପ୍ରିୟ ଗାଁ ମାଟି କୋଳକୁ । ଦେଖି ଆସନ୍ତା ତାର ପ୍ରାଣର ପ୍ରତିମାକୁ । ବୁଲି ଆସନ୍ତା ତାର ଖେତ, ବାହାଲ ଆଉ ଆଗ ଲହିଡ଼ ଉପରେ । ଏଇ ଦୂର ଦୂରାନ୍ତରେ ରହି ଜୀବନଟା ତାର ସତେ କେଡ଼େ ଦୂର୍ବହ ହୋଇ ଉଠୁଛି........ ।

 

ଚାରି

 

ମାଟି କୋଳରେ ସୁନାର ଫସଲ ଉପହାର ଦେଇ ଚାହୁଁ ଚାହୁଁ ମଗୁଶୀର ଧରଣୀ କୋଳରୁ ମେଲାଣି ନେଉଛି । ଯୁଆଡ଼େ ଦେଖ ଖାଲି ହଳଦିଆ ଶସ୍ୟଶିରୀରେ ହସି ଉଠୁଛି ଖେତ ବାହାଲ । ଧାନକେଣ୍ଡା ସବୁ ଦୋହଲି ଦୋହଲି ନାଚୁଛନ୍ତି । ଧାନ ଖୁଣ୍ଟିବା ଲୋଭରେ ନାଲି ଥଣ୍ଟ ମେଲି ଉଡ଼ି ଉଡ଼ି ବୁଲୁଛନ୍ତି ବଣୁଆ ଶୁଆ ଚଢ଼େଇ । କନ୍ଧେନପାଲିର ଚାଷୀମାନେ ମୁଣ୍ଡରେ ପାଗ ଭିଡ଼ି ନଇଁ ନଇଁ ଦାଉଛନ୍ତି ଧାନ । ଉଜଲ ସାହୁ ମୂଲିଆ ଲଗାଇ ଧାନତକ ତାର ଦାଇ ପକାଉଛି । ହଳିଆମାନେ ଶୁଳୀରେ ଧାନପେଣ୍ଡା ସବୁ ଖଳାକୁ ବୋହି ଆଣୁଛନ୍ତି । ସାହୁକାର ଭାନୁମଲ ପନ୍‍ସାରୀ ଲୋକ ପଠେଇଛି । ଏଥରକ ସେ ଛାଡ଼ିବ ନାହିଁ । ଯାହା ଟାଳମଟାଳ କଲା କଲା । ଫସଲତକ ଖଳା ମୁଣ୍ଡରୁ ଜବତ୍ କରି ତାର ଅସଲ, ସୁଦ ରୋକ୍‍ଠୋକ୍ ଅସୁଲ କରିବି । ଏ କଥା ଶୁଣି ବୁଢ଼ାର ଆଖିକି ଚାରି ଦିଗ ଦିଶିଲା ଅନ୍ଧାର । ବର୍ଷଯାକର ପରିଶ୍ରମ ସାହୁକାର ଝୋଲିରେ ଅଜାଡ଼ି ଦେବାକୁ କେଉଁ ଚାଷୀର ମନ ବଳିବ ? କିନ୍ତୁ ସାହୁକାର ଯେ ନଛୋଡ଼ବନ୍ଧା ଲୋକ । ସେ ଯାହା କହେ ତାହା ନ କରି ଛାଡ଼େ ନାହିଁ । ବୁଢ଼ାକୁ ବୁଦ୍ଧି ଉପାୟ ଦିଶୁନାହିଁ । ପିଲାଟା ଗଲା ଯେ ଚାରିମାସ ହେଲା ତାର ଶୋର୍ ଶବ୍ଦ ନାହିଁ । ଏଣେ ସାରା ବରଷର କମାଣି ଗଣ୍ଡାକ ଯଦି ବାଏଁ ବାଏଁ ଉଡ଼ିଯାଏ ପେଟ ଦି'ଟା ଅପୋଷା ରହିବ ସିନା । ହେ ଭଗବାନ.....ତୁଇ ଏକା ସାହା !! ବୁଢ଼ା ସରଗକୁ ଚାହିଁ ହାତ ଯୋଡ଼ିଲା ।

 

ଖଳାରେ ଗଦାଏ ଧାନ ମଡ଼ା ସରିଲାଣି । ମୂଲିଆ ଦି'ଟା କୁଲାରେ ଧାନ ଧୁକୁଛନ୍ତି । ଏକାମୁହାଁ ହେଇ ବୁଢ଼ା ଯାଇ ଖଳାରେ ପହଞ୍ଚିଲା । ଧାନତକ ସହଳ ସହଳ ବସ୍ତାରେ ଭରି ଘରକୁ ନେଇ ଯିବାକୁ ହେବ । ନ ହେଲେ ମହାଜନ ଘର ପିଆଦା ପହଞ୍ଚି ଗଲେ ସବୁତକ ପରିଶ୍ରମ ଶୁଖୁଆ ପୋଡ଼ାରେ ଯିବ । ବୁଢ଼ାର ଆଉ ତର ସହୁ ନାହିଁ । ନିଜେ ଲାଗିପଡ଼ି ବସ୍ତା ମୁହଁରେ ଧାନତକ ଅଜାଡ଼ି ପକାଉଛି । ଠିକ୍ ଏତିକିବେଳେ ଖଳା ପଛପଟ ତାଳପତ୍ର କବାଟ ଠେଲି ପଶି ଆସିଲେ ଦଳେ ଲୋକ । ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ପଞ୍ଚହତା ଠେଙ୍ଗା । ସବା ଆଗରେ ମହାଜନ ଘର ଗୁମାସ୍ତା ମାଗୁର ନିଶରେ ହାତମାରି ଆସି ଖଳା ପାଖରେ ହାଜର । ଏ ଦୃଶ୍ୟ ଦେଖି ବୁଢ଼ାର ଆଖିରେ ମେଞ୍ଚା ମେଞ୍ଚା ଅନ୍ଧାର ଜମାଟ ବାନ୍ଧି ଆସିଲା । ମୂଲିଆମାନେ କାମ ଛାଡ଼ି ଥକା ମାରି ଛିଡ଼ା ହୋଇ ରହିଲେ । କାହାରି ପାଟିରେ କଥା ନାହିଁ । ବୁଢ଼ା ବିଚରା ମୁଣ୍ଡରେ ହାତ ଦେଇ ବସି ପଡ଼ିଲା । ଏପରି ଅବସ୍ଥାରେ କଣ ସେ କରିବ ତାକୁ ବୁଦ୍ଧି ଉପାୟ କିଛି ଦିଶିଲା ନାହିଁ । ବୁଢ଼ା ମୁଣ୍ଡ ପୋତି ବସିଥିବା ବେଳେ ପଛପଟୁ କେହି ଜଣେ ଆସି ବୁଢ଼ା ହାତକୁ ବଢ଼ାଇ ଦେଲା ଖଣ୍ଡିଏ ଚିଠି । ବୁଢ଼ା ମୁଣ୍ଡ ଟେକି ଚାହିଁଲା । ସାମନାରେ ଛିଡ଼ା ହୋଇଛି ଗାଁ ଚୌକିଆ ମଙ୍ଗଲୁ ସୁନା । ଚିଠିକୁ ଏପଟ ସେପଟ ଓଲଟାଇ ଉଜଲ ବୁଢ଼ା କିଛି ବୁଝି ନ ପାରି ମଙ୍ଗଲୁ ମୁହଁକୁ ଅନାଇଲା ।

 

ମଙ୍ଗଲୁ ସନ୍ଦେହ ଫିଟାଇ କହିଲା–‘‘ଡାକବାବୁ ଏ ଚିଠି ଖଣ୍ଡିକ ମୋ ହାତରେ ଦେଇ କହିଲେ ତୁମର କୁଆଡ଼େ ଟଙ୍କା ପରା ଆଇଛି । କାଲିକି ଯାଇ ନେଇ ଆସ । ନ ହେଲେ ଓ୍ୱାପସ ଯିବ ।’’ ଏ କଥା ଶୁଣି ଉଜଲ ବୁଢ଼ାର ଯେତେ ଦୁଃଖ ଅବଶୋଷ ଆଦିନିଆଁ ମେଘ ପରି ଉଭେଇ ଗଲା । ମନରେ ତାର ନାଚି ଉଠିଲା ଅଜଣା ଆନନ୍ଦର ଢେଉ । ଚିଠି ଧରି ଛାନିଆଁ ହେଇ ଧାଇଁଲା ଘରକୁ । ତୁଲ୍‍ସା ପାଖରେ ଏ ଶୁଭ ଖବର ପହଞ୍ଚାଇ ଦେବା ପାଇଁ । ବୁଢ଼ା ଅଧବାଟ ଯାଇଛି କି ନାହିଁ ପିଆଦାମାନେ ପଛରେ ଗୋଡ଼େଇଲେ । ବୁଢ଼ା କେତେ ଅନୁନୟ ବିନୟ ହେଲା; କିନ୍ତୁ ଭାନୁମଲ ପନ୍‍ସାରୀର ପିଆଦାମାନେ ଛାଡ଼ିବାର ଲୋକ ନୁହଁନ୍ତି । ଭାଙ୍ଗି ପଛେ ଯିବେ ବଙ୍କେଇବେ ନାହିଁ । କଥା କଥାକେ ଧମକ୍ ଚମକ୍ ଆଉ ଡରାଣି । ହୃଦୟରେ ତାଙ୍କର ଦୟା ଧରମ ବୋଲି ଟିକିଏ ନାହିଁ । ବୁଢ଼ାର କାକୁତି ମିନତି ଶୁଣି ମହାଜନର ପୁରୁଣା ପିଆଦା ଖଣ୍ଡିକାଶଟାଏ ମାରି ନିଶ ମୋଡ଼ି ବୁଢ଼ା କତିରେ ପହଞ୍ଚିଲା । ବୁଢ଼ାର କାନ ପାଖକୁ ନଇଁ ଆସି ଚାପା ଗଳାରେ କହିଲା–‘‘ହାମର ବିଦାକିଟା ମିଳିଗଲେ ହାମେ ଚାଲିଯିବୁ ।’’ ବୁଢ଼ା ଅଣ୍ଟି ଖୋସାଣିରୁ ଟଙ୍କାଟିଏ କାଢ଼ି ବଢ଼ାଇ ଦେଲା । ପିଆଦାମାନେ ଖୁସି ମନରେ ସିଟି ମାରି ମାରି ମଦଭାଟି ଆଡ଼କୁ ଚାଲିଗଲେ-। ବୁଢ଼ା ଏତେବେଳକୁ ସ୍ୱସ୍ତିର ନିଶ୍ୱାସଟିଏ ମାରି କହିଲା–‘‘ଚକେ ଗଲେ ବାର ହାତ.....-।’’

 

ପାଞ୍ଚ

 

ଥାନା ବୁନ୍ଦେଲ ଭାଡ଼ି !!

 

ସ୍କୁଲ ଘରେ ଛୋଟିଆ ଡାକଘର । ସ୍କୁଲର ବୁଢ଼ା ପଣ୍ଡିତେ ଏଠାକାର ଡାକ ମାଷ୍ଟ୍ର । ରାତି ପହରକରୁ ଉଠି ଉଜଲ ବୁଢ଼ା ପାଞ୍ଚ ମାଇଲ ବାଟ ଚାଲି ଚାଲି ଆସି ସ୍କୁଲ ବାରଣ୍ଡାରେ ଫେଁକାରି ମାରୁଛି । ଅନ୍ଧାରଟାରେ କେତେ ଆଡ଼ି ତାଡ଼ି ଡେଇଁ ଏକ ମୁହାଁ ହୋଇ ଧାଇଁଛି । ଗୋଡ଼ରେ ଗଳି ଯାଇଥିବା କଣ୍ଟାଆଡ଼କୁ ତାର ନିଘା ନାହିଁ । ମନରେ ଖେଳୁଛି ଖୁସିର ଜୁଆର । ଦେହରେ ଜାଗୁଛି ଅଜଣା ପୁଲକ । ପୁଅର ଖବର ଜାଣିବ । ଟଙ୍କା ପାଇବ । ଋଣତାର ଶୁଝିଦେବ । ବୁଢ଼ା ଥରକୁ ଥର ଉଠି ଡାକଘର କବାଟକୁ ଅନିସା କରିଛି । ବେଳ ଉଇଁଲାଣି । ଡାକଘର ଖୋଲି ନାହିଁ । ବୁଢ଼ା ଅଥୟ ହେଲାଣି । ତର ସହୁନାହିଁ ତାର । ବୁଢ଼ା ଶେଷକୁ ପଣ୍ଡିତ ଆପଣେଙ୍କ ଦୁଆର ମୁହଁରେ ଯାଇ ପହଞ୍ଚିଲା । ଖବର ମିଳିଲା, ପଣ୍ଡିତେ ପୂଜାରେ ବସିଛନ୍ତି । ଆଉ ଯାଇ ଘଣ୍ଟାଏ ଡେରି । ବୁଢ଼ା ମୁହଁଟାକୁ ତେନ୍ତୁଳି ଖାଇଲା ପରି କରି ଫେରି ଆସିଲା । ଆଜି ତାକୁ ଗୋଟାଏ ଘଣ୍ଟା ଗୋଟାଏ ଯୁଗପରି ଲାଗୁଛି । ଟାକି ଟାକି ମନ ଛଟପଟ ହେଉଛି ।

 

ଘଣ୍ଟାଏ ପରେ ଝୁମୁକା କଠଉ ମାଡ଼ି ଚିତା ଚଇତନରେ ଦେହସାରା ମଣ୍ଡି ହେଇ ଢଳି ଢଳି ଆସି ପହଞ୍ଚିଲେ ଡାକ ମାଷ୍ଟର ବାବୁ । ଡାକଘର ଖୋଲିଲା । ଗ୍ରାହକ ଯୁଟିଲେ ଗୋଟି ଗୋଟି କରି । କାହାର ଖଣ୍ଡିଏ କାର୍ଡ଼ ଲୋଡ଼ା ଚିଠି ଦେବ ଚା'ବଗାନରେ ଥିବା ପୁଅ ପାଖକୁ । କାହାର ବା ରସିଦ ଟିକଟ ଦରକାର ହେଣ୍ଡନୋଟ ଲେଖି ଟଙ୍କା ଆଣିବ ସାହୁକାର ପାଖରୁ । କିଏ ଆସିଛି ଖଣ୍ଡିଏ ମନିଅର୍ଡ଼ର ଫାରମ ପାଇଁ । ସମସ୍ତେ ଉବୁଡ଼ି ହେଲେ ଝରକା ପାଖରେ । ଭିଡ଼ ଠେଲି ଉଜଲ ବୁଢ଼ା ହାତଯୋଡ଼ି କହିଲା–‘‘ମାହାପୁରୁ ପାଞ୍ଚ ମାଇଲ ବାଟରୁ ଆସି ଟାକିଛି । ମୋ କାମଟା ଜଲ୍‍ଦି ତୁଟାଇ ଦିଅ ।’’ ବୁଢ଼ାର ମୁହଁକୁ ତରାଟି ଚାହିଁ ଡାକ ମାଷ୍ଟର ବାବୁ ଡ୍ରୟର ଭିତରୁ ଗୋଟିଏ ମନିଅର୍ଡ଼ର ଫାରମ୍ କାଢ଼ି ତହିଁରୁ ତଳଖଣ୍ଡିକ ଚିରି ବୁଢ଼ା ହାତକୁ ବଢ଼ାଇ ଦେଲେ । ଥଳିରୁ ଦଶଟଙ୍କିଆ ନୋଟ କେଇଖଣ୍ଡ କାଢ଼ି କେଇବାର ଗଣି ବୁଢ଼ାକୁ ଲକ୍ଷ୍ୟ କରି କହିଲେ–‘‘ଦେଖି ବୁଝି ଗଣିନିଅ, ଆଉ ଏଇ ଫାରମ୍ ଦେହରେ ଦସ୍ତଖତ କର ।’’ ବୁଢ଼ାତ ପାଠଶାଠ ପଢ଼ି ନାହିଁ, କେବଳ ନିଜ ଚେଷ୍ଟାରେ ଅକ୍ଷର ଚିହ୍ନି ଛପା ଅକ୍ଷର ପଢ଼ିପାରେ । ଲେଖିପାରେ ନାହିଁ । ଏତେବେଳକୁ ଅଢ଼ୁଆରେ ପଡ଼ିଲା । ପିଲାବେଳେ ଚାଟଶାଳୀକୁ ଯାଇ ଅକ୍ଷର ଶିଖିବାକୁ ବାପ ବୁଢ଼ା ତାକୁ କେତେ ମନାଏ । ଅବଧାନ ଗାଁ ମୁଣ୍ଡ ବରଗଛ ତଳେ ତାକୁ କାନ ମୋଡ଼ି କେତେ ଆକଟ କରନ୍ତି ! ଭୂଇଁ ଉପରେ ଧୂଳିରେ ଆଙ୍ଗୁଳିରେ 'ଅ ଆ' ଘୋଷଯାଏ । ସେତେବେଳକୁ କାଗଜ କଲମ କଥା କେହି ଜାଣି ନ ଥିଲେ । ଉଜଲ ବୁଢ଼ା ସାହି ସାଙ୍ଗ ମେଳରେ ଚାଟଶାଳୀରୁ ଲୁଚି ପଳାଏ ପୋଖରୀ ଆଡ଼ିରେ କଦମ୍ବ ଗଛରେ ଡାହି ମାକୁଡ଼ି ଖେଳିବାକୁ । ଆଜି ପିଲାବେଳର ଏଇ କେତୋଟି କଥା ଜଳଜଳ ହୋଇ ଆଖି ଆଗରେ ତାର ଝଲସି ଉଠିଲା । କାହାକୁ କହିବ କାହାକୁ ବା ନିନ୍ଦିବ ! ଦୋଷତକ ତ ତାରି, ନ ହେଲେ ଆଜି ଦସକତଟିଏ ଦେଇ ନ ପାରି ସେ ଏତେ ହିନସ୍ତା ହରକତ ହୁଅନ୍ତା ? ଡାକ ମାଷ୍ଟରଙ୍କ ଡାକରେ ହଠାତ୍ ସେ ଚମକି ପଡ଼ିଲା । ଶେଷକୁ ଥଧମମ ହୋଇ ଟିପଟିଏ ମାରିଦେଇ ଟଙ୍କାତକ ଗାମୁଛା କାନିରେ ଭଲକରି ବାନ୍ଧିଲା ! ପଣ୍ଡିତେ ଆପଣେଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣାମଟିଏ ଠୁଙ୍କି ବାହାରି ପଡ଼ିଲା । ବୁଢ଼ାର ଆନନ୍ଦ ଆଜି ଦେଖେ କିଏ ? ପାଦ ତାର ଲାଗୁନାହିଁ ଭୂଇଁରେ ।

 

ଫେରିଲା ବାଟରେ ଜଣେ ବାବୁଙ୍କୁ ଫରମ ଖଣ୍ଡକ ପଢ଼ିବାକୁ ଦେଲା । ମହନ ଲେଖିଛି ତାର ଦେହ ପା ଭଲ ଅଛି । ଆଇଲା ନୂଆଖାଇକୁ ଛୁଟି ନେଇ ଆସିବ । ପୁଅର ଖବର ପାଇ ବୁଢ଼ାର ମନ କୁରୁଳି ଉଠିଲା । ଆକାଶକୁ ଚାହିଁ ସେ ହାତ ଯୋଡ଼ିଲା । କାନି ବୁଜୁଳାକୁ କାଢ଼ି ଦେଖିଲା ଟଙ୍କାତକ ଠିକ୍ ଅଛି । ବାରକୋଡ଼ି ଟଙ୍କା । କମ୍ ନୁହେଁ । ଜୀବନରେ ଏତେଗୁଡ଼ାଏ ଟଙ୍କା ସେ ଦେଖିନାହିଁ କି ଗଣିନାହିଁ କେବେ । ଆଜି ଈଶ୍ୱରେ କଲେ ପୁଅ କମାଇଲା ବୋଲି ତା କରମକୁ ଏତେ ଟଙ୍କା ଜୁଟିଲା ସିନା । ସଙ୍ଗେ ସଙ୍ଗେ ବୁଢ଼ା ଗାଁ ମୁଣ୍ଡ ମହାଦେବ ମନ୍ଦିରକୁ ଯାଇ ଠୁଣକିନା ଘଣ୍ଟିଟା ପିଟି ଦେଇ ଢୁ କିନା ମୁଣ୍ଡିଆଟିଏ ମାରିଲା । ପାଟିରୁ ଫୁସଫୁସ ହେଇ ଏତକ ବାହାରି ପଡ଼ିଲା–‘‘ହେ ପ୍ରଭୁ, ତୁମ କୁର୍‍ପାରୁ ସିନା ଆଜି ପିଲାଟା ଏତେ ପଇସା କମାଇଲା । ତୁମେ ଏକା ସାହା ମାହାପୁରୁ । ତାକୁ ଘଣ୍ଟ ଘୁଡ଼େଇ ରଖିଥାଅ । ଜଳସେହି କରିମି–ଫୁଲ ବେଲପତ୍ରି ଚଢ଼ାଇମି ପ୍ରଭୁ..... !’’ ମନେ ମନେ ଏତକ ଜଣାଇ ବୁଢ଼ା ତରତର ହେଇ ଗାଁ ଭିତରକୁ ମୁହାଁଇଲା । ଗାଁ ମଝି ଭୁଲିଆସାହିରେ ମାରୱାଡ଼ି ଦୋକାନ ଅଣାକର ଚିଜକୁ ଦି ଅଣାରେ ବିକିବା ହେଲା ମାରୱାଡ଼ିଙ୍କର ପେଷା । ଆଖ ପାଖ ପାଞ୍ଚ ସାତଖଣ୍ଡ ଗାଁର ଗରିବ ଗୁରୁବା କିଣିଖିଆମାନେ ଏଇ ଦୋକାନକୁ ଆଶ୍ରା କରି ଚଳନ୍ତି । ଦର ଯାହା ହେଉ ପଛେ କିଣି ନ ନେଲେ ଘରେ ତାଙ୍କ ଚୂଲି ଜଳେ ନା । ଉଜଲ ବୁଢ଼ା ଏଇ ଦୋକାନରୁ ଗାଁ ଦେବୀ ପାଇଁ ନଡ଼ିଆ, ସିନ୍ଦୂର, ଘିଅ, ଧୂପ ଆଦି କିଣି କାନିରେ ବାନ୍ଧିଲା । ଭୁଲିଆ ସାହିରୁ ବହୂ ପାଇଁ ମନ ଲାଖି ଶୁଆପଖିଆ ବୁଟାଦାର ଶାଢ଼ି ଖଣ୍ଡେ କିଣି କାଖରେ ଜାକିଲା-। ଫେରୁ ଫେରୁ ବାଟରେ ଗୁରିଆ ଘରୁ ବରା, ଗୁଲୁଗୁଲା, ଉଖୁଡ଼ା ଆଉ ଚିନି ପେଡ଼ାରୁ ଚାରିଅଣାର କିଣି ବୁଢ଼ା ସିଧା ଗାଁ ବାଟ ଧରିଲା । ଏ ସବୁ ଜିନିଷ ଦେଖି ତୁଲ୍‍ସା କେତେ ଖୁସି ନ ହେବ ସତେ-! ଶୁଆପଖିଆ ଶାଢ଼ିଟା ତା ଉଜ୍ଜ୍ୱଳ ଗୋରା ଦେହକୁ କେଡ଼େ ସୁନ୍ଦର ମାନିବ ! ମହନ ନୂଆଖାଇକୁ ଆସିବାର ଜାଣିଲେ ତାର ମନ ଆନନ୍ଦରେ କୁରୁଳି ଉଠିବ ।

 

ଏମିତି କେତେ କଥା ଭାବୁ ଭାବୁ ଘରେ ଯାଇ ପହଞ୍ଚିଲା ଉଜଲ ବୁଢ଼ା । କେତେବେଳୁ ତା’ ଆସିବା ବାଟକୁ ଅନାଇଁ ବସିଥିଲା ତୁଲ୍‍ସା । ବୁଢ଼ାର ହସହସ ସରସ ମୁହଁ ଦେଖି କିଛି ଆନନ୍ଦର ସୂଚନା ଠଉରେଇ ନେଲା ମନେ ମନେ । ବୁଢ଼ା ଗାମୁଛା କାନି ଫିଟାଇ ତୁଲ୍‍ସା ଅଣ୍ଟିରେ ଟଙ୍କାତକ ଅଜାଡ଼ି ଦେଲା । ନୂଆ ଶାଢ଼ି ଆଉ ଏତେଗୁଡ଼ାଏ ଟଙ୍କା ପାଇ ତୁଲ୍‍ସା ଏକାବେଳକେ ଆନନ୍ଦରେ ଅଧିର ହୋଇ ଉଠିଲା । ମହନ ପ୍ରତି କୃତଜ୍ଞତାରେ ହୃଦୟ ତାର ପୂରିଗଲା । କେତେ ଭଲ ତାର ସ୍ୱାମୀ । କେଡ଼େ ଦକ ତାଙ୍କର । ଏକାବେଳକେ ଅଣ୍ଟିଏ ଟଙ୍କା ପଠାଇ ଦେଲେ । ସେ ମିଛଟାରେ ରାଗୁଥିଲା । ଅଭିମାନ କରୁଥିଲା ସିନା । ଭାବୁ ଭାବୁ ମୁହଁ ତାର ଲାଜେଇ ଗଲା । ଭିତିରି ଖଞ୍ଜାରେ ଜିନିଷତକ ରଖିଦେଇ ଶ୍ୱଶୁର ପାଇଁ ପଖାଳ ବାଢ଼ିଦେଲା । ଗୋଡ଼ ହାତ ଧୋଇ ବୁଢ଼ା ଖାଇ ବସିଲା । କାଖରେ ମାଠିଆ ଧରି ଯୋର ଆଡ଼କୁ ମୁହାଁଇଲା ତୁଲ୍‍ସା ।

 

ଯୋର ଘାଟ ଚହଲାରେ ଅଣ୍ଟାଏ ପାଣି । ଗଲ୍‍ସା କାଠି ଖଣ୍ଡେ ଦାନ୍ତରେ ଘସି ଘସି ତୁଲ୍‍ସା ଯାଇ ଚହଲା କଡ଼ରେ ପହଞ୍ଚିଲା । ଚହଲା ଖଣ୍ଡିରେ ରେଡ଼ିଘସା ପଥର ଉପରେ ପିଠି ମେଲାକରି ବସିଛି ହଗୁରାର ମା । ତା ପିଠି ଉପରେ ଖପୁରି ପାତିଆଟିଏ ଧରି ଘସି ଘସି ମଳି ଛଡ଼ାଉଛି ସମାରି । ମୁଣ୍ଡରେ ଚିକିଟାମାଟିର କାଦୁଅ ବୋଳି ମୁଣ୍ଡ ଘସୁଛି ପଧାନ ଘରର ବହୂ ଡମଣୀ । ମାଟି କାଦୁଅର ଧାର ତାର ଆଖି ନାକ ଓଠ ଦେଇ ଗଳି ପଡ଼ୁଛି ଛାତି ଭିତରକୁ । ଏପଟେ ଆଣ୍ଠୁର ଲୁଗା ଅଣ୍ଟା ଉପରକୁ ଟେକି ଦେଇ ସର୍ଗି ପତରରୁ ହଳଦୀ ଟିକିଏ ନେଇ ଗୋଡ଼ରେ ବୋଳୁଛି ଡମଣୀର ଶାଶୁ । ତୁଲ୍‍ସାକୁ ଆସିବାର ଦେଖି ହଗୁରାର ମା ଡମଣୀର ଶାଶୁଆଡ଼କୁ ଚଟ୍‍କିନା ଆଖି ମାରି ଦେଇ କହିଲା–‘‘ବୁଝିଲ ମଲିକଢ଼, ଛୋଟ ଗାଁ ବୋଇଲେ କ'ଣ କରିବ ? ଭିତରେ ଭିତରେ କେତେ ନାଟ ଲାଗିଛି ଏ ଗାଁରେ; ସେ କଥା ଆଉ କଣ ଅଛପା ଅଛି ?’’

 

ପଥର ଉପରେ ଗୋଡ଼ର ରେଡ଼ି ଘସୁ ଘସୁ ଡମଣୀର ଶାଶୁ ନାକର ଗୁଣା ହଲାଇ ହଲାଇ କହିଲା–‘‘ଏକାଦଶୀ ଉପାସ୍ କରି ବୁଡ଼ି ବୁଡ଼ି ପାଣି ପିଇଲେ କିଏ ଜାଣିବ । ମଲିକଢ଼ ! କାର୍ ପେଟରେ କିଏ ପଶୁଛି ? ହେଲେ ଏନ୍ତା ଅଲାଜୁକିଆ କଥା ଆମେ ନାଇଁ ଜାଣି ଥାଇ କେବେ-? ଆମେ ବି ଦିନେ ଇ ଗାଁକେ ବହୂ ହେଇ ଖଟି ଆସିଥିଲୁ ।’’

 

ଡମଣୀ ଜାଲିଚଟୁ ମୁହଁରେ ରେଡ଼ି ମାରି ଚଟୁ ବୁଲାଉ ବୁଲାଉ କହିଲା–‘‘କାର୍ କଥା କହୁଛ ମିତମା...... ?’’

 

ହଗୁରାର ମା କାନି ପଣତ ହାତରେ ଗୁରାଇ ମୁହଁ ହାତ ଘସୁ ଘସୁ କହିଲା– ‘‘କାର୍ କଥା ଆଉ କହମି..... । ଗାଁ ସାରା ଜାରୀ ହେଲାନ ଆର୍ ତୁଇ ନିହେ ଜାନୁ ! ହଉ ର, ସମିଆ ପରଲେ ବଲ୍‍ହେ ଜାନ୍‍ବୁ ଯେ.... ।’’

 

ସବୁ ଶୁଣିଲା ତୁଲ୍‍ସା । ଏ କଥାଗୁଡ଼ାକ ଶୁଣି ତାକୁ ମନେ ହେଉଥିଲା ସତେ ଯେପରି କେହି ଗୁଡ଼ାଏ ସୁଜି ଆଣି କାନ ଭିତରକୁ ତାର ଭୁସି ଦେଉଛି । ତାକୁ ଲକ୍ଷ୍ୟ କରି ଯେ ଏ ଟାପରା ଚାଲିଛି ଏ କଥା ଆଉ ତାକୁ ବୁଝିବାକୁ ବାକି ରହିଲା ନାହିଁ । ତା ଗର୍ଭ ହୋଇଥିବା କଥା ତା ହେଲେ ଗାଁ ସାରା ରାଷ୍ଟ୍ର ହୋଇ ଗଲାଣି । ହେଲେ ତାକୁ ବାଛିବାକୁ ଏମାନେ କିଏ ? ବିନା ଦୋଷରେ ତା ମୁହଁରେ କଳଙ୍କର କାଳିମା ବୋଳିବାକୁ ଏମାନଙ୍କର କି ହକ ଅଛି । ନିଜ ମୁଣ୍ଡରେ ତ ଭରଣେ ପୋକ । ଅନ୍ୟ ମୁଣ୍ଡ ପାପୁଲି ହସିବାକୁ ଏମାନଙ୍କୁ ଲାଜ ଲାଗୁନାହିଁ ? ପରର ଛିଦ୍ର, ଚୁଗୁଲି, କୁତ୍ସା ଗାଇବାକୁ ସଭିଏଁ । ଅନ୍ୟ ଘରେ ନିଆଁ ଲଗାଇ ଦେଇ ହୋ ହୋ କରି ତାଳିମାରି ମଜା ଦେଖିବାକୁ ଆଗ । କିନ୍ତୁ ବିପଦ ବେଳେ ଆହା ପଦଟିଏ ବାହାରେ ନାହିଁ କା' ପାଟିରୁ । କୋହରେ ଫୁଲି ଫୁଲି ଉଠିଲା ତୁଲ୍‍ସାର ନାକପୋଡ଼ା । ରାଗରେ ଜଳି ଉଠିଲା ତାର ଛାତି । ତରତର କରି ଲୁଗା ଚିପୁଡ଼ି ବାହାରି ଆସିଲା ସେଠୁ । ଗୋଟାଏ ହାତରେ ତାଳି ବାଜେ ନାହିଁ । ତୁନି ରହି ସହିଯିବା ସବୁଠୁ ଭଲ-

 

ତୁଲ୍‍ସା ଓଦା ଲୁଗା ପାଲଟି ପକାଇ ଦେଖିଲା, ବୁଢ଼ା ଖାଇ ସାରି ଯିବା ପାଇଁ ସଜ ହେଉଛନ୍ତି । ସେ ଧିର ଗଳାରେ ପଚାରିଲା– ‘‘ଏତେ ଖରାରେ କେଉଁଠାକୁ ଯିବ ବାପା ?’’ ବୁଢ଼ା ଦୁକୁତା ଟିକିଏ ଜିଭରେ ପକାଇ ଦେଇ ହସି ହସି କହିଲା– ‘‘ସାହୁକାର ପାଖକୁ ଯିବି ମା...... । ତା ଟଙ୍କାତକ ନିକାଲି ନ ଦେବା ଯାଏ ମୋ ମନ ଶାନ୍ତି ନାହିଁ । ସଳା, କାଲି ପୁଣି ଖଳାରୁ ଧାନତକ ମାପି ନେବା ପାଇଁ ପିଆଦା ପଠାଇଥିଲା ।’’

 

ତୁଲ୍‍ସା ପୁଣି ପଚାରିଲା– ‘‘ଏତେ ବାଟ ଚାଲି ଚାଲି ଆସିଛ, ପୁଣି ତିନି ମାଇଲ ବାଟ ଚାଲିକରି ଯିବ...... ?’’ ଛିଣ୍ଡା କାମିଜଟା ମୁଣ୍ଡରେ ଗଳଉ ଗଳଉ ବୁଢ଼ା କହିଲା– ‘‘କିଛି ହେବ ନାଇଁ ମା.....ଯେତେବେଳର କାମ ତେତେବେଳେ ତୁଟାଇ ଦେବା ଭଲ ।’’

 

ଟଙ୍କାତକ ନେଇ ବୁଢ଼ା ବାହାରିଲା ପଲସାପାଲି ସାହୁକାର ଘର ଗାଁକୁ । ଅଙ୍କାବଙ୍କା ବାଟଚଲା ରାସ୍ତାଟି ଯୋର କୂଳେ କୂଳେ ଲମ୍ବି ଯାଇଛି ଆଖୁ କିଆରୀ କଡ଼େ କଡ଼େ । ଶୀତମାସିଆ ଦ୍ୱିପ୍ରହର । ହଳଦିଆ ଜରିଲଗା ଶାଲ ଖଣ୍ଡେ ଘୋଡ଼ି ହୋଇଛି ଧରଣୀ ରାଣୀ । ହୁରହୁରିଆ ଅମାନିଆଁ ବାଆ ବନଗହିରୀ ଯୋର ନାଳ ଆଡ଼ୁ ବୁଲି ବୁଲି ଥକିଯାଇ ବିଲଗହିରୀ ଧାନଗଛର ଛାତିରେ ଟିକିଏ ଆଉଜି ପଡ଼ୁଛି । ଲାଜରେ ଶିରିଶିରେଇ ଉଠୁଛି ଧାନଗଛର ଦେହ । ଚଷାମାନେ ଯେ ଯାହାର ଖେତ ଭିତରେ ଅଣ୍ଟା ନୁଆଇଁ ଧାନ ଦାଉଛନ୍ତି, କେତେକ ବସି ନଡ଼ା ବାନ୍ଧୁଛନ୍ତି । ଆକାଶର ମୁକୁଳା ଛାତିରେ ପଇଁତରା ମାରୁଛନ୍ତି ଧଳା ଧଳା ବାଦଲ । ତାର ଛାଇ ଖେତ, ବାହାଲ, ଯୋର, ନାଳ ପାରି ହୋଇ ଭାସି ଭାସି ଯାଉଛି । ଗୋଟାଏ ଦି'ଟା ଶଙ୍ଖଚିଲ ଦୂର ମେଘ ତଳେ ଉଡ଼ି ବୁଲୁଛନ୍ତି । ପାହାଡ଼ ଆରପଟରୁ କାନରେ ଅତରା ପକାଇ ମେଘ ଉହାଡ଼ରେ ଲୁଚି ଲୁଚି ଉଡ଼ି ଯାଉଛି ଧଳା ହେଇ ଉଡ଼ାଜାହାଜଟିଏ । ଅପୂରୁବ ଜିନିଷ ଭଳି ଗାଁ ଲୋକେ ଅନେଇଛନ୍ତି ଉପରକୁ । ଛୋଟ ଛୋଟ ନଙ୍ଗଳା ପିଲା ଦାଣ୍ଡର ଏ ମୁଣ୍ଡରୁ ସେ ମୁଣ୍ଡକୁ ଧାଇଁ ଧାଇଁ ବୁବି ମାରୁଛନ୍ତି ।

 

ଉଜଲ ବୁଢ଼ାର କାହିଁରେ ନଜର ନାହିଁ । ତାର ଏକମାତ୍ର ଚିନ୍ତା କେମିତି ସହଳ ପହଞ୍ଚି ଋଣତକ ଶୁଝିଦେବ । ମହାଜନ ଯେମିତି ଲୋକ, ଜାଲ ତମସୁକ କରି ଗରିବ ମଳିମୁଣ୍ଡିଆଙ୍କ ତଣ୍ଟି ଚିପି ପକ୍‍କା ମହଲ ତୋଳିଛି । ଅନେକ ପ୍ରଜା ତା କବଳରେ ପଡ଼ି ଜମିରୁ ବେଦଖଲ ହୋଇଛନ୍ତି । ଆଜି କେମିତି ସେ ତାର କୁଟପେଞ୍ଚରୁ ରକ୍ଷା ପାଇବ ସେଥିପାଇଁ ଭଗବାନଙ୍କୁ ବାରମ୍ବାର ଗୁହାରୁ ଥାଏ ଉଜଲ ବୁଢ଼ା । ପରର ମୁଣ୍ଡ ପିଟି ଯେ ଯେତେ ଧନସମ୍ପତ୍ତି ଅର୍ଜିଲା ତାର ତେତେ ବଡ଼ତି, ତେତେ ଖାତିର । ଯା’ ର ଜନବଳ, ଧନବଳ ବେଶୀ ସେ ହେଲା ଆଜିକାଲି ବଡ଼ଲୋକ । ତାର ଦୋଷ ଦୋଷ ନୁହେଁ । ତାର ପାପ, ପାପ ନୁହେଁ । ସେ ଯାହା କରୁ ସବୁ ପାର୍ । ଅରକ୍ଷ ଗରିବ ମଳିମୁଣ୍ଡିଆଙ୍କ କଣ ଅଛି ? ନା ଅଛି ଧନବଳ, ନା ଅଛି ଜନବଳ ? ସତେ ଯେପରି ସେମାନେ ସୃଷ୍ଟିର ଅଭିଶପ୍ତ ଜୀବ ! ଆଜିକାଲିର ଏଇ ଭଙ୍ଗାଗଢ଼ା ଦୁନିଆଁରେ କଣ ବା ନ ହୁଏ ? ମିଛ ସାକ୍ଷୀ ଦେଇ ଦୋଷୀ ହୁଏ ନିର୍ଦ୍ଦୋଷରେ ଖଲାସ । ନିର୍ଦ୍ଦୋଷ ନିରୀହ ଚାଷୀ ମୂଲିଆ ଓକିଲ ବୁଦ୍ଧିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଏ । ଏ ତ ଏ ଯୁଗର ନିତିଦିନିଆଁ ଘଟଣା ! ସାହୁକାର ଭାନୁମଲ ପନ୍‍ସାରୀ ଆଜି ଟଙ୍କା ବଳରେ ବଡ଼ଲୋକ । ଯେ ଯେତେ ଦୋଷ କରୁ ଅନ୍ୟାୟ କରୁ ତାକୁ ଚାରିଖୁଣ ମାଫ୍ । ବଡ଼ବଡ଼ିଆ ଲୋକ ଆଜି ତା ହାତ ମୁଠାରେ । ଏମିତି ତଣ୍ଟିକଟା ଲୋକଠାରେ ଦେଖି, ବିଚାରି କାରବାର କରିବାକୁ ହେବ । ଭାବୁ ଭାବୁ ଶଙ୍କିଗଲା ଉଜଲ ବୁଢ଼ା ।

 

ଦାଣ୍ଡପଟ ବୈଠକ ଘରେ ବସି ନାଲି ଖାତା କାଢ଼ି କଣ ସବୁ ହିସାବ କିତାବ କରୁଥିଲେ ମହାଜନଙ୍କ ମୁନ୍‍ସୀ ! ପାଖରେ ଗଦି ଉପରେ ମୋଟା ଦେହଟାକୁ ଆଉଜେଇ ଦେଇ ଗୁଡ଼ାଖୁ ଧୂଆଁ ଖାଉଥିଲେ ନିଜେ ଭାନୁମଲ ପନ୍‍ସାରୀ । ଉଜଲ ସାହୁକୁ ହଠାତ୍ ଏମିତି ଅସମୟରେ ଦେଖି ମହାଜନ ଧାନଉଁଷୁଆ ହାଣ୍ଡିପରି ପେଟ ଉପରେ ବାଁ ହାତ ବୁଲାଉ ବୁଲାଉ ସୁନାର ନକଲି ଦାନ୍ତ ହଳକ ଦେଖାଇ ଦେଇ ଥଟ୍ଟାଳିଆ ସ୍ୱରରେ କହିଲେ–‘‘କିହୋ ଉଜଲ ବୁଢ଼ା, ଫେର୍ କୁଆଡ଼କୁ ବିରାଜମାନ ହେଲ...... ।’’ ଉଜଲ ବୁଢ଼ା ଅତି ନମ୍ର ଭାବରେ ଦଣ୍ଡବତଟିଏ କରି କହିଲା–‘‘ଟଙ୍କା ଦେବାକୁ ଆସିଛି ସାଉ ।’’ ‘‘ମାନେ–ମତଲବ......’’ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଭାନୁମଲ । ଅତି ସହଜ ଭାବରେ ଉତ୍ତର ଦେଇ ଉଜଲ ବୁଢ଼ା କହିଲା–‘‘ସେ ଦିନ ଖଳା ମୁଣ୍ଡରୁ ଧାନତକ ଜବତ୍ କରିବା ପାଇଁ ପିଆଦା ପଠାଇଥିଲେ । ସେଥିଲାଗି ଟଙ୍କା ଯୋଗାଡ଼ କରି ଆଣିଛି ଶୁଝିଦେବା ପାଇଁ... ।’’ ଏକଥା ଶୁଣି ମହାଜନ ତାଜ୍ଜୁବ । ତା ପାଟିରୁ ଆଉ ଫିଟିଲା ନାହିଁ କଥା । ସତେ କଣ ବୁଢ଼ା ଟଙ୍କାତକ ଶୁଝି ପାରିବ ? ମହାଜନର ମୁହଁ ପିତାଲେମ୍ବୁ ଖାଇଲା ପରି ବିକୃତ ହୋଇ ଉଠିଲା-। ତାର କେତେ ଆଶା, କେତେ ଚକ୍ରାନ୍ତ ସବୁ ଫେଲ ମାରିଗଲା । ତା ହେଲେ, ବୁଢ଼ାର ଜମିଖଣ୍ଡକ ହାତ କରିବାକୁ ଏତେ ଫନ୍ଦି ଫିକର, ସତେ କଣ ଏତେ କମ୍ ସମୟ ଭିତରେ ପାଣି ଫୋଟକା ପରି ଉଭେଇ ଯିବ ? ମହାଜନର କପାଳରେ ଦେଖା ଦେଲା କେତୋଟି କୁଞ୍ଚିତ ରେଖା । ସେ ଗୁଡ଼ାଖୁ ଧୂଆଁ ଆଉ ନ ଖାଇ କଣ ଯେପରି ଭାବିବାକୁ ଲାଗିଲା, ପରେ ଗର୍ଜିତର୍ଜି ବିରକ୍ତ ହୋଇ ମୁନ୍‍ସି ଆଡ଼କୁ ଲକ୍ଷ୍ୟ କରି କହିଲା– ‘‘କାଗଜ ପତ୍ରରେ କଣ ଘାଣ୍ଟି ହେଉଛ କିହୋ । ତାର ତମସୁକଟା କାଢ଼ି ହିସାବ ନିକାଶ କରିଦିଅ ।’’ ମୁନ୍‍ସି ଚମକି ପଡ଼ି ନାଲିରଙ୍ଗିଆ ଖାତା ଉପରେ ରସି ଭିଡ଼ୁ ଭିଡ଼ୁ ଅତର୍ଚ୍ଛରେ କହିଲେ– ‘‘ଆଜ୍ଞା !!’’

 

ଖାତା ଦେଖି ମୁନ୍‍ସି ବଢ଼ାଇଲେ ଦୁଇଶହ ସାତଟଙ୍କା ଆଠ ଅଣା ଦୁଇପଇସା । କାନିରୁ ଗଣ୍ଠି ଖୋଲି ଉଜଲ ବୁଢ଼ା ଟଙ୍କାତକ ଗଣି ମହାଜନ ସାମନାରେ ଅଜାଡ଼ି ଦେଲା । ମୁଣ୍ଡରୁ ତାର ବୋଝର ପାହାଡ଼ଟିଏ ସତେ ଯେପରି ଓହ୍ଲେଇ ପଡ଼ିଲା ଆଜି । ପିଆଦାମାନଙ୍କ ତାକିଦରେ ଆଉ ତାକୁ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ ।

 

ଛଅ

 

ଗାଁ କଡ଼ ଯୋର କୂଳେ କୂଳେ କନ୍ଧେନ ଡୁଙ୍ଗୁରି । ତାରି ଉପରେ କନ୍ଧେନ ବୁଢ଼ୀର ପୂଜାଗୁଡ଼ି । ପଥର ଚଟାଣ ଉପର ଦେଇ ଅଙ୍କା ବଙ୍କା ମଣିଷଚଲା ବାଟଟିଏ ପଡ଼ିଛି ଗୁଡ଼ି ଭିତରକୁ-। ଦୁଇ ପାଖରେ କୟାଁ, ବେଲ, ଆଉ ସାହାଡ଼ା ଗଛର ଧାଡ଼ି । ଗଛ ତଳକୁ ଛୋଟ ଛୋଟ ବାଉଁଶ ବୁଦା ଆଢ଼ୁଆଳରେ ନାଲି ମାଟିର ଛୋଟ ବଡ଼ ଉଇ ହୁଙ୍କା । ଝାମ୍ପୁରିଆ ଗଛର ଗହଳ ଗଛ ଡାଳ ଉପରେ ଜାତିଜାତିଆ ଚଢ଼େଇ ବସା । ଶୀତଦିନିଆ କାଲୁଆ ପବନ ବାଟ ବଣା ହେଇ ଯେତେବେଳେ ଏଇ ପାହାଡ଼ ଦେହରେ ପିଟି ହୁଏ, ବାଉଁଶ ବୁଦା ଆପଣା ଅକଳନା ସବୁ ସରୁ ହାତରେ ଚାମର ଢାଳେ ତାରି ଚେତା ଭାଙ୍ଗିବାକୁ । ରାତିରେ ଆକାଶପୁରର କେଉଁ ରାଜକୁମାର ଶିଶିର–ହୀରାର ମାଳ ଆଣି ଜଡ଼ାଇ ଦେଇଥାଏ ଗଛଲତାର ନହକା ପତ୍ର ଡାଳରେ । ସକାଳୁଆ ସୁରୁଜ ସେ ସବୁ ଚୋରାଇ ନେବା ଆଗରୁ କାଲୁଆ ପବନ ଜାଣିପାରି ହାରଗୁଡ଼ିକ କାଢ଼ି ନେଇ ଏଣେ ତେଣେ ପଳାଏ ଗହଳିଆ ବୁଦା ଆଢ଼ୁଆଳରେ ଲୁଚି ଲୁଚି ।

 

ସକାଳୁଆ ଭୂଆସୁଣୀ ଗାଧୁଆ ବେଳ ଟଳିଗଲାଣି । ଗଛ ପତ୍ରର ନିଦ ଭାଙ୍ଗି ନାହିଁ ଏତେ ବେଳଯାଏ । ଯୋର ଆରପାରି ତାଳବଣର ମଥାନ ଉପରେ ନାଲି ରଙ୍ଗିଆ ପତାକା ଉଡ଼ାଇ ରଥବାହି ଆଇଲାଣି ସୁରୁଜ ଦେବତା । ତାଳବଣ ଦେଇ ଗାଁ ଭିତରକୁ ଯାଇଥିବା ଶଗଡ଼ିଆ ରାସ୍ତା ଉପରେ ଶଗଡ଼ଟିଏ ଯାଉଛି । ହଳିଆ ବାପୁଡ଼ା ମନ ମଉଜରେ ଧରିଛି ଗୀତର ଲହର–

 

‘‘ଏ.....ଦୂରର ବିଚିନା

ଗରଜି ଉଠେ ମହୁ......

ଟିକେ ରହରେ ଗାନିତି

କା ଘର ର ବହୂ.......

ଘିନି ଦେମି ତତେ ପରେଗା

କୁମ୍ଭପକା ଶାଢ଼ି

ଶାଢ଼ି ଘିନି ଦେମି ନନିଗା

ନ ଯା ମୁହଁ ମୁଡ଼ିରେ...... ।’’

 

ଗୀତର ମଧୁର ରାଗିଣୀ ନିଛାଟିଆ ବିଲ ପଦର ଚାରିଆଡ଼େ ଢେଉ ମେଲି ମେଲିକା ଭାସିଯାଉଛି । ତୁଲ୍‍ସା କୁକୁଡ଼ା ଡକା ବେଳୁ ଗାଧେଇ ପାଧେଇ କୁମ୍ଭପକା ଶାଢ଼ି ଖଣ୍ଡକ ପିନ୍ଧି ଆସୁଛି କନ୍ଧେନ ଡୁଙ୍ଗୁରି ଆଡ଼କୁ । ହଳିଆ ଗୀତର ଛାତି ଚହଲା ଭାବ ଆଉ ମନ ଭୁଲାଣିଆ ସୁର ମନରେ ତାର ତୋଳିଛି ଅଜଣା ପୁଲକ । ହଳଦୀ ବୋଳା ସେବତୀ ଫୁଲିଆ ଦେହ । ଆଖି କୋଣରେ କଳା କଳା କଜ୍ଜଳ ଗାର । ସରୁ କପାଳରେ ସିନ୍ଦୁର ମଥା । ମୁଣ୍ଡରେ ତେଲ ବୋଳା ଚିକ୍‍କଣିଆ ଖୋସା ଆଜି ତାକୁ ଲୋଭନୀୟ କରି ତୋଳିଛି । ଯୌବନର ସାଗର ବେଳାରେ ସତେ ଯେପରି ଆଜି ଉଠୁଛି ମୋହ ଆଉ ନିଶାର ଜୁଆର ।

 

କେତେ ସମୟ ପରେ ପୂଜା ସାରି ତୁଲ୍‍ସା ଘରମୁହାଁ ହୋଇ ଫେରି ଯୋର ଭିତରେ ଥାଳି ଆଉ ଗଡ଼ୁରେ ମାଟି ବୋଳି ଧୋଉଥିଲା ବେଳେ ଚଟକିନା ଆଖି ତାର ପଡ଼ିଗଲା ପରମା ଉପରେ । ଚାଏଁ କିନା ଚମକି ପଡ଼ିଲା ସେ ! ଯୋର ଭିତର ପଥର ଉପରେ ଟାଙ୍ଗିଆ ଶାଣ କରୁ କରୁ ତୁଲ୍‍ସା ଆଡ଼କୁ ଦେଖି ମୁରୁକି ମୁରୁକି ହସୁଥିଲା ପରମା ! ପରମାର ଏଇ ବେହିଆ ଢଙ୍ଗ ଦେଖି ଭୟରେ ତାର ତାଳୁରୁ ତଳିପା ଯାଏ ଥରି ଉଠିଲା । ଘୃଣାରେ ଫୁଲି ଫୁଲି ଉଠିଲା ତାର ମୁହଁ-। ଗାଁର କେତେ ଝିଅ ଭଉଣୀଙ୍କ ଇଜ୍ଜତ ନ ନେଇଛି ଏଇ ପରମା ? କେତେ ବିଧବା ଯୁବତୀ ୟାର ଲୋଲୁପ ଆଖିର ଶିକାର ହୋଇ ସମାଜରୁ ବାସନ୍ଦ ନ ହୋଇଛନ୍ତି । ନିଛାଟିଆ ଯାଗା, ଚାରିଆଡ଼ ଶୁନ୍‍ଶାନ୍, ଏମିତି ସୁବିଧାରେ ତାର ମହତ ଉଖୁଲା କରିବାକୁ ପରମାକୁ ଆଉ କେତେ ଡେରି-? ତୁଲ୍‍ସା ଆଉ ପରମା ଆଡ଼କୁ ନ ଚାହିଁ ଅଣନିଶ୍ୱାସୀ ହୋଇ ଯୋର ଭିତରୁ ପଳାଇ ଆସିଲା ଗାଁ ଆଡ଼କୁ । ଯୋର କୂଳିଆ ଗଛଲତାର ବହଳିଆ ପତ୍ରଫାଙ୍କ ବାଟେ କଅଁଳିଆ ଖରା ସେତେବେଳେ ମିରିଗ ନାଟ କରୁଥିଲା ଖୁଳୁଖୁଳିଆ ପାଣି ଧାର ଉପରେ । ସେଇ ଆଡ଼କୁ ଦେଖି ଦେଖି ମନରେ କେତେ ସାତ ପାଞ୍ଚ ଭାବିଗଲା ପରମା । ଏଇ ଘଡ଼ିକ ଆଗେ ଯେଇଁ ଆଖି ନହସା ଛନଛନିଆଁ ଯଉବନର ମହୁଆ ନିଶା ପିଇଗଲା ଆଖି ଦିଓଟି ତାର, ସେହି ନିଶା ଦେହସାରା ତାର ଚହଟି ଗଲା ବିଜୁଳି ବେଗରେ । ସରଗର ଏଇ ଲାବଣ୍ୟ ଛଣା ଦେହଟାକୁ ଆପଣାର କରି ପାଇବାକୁ କେତେ ଭାବନାର ବୁଢ଼ିଆଣୀ ମଥା ଭିତରେ ତାର ଜାଲ ଘେରୁଥିଲା ।

 

X X X X

 

ଚାହୁଁ ଚାହୁଁ ଚାରୋଟି ମାସ ଅତି ସୁରୁଖୁରୁରେ କଟିଗଲା । ତୁଲ୍‍ସାର କୋଳ ପୁରାଇ ଗୋରା ତକତକ ପୁଅଟିଏ କୁଆଁ କୁଆଁ ଡାକରେ ଘର ଉଛୁଳାଇ ନେଲା । ବୁଢ଼ାର ଛାତି ନାଚି ଉଠିଲା ଆନନ୍ଦରେ । ଠିକ୍ ମହନର ଭଳି ହୋଇଛି ଶିଶୁଟି । ଗୁଲୁଗୁଲିଆ ଶିଶୁଟିକୁ ଦେଖି କେତେ ଖୁସି ନ ହେବ ସତେ ମହନ । ବୁଢ଼ା ଛୁଆକୁ ନଚାଇ ନଚାଇ ଭାବୁଥିଲା ତାର ଏବେ କଉଁଥିକି ଭାବନା ନାହିଁ କି ଦକ ନାହିଁ । ନାତିକି ଝୁଲାଇ ଝୁଲାଇ ଆଉ ତାର ଦୁଧ ସର ପରି କଅଁଳିଆ ମୁହଁକୁ ଦେଖି ଗୀତ ଗାଇ ଗାଇ ବୁଢ଼ାର ସମୟ ବେଶ୍ କଟିଯିବ । ତୁଲ୍‍ସା ଘର ପାଇଟି କରିବାକୁ ବି ଅବସର ପାଏ । ଏଣେ ସେ ଗାଈ ଦୁହେଁ, ମହି ବିକେ । ଗାଈ ଗୋବରରୁ ଘସି ପାରି ବାରିପଟ ଖଳାରେ ଶୁଖାଏ । ଚିକଣା ମାରି ଗୁଆଘିଅ ଟିକିଏ ଟିକିଏ ଠେକିରେ ରଖି ତା ଉପରେ ମାଟି ଲେସି ଶିକାରେ ସାଇତି ରଖେ, ପିଲାର ଭଲମନ୍ଦ ଆଉ ଅନାଗତ ପୂଜା ପର୍ବ ପାଇଁ । ଘର ଦୁଆର ନିପି ଘସି ଚିକ୍‍କଣ କରି ପକାଏ । କେଉଁ ଠେକିରେ ଅରୁଆଚାଉଳରୁ ପୁଞ୍ଜାଏ, କେଉଁ ହାଣ୍ଡିରେ ମଶୁରୀରୁ ମୁଠାଏ ତ କେଉଁ ପାତୁଲିରେ ବଡ଼ ଆମୁଲରୁ ଦିପୁଞ୍ଜା । ଏମିତି କେତେ ଘରକରଣା ଚିଜ ମଚା ଉପରେ ସଜାଡ଼ି ରଖେ ଖରାଦିନ ପାଇଁ ।

 

ଦିନେ ମୁହଁ ସଞ୍ଜ ମାଛି ଅନ୍ଧାରିଆ ବେଳେ ତୁଳସୀ ଚଉରା ମୂଳରେ ସଞ୍ଜବତୀଟିଏ ଜାଳି ଦେଇ ଆସୁ ଆସୁ ଦାଣ୍ଡ ମୁହଁ ତଳେ କାହା ପାଟି ଶୁଣି ତୁଲ୍‍ସା ଯାଇ ବାରିପଟୁ ଶଶୁର ବୁଢ଼ାକୁ ଡାକି ଦେଲା । ଗାଈ ଦାମୁରୀଙ୍କୁ ଗୁଆଳ କୁଟିରୁ ଅଙ୍ଗାଏ ଦେଇ ବୁଢ଼ା ଦାଣ୍ଡଆଡ଼େ ଆସି ଦେଖିଲା, ଗାଁ ଚୌକିଦାର ଚିଠିଟିଏ ଧରି ଛିଡ଼ା ହୋଇଛି । ଚିଠିଖଣ୍ଡକ ଆଣି ବୁଢ଼ା ବହୂକୁ ପଢ଼ିବା ପାଇଁ ଦେଲା । ଚୂଲିର ରଡ଼ କାଠ ଖଣ୍ଡେ ଫୁଙ୍କି ଫୁଙ୍କି ତୁଲ୍‍ସା ଡିବିରେ ନିଆଁ ଧରାଇଲା । ପଢ଼ୁ ପଢ଼ୁ ମିଞ୍ଜି ମିଞ୍ଜି ହେଇ ଜଳି ବତୀଟା ନିଭିଗଲା । ଦେଖିଲା ଡିବିରେ ତେଲ ନାହିଁ । ଘର ଛାନି ଉପରୁ ଶୂଲ କାଠିରୁ ଦିଖଣ୍ଡ ଆଣି ନିଆଁ ଲଗାଇ ଚିଠି ଖୋଲି ପଢ଼ିଲା । ଭଇଁରା ଲେଖିଛି–ଆଜକୁ ଦଶଦିନ ହେଲା ଗୋଡ଼ ଭାଙ୍ଗି ମହନ ପଡ଼ିଛି ଡାକ୍ତରଖାନାରେ । ଭୟର କାରଣ ନାହିଁ । ରୀତିମତେ ତାର ଯତ୍ନ ନିଆ ଯାଉଛି । ଚିଠିଟି ଖସି ପଡ଼ିଲା ତୁଲ୍‍ସା ହାତରୁ । କାଠ ପାଲଟି ଗଲା ତାର ଦେହ । ମୁହଁରୁ କଥା ଫୁଟିଲା ନାହିଁ । ଆଖିରେ ପୁରି ଆସିଲା ଲୁହ । ବହୂର ଏ ଭାବଭାଙ୍ଗି ଦେଖି ବୁଢ଼ା ଆଉ ଥୟ ଧରି ରହି ପାରିଲା ନାହିଁ । ବହୂର ମୁହଁକୁ ଖାଲି ଚାହିଁ ରହିଲା ବଲ ବଲ କରି । କାନ୍ଦି କାନ୍ଦି ଚିଠିର ଘଟଣାତକ କହିଦେଇ ଭିତିରି ଖଞ୍ଜାକୁ ପଳାଇଗଲା ତୁଲ୍‍ସା ! ବାଟ ବାରଣ୍ଡାରେ ପିଲାଟା ଶୋଇ କେତେବେଳୁ ହେଲା କାନ୍ଦୁଛି, ସେ ଆଡ଼କୁ କାହାରି ନିଘା ନାହିଁ । ଏ ଘଟଣା ଶୁଣି ବୁଢ଼ା ପିଣ୍ଢାତଳ ଧୂଳି ଉପରେ ଲଥ୍‍କିନା ବସି ପଡ଼ିଲା । ବହୂକୁ ବୁଝାଇବ କଣ, ତାରି ଆଖିରେ ଜକେଇ ଆସିଲା ଲୁହ !

 

ସାତ

 

କନ୍ଧେନ ଡୁଙ୍ଗୁରି ତଳେ ତଳେ ଗାଁଆଡ଼କୁ ପଡ଼ିଛି ବଙ୍କା ହେଇ ବାଟଚଲା ରାସ୍ତାଟିଏ । ସହରକୁ ଯିବାକୁ ପାଖ ବୋଲି ସବୁବେଳେ ଏଇ ବାଟ ଦେଇ ଲୋକ ଗତାଗତ ବେଶି । ସେଦିନ ରବିବାର ହାଟରୁ ସଉଦା ସାରି ଏକୁଟିଆ ଫେରୁଥାଏ କଇରୁ ସାହୁ, ମହନର ବଡ଼ ଭାଇ । ପିଠି ଉପରେ ଶାକସବ୍‍ଜି ବୋଝ । ହାତରେ ଶିଶୁକାଠର ତେଲ ପଚା ବାଡ଼ି । ବେଳ ଉଇଁଲା ବେଳକୁ ବାସିପଖାଳ ଗଣ୍ଡାଏ ଖାଇ ବାହାରିଥିଲା । ଏବେ ବେଳ ଆସି ହେଲାଣି ମୁଣ୍ଡ ଉପରେ । ପେଟରେ ଭୋକ ଗରଜୁଛି । ଖରା ଧାସରେ ବାଲି ଉପରେ ନାଚୁଛି ମରୀଚିକା । ଧୂଳିଆ ରାସ୍ତା କରେ କରେ ଘର ମୁହଁ ହୋଇ ପାଦ ବଢ଼ାଇଛି । ଡୁଙ୍ଗୁରି ମୋଡ଼ ପାରି ହୋଇ ଯୋର ଆଡ଼କୁ ଓହ୍ଲାଇଲା ବେଳେ ପଥର ଫାଙ୍କରେ କାହାକୁ ଦେଖି କଇରୁ ପିଠିରୁ ଗଣ୍ଠୁଲିଟି ତଳେ ଥୋଇ ଦେଇ ଯୁହାର କଲା । ପଥର ଫାଙ୍କ ପାଣି ଚହଲାରେ ଗାଧୁଆ ସାରି ଓଦାଲୁଗା ଚିପୁଡ଼ୁ ଚିପୁଡ଼ୁ ପରମା ନାଏକ ମୁରୁକି ମୁରୁକି ହସି ପଚାରିଲା– ‘‘କିରେ ସାହୁ ପିଲା, ଆଜି ତ କଣ ବୋଝେ ଜିନିଷ ଲଦିଛି ପିଠିରେ । କଣ ଭୋଜି ଫୋଜି ଦଉଛୁ କିରେ ?’’ କଇରୁ ମଳିଚିକିଟା ଦାନ୍ତ ଦିପାଟି ଦେଖାଇ ଫିକ୍ କିନା ହସିଦେଲା-। ପଥର ଚଟାଣ ଆଡ଼କୁ ଯାଉ ଯାଉ କହିଲା– ‘‘କଣ ସପନ ଭେଟୁଛ କି ନାନା । ଯୁଁ କାଳମହରଗ ହେଲାଣି, ପେଟକୁ ତ ମୁଠାଏ ନିଅଣ୍ଟ, ଆଉ ଭୋଜି କଥା କଣ କହୁଛ ?’’ ଚିପୁଡ଼ା ଗାମୁଛାରେ ଗୋଡ଼ ପୋଛୁ ପୋଛୁ ପରମା କହିଲା– ‘‘କିରେ ଫାଙ୍କି ଦେଇ ଭାଲୁ ଧରେଇବାକୁ ବସିଛୁ ନା-। ଆଚ୍ଛା, ଝିଅ ବିଭା ବେଳେ କେମିତି ଭୋଜି ନ ଦେବୁ ଦେଖିମା ।’’ ଏଥିରେ ଦୁହେଁ ଯାକ ହସି ଉଠିଲେ । ଚହଲାରୁ ପାଣି ଦି'ଆଞ୍ଜୁଳା ପିଇ କଇରୁ ପରମା ପଛେ ପଛେ ଯୋର ଖଣ୍ଡିଆଡ଼କୁ ମୁହାଁଇଲା । ବିଡ଼ି ଖଣ୍ଡେ ଲଗେଇ ନାକ ବାଟେ ଧୂଆଁ ଛାଡ଼ୁ ଛାଡ଼ୁ କଇରୁ ପଚାରିଲା– ‘‘ଆଜି ବଡ଼ ସହଳ ଗାଧେଇ ପଡ଼ିଲା କକା !’’ ପରମା କହିଲା– ‘‘ଆଜି ପରା ଗାଁ ଭଲଲୋକ ଦେଉଳ ମଣ୍ଡପରେ ଜମା ହେବେ । ଆଇଲା ଦଶହରାକୁ ଯୁଁ ଯାତରା ମେଲଣ ହେବ ତାରି ଚାନ୍ଦା ଭେଦା ନେଇ କଥା ପଡ଼ିବ ।’’ କଇରୁ ଗୋଟାଏ ଲମ୍ବ ନିଶ୍ୱାସ ଛାଡ଼ି କହିଲା– ‘‘ହଁ, ଗାଁରେ ସିଆଣ ହେଇ ଆଉ କିଏ ଅଛି କି ? ସବୁଥିରେ ତ ତୁମେ ! ତୁମେ ନ ହେଲେ କେଉଁ କଥାଟା ହେଉଛି ଭଲା ?’’ କଇରୁ କଥାରେ ଓଦା ଶୁଲ ପରି ଫୁଲିଯାଇ ପରମା କହିଲା– ‘‘ଛାଡ଼ ସେ ସବୁ.....ଗାଁ କଥା ବୋଲି ମୁଣ୍ଡ ପୂରାଇବାକୁ ପଡ଼ୁଛି । ନ ହେଲେ ଏଥିରେ ଆମର ଲାଭ ନା ଲବ୍‍ଧି ? କଇରୁ ପରମାକୁ ଆଉ ଟିକିଏ ଟେକି ଦେଇ କହିଲା– ‘‘ନାଇଁ ତ ଆଉ କଣ ? ମଣିଷ ବୋଇଲେ ଜଣେ, ବାକୀ ସବୁଯାକ ବଳଦ; ଯୁଁ ଆଡ଼କୁ ଘିଚ ସେଇଆଡ଼କୁ ଯିବେ ! ହେଲେ କକା, ମୁଇଁ ଆଗତୁରା କହି ଦେଉଛି–ଏଥରକ ଯାତରା ଆଉ ଟିକେ ଜାକଜମକରେ ହେବା ଦରକାର । ଗଲାଥର ଦାସକାଠିଆ ଆଉ ପାଲା ନାଚିଥିଲେ । ଇଥରକ ଘୁଡ଼୍‍କା ଆଉ ବାହାନ୍ ନାଚ କର । ଦେଖିବ ଲୋକେ କେତେ ଉସତ୍ ହେବେ !’’ ପରମା ମୁଣ୍ଡ ଟୁଙ୍ଗାରି କହିଲା– ‘‘ଆରେ ବାବୁ, ସବୁଥିରେ ହରବର ହେଲେ କଣ ଚଳିବ-? ସବୁଥିକି ଚାହିଁ ଫେର୍ ଟଙ୍କା ଦରକାର..... ।

 

କଇରୁ ଆଉ କିଛି ନ କହି ଚୁପ୍ ରହିଲା । ସେ ଜଣେ ପରମା ଏକଜିଦିଆ ଲୋକ । ଯାହା ବୁଝିଛି ତାହା କରିବ । ପଚାଶ ଲୋକ ପଛେ ଫାଟିଫୁଟି ଯିବେ, ପରମା ତାର କଥାରୁ ଟିକିଏ ହେଲେ ଘୁଞ୍ଚିବ ନାହିଁ । ଏଣୁ ସେ ପରମାର ମତ ବିରୋଧରେ କିଛି କହିବାକୁ ସାହସ କରିପାରେ ନା ! ପରମା ବି କଇରୁକୁ ଏଇ ଗୁଣ ଯୋଗୁଁ ଭଲ ପାଏ । ଅବଶ୍ୟ ଭଲ ପାଇବାଟା ଆନ୍ତରିକ ନ ହେଲେ ବି ପରମା ମତଲବ୍ ରଖି ସେହିପରି ଅଭିନୟ କରେ । କଇରୁକୁ ହାତବାରିଶୀ କରି ତା ଦେଇ କିଛି କାମ ହାସଲ କରେଇବା ହେଲା ପରମାର ଏକମାତ୍ର ଲକ୍ଷ୍ୟ । ଏଇ ପରମାର ସଙ୍ଗ ଦୋଷରୁ ଏବେ କଇରୁ ଚିଲମଟଣା ଅଭ୍ୟାସ କରୁଛି । ଜଣେ ଆର ଜଣକୁ ନ ଦେଖିଲେ ପାଣି ଗଳେ ନାହିଁ । ମନେ ମନେ ପରମା ନାଏକର ବଡ଼ ତାରିଫ୍ କରେ କଇରୁ । କିନ୍ତୁ ତାରି ଭିତିରି ଉଦ୍ଦେଶ୍ୟଟା ଜାଣିବା ତାର ଶକ୍ତିର ବାହାରେ । ପରମା ଜିଭ ଆଗରେ ମହୁ ବୋଳି କଥା କହେ, ହେଲେ ପେଟ ଭିତରେ ତାର ଧୁତୁରା ମଞ୍ଜିର ବିଷ ଚରି ବୁଲୁଥାଏ । ସେ କଥା ଆଉ କଇରୁର ମୁରୁଖିଆ ମଗଜକୁ ଭେଦି ପାରେ ନାହିଁ । ବକା ଦେଲା ବଳଦପରି ସେ ପରମାର ଇଙ୍ଗିତରେ ଚଳେ-

 

ଆଖ ପାଖ ପାଞ୍ଚ ଖଣ୍ଡ ଗାଁରେ ପରମା ନାଏକକୁ ଖାତିର୍ ନ କରନ୍ତି ଏମିତି ଲୋକ ନାହିଁ-। ଯେଉଁଠି ବିବାଦ, ମାଲିମୋକଦ୍ଦମା ସେଇଠି ହାଜର ପରମା ନାଏକ । ଗାଁରେ ସଭା ହେଲା, ସମିତି ହେଲା ପରମାକୁ ଡାକ । ଭୋଟ ବେଳ ହେଲା; ଗାଁରେ ଗାଁରେ ପ୍ରଚାର ହେବ; ଲୋକଙ୍କୁ ଦଳର ନୀତି ବିଷୟରେ ବୁଝେଇବାକୁ ହେବ; ଦେଖିବ ପରମା ନାଏକ ଜିପରେ ଚଢ଼ି ନେତାଗିରି ଚଳେଇବେ । ଗାଁକୁ ନାଏବ ତହସିଲଦାର ବାବୁ ଆସିଛନ୍ତି, ମାଲଗୁଜାରୀ ଅସୁଲି ହେବ, ଖୋଜ ପରମାକୁ । ସେ ନ ହେଲେ ଯେପରି ସବୁ ଅଚଳ । କେଉଁଠୁ ମେଲ୍‍ଛା ଆସିବ ? କେଉଁଠି ମାଂସ ରନ୍ଧା ହେବ ? କେଉଁଠୁ ଖାଣ୍ଟି ଘିଅ ମିଳିବ ? କା’ ଘରେ ସରୁ ବାସପତରି ଅରୁଆ ଚାଉଳ ଅଛି-? କା’ ବାଡ଼ିରୁ ସଜ ପନିପରିବା ଅଣାଯିବ, ପରମା ଆସିଲେ ସବୁ ଯୋଗାଡ଼ ହୁଏ ଘଡ଼ିକେ-। ସେଥିଲାଗି ଗୋଲା ସାହେବ, ଥାନାବାବୁ ସଭିଏଁ ଚିହ୍ନନ୍ତି ପରମାକୁ । ଲୋକଟାର କଟୁରୀ ନିଶିଲା ପରି ବୁଦ୍ଧି । ଯାହା ଦୋଷ କଲେ ବି ଚିହ୍ନା ପଡ଼େ ନାଇଁ ସହଜେ ।

 

ଯାଉ ଯାଉ ହଠାତ୍ କଥାର ମୋଡ଼ ବଦଳାଇ ଆରମ୍ଭ କଲା ପରମା– ‘‘ହଁ କହିବି କହିବି ହେଉଥିଲି ସୁବିଧା ମିଳୁ ନ ଥିଲା ମତେ ! ଆଜି ଠିକ୍ ଭେଟ ହେଲା । କଥା କଣ କି–କାଲି ଦେଖା ହୋଇଥିଲା ବୁଢ଼ା ସଙ୍ଗରେ । କହିଲି ଅଜା, ଜମି ଖଣ୍ଡକୁ ତ ଦୁଇ ଫାଳ କଲ–ବାକି ତୁମ ଭାଗବତ ସାନ ପୁଅ ନାଁରେ କେମିତି ବାଲାବାଲା ଲେଖିଦେଲ ? ସେଥିରେ ବଡ଼ ପୁଅର ବି ତ ହକ୍ ଅଛି.....-? ବୁଢ଼ା ଥ ଥ ମ ମ ହେଇ କଣ କହିଲା ଜାଣୁ ? କହିଲା– ‘‘ମୁଁ ତ କିଛି ଅନ୍ୟାୟ କରିନାହିଁ-। ମହନର ବିଭାବେଳେ ବଡ଼ ପିଲା ତ ଅଧଲାଏ ବି ସହ ହେଲା ନାହିଁ । ଲାଗ ବାଡ଼ି କରି କାମଟା ତୁଟାଇ ଦେଲି । ତାକୁ ଜମିଖଣ୍ଡକ ନ ହେଲେ ବିଚରା ଋଣ ଶୁଝିବ କେମିତି..... ? ତୁ ଯାହା କହ କଇରୁ, ଦୁଇ ଭାଇ ଭିତରେ ଯୁଁ ଫାଙ୍କଟିଏ ପଡ଼ୁଛି ବୁଢ଼ା ହିଁ ସେଥିର ମୂଳ...... ।’’ ‘‘ତା ଇଚ୍ଛା ଯାହାକୁ ଦେଲା ଦେଲା..... । ବୁଢ଼ାର ଜମି ଲାଗି ମୋର ଲୋଭ ନାହିଁ ।’’ ଅତି ସହଜ ଆଉ ଗମ୍ଭୀର ହେଇ କହିଲା କଇରୁ ।

 

‘‘ବାଃ, କହିଲା ମୋର ଲୋଭ ନାହିଁ । ଆବେ ଭକୁଆ, ଗୋଟିଏ କଥା ଅଛି– ‘ଧାଇଁ ଧୂପି ବାର ଆର୍ ବସିଥାଇ ତେର’ । ତୁ ଯଦି ଏମିତି ଚୁପ୍ ରହିବୁ, ତୋ ପେଟର ଭୋକ ଚିହ୍ନିବ କିଏ କହିଲୁ ? ଆରେ କାଳ ହେଲା ଦୁସୁରା । ‘ଯୋର ଯାର ମୁଲକ ତାର ।’ ତୁ ଜ୍ୟେଷ୍ଠ ହେଇ ଫାଙ୍କା ପଡ଼ିଯିବୁ ଆଉ ସବା ଛେଦଲି ଭାଇ ହେଇ ସିଏ ମାରି ନେଇଯିବ ବଡ଼ ବଡ଼ ସରସା ଜମି । ମୁଁ ହେଇଥିଲେ ତ କଇରୁ ମୋତେ ସହି ନ ଥାନ୍ତି...... ।’’

 

‘‘ଛାଡ଼, ସେଥିରେ ଆମର କଣ ଥାଏ । ବୁଢ଼ା ଯେତେବେଳେ ଦି’ଭାଇକି ସମାନ ଦୁଇଭାଗକରି ଦେଇଛି ସେଥିରେ ତାର ଜମିରେ ଆଖି ପକାଇବା କି ଦରକାର । ମୋ ଦେଇ ସେ କଳି ତକରାଳ ହେଇ ପାରିବ ନାହିଁ କକା । କୋଟ, କଚେରୀ, ପୋଲିସ କେତେ କାଣ୍ଡ ଏଇ ଜମିବାରୀ ଲାଗି, ମୋର ସେଥିକି ପୁଞ୍ଜି କାହିଁ..... ।’’

 

‘‘ଆରେ ତୋତେ କୋଟ କଚେରୀ ଉପରକୁ ଯିବାକୁ କିଏ କହୁଛି କି ? ନଖରେ ଛିଡ଼ିଲା କଥାକୁ କୁରାଢ଼ୀ ଲଗାଇବୁ କାହିଁକି ? କଳେ ବଳେ କଉଶଳେ ଉପାୟ କାଢ଼ି କାମ ହାସଲ କରିବାକୁ ହେବ । ହିମ୍ମତ ଦରକାର ହିମ୍ମତ । ତୁତ ନିହାତି ଓଲୁଟେ । ନ ହେଲେ ଦେଖନ୍ତୁ କଣ କରି ଦିଅନ୍ତି ମୁଁ ।’’

 

‘‘ମୁଁ କଣ ନାହିଁ କରୁଛି କି........ହେଲେ ସେଇ କୁହ୍ଲିଆ ହଗା ପଦର ଭୂଇଁ ଖଣ୍ଡକ ଆଣି କଣଟେ ଲାଭ ହେବ ଆମର.... ।’’

 

ଏକଥା ଶୁଣି କଇରୁର କାନ ପାଖକୁ ମୁହଁ ଆଣି ଚାରି ଆଡ଼କୁ ଥରେ ଅନେଇ ଦେଇ ଚାପା ଗଳାରେ କହିଲା ପରମା– ‘‘ମୁଁ ସେଇ ପଦର ଖଣ୍ଡକ ଲାଗି କାଇଁକି ଏତେ ଲାଗିଛି ତୁ କାହୁଁ ପାଇବୁ ତାର ଭେଦ । ଶୁଣ–ସେଇ ପଦର ତଳେ ଗ୍ରାଫାଇଟ୍ ଖଣିର ସନ୍ଧାନ ମିଳିଛି । ହଁ, କେତେ କେତେ କୋଶ ଯାଏ ତାର ଆଦି ଅନ୍ତ ନାଇଁ । ଗୋଟେ ସର୍ଭେ ଦଳ ଆସି ତାର ସେ ଯାଗାର ମାଟି ପରୀକ୍ଷା କରି ଗଲେଣି ! ଦେଖ–ପଛକୁ ପସ୍ତାଇବାକୁ ପଡ଼ିବ–ଶୋଇଲା ପୁଅର ଭାଗ ନାହିଁ....

 

‘‘ସତେ...କେମିତି ଜାଣିଲ କକା..... ?’’ ଅତି ଆଶ୍ଚର୍ଯ୍ୟ ଗଳାରେ ପଚାରିଲା କଇରୁ ?

 

‘‘ଆରେ ମତେ କୁଁ କଥା ଅଜଣା କହିଲୁ । ତୁମ ଗାଁର କା ଘରେ ଶୋରିଷ ଆଉ କା ଘରେ ଫୁଟଣ ଶବ୍ଦ ବାରି ଦେବାଲୋକ ପରା ମୁଁ । ମୁଁ ନ ଜାଣିଲେ ଫେର୍ ଆଉ ଜାଣିବ କିଏ..... ?

 

ଆଉ ଗୋଟିଏ କଥା ମନେ ରଖିଥା....ଆମ ଗାଁ ଦେଇ ଯେଉଁ ରେଲ ସଡ଼କ ପଡ଼ୁଛି ତାରି ଗୋଟିଏ ଛୋଟିଆ ଇଷ୍ଟେସନ ହେବ ସେଇ ପଦର ପାଖରେ...ହେଲେ କଇରୁ ସାବଧାନ, ଚାରିକାନରୁ ଯେମିତି କଥାଟା ଛ କାନ ନ ହୁଏ–ନହେଲେ ଡଙ୍ଗା ବୁଡ଼ିଲା ଜାଣିଥା ।’’

 

‘‘ନାଇଁ ନାଇଁ କକା, ସେ କଥା ଆଉ କହିବାର ଅଛି–ମୁଁ କଣ ଆଉ ଏତେ ନିରିବୁଧିଆ ହେଇଛି କି ? ଯାହା କହିଲୁ ଯଦି ସତ ହୁଏ, ମହନର କରମ ଫିଟିଲା ତାହେଲେ..... ।’’

 

କଇରୁର କଥାରେ ଏତେ ଗୁରୁତ୍ୱ ନ ଦେଇ ପରମା କହିଲା ଆରେ ମହନର କରମକଥା କଣ କହୁଛୁ । ସେ ମାଟିଖଣ୍ଡକ ହାତ ପଇଠ କଲେ ତୋର ବି କରମ ଫିଟିଯିବ ବୁଝିଲୁ-। ତୁ ରାତାରାତି ଲାଖପତି । ଏ କଥା ଶୁଣି କଇରୁର ଆଖି କପାଳରେ ଖୋସି ହୋଇଗଲା । ସେ ତାଟକା ହୋଇ ଅନାଇଥିଲା ପରମାର ମୁହଁକୁ । ଗୋଟିଏ ଗଭୀର ନିଶ୍ୱାସ ଛାଡ଼ି କହିଲା, ହଉ–କଣ କରିବାକୁ ହେବ ତାହେଲେ..... ।’’

 

ପରମା କଇରୁର କାନ୍ଧରେ ହାତପକାଇ ଟିକିଏ ଚାରିଆଡ଼କୁ ଆଖିମାରି ଦେଇ କଇରୁ କାନରେ ପାଟି ଲଗାଇ କଣ କହିଲା । ତା ପରେ ଯୋର କୂଳିଆ କାଇଁଶ ଲତା ଭିତରେ ବିଲ ଆଡ଼କୁ ଯାଉଁ ଯାଉଁ ପାଟି କରି କହିଲା– ‘‘ଦେଖୁ, ଡେରି କରିବୁ ନାଇଁ....ମଣ୍ଡପ ପାଖରେ ଠିକ୍ ସମୟରେ ପହଞ୍ଚିଯିବୁ.... ।’’

 

ପରମା ପତର ଫାଙ୍କରେ ଲୁଚିଗଲା । ମୁଣ୍ଡପୋତି ଘରକୁ ଫେରୁ ଫେରୁ କେତେ କଣ ଭାବନାର ସୁଅ ଚହଲି ଉଠିଲା କଇରୁର ମନରେ । ସେ ଲାଖପତି ବନିଯିବ । ୟାଠୁ ଭାଗ୍ୟର କଥା ଆଉ କଣ ଅଛି ! ପରମା କକା କେଡ଼େ ଆଚ୍ଛା ଲୋକ ସତେ ! ତାରି ପାଇଁ ତାଙ୍କର କେତେ ଫିକର-। ମହନ ଫେରିବା ଆଗରୁ କାମ ଫତେ କରିବାକୁ ହେବ ! ଆରାମ ହୋଇ ସେ ଫେରି ଆସିଲେ ସବୁ ଚକ୍ରାନ୍ତ ପାଣି ଫାଟିଯିବ । ଭାବୁ ଭାବୁ କଇରୁର ଆଖି ଉଜ୍ଜ୍ୱଳ ହୋଇ ଉଠୁଥିଲା । ଓଠ କଡ଼ରେ ତାର ଝଟକି ଉଠୁଥିଲା ମୁରୁକି ହସର କଜ୍ଵଳ ଗାରଟିଏ । ସେତେବେଳେ ଦିପହରିଆ ବତାସିଆ ପବନରେ ମୁଣ୍ଡ ଦୋହଲାଇ ନାଚୁଥିଲେ ଡେଙ୍ଗା ଡେଙ୍ଗା ଆଖୁଗଛ । ସୂରଜ ଦେବତା ଗଛ ଡାଳର କଅଁଳ ପତର ଉପରେ ଆଉଟା ସୁନେଲି ରଙ୍ଗ ଢାଳି ଦେଉଥିଲା ।

 

ଆଠ

 

ଗାଁ ମଝି ଦେଉଳ ମଣ୍ଡପରେ ଆଜି ବସିବ ମୁଖିଆ ସଭା । ଗାଁର ମୁଖିଆ ମୁଖିଆ ଲୋକେ ଜମୁଛନ୍ତି ଗୋଟି ଗୋଟି ହେଇ । କେବେ କେମିତି କାହାରି ଆପତ୍ତି ଅଭିଯୋଗ ହେଲେ ବା କଳି ତକରାଳ ହେଲେ, ନ ହେଲେ ଗାଁର ଭାବ ଅଭାବ ହାନିଲାଭ ବିଚାର କରିବା ପାଇଁ ଏମିତି ମୁଖିଆ ସଭା ବସେ । ଗାଁର ପାଞ୍ଚ ଭଲ ଲୋକ ଯାହା ରାୟ ଦେବେ ତାକୁ ମାନି ନେବାକୁ ହୁଏ । ଏମିତି କେତେ ଛୋଟ ବଡ଼ ମକଦ୍ଦମା ବି ଏଠି ବିଚାର ହୁଏ । ଅଯଥା ସହରକୁ ଧାଇଁ ଓକିଲ ମୁକ୍ତାରଙ୍କ କଳା ପକେଟରେ ଟଙ୍କା ଗୁଞ୍ଜି ଖୋସାମତ କରିବାର ବିଅର୍ଥ ପରିଶ୍ରମରୁ ରକ୍ଷା ମିଳେ । ଆଜି ବସୁଛି ସେହି ମୁଖିଆ ସଭା ।

 

ନିଧିସାହୁ ସର୍ଗି ପତର ପିକାଭାଙ୍ଗି ତା ଭିତରେ ଭରୁଛି କୁଟି ଧୁଆଁପତ୍ର ଟିକିଏ । କୁଳ ବଗର୍ତ୍ତୀ ଛୁଆଟିକୁ କାଖେଇ ଗାଲରେ ଗାଲ ଲଗାଇ ଗେଲ କରୁଛି । ଗୋକୁଳ ମିଶ୍ରେ ପିଣ୍ଡାର ଗୋଟିଏ କଡ଼କୁ ଖୁଟମୁଟ ହୋଇ ବସି କାନ୍ଧର ଗାମୁଛାକୁ ଅଣ୍ଟା ଆଉ ଗୋଡ଼ର ଚାରିପଟେ ଭିଡ଼ି ଦେଇ କହିଲେ– ‘‘ଏତେ ଖୋସାମତ କାହିଁକି ହୋ–ହକ୍‍ ଅର୍ଜି ଦେଲ, ଯଦି ସାହେବ ଶୁଣିଲା ନାଇଁ, ତାହେଲେ କଣ ଏମିତି ଗୁଲୁଗୁଲା ହେଉଥିବେ ଗାଁ ଲୋକ ?’’ ନିଧି ସାହୁ କଳେ ଧୂଆଁ ଶୋଷି ଦେଇ ଖୁଁ ଖୁଁ କାଶି କାଶି କହିଲା– ‘‘କେଉଁ କଥା କଉଛ କି ମାମୁଁ..... ?’’ ମିଶ୍ରେ ଆପଣେ ମୁହଁଟାକୁ ନେଫଡ଼େଇ ଦେଇ କହିଲେ– ‘‘ଗାଁର ହାନିଲାଭ କଥା ତତେ କଣ ଜଣାରେ.....ୟାଳପୋ ଗୁହାଳ ଧୂମା । ଗାଁ ବାଲା ପରା କୂଅ ଖୋଳାଇବା ପାଇଁ ଏସ୍. ଡି: ଓ: ପାଖରେ କାଗଜ କରିଥିଲ ? କଣ ମନେ ନାହିଁ କିରେ ତୋର ?

 

ପାକୁଆ ପାଟିକି ପାକୁ ପାକୁ କରି ନକୁଳ ଦଳେଇ କହିଲେ– ହଁ, ଅର୍ଜି କଥା କଣ ହେଲା କି ମିଶ୍ରେ.... ? ଗୋକୁଳ ମିଶ୍ରେ ଜିଭ ଅଗରେ ଦୁକୁତା ଟିକିଏ ପକେଇ ଦେଇ ରସ ଚୋଷି କହିଲେ– କଣ ଆଉ ହେବ । ଅର୍ଜି ଖଣ୍ଡକ କେଉଁ ଫାଇଲିରେ ରହିଲା, ଖୋଜିଲେ ମିଳୁନାହିଁ ପରା-? ସାଇବ ପାଖରେ କାଗଜ ପହଞ୍ଚିଲେ ସିନା ଯାହା କରନ୍ତା ଦେଖାଯାଆନ୍ତା ।

 

କୁଳ ବଗର୍ତ୍ତି ପାଖକୁ ଆସି କହିଲା– ‘‘ଅର୍ଜି ମିଳିବ କେମିତି କହିଲ....ତୁମେ କଣ ପାନଖିଆ ଦେଇଛ ? ଆଉ ଉପରେ ଉପରେ ତମ କାମଟା ହୋଇଯିବ ବୋଲି ଭାବୁଛ କି ହୋ ! ତମ ମଫସଲିଆଙ୍କ କଥା କିଏ ପଚାରେ କି । ମିଶ୍ରେ ଆପଣେ ରାଗି ଯାଇ ହାତ ଛିଞ୍ଚାଡ଼ି କହିଲେ– ‘‘ହେଃ, ୟାଳପୋ କହିଲା ପାନ ଗୁଆ ଦେଲ ନାହିଁ । ହଇରେ ସରକାର ତାକୁ ଦରମା ଦେଇ ରଖିଛି କାଇଁକି ? ଦେଖୁଥା, ମୁଁ ନିଜେ ସାହେବ କତିକି ଯାଇ କହିବି ସବୁ କଥା । କେମିତି ଶୁଣିବ ନାହିଁ ଦେଖିବି । ଆଉ ଯଦି ଟଙ୍କା ନ ମିଳେ, ତା ହେଲେ ମୋ ପଛକୁ ବାହାରିପଡ଼ କେତେଜଣ ଜୁଆନ ପିଲା । ହପ୍ତାକ ଭିତରେ ଗୋଟିଏ କାହିଁକି ପାଞ୍ଚଟି କୂଅ ଖୋଳା ହୋଇଯିବ । ଆରେ ନିଜ ବାହା ଜାଙ୍ଗଲ ଥାଉଁ ଥାଉଁ ସବୁ କଥାରେ ନିକମା ଭଳି ସରକାର ମୁହଁକୁ ଅନେଇ ରହିବା କଣ ଠିକ୍‍ କଥା-? ଆମେ ଗାଁ ଭାଇ ମେଳି ହେଲେ କଣ ନ କରି ପାରିବା କହିଲ ? ସବୁ କଥାରେ ସରକାର ମୁଣ୍ଡରେ ଦୋଷ ଲଦି ଦେଲେ ଆମେ ଭାବୁ ଆମର କାମ ଫତେ । କିନ୍ତୁ ଟିକେ ତଳେଇକରି ଭାବିଲ ଦେଖି.......ଇ ସରକାରଟା କିଏ ? ଆମକୁ ନେଇ ତ ସରକାର । ଆମେ ଆମର କର୍ତ୍ତବ୍ୟ ଯଦି ନ ବୁଝିବା, ତା ହେଲେ ସରକାରକୁ ଦୋଷ ଦେବା କାହିଁକି ? ଆମେ ଗାଁ ଲୋକେ ଚାହିଁଲେ କଣ ଗାଁରେ କୂଅଟିଏ ହୋଇ ପାରିବ ନାହିଁ । ଏଥିଲାଗି ଫେର ପାନଖିଆ, ଖୋସାମତ, ଏତେ ଲମ୍ବା ଚଉଡ଼ା କାହିଁକି ।

 

ନକୁଳ ଦଳେଇ ହାତରେ ପାନପାତ୍ର ଖଣ୍ଡ ମଳି ମକଚି କଳରେ ଗେଞ୍ଜି ଦେଇ କହିଲେ– ‘‘ହଁ, ୱାଜିବ କଥା । ମିଶ୍ରେ ଯାହା କହିଲେ ମନକୁ ଠିକ୍ ପାଇଲା ଏକା ! ସେଇଆ କରାଯାଉ । ଘର ପିଛା ଚାନ୍ଦା ଭେଦା ଉଠାଯାଉ ଆଉ ଖୁଲି ମଝିରେ କାମ ଆରମ୍ଭ କରାଯାଉ କାଲିଠୁ ।’’ କଥା ନ ସରୁଣୁ ଠିକ୍ ଏତିକିବେକେ ନାକ ପୁଡ଼ାରେ ନାଶ ଟିକିଏ ମାରୁ ମାରୁ ଆସି ପହଞ୍ଚିଲେ ପରମା ନାଏକ । ହାତରେ ଖବର କାଗଜ ଖଣ୍ଡିଏ । ତାଙ୍କୁ ଅଧବାଟରୁ ଦେଖି ନକୁଳ ଦଳେଇ ପାଟିକୁ ଦିକଳ କାପୁ କାପୁ କରି ପାଟି କରି କହିଲେ–ଆସ ଆସ ନାଏକେ, ଆଉ କଣ ଖବର ?

 

ପରମା ନାଏକ ମୁରୁକି ମୁରୁକି ହସି ପିଣ୍ଡା ଉପରକୁ ଚଢ଼ୁ ଚଢ଼ୁ କହିଲେ– ‘‘ଗଲା, ଗଲା, ସବୁ ସଇଲା......ଏ ଯୁଗରେ ଆଉ କଣ ବାକି ରହିଲା ହୋ । ଏ ସୃଷ୍ଟି ଆଉ ରହିବ ନାହିଁ–ଘୋର କାଳିକାଳ ମାଡ଼ି ଆସିଲା । ଜଗନ୍ନାଥ ଦାସ ଯାହା ବଖାଣିଲେ ଭାଗ ବତରେ ସବୁ ଟିକି ନିଖି ଲାଗି ଯାଉଛି । ନକୁଳ ଦଳେଇ ପରମା ମୁହଁକୁ ବଲ ବଲ କରି ଚାହିଁ କହିଲେ–ହଇହେ, କଥା କଣ କହୁନା.... ।

 

ପରମା କଥା ଆରମ୍ଭ କରି କହିଲା– ‘‘ମାଇକିନା ଗୋଟାକର ଅପରେସନ ହେଲା ଯେ ମାଇଝିଟେ ଅଣ୍ଡିରା ପାଲଟି ଯାଇଛି । ଆଉ ତାଜୁବ କଥା ଶୁଣ, ସେ ପୁଣି ଗୋଟାଏ ମାଇକିନା ବାହା ହେଲାଣି ! ହେଁ ହେଁ ହେଁ...... !! କଥାଟା ଶୁଣି ସଭେ ତଟକା । ସତେ ଯେପରି ଖସି ପଡ଼ିଛନ୍ତି ଆକାଶରୁ । ମିଶ୍ରେ ଆପଣେ ମୁରୁକି ହସି କହିଲେ–‘‘ଦାଲଦା ଘିଅର କରାମତି ଏ ସବୁ । ନହେଲେ ଯେଉଁ କଥା କେବେ ଜଣା ନ ଥିଲା କି ଶୁଣା ନ ଥିଲା, ଆଜି ତାକୁ ଆଖିରେ ଦେଖିବାକୁ ମିଳୁଛି...-।’’

 

ପରମା ନାଏକ ଗେଜଟ ଓଲଟେଇ କହିଲେ– ‘‘ଖାଲି ସେତିକି କି....ଫେର ଏଇ ଦେଖ–କଉଁଠି ରୁଷିଆ ବଲି ଦେଶଟିଏ ଅଛି ଯେ ସେ ଦେଶର ଲୋକେ ଚନ୍ଦ୍ର ମଣ୍ଡଳକୁ ଯିବାକୁ ବାହାରିଲେଣି ।’’ ମିଶ୍ରେ ଆପଣେ ଟାଙ୍ଗରା ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ– ‘‘ତୁମେ ଯାହା କହ ପଛେ ଏ ସବୁ ଦେଶର ମଙ୍ଗଳ ସୂଚନା ନୁହେଁ–ପ୍ରଳୟର ସୂଚନା....’’ ନିଧି ସାହୁ ଅଇଁଠା ପିକାଟିକୁ କାନସନ୍ଧିରେ ଖୋସିଦେଇ କହିଲା– ‘‘ଭାସିଗଲା ଗୋଡ଼ ତଳକେ ତଳ । ଛାଡ଼ ସେ ସବୁ ଆମେ ଭଲ ତ ଜଗତ ଭଲ । ଆମ ଗାଁର ହାନି ଲାଭ ଆଗ, ଆଉ ସେ ସବୁ କଥା ପଛକୁ.... !!’’

 

ସୁବିଧା ଉଣ୍ଡି କଇରୁ ସାହୁ ବି ପହଞ୍ଚି ଗଲାଣି କେତେବେଳୁ । ମନ ତାର ଆଜି ଛନ ଛନ-। କଥାଟା କହିବାକୁ ଜିଭ ଲେଉଟିବ କିପରି ? କହି ପାରିବ ତ ? କଣ ବୋଲି କଥା ଆରମ୍ଭ କରିବ-। ଏଇପରି ନାନା ଦୁଶ୍ଚିନ୍ତାର ବାୟା ଚଢ଼େଇ ମନ ବାହୁଙ୍ଗାରେ ତାର ବସା ବାନ୍ଧୁଥିଲେ । ଦେଉଳ ପାଖରେ ମୁଣ୍ଡ ପୋତି ଠିଆ ହୋଇଛି କଇରୁ । ତାକୁ ଦେଖି ପରମା ନାଏକ ପଚାରିଲେ–‘‘କିରେ କଇରୁ କଣ ହେଲାକି ଆଜି.....ଏମିତି ମୁହଁ ମାରି ଠିଆ ହେଇଛୁ କାହିଁକି..... ?’’ କଇରୁ ସାହୁ ଚୁପ୍ ରହିଲା । କେବଳ ଆଖିରୁ ଦିବୁନ୍ଦା କୁମ୍ଭୀର ଲୁହ ଗଡ଼େଇ ଗୋଡ଼ର ବୁଢ଼ା ଆଙ୍ଗୁଳିରେ ଭୂଇଁ ଉପରେ ଗାର ଟାଣିବାକୁ ଲାଗିଲା । କଇରୁ ଚୁପ୍ ରହିଲାରୁ ନକୁଳ ଦଳେଇ ପଚାରିଲେ–‘‘ହଇରେ ଚୁପ୍ ରହିଲୁ କାହିଁକି, କଣ ହେଲା ତୋର ?’’

 

ନାକଟା ଦିଥର ସୁଁ ସୁଁ କରି କାନ୍ଦିଲା ଗଳାରେ କହିଲା କଇରୁ– ‘‘କଣ କହିବି କକେଇ, ପିଠିର ଭାଇ ଗାଁ ଛାଡ଼ି କାଳିମାଟି ଗଲା ଯେ; କହୁ କହୁ ବରଷେ ପୁରିଯିବ ଆସି ଚଠିଟିଏ ବି ଦେଲା ନାହିଁ..... ।’’

 

ଏ କଥା ଶୁଣି ନିଧି ସାହୁ ମଧ୍ୟସ୍ଥ ହୋଇ କହିଲା– ‘‘ଅଚ୍ଛା, ତୁ ଭାଇ ବୋଲି କେତେଟା ଚିଠି ଦେଇଛୁ କହ ତ ଆଗ । ତାକୁ ଅରଉଛୁ କାହିଁକି.... ?’’ ଆଖିରେ ଗାମୁଛା କାନି ମାରି ଦେଇ କଇରୁ ସେମିତି ମୁଣ୍ଡ ପୋତି କହିଲା– ‘‘ମୁଁ କାହିଁକି କାହାକୁ ଅରେଇବି ଦାଦା–କଣ କି, ଡାକ୍ତରଖାନାରେ ପଡ଼ିଥିଲା ବୋଲି ଶୁଣିଥିଲି ଯେ ମନଟା ଧକ୍ ଧକ୍ ହେଉଛି.... ।’’ ଗୋକୁଳ ମିଶ୍ରେ କଥା ମଝିରେ ବାଧା ଦେଇ କହିଲେ– ଡାକ୍ତରଖାନାରେ ପଡ଼ିଥିଲା... ? କଣ ହେଲା କି ତାର ?' କଇରୁ ଦବା ଗଳାରେ କହିଲା– ‘‘ମୁଁ ଆଉ କେମିତ ଜାଣନ୍ତି କି ଆଜି ସକାଳେ ହାଟରେ ବିନୁ ମଳିକ ସଙ୍ଗେ ଭେଟ ହେଲା କାଲି ସେ ଫେରିଛି କାଳିମାଟିରୁ । କହୁଥିଲା.......କଥାଟା ସତ କି ମିଛ ମୋ ଜିଭ ଲେଉଟୁ ନାଇଁ କହିବାକୁ ।’’

 

ଗୋକୁଳ ମିଶ୍ରେ ବିରକ୍ତ ହୋଇ କହିଲେ– ‘‘ଆରେ ସତ ହେଉ କି ମିଛ ହେଉ ସେ କଣ କହିଲା କହୁନୁ ।’’ କଇରୁ ଧିମା ଗଳାରେ କହିଲା । ‘’ସେ କହିଲା–ସେ କହିଲା ଡାକ୍ତରଖାନାରେ କଇରୁ ଚା...ଲି...ଗ...ଲା !!’’

 

‘‘ଏଁ ଚାଲିଗଲା ।’’ ଚମକି ପଡ଼ିଲେ ସମସ୍ତେ !! ମହନ ଚାଲିଯିବା କଥା କାହାରି ବିଶ୍ୱାସ ହେଲା ନାହିଁ । ଚାଙ୍ଗା ମଣିଷ । ବାଟ ଚାଲୁ ଥିଲେ ମାଛି ଉଡ଼େ ନାହିଁ । କାହାରି ନାଁରେ ନ ଥାଏ କି ଛାଁରେ । ଗଜାବଏସରେ ଚାଲିଗଲା । କେମିତି ବିଶ୍ୱାସ କରିବ କିଏ ? କାହାରି ମୁହଁରେ ଭାଷା ନାହିଁ । ସମସ୍ତେ ଯେପରି ନିର୍ବାକ ସ୍ଥାଣୁ ! ସମସ୍ତଙ୍କ ମୁହଁରେ ଢାଙ୍କି ହୋଇ ଯାଇଥିଲା ଦୁଃଖର ଏକ କଳା ପରଦା । ଡେଙ୍ଗୁରା ବାଜିଲା ପରି କଥାଟା ଗାଁ ସାରା ଚହଲି ଗଲା ! ଯେ ଶୁଣିଲା ସେ ଘଡ଼ିଏ କାଠ ପରି ଛିଡ଼ା ହୋଇ ରହିଲା ।

 

ଘଟଣାଟି ବୁଇନାନୀ ମୁହଁରୁ ଶୁଣି କାଠ କଚାଡ଼ିଲାପରି ତଳେ ବେହୋସ ହୋଇ ପଡ଼ିଲା ଉଜଲ ବୁଢ଼ା । କାନ୍ଥରେ ମୁଣ୍ଡ ଛେଚିହୋଇ ଝରଝର କରି ଝରି ପଡ଼ିଲା ରକ୍ତ । ଚାହୁଁ ଚାହୁଁ ଚେତାଘର ହଜିଗଲା । ବୁଢ଼ାର ଏ ଅବସ୍ଥା ଦେଖି ବେସାର ହାତରେ ଧାଇଁ ଆସିଲା ତୁଲ୍‍ସା । ବେସାର ବଟା ଅଧାରେ ରହିଲା । ବୁଢ଼ାର ଏଇ କାଇଲା ଅବସ୍ଥା ଦେଖି ଅଧର୍ଯ୍ୟ ହୋଇ ପଡ଼ିଲା ସେ । କଣ କରିବ ? ମାଇକିନା ପ୍ରାଣୀ । ଆହା ସାହାକୁ କିଏ ଅଛି ତାର ? ଛାତି ଦମ୍ଭ କରି ପାଣି ଆଣି ଶଶୁର ମୁହଁରେ ଚାଟିଲା ତୁଲ୍‍ସା । ମୁଣ୍ଡର କ୍ଷତ ଯାଗାରେ ବଟା ହଳଦି ଟିକିଏ ଲଗାଇ ଦେଇ ବୁଢ଼ାର ପାଟିରେ ପାଣି ମୁନ୍ଦାଏ ଦେଲାବେଳକୁ ଚେତା ତାର ଫେରି ଆସିଲା । ବୁଢ଼ା ଖାଲି ବଲ ବଲ କରି ଚାହିଁଲା ଆକାଶକୁ । ସେତେବେଳେ ଆକାଶର କଳାଚାନ୍ଦୁଆ ତଳେ ଗୋଟି ଗୋଟି ହେଇ ଟିକି ଟିକି ତାରା ଝୁଲି ଝୁଲି ହସୁଥିଲେ ଠିକ୍‍ ଭୋଦୁଅର ଜହ୍ନିଫୁଲ ପରି । ବାରିପଟ ଯୋର ଖଣ୍ଡିରୁ ରଡ଼ି ଛାଡ଼ିଲେ କୁହ୍ଲିଆ ଦଳ–ହୁକେ ହୁଆ–ହୁକେ ହୁଆ..... ।

 

ତୁଲ୍‍ସା କୋହ ସମ୍ଭାଳି ପାରିଲା ନାହିଁ । ମୁଣ୍ଡ କଚାଡ଼ି କାନ୍ଦି ଉଠିଲା । ସଂସାର ସାରି ଯାଇଛି ତାର । ଭିତିରି ଖଞ୍ଜାରେ କଅଁଳା ପିଲାଟି ଗୁହ ମୁତରେ ଜୁଡ଼ୁ ବୁଡ଼ୁ ହୋଇ କାନ୍ଦି କାନ୍ଦି ତଣ୍ଟି ଶୁଖିଗଲାଣି । ରାତିଅଧିଆ କିଟିମିଟିଆ ଅନ୍ଧାର ଭିତରେ କଳା କଳା ଛାଇ ନାଚିଲା ପରି ଦିଶୁଚି ତୁଲ୍‍ସାର ଝାପ୍‍ସା ଆଖିକି । ରାଇଜଯାକର ଡର ଭୟ ଆଜି ତାରି ଘରେ ଠୁଳ । ମଶାଣୀପଦାର ଯେତେକ ଭୂତ ପେତୁଣୀ ସତେ ଯେପରି ତାରି ଆଡ଼େ ଦାନ୍ତ ନିକୁଟି ଲହଲହ ଜିଭ ମେଲେଇ ମାଡ଼ି ଆସୁଛନ୍ତି । ଥରି ଉଠୁଛି ତୁଲ୍‍ସାର କଲିଜା । ଶିତେଇ ଉଠୁଛି ଦେହ । ରକ୍ତ ଯେପରି ତାର ହୋଇ ଯାଉଛି ବରଫ ଭଳି ହେମାଳ । ଠିକ୍ ଏତିକିବେଳେ ବାରିଆଡ଼ ମୁନୁଗାଗଛ ଡାଳରେ ଅମଙ୍ଗଳିଆ ପେଚଟାଏ ବସି ନିଶୀବଦ ରାତିର ଛାତି ଦୋହଲାଇ ପାଟି କରି ଉଠିଲା– ‘‘ଉ ହୁ ହୁ ହୁ–ଉହୁ ହୁ ହୁ-।’’

 

Unknown

ନଅ

 

ଆକାଶରେ ଅଷ୍ଟମୀର ଜହ୍ନ !

 

ଦିଗହରା କାଲୁଆ ପବନ କାହିଁ କେଉଁ ବଣ ଆଢ଼ୁଆଳରୁ ଥିରି ଥିରି ବହି ଆସୁଛି । ରାତିର ନୀରବତାକୁ ଉପହାସ କରି କେଉଁ ବୁଦାପତ୍ର ଗହଳ ଭିତରୁ ଶୁଭୁଛି ଝିଙ୍କାରିର ପ୍ରାଣମୂର୍ଚ୍ଛା ଚିତ୍କାର । ଗାଁ ମୁଣ୍ଡ ଖଜୁରୀ କଟା ଆଡ଼ିରେ ଝାମ୍ପୁଡ଼ା ବରଗଛ । ସିଦ୍ଧ ଧ୍ୟାନରତ ଯୋଗୀ ଋଷି ଭଳି କେତେ କାଳୁ ସେ ସେଇଠି ଛିଡ଼ା ହୋଇ ରହିଛି । ଋଷି ଜଟ ଭଳି ମହାମେରୁ ଗଛର ଅକଳନା ଡାଳ ଦେହରୁ ତଳକୁ ଝୁଲି ପଡ଼ିଛି ଛୋଟ ବଡ଼ କେତେ ବର ଓହଳ । ଘଞ୍ଚ ଡାଳ ପତର ଫାଙ୍କେ ଫାଙ୍କେ ଜହ୍ନ ଆଲୁଅ ଆସି ଏଇ ଅପନ୍ତରା ଭୂଇଁ ଉପରେ ପଡ଼ିଛି ମେଞ୍ଚା ମେଞ୍ଚା ହୋଇ ଗାଁ ମାଇପେ ପୁଷ ସକାଳୁଆ ଫୁଲବଡ଼ି ପାରିଲା ପରି । ବରଗଛର ଗୋଟିଏ ମସ୍ତ ଚେରକୁ ଆଉଜି ମୁହାଁମୁହିଁ ହେଇ ବସିଛନ୍ତି ଦି'ଟା କଳା କଳା ଛାଇ । କାହାରି ମୁହଁରେ କଥା ନାଇଁ । ଅଣ୍ଟା ଆଉ ଆଣ୍ଠୁ ଚାରିପଟେ ଜାବଡ଼ା ଭିଡ଼ି ବାଁ ହାତ ପାପୁଲିରେ ଜଣେ ମଳୁଛି ଗଞ୍ଜେଇ କଲି । ଆରଜଣକ ଚିଲମ ସଜାଡ଼ିବାରେ ବାଇ । ବଡ଼ ଆଣ୍ଟ କରି ଦମେ ଧୂଆଁ ପେଟକୁ ଢୋକି ଦେଇ ଚିଲମ ଖଣ୍ଡକ ଗୋଟିଏ ହାତ ଆର ହାତକୁ ବଢ଼ାଇ ଦେଲା । ତାପରେ ଚାଲିଲା ଧୂଆଁର କୁଣ୍ଡଳୀ ସଙ୍ଗକୁ ଖୁଁ ଖୁଁ କାଶର ଅସୁମାରି ସୁଅ ।

 

ନୀରବତା ଭାଙ୍ଗି କିଛି ସମୟ ଏପରି ଚିଲମ ଆଦାନ ପ୍ରଦାନ ପରେ ଦି'ଜଣ ଭିତରୁ ଜଣକର ଗଳା ଆବାଜ ଶୁଣାଗଲା । ‘‘ତା ହେଲେ ବିଷୟଟା ଆଜି ପକ୍‍କା ହେଇଯାଉ କକା ।

 

ଅନ୍ୟଜଣକ ଖୁଁ ଖୁଁ କାଶି ଉତ୍ତର ଦେଲା– ‘‘ମୁଁ ଅଛି ତୋର ଫିକର କଣ । ସବୁକଥା ମୁଁ ସୁଧାରି ନେଉଛି । ତୁ ଖାଲି ଦେଖୁଥା କେଉଁ ଘାଟର ପାଣି କେଉଁ ତୁଠକୁ ଯାଉଛି ।’’

 

‘‘ମୁଁ ପୂରା ବେଫିକର ଅଛି ଯେ–ହେଲେ......’’

 

‘‘କଣ..... ?’’

 

‘‘ପହିଲେ ଷ୍ଟାମ୍ପ ଖଣ୍ଡକ ହାତ ପୈଠ କଲେ ଭଲ ହୁଅନ୍ତା ।’’

 

କେଉଁ ଷ୍ଟାମ୍ପ ?

 

‘‘ଯେଉଁ ଷ୍ଟାମ୍ପରେ ବୁଢ଼ା ଆପଣା ଭାଗତକ ମହନ ନାଁରେ ଲେଖି ଦେଇଛି ।’’

 

ସେଇଟା କା ପାଖରେ ଅଛି ?

 

‘‘ମହନର ସ୍ତ୍ରୀ ପାଖରେ ।’’

 

କାଲି ସକାଳେ ମୁଁ ତାରି ଉପାୟ କରୁଛି ।

 

ଚୋପ କାଣ୍ଡିଆ ପକାଇ ଚିଡ଼ିଆ ଉଡ଼ିଯିବା ଆଗରୁ ତାକୁ ହାତ କରିବାକୁ ହେବ ।

 

‘‘ମତଲବ..... ?’’

 

‘‘ମତଲବ ହେଉଛି ମହନର ସଳା ଆସିଛି ତା ଭଉଣୀକି ଏଠୁ ନେଇଯିବା ପାଇଁ....।’’

 

‘‘ଚିଡ଼ିଆ ଉଡ଼ିଗଲେ ତ ସବୁ ଗଲା । କାହାକୁ ନେଇ ଆଉ ଏ ଚକ୍ରାନ୍ତ ? କଥାରେ ଅଛି ପରା–’’ ସାରା ରାତି ଉସିନିଦ୍ରା କୁମ୍‍ନାର ଗିଜ୍ ମେଲା ।’’

 

ହଁ ମୁଁ ସେଇ କଥା ତ କହୁଛି....ଆଜି ଯଦି.....

 

‘‘ହଁ–ହଁ–ଆଜି କାଇକି....ଅବିକା ମୁଁ ଯାଉଛି ତା ପାଖକୁ’’ ଦିହେଁ ଉଠି ଛିଡ଼ା ହେଲେ । ଆଗପଛ ହେଇ ଖଜୁରୀ କଟା ଆଡ଼ି ଉପର ଦେଇ ଆଗେଇ ଚାଲିଲେ ଦୁଇଟା କଳା କଳା ଛାଇ । ସେତେବେଳେ ଆକାଶ ରାଇଜର କେଉଁ ରାଜକୁମାରୀ ଲକ୍ଷ୍ୟ ହୀରା, ନୀଳା, ମୋତି, ମାଣିକ୍ୟର ହାର ଗୁନ୍ଥି ଟାକି ଥିଲା କେଉଁ ଅପରୂପ ରାଜକୁମାର ଗଳାରେ ଲମ୍ବାଇ ଦେବ ବୋଲି । ଆକାଶର ହାତୀ ଧରସ୍ ବାଟେ ପାରିଧିକି ଯାଇଥିଲା ସେ । ଦୂର କିଆ ବଣରୁ ସୁବାସ ଚୋରାଇ ଆଣି ଭୋଦୁଅର ପଶ୍ଚିମା ପବନ ବିଞ୍ଚି ଦେଉଥିଲା ତାକୁ ତାଳ ବାହୁଙ୍ଗାର ପଙ୍ଖାରେ । ଗଛଲତାର କଷିଆ ଆଖିରେ ଝୁମି ଆସୁଥିଲା ତନ୍ଦ୍ରା । ଆକାଶରେ ଉଡ଼ି ଯାଉଥିଲେ ଭେଳା ଭେଳା ବାଦୁଡ଼ି ଦଳ ।

 

ତୁଲ୍‍ସା ଘର ଅଗଣା ରାଞ୍ଜରେ ଖୁନ୍ଦି ହୋଇଛି ଜହ୍ନି ଆଉ ଖଟଖଟିଆ ଫୁଲର ଝୁମ୍ପା । ଫୁଲର ମହୁଆ ଗନ୍ଧରେ ପାଗଳ ହୋଇ ତାକୁ କୁଣ୍ଢେଇ ଧରିଛି ଚାନ୍ଦିନୀ ! ସେଇଆଡ଼କୁ ଏକ ଲୟରେ ଅନେଇଛି ତୁଲ୍‍ସା । କୋଳରେ 'ବୁଟୁ' ଶୋଇ ପଡ଼ିଛି କେତେବେଳୁ । ଏତିକିବେଳେ ହଠାତ୍ କେହି ଜଣେ ଅଗଣା ଭିତରକୁ ପଶି ଆସିବାର ଦେଖି ଚମକି ପଡ଼ିଲା ତୁଲ୍‍ସା । ତରତର କରି ମୁଣ୍ଡ ଉପରକୁ ଓଢ଼ଣା ଟାଣି ଆଣି କରେଇଗଲା ସେ କବାଟ କଣକୁ । ଅଗଣା ଭିତରକୁ ପଶି ଆସୁଁ ଆସୁଁ ଖଣ୍ଡିକାଶ ମାରି କହିଲା ପରମା ନାଏକ– ‘‘ମୁଁ ଆସିଥିଲି ଏଆଡ଼େ–ହଠାତ୍ ତୋ କଥା ମନେ ପଡ଼ିଗଲା–ବିଚାରି ଏକଲାଟା କଣ କରୁଥିବ ? କିପରି ଚଳୁଥିବ ? ତୁଲ୍‍ସା ଚୁପ୍‍ ରହିଲା । ପରମା କଥାର କିଛି ଜବାବ ଦେବାକୁ ପସନ୍ଦ କଲା ନାହିଁ ସେ । ଭିତିରି ଘର ଖଞ୍ଜାରେ ମିଞ୍ଜି ମିଞ୍ଜି ହେଇ ଜଳୁଛି ଡିବିରିଟିଏ ।

 

ତୁଲ୍‍ସା ପୁଅକୁ ନେଇ ଶୁଆଇ ଦେଇ ଆସିଲା । ପରମା ଦରଦୀ ଗଳାରେ ଅଭିନୟ କରି କହିଲା–‘‘ଗଲାକଥା ଆଉ ଭାବି କଣ ହେବ ତୁଲ୍‍ସା ? ଯାହା ହେବାର ଥିଲା ହେଇଗଲା । ଏତେ ବେଳକୁ ନିଜର ଭବିଷ୍ୟତ ଦେଖିବାକୁ ହେବ । ପାଣି ପିଟିଲେ କଣ ଦୁଇଫାଳ ହୁଏ । ଯେତେ ହେଲେ ବି ଗୋଟିଏ ରକ୍ତର ଦୁଇ ଭାଇ । ମହନ ଗଲା ତ କଣ ହେଲା ? କଇରୁ ତ ଅଛି....ସେ କଣ ହାନିଲାଭ ବୁଝିବ ନାହିଁ ?’’

 

ତୁଲ୍‍ସା ପରମାର ଏଇ ଭଲେଇ କଥା କେଇ ପଦ ଶୁଣି ତାର ମତଲବଟା ବେଶ୍ ଠଉରେଇ ପାରିଲା ! ଦେଖିଲା ପରମା ପିଣ୍ଢା ଉପରକୁ ଚଢ଼ି ଆସୁଛି ଶେଷକୁ ସେ ମୁହଁ ଖୋଲି ଜବାବ ଦେଲା– ‘‘ଦାଦା ଘରେ ନାହାନ୍ତି । ତୁମର କଣ କାମ ଥିଲା.... ?

 

ପରମା ଖଣ୍ଡିକାଶ ମାରି ମୁରୁକି ମୁରୁକି ହସି କହିଲା– ‘‘କାମ....କାମ ଦାଦା ପାଖରେ ତ ନ ଥିଲା । ତୋ ପାଖରେ.... ।’’

 

ଏକଥା ଶୁଣି ଶଙ୍କିଗଲା ତୁଲ୍‍ସା, ଚହଲିଗଲା ତାର ସରଳ ମନ । ଶିହରି ଉଠିଲା ଦେହ-। ଦୀର୍ଘନିଶ୍ୱାସ ଛାଡ଼ି ସେ କହିଲା– ‘‘ମୋ ପାଖରେ ତୁମର କି କାମ । କହିଲି ଦାଦା ନାହାନ୍ତି ଘରେ-। ସେ ଆସିଲେ...... !! ତୁଲ୍‍ସାର କଥା କେଇପଦ ପରମାର ମନ ଭିତରେ ଭେଦି ପାରିଲା ନାହିଁ-। ଅନ୍ୟମନସ୍କ ହୋଇ ଅତି ନିଃସଙ୍କୋଚ ଭାବରେ ସେ ଭିତରି ଖଞ୍ଜାକୁ ପଶି ଆସୁଁ ଆସୁଁ କହିଲା, ‘‘ତୁଲ୍‍ସା ମୁଁ ତୋ ଭଲ ପାଇଁ କହୁଛି । ମୋ କଥାର ମଙ୍ଗିଲେ ତୋର ଲାଭ ଛଡ଼ା ଲୋକସାନ ନାହିଁ-। ଏତେ ବଡ଼ ଗାଁରେ ଯୁବତୀ ଟୋକିଟେ ଏକଲା ହୋଇ ରହିବା ମୋତେ କାହିଁକି ଯେ ପସନ୍ଦ ଲାଗୁନାହିଁ । ଯଦି କଇରୁ ଘରେ ରହିବାକୁ ତୋର ମନ ନାଇଁ, ମୋ ଘର ତ ଅଛି ! ଆମେ କଣ ତମର ଲୋକବାକ ନୋହୁଁ ?’’

 

ପରମାର ଏଇ ଚିକଣିଆ କଥାରେ ତୁଲ୍‍ସାର ତାଳୁଠାରୁ ତଳିପା ଯାଏ ଜାଳି ଉଠିଲା ରାଗରେ । ଏମିତି ଲୋକକୁ କହନ୍ତି କଜଳପାତିଆ ଭଲ ଲୋକ । ଚୋର, ଡାକୁ, ବଦମାସ ଆଉ କଣ ଗଛରେ ଫଳନ୍ତି । ଆଜିଯାଏ କେଉଁଠି ଲୁଚିଥିଲେ ଏମାନେ ! ଘର ବୁଡ଼ି ପାଣି ଆଣ୍ଠୁଏ ହେଲା ବେଳକୁ ଆଜି ଆସିଛନ୍ତି କଟା ଘା’ରେ ଚୂନ ବୋଳିବାକୁ । ଆଜି ପୁଣି ଏମାନେ ହେଲେ ଲୋକବାକ-। ତୁଲ୍‍ସାର ଅନ୍ତରାତ୍ମା ଥରି ଉଠୁଥିଲା । ନାକପୁଡ଼ା ଦୁଇଟି ଫୁଲି ଫୁଲି ଉଠୁଥିଲା । କଡ଼ା କରି ଦିପଦ ଶୁଣେଇ ଘଉଡ଼ି ଦେବ ବୋଲି ଭାବୁଥିଲା ! ପୁଣି କେଜାଣି କାହିଁକି ଜିଭ ତାର ଲେଉଟିଲା ନାହିଁ । ଯାହା ହେଲେ ବି ମାଇକିନା ଜାତି । ଏମିତି ରାଗ ଅଭିମାନ ଶୋଭା ପାଏ ନା ମୁହଁରେ-। କେତେବେଳେକୁ କଥା ! କଣ ଭାବି ଟିକିଏ ଦୂରକୁ ହଟିଗଲା ତୁଲ୍‍ସା !

 

ପରମା ପୁଣି ଅତି ମଧୁର ଗଳାରେ ଅତି କଅଁଳ କରି କହିଲା, ‘‘ତୁଲ୍‍ସା ! ମାନ ମୋ କଥା, ମୁଁ ଯାହା କହୁଛି ତୋର ଭଲ ପାଇଁ ବିପଦ ଅପଦାକୁ ସାହା ଭରସା ଦେବାକୁ କିଏ ଅଛି ତୋର । ପିଲାଟିର ତ ଫେର୍ ଭବିଷ୍ୟତ ଦେଖିବାକୁ ହେବ । ମୁଁ ସେ ସବୁ ଜମି ନେବାକୁ ରାଜି–କଣ କହୁଛୁ....... ?’’

 

ତୁଲ୍‍ସାର ନାରୀ ମନ କୁହୁଳି ଉଠିଲା ରାଗରେ । ତୁନି ହେଇ ପରମାର କଥାଗୁଡ଼ାକୁ ଶୁଣି ଯାଉଥିଲା ସିନା ଏଥର ଏଇ ଅଲାଜୁକିଆ କଥାଗୁରାକ ଶୁଣି ଆଉ ସେ ଆଉ ଥୟଧରି ରହି ପାରିଲା ନାହିଁ । ପାଟିକରି ଉଠିଲା– ‘‘କହୁଛି ଚାଲିଯା ଏଠୁ.....ନ ହେଲେ....’’

 

‘‘ନ ହେଲେ......କଣ କରିବୁ......ରଡି ଛାଡ଼ିବୁ.......ଏଇଆ ତ......ହେଃ ।’’ ପରମା ତୁଲ୍‍ସାର କଡ଼ା ଆବାଜ୍ ଶୁଣି ଗୁମ୍‍ମାରି ଠିଆ ହୋଇ ରହିଲା ଘଡ଼ିଏ । ତାର ଏଡ଼େ ବଡ଼ ଆଶା ତା ହେଲେ ପାଣି ଫୋଟକା ପରି ମିଳାଇ ଯିବ ଆଖି ପିଛୁଳାକେ । ନା–ନା–କେବେ ନୁହେଁ । ତା ମତଲବ ସେ ହାସଲ କରିବ ହିଁ କରିବ । ଟିକିଏ ରହି ପରମା କଡ଼ା ଗଳାରେ କହିଲା– ‘‘ତୁଲ୍‍ସା ତୁ ଯଦି ତୋର ଭଲମନ୍ଦ ଚାହୁଁଛୁ–ବୁଢ଼ାର ଉଇଲ ଷ୍ଟାମ୍ପଟି ମୋ ହାତକୁ ଫେରାଇ ଦେ । ମୁଁ ଚୁପ୍ ହୋଇ ଚାଲିଯିବି....... ।’’

 

ଜନ୍ତାରେ ପଡ଼ିଥିବା ବାଘୁଣୀ ପ୍ରତି ଆକ୍ରମଣ କଲେ ସେ ଯେପରି ଗର୍ଜି ଉଠେ ଠିକ୍ ସେହିପରି ଚିହିଁକି ଉଠିଲା ତୁଲ୍‍ସା । ପରମାକୁ ଠିକଣା ଜବାବ ଦେଇ ପାରିଲା– ‘‘ମୁଁ ଷ୍ଟାମ୍ପ ଫାମ୍ପ କଥା ଯାଣେ ନାହିଁ । ତୁମେ ଭଲରେ ଭଲରେ ଚାଲିଯାଅ ଏଠୁଁ ।’’

 

ପରମା ଦେଖିଲା ସବୁବେଳେ ସିଧା ବାଟରେ ଗଲେ କାମ ଚଳେ ନାହିଁ । ବେଳେ ବେଳେ ବୁଲି କିନ୍ଦିରି କରି ବି ଯିବାକୁ ପଡ଼େ । ପରିସ୍ଥିତି ବିଚାରି ତାକୁ ଆଗେଇବାକୁ ହେବ । ରାତି ଘନେଇ ଆସୁଛି । ତୁଲ୍‍ସାର ଭାଇ ଯାଇଛି ପାଖ ଗାଁକୁ । ବୋଧହୁଏ ଏଇନେ ଫେରି ଆସିବ । ସୁଯୋଗ ବେଳେ ବେଳେ ଆସେ । ଏଣୁ ସହଜ ତାକୁ କାମ ହାସଲ କରିବାକୁ ହେବ । ନିଛାଟିଆ ରାତି । ପୁଣି ତାର ଅତି ନିକଟରେ ଭରା ଯୌବନର ପରସା ମେଲି ଛିଡ଼ା ହୋଇଛି ତୁଲ୍‍ସା । କପାଳ ଉପରକୁ ଲମ୍ବି ପଡ଼ିଛି କେରି କେରି ହୋଇ ବାଳ । ପୁରିଲା ପୁରିଲା ଗାଲ ଉପରେ ବୁନ୍ଦା ବୁନ୍ଦା ଝାଳ ଡିବିରି ଆଲୁଅରେ ଚିକ୍ ଚିକ୍ କରୁଛି । ସାଗର ବେଳାରେ ଜୁଆର ଉଠିଲା ପରି ଉନ୍ନତ ଛାତି ତାର ଫୁଲି ଫୁଲି ଉଠୁଛି । ପରମାର ଭୋକିଲା ଆଖି ତୁଲ୍‍ସାର କଇଁଫୁଲିଆ ଚେହେରା ଉପରେ ପହଁରି ଆସିଲା । ମନେ ପଡ଼ିଗଲା ତାର ଆଉ ଦିନକର କଥା, ଯେତେବେଳେ ଏମିତି ନିଛାଟିଆ ଯୋର ଭିତରେ ତୁଲ୍‍ସାର ଚିକିଣିଆ ଭରା ଯଉବନର ମହକରେ ହୋଇଥିଲା ମସଗୁଲ୍-। କେତେ କଥା ମନରେ ତାର ଚେଇଁ ଉଠିଥିଲା ସେତେବେଳେ । ଆଜି ସେ ସୁଯୋଗ ଆସିଛି-। ଏଇ ସୁବିଧା ହରାଇବାର ନୁହେଁ । ପରମା ଆଉ ବେଶୀ କିଛି ଭାବି ପାରିଲା ନାହିଁ । ଦୁଇ ବାହା ଲମ୍ବାଇ ଧାଇଁଗଲା ତୁଲ୍‍ସା ପାଖକୁ ଭୋକିଲା ସିଂହ, ମିରିଗଆଡ଼କୁ ଧାଇଁଲାପରି ।

 

ପରମା ଯେ ଏପରି ଅଚାନକ ତା ଉପରକୁ ଝାମ୍ପ ଦେବ ଏହା ତୁଲ୍‍ସାର ମନରେ କି ଧ୍ୟାନରେ ବି ନ ଥିଲା ଏତେ ବେଳଯାଏ । ଏବେ ପରମାର ଭୋକିଲା ଆଖି ଆଉ ଶୋଷିଲା ଓଠ ଦେଖି ତାର ଚୁମ୍ବିତ ଉଦ୍ଦେଶ୍ୟ ଆଉ ଅଛପା ରହିଲା ନାହିଁ । ‘ଦାଦା'–'ଦା–ଦା' ବୋଲି ପାଟି କରିବା ଛଡ଼ା ତାର ଆଉ ଅନ୍ୟ ଉପାୟ ନ ଥିଲା । ପରମା ତୁଲ୍‍ସାର ଗୋରା ତକ ତକ ବାହାଦୁଇଟି ଧରି ତା ଛାତି ଉପରକୁ ଟାଣି ଆଣିବାକୁ ଵଳ ପ୍ରୟୋଗ କଲାବେଳେ ପରମାର ମୁଠା ଭିତରୁ ଆପଣାକୁ ମୁକୁଳାଇବାକୁ ଯାଇ କଇଁ କଇଁ ହୋଇ କାନ୍ଦି ଉଠିଲା ତୁଲ୍‍ସା । ଠିକ୍ ଏତିକି ବେଳେ ଅଗଣାରେ କାହାକୁ ଦେଖି ପାରି ପରମାର ହାତ ମୁଠା ହୋଇ ଆସିଲା ଢିଲା । ତୁଲ୍‍ସାକୁ ଛାଡ଼ିଦେଇ ଅଗଣା ଉପରକୁ ଡେଇଁ ପଡ଼ି ପଳେଇବାକୁ ଚେଷ୍ଟା କଲାବେଳେ କାହାରିର ଧକ୍କା ଖାଇ ସେ ଲୋଟି ପଡ଼ିଲା ତଳେ । ଗୋଲାପ ଲଟିରେ ଘଷି ହୋଇ ପିଠିରୁ ତାର ବହି ପଡ଼ିଲା ଝର ଝର ହୋଇ ରକ୍ତ । ବେଦନାରେ ବିକଳ ହୋଇ ପଳେଇବା ପାଇଁ ବାଟ ଖୋଜୁଥିଲା ବେଳେ ଆଉ ଗୋଟିଏ ବଜ୍ରମୂଥା ଯାଇ ପଡ଼ିଲା ପରମାର ମୁଣ୍ଡ ଉପରେ ! ଦେହ ମୁଣ୍ଡ ଚାରିଆଡ଼େ ଖାର ବୋଳି ହୋଇ ରୂପକୁ ତାର ବିଭତ୍ସ କରିଦେଲା । ଯେତେବେଳେ ଚେତା ତାର ଫେରି ଆସେ ଧୀରେ ଧୀରେ ଆଖିପତା ଖୋଲି ଦେଖେ ତ ସାମ୍ନାରେ ଭୀମପରି କରାଳମୂର୍ତ୍ତି ଧରି ଛିଡ଼ା ହୋଇଛି ତୁଲ୍‍ସାର ଭାଇ 'ମୀନକେତନ' । ଦୁଇଆଖିରେ ତାର ଜଳୁଛି ନିଆଁ । ଡିବିରିର ଝାପ୍‍ସା ଆଲୁଅରେ ବେଶ୍ ବାରି ହେଉଛି ତାର କରାଳ ରୂପ । ଲାଜ, ଅପମାନ ଆଉ ଭୟରେ ଶିଝିଯାଇ ଲସର ପସର ହୋଇ ଉଠି ରାତିର କିଟ୍‍କିଟିଆ ଅନ୍ଧାର ଭିତରେ ହଜିଗଲା ପରମା ! ପରମାକୁ ପାହେ ବାଟ ଖେଦି ନେଇ ଫେରି ଆସିଲା ମୀନକେତନ ! ଦୀର୍ଘନିଶ୍ୱାସ ଛାଡ଼ି ତୁଲ୍‍ସାକୁ ଲକ୍ଷ କରି କହିଲା– ‘‘ତୁଲ୍‍ସା, ତୋତେ ଯେତେ କରି କହିଲେ ବି ମୋ କଥାକୁ ଶୁଣିଲୁ ନାଇଁ । ଆଜି ଭୋଗିଲୁ ତାର ଫଳ । ଏବେ ଫେର୍‍ ମୁଁ କହୁଛି ବାହାର ମୋ ସଙ୍ଗେ । ଏ ଗାଁରେ ଇ ଶାଗୁଣା ଦଳ ତୋତେ ରଖି ଥୋଇ ଦେବେ ନାହିଁ ।’’

 

ତୁଲ୍‍ସା ମୁହଁ ପୋତି କାନ୍ଦୁଥିଲା । ଅଜସ୍ର ଲୁହ ଧାର ଗାଲ ଦୁଇଟିକୁ ତାର ଓଦା କରି ଦେଉଥିଲା ! ସେମିତି କାନ୍ଦିଲା ଗଳାରେ ନାକ ପୋଛି କହିଲା– ‘‘ଦାଦା ଦେଖୁଛ ତ ଛେଳି, ମେଣ୍ଢା ଗାଈ, ବାଛୁରି ହେଇ ଗୁହାଳେ । କାହାକୁ ଦେଇଯିମି ମୁଁ ଏସବୁ ? ମୋର ଘର ଦୁଆର ଅବସ୍ଥା କଣ ହେବ କହିଲ ?’’

 

ମୀନ, ତୁଲ୍‍ସା ପାଖକୁ ଆସି କଅଁଳ କରି କହିଲା– ‘‘ଆଉ କେତେ ଦିନ ଏ ସବୁକୁ ଜାବୁଡ଼ି ହିନସ୍ତା ହରକତ ଦେଉଥିବୁ ?’’ ତୁଲ୍‍ସା ଆଖିରୁ ଲୁହ ପୋଛି ଦାଦା ମୁହଁକୁ ଅନାଇଲା । ଆଖିରେ ଫୁଟି ଉଠୁଥିଲା ନୂଆ ଆଭା । ମନରେ ଉଙ୍କି ମାରୁଥିଲା ନୂଆ ଅଶାର କ୍ଷୀଣ ଝଲକ । ମୀନ ପାଇଁ ଭାତ ବାଢ଼ି ଦେଉଁ ଦେଉଁ ଓଦା ଗଳାରେ କହିଲା–‘‘ଦାଦା ସେ ମରିଛନ୍ତି ବୋଲି ମୋର କାହିଁକି ଯେ ମୋଟେ ବିଶ୍ୱାସ ହେଉନାହିଁ । ମୋର ମନ ଡାକୁଛି–ସେ ଅଛନ୍ତି ଆଉ ନିଶ୍ଚେ ଫେରି ଆସିବେ ।’’

 

ମୀନ ପାଣି ଗଡ଼ୁଧରି ଗୋଡ଼ ହାତ ଧୋଇବାକୁ ଗଲା । ଧୋଉଁ ଧୋଉଁ ତୁଲ୍‍ସାର କଥାକୁ ଉଡ଼ାଇ ଦେଇ କହିଲା– ‘‘ଧେତ୍ ପାଗଳୀ–ମଲାଲୋକ କଣ କେବେ ଫେରି ଆସେ । ସେ ତୋର ମନର ଭରମ ।’’ ତୁଲ୍‍ସା ନିର୍ଜୀବ କାଠ ପୁତୁଲି ପରି କାନ୍ଥକୁ ଆଉଜି ଠିଆ ହୋଇଥିଲା । ଗୋଲାପ ପାଖୁଡ଼ା ପରି ଓଠ ଦିଫାଳ ତାର କମ୍ପି ଉଠୁଥିଲା ରହି ରହି । ଆଖିରୁ ଝରି ପଡ଼ୁଥିଲା ଶିରାବଣର ପାଣି ଧାରପରି ଝରଝର ଲୁହ । ସେହିପରି ଠିଆ ହୋଇ ଗୋଟାଏ ଲମ୍ବା ନିଶ୍ୱାସ ଛାଡ଼ି ଅଫୁଟା ଗଳାରେ କହିଲା– ‘‘ମୁଇଁ ଇ ଡିହ ବାରି ଛାଡ଼ି ଯାଇପାରିବି ନାଇଁ ଦାଦା–ଟାକି ରହିବି ସେ ଆସିବା ଯାଏ....... ।’’ କହୁ କହୁ ଡଉଲ ଡାଉଲ ଏକ ପରିଚିତ ଚେହେରାର ଅସ୍ପଷ୍ଟ ଛାଇ ନାଚି ଉଠିଲା ଆଖି ଆଗରେ ତାର । ଆଉ ପିଛିଲା ଦିନର କେତେ ନିତିଦିନିଆ କଥା ମନ ସନ୍ଧିର ଅନ୍ଧାର ଘରେ ଝୁଲି ଝୁଲି ଅପସରି ଯାଉଥିଲା.... ।

 

ଟିକି କୁଡ଼ିଆ ଭିତରେ ଆଉ କାହାରି ପାଟି ଆବାଜ ଶୁଭିଲା ନାହିଁ । ବାହାରେ ଜମାଟ ବାନ୍ଧୁଛି ମେଞ୍ଚା ମେଞ୍ଚା ଅନ୍ଧାର । ବାରିପଟ ଆମ୍ବଗଛ ଉପରେ ଗୁଡ଼ାହରା ଚଢ଼େଇଟିଏ କାନ୍ଦି ଉଠୁଛି ରହି ରହି । ଠିକ୍ ଏତିକି ବେଳେ ଦୂର ଆକାଶ ଉପରୁ ଉଲ୍‍କାଟିଏ ଖସି ପଡ଼ିଲା ପୃଥିବୀର ମୁକୁଳା ଛାତି ଉପରେ । ଆଉ ସେଆଡ଼କୁ ଅର୍ଥହୀନ ଚାହାଣୀରେ ଅନାଇ ରହିଥିଲା ଦୁଇଟି କଳାକଳା ଆଖି.... ।

 

ଦଶ

 

ଫଗୁଣର ନିଛକା ଖରାବେଳେ ଯେଉଁ ବାରିପଟର ଗହଳିଆ ଆମ୍ବପତ୍ର ଆଢ଼ୁଆଳରେ କୋଇଲିର କୁହୁ କୁହୁ ଗୀତର ଝଙ୍କାର ମନଗହନର ଅନ୍ତରାଳରେ ତୋଳୁଥିଲ ଅଜଣା ପୁଲକ । ବଉଳ ଅମାସ୍ୟା ବେଳେ ଯେଉଁ ଆମ୍ବ ତୋଟାର ମନଚହଲା ମହନ ଚୋରାଇ ଆଣି ଚୋରା ଚଇତାଳି ତୁଲ୍‍ସାର କାନି ପଣତ ସଙ୍ଗରେ ଖେଳୁଥିଲା ଲୁଚୁକାଳି ଖେଳ । ଆଜି ତାରି ଆଖିକୁ ସବୁ ଦିଶୁଛି ନୀରସ, ଶୁଷ୍କ । ନାହିଁ ସେହି ନାରୀ ସୁଲଭ ଉନ୍ମାଦନା । ନାହିଁ ସେହି ଛନଛନିଆଁ ଶିହରଣ । ସବୁ ଆଜି ହୋଇଯାଇଛି ରୁକ୍ଷ, ମଳୀନ, ସ୍ଵାଦହୀନ !

 

ତୁଳସୀ ଚଉରା ପିଣ୍ଡାତଳେ ଡେଇଁ ଡେଇଁ କୁଆଟିଏ ଡାକୁଛି କା.....କା... । କୁହୁଳି ଉଠୁଛି ତୁଲ୍‍ସାର ଦରପୋଡ଼ା ମନ । ବନ ପୋଡ଼ିଲେ ସଭେଁ ଜାଣନ୍ତି ମନ ପୋଡ଼ିଲେ କିଏ ଜଣେ ? ତୁଲ୍‍ସାର ହା ହୁତାସଭରା ଜୀବନର ଅନ୍ତରାଳରେ ଯେ କି ଇଙ୍ଗିତ ଲୁଚି ଲୁଚି ତାକୁ ମରଣ ଯୁଇ ଭିତରକୁ ଟାଣି ନେଉଛି କିଏ ଜାଣେ ସେ କଥା ?

 

ମଥାର ସିନ୍ଦୁର ବିନ୍ଦୁ ଆଜି ନିଭିଯାଇଛି ସବୁଦିନ ପାଇଁ । ହାତର ଅହିଅ ସଙ୍ଖା ହଜିଯାଇଛି କାର ଅଜଣା ଇଙ୍ଗିତରେ । ମନର ଆଶା ମଉଳି ଯାଇଛି ମନରେ । ଅତୀତର ରୂପେଲି ଚାନ୍ଦୁଆ ତଳେ କେବଳ ଝଲସି ଉଠୁଛି ସ୍ନେହ ସୋହାଗ ଆଉ ମମତାଭରା ଗୋଟିଏ ଡଉଲ ଡାଉଲ ମୁହଁ । ଆଖିରେ ତାର ଆଜି ଲୁହ ନାହିଁ, ତେଜ ନାହିଁ, ପୁଲକ ନାହିଁ । ଅଛି କେବଳ ହା ହୁତାସ ଭରା କରୁଣତା ।

 

ମନେ ପଡ଼ିଯାଉଛି କାଲି ସଞ୍ଜବେଳର ଘଟଣା । ଏପରି ଦଇବଛଡ଼ା ଅମଣିଷ ବି ଥାଆନ୍ତି ଏଇ ଦୁନିଆରେ ? ଗୋଟିଏ ରକ୍ତ । ଗୋଟିଏ ଡାଳର ଦୁଇଟି ଫୁଲ । ସେଥିରେ ବି ଏତେ ପାତର ଅନ୍ତର ! ଏତେ ହିଂସା ! ଆଜି ଏତେସରିକି କଲା ପରେ ସୁଦ୍ଧା ଏମାନଙ୍କ ମନରେ ଆସି ନାହିଁ ଶାନ୍ତି । ଛି....ଛି....ଘୃଣାରେ କମ୍ପି ଉଠିଲା ତୁଲ୍‍ସାର ଅନ୍ତରାତ୍ମା । କ'ଣ ନ କଲା କାଲି ରାତିରେ-! ପଞ୍ଚ ଡକା ହେଲା । ଗାଁର ପୁରୁଖା ପୁରୁଖା ଲୋକଙ୍କ ସାମ୍ନାରେ ପୁଣି ଏଇଭଳି ଅପରିଛନିଆଁ ଅଲାଜୁକିଆ କଥା ପକେଇବାକୁ କିପରି ଜିଭ ଲେଉଟିଲା ତାର ? ଯେଉଁଦିନୁ ବିଭା ବେଦିରେ ପୁରୋହିତ ଆସି ଗୋଟିଏ ହାତରେ ଆଉ ଗୋଟିଏ ହାତ ଛନ୍ଦି ଦେଇଗଲା, ସେଇଦିନୁ କେବେହେଲେ ସେ ଗୋଟିଏରୁ ଦୁଇଟି ପୁରୁଷର ଛାଇ ଦେଖି ନାହିଁ ଆଜିଯାଏ । ମନରେ, ଧ୍ୟାନରେ କି ସ୍ୱପ୍ନରେ ବି ଆଙ୍କି ନାହିଁ କାହାରି ଛବି । ତା ହେଲେ କେତେବଡ଼ ଅପବାଦ ନାଗରାଟାଏ ବାଜିଗଲା ତା ନାଆଁରେ । ଧରମ କେବେ ହେଲେ ଏଇ ଅଧରମ ସହିବ ? ଏମାନଙ୍କ ମୁଣ୍ଡରେ କେବେ ହେଲେ ଅକାଳ ଚଡ଼କ ଖସି ପଡ଼ିବ ନାଇଁ ? ମା’ କନ୍ଧେନ ବୁଢ଼ୀ ଡୁଙ୍ଗୁରି ମଥାନରେ ବସି ସବୁ ଦେଖୁଛି । ସେ ହେଲେ କଣ ଏଡ଼େ ଅଧରମ କଥା ବରଦାସ୍ତ କରିବ ? କେବେ ନୁହେଁ । ତାଙ୍କ ପରାଭୋଗ ନିଶ୍ଚେ ଦେବ ଦିନେ ନା ଦିନେ ! ଭାବୁ ଭାବୁ ତୁଲ୍‍ସାର ଆଖିରେ ଜକେଇ ଆସିଲା ଲୁହ । ଛାତି ଭିତରୁ ଉଠିଲା ତୁହାଇ ତୁହାଇ କୋହ । ତାକୁ କେନ୍ଦ୍ର କରି କେତେ କଥା ପଡ଼ିଗଲା ଏଇ ପଞ୍ଚ ସଭା ତଳେ । କଇରୁ ସାହୁ ତାର ଦେଢ଼ଶୁର । ବାପ ସମାନ । ତାରି ମହତ ଉଖୁଲା କରି ଅପମାନ ଦେବାକୁ କଣ ନ କଲା । ସେ କଥା ମନେ ପଡ଼ିଲେ ଆଜି ବି ତାର ମୁଣ୍ଡ ଗୋଳମାଳ ହୋଇଯାଏ । ଛାତି ଭିତରକୁ ତାର କିଏ ଯେପରି ଖୋଲି ତାଡ଼ି ଖିନ୍ ଭିନ୍ କରି ପକାଏ । କଇରୁ ଘୋଷଣା କଲା ତାରି ଦୁଃଖୀର ଧନ ବୁଟୁର ଜନ୍ମ ଅବୈଧ । ସେ ତାର ବାପା ଆଡ଼ୁ ଜନ୍ମ ହୋଇ ନାହିଁ । କେଡ଼େ ନୀଚ ଚକ୍ରାନ୍ତ । ତାକୁ ଦୋଚାରୁଣୀ କୁଳଟା ବୋଲି ପ୍ରମାଣିତ କରିବାକୁ କି ହୀନ ଚେଷ୍ଟା ? ପଞ୍ଚ ସଭାରେ ସେ ଦୋଚାରୁଣୀ ବୋଲି ପ୍ରମାଣିତ ହେଲେ ତାକୁ ଜାତି କୁଳରୁ ଅନ୍ତର କରିବାକୁ ସୁବିଧା ହେବ । ତା ପରେ ଜମି ଦୁଇମାଣକ ହେବ ତା'ରି । ସ୍ୱାର୍ଥ ଲାଳସାରେ ଅନ୍ଧ ହୋଇ ପିଠିର ଭାଇ କଣ ନ କରେ ? କିନ୍ତୁ ପାପ ମନ, ହୀନ ଚେଷ୍ଟା ଧରମ ଦୁଆରେ ଜିଣେନା କେବେ ! ପଞ୍ଚ ମତ ଦେଲେ ବୁଟୁ ଅଣବାବୁଆ ନୁହେଁ, କାରଣ ପୁଅଜନ୍ମ ହେବା ନ ମାସ ପୂର୍ବେ ମହନ ଗାଁରେ ଥିଲା । ଭଗବାନ ଦ୍ରୌପଦୀର ଲାଜ ରଖିଲାପରି ପଞ୍ଚସଭା ଏକା ତାରି ଲାଜ ରଖିଲେ ।

 

ବୁଟୁକୁ ଛାତିରେ ଜାକି କଇଁ କଇଁ ହୋଇ କାନ୍ଦିଉଠିଲା ତୁଲ୍‍ସା । ଯାହା ପାଇଁ ଆଜି ତାକୁ ଅପବାଦର ପାହାଡ଼ ମୁଣ୍ଡାଇବାକୁ ପଡ଼ିଲା, ତାକୁ ନେଇ ସେ କିପରି ଚଳିବ ? କେଉଁଠି ରହିବ ? କିପରି ଦିନ କାଟିବ ? କିପରି ମଣିଷ କରିବ ତାକୁ ? ମନରେ କେତେ ପ୍ରଶ୍ନ ଉଙ୍କିମାରି ନିଭି ଯାଉଛି ନିମିଷକେ ! ସମାଧାନ କରିବାକୁ ବାଟ ଦିଶୁନି । ଚାରିଦିଗରେ ଯେପରି ଖାଲି ଜୁଳୁଜୁଳିଆ ପୋକ ଭେଳା ଭେଳା । ବୁଦ୍ଧି ଦିଶୁ ନାହିଁ । ଉପାୟ ହଜି ଯାଉଛି ଠିକ୍‍ ମଝି ସାଗରର ଅକାତ ପାଣିରେ ବୁଡ଼ି ଯାଉଥିବା ଦଦରା ନାଆର ନାଉରୀ ପରି ।

 

ଦୁଆରଆଡ଼ ପିଣ୍ଡା ଉପରେ ବସି ଏମିତି କେତେବେଳୁ କଅଣ ଗୁଡ଼ାଏ ଭାବି ଯାଉଛି ତୁଲ୍‍ସା । ଭାବନାର ଶେଷ ନାହିଁ । ଦିଗହରା ମେଘପରି ମନ ରାଇଜର ଆକାଶପୁରେ ଖେଳି ଖେଳି ବୁଲୁଛନ୍ତି ଭାବନାର ଭେଳା ଭେଳା ମେଘମାଳା । ଚାହୁଁ ଚାହୁଁ ସଞ୍ଜ ଲେଉଟି ଆସୁଛି । ଗଛଲତାର ନହକା ଡାଳ ପତ୍ର ଅଗରେ ସୁନାର ତୁଳୀ ବୁଲାଇ ଦେଇ ଦୂର ଟାଙ୍ଗରା ପାହାଡ଼ ଫାଙ୍କରେ ସୁରୁଜ ଦେବ ଲୁଚି ଯାଉଛି ଧୀରେ ଧୀରେ । ଆକାଶରେ ପଲ ପଲ ବସା ବାହୁଡ଼ା ପକ୍ଷୀ-। ପୂର୍ଣ୍ଣମୀର ଚାନ୍ଦ ଚନ୍ଦନର ଛେରା ଦେଇ ରୁପାର କାରିଗରୀ ଦେଖାଇବାକୁ ଗଛ ଲତାର ଦେହରେ ରୁପାର ତାରକସି କାମ ସବୁ ଆଣି ଛନ୍ଦି ଦେଉଛି ଗୋଟି ଗୋଟି କରି । ପଡ଼ିଶା ଘର ଝିଅ ମାଧବୀର ଡାକରେ ତୁଲ୍‍ସାର ଅବଚେତନ ମନ ବାସ୍ତବ ଜଗତକୁ ଫେରି ଆସିଲା ! କାଖରେ ମାଠିଆ ଧରି ସେ ବାହାରିଲା ଯୋରକୁ ପାଣି ଆଣିବା ପାଇଁ ।

 

ମାଛି ଅନ୍ଧାରିଆ ବେଳ । ଆଖୁ କିଆରୀ ଆରପଟେ ନିଶାଚର କୁହ୍ଲିଆ ପଲ ନିଜ ନିଜ ଅଭିଯାନର ମହୁରୀ ଫୁଙ୍କି ଦେଲେଣି । ଦିଗ୍‍ବଳୟର ବିସ୍ତୀର୍ଣ୍ଣ କପାଳରେ ଚନ୍ଦନଟିପା ପିନ୍ଧାଇ ଦେଇ ଉଇଁ ଆସିଲାଣି ପୂର୍ଣ୍ଣମୀର ଚାନ୍ଦ । ଛାଇ ଆଲୁଅର ଏକ ଅପୂର୍ବ ସମ୍ମିଶ୍ରଣ । କାଖରେ ପାଣି ମାଠିଆ ଧରି ତୁଳସା ଫେରୁଛି ଯୋରରୁ । ମାଠିଆର ପାଣି ଛିଟିକି ଯାଇ ଅଣ୍ଟା ତାର ଓଦା ସରସର । ଯୋର କୂଳ ଚାରିପଟ ନିଛାଟିଆ । ଖେତ କାମ ସାରି ହଳିଆ ବାପୁଡ଼ା କିଏ କେମିତି ଫେରୁଛନ୍ତି ସାରାଦିନ ଖଟଣୀର ଅବଶତା ନେଇ ! ଠିକ୍ ଏତିକିବେଳେ ହଠାତ୍ ବୁଦା ଆଢ଼ୁଆଳରୁ କାଳିଆ କାଳିଆ ହେଇ ତିନିଜଣ ଲୋକ ତୁଲ୍‍ସାର ଚାରିପଟେ ଘେରିଗଲେ । ଅଜଣା ଆଶଙ୍କାରେ ଶିହରି ଉଠିଲା ତାର ଦେହ । ହାତ ଗୋଡ଼ ତାର ଥରି ଉଠିଲା ବତାସିଆ ପିପ୍‍ପଳ ପତ୍ର ପରି । ଅଣ୍ଟାରୁ ଖସିପଡ଼ିଲା ପୂରା ମାଠିଆ ! ବଲ ବଲ କରି ସେ କେବଳ ଅନାଇଁ ରହିଲା ! ଯେତେବେଳେ ଗୁଣ୍ଡାମାନେ ତୁଲ୍‍ସାକୁ ଶୂନ୍ୟେ ଶୂନ୍ୟେ ଟେକି ନେଇଯିବା ପାଇଁ ଆଗେଇ ଆସିଲେ, ସେତେବେଳେ ପାଟି ଖୋଲି ଚିତ୍କାର କରିବା ଛଡ଼ା ଆଉ ତାର ଉପାୟ ନ ଥିଲା ! ପାଟି ଚିତ୍କାରରେ ଯୋର ଭୂଇଁ ଚକଡ଼େ ଦୁଲୁକି ଉଠିଲା । ଆଖ ପାଖ ବିଲବାରିରୁ ନାରୀ କଣ୍ଠର ଆବାଜ୍ ଶୁଣି ଯିଏ ଯେଉଁଠି ଥିଲେ ଧାଇଁ ଆସିଲେ । ଗୁଣ୍ଡାମାନେ ତୁଲ୍‍ସାକୁ ଛାଡ଼ି ପଳାଇବା ପାଇଁ ବାଟ ଖୋଜୁଥିଲା ବେଳେ ହଳିଆମାନଙ୍କର ପାଞ୍ଚଣ ବାଡ଼ି ପାହାରରେ ହଟି ପଡ଼ିଲେ ତଳେ । ସମସ୍ତଙ୍କ ମୁହଁରେ ମୁସ୍‍କୁଟିଆ କଡ଼ା ମଦର ଗନ୍ଧ ! ଜଣେ ଦଉଡ଼ା ଛାଟର ଗୋଟିଏ ଅଗ ଆଉ ଜଣକ ହାତକୁ ବଢ଼େଇ ଦେଇ କହିଲା– ‘‘ବାନ୍ଧ ସଳେଙ୍କୁ, ପୋଲିସ ହବାଲା କରିବା ! ଏମାନଙ୍କ ଦାଉରେ ଝିଅ ବହୂ ଆଉ ପଦାକୁ ବାହାରି ପାରିବେ ନାଇଁ ।’’ ସମସ୍ତେ ମିଶି ମତୁଆଲ ଗୁଣ୍ଡାମାନଙ୍କୁ ଚଉକସ୍ କରି ବାନ୍ଧି ପକେଇଲେ-। ଠିକ୍ ଏହି ସମୟରେ ଦୂରରୁ ଖେତ ଆଡ଼ି ଡେଇଁ କଳା ଛାଇଟିଏ ଦଉଡ଼ୁ ଥିବାର ଦେଖାଗଲା-। ସମସ୍ତେ ଅନେଇ ରହିଲେ ଲୋକଟା କିଏ ଜାଣିବା ପାଇଁ । ଚାହୁଁ ଚାହୁଁ ଛାଇଟି ଆସି ପାଖରେ ପହଞ୍ଚିଗଲା । ଭୂତ ଭୂତିଆ ଅନ୍ଧାରରେ କେହି ଚିହ୍ନି ପାରିଲେ ନାହିଁ ତାକୁ । କିନ୍ତୁ ଲୋକଟି ହଳିଆମାନଙ୍କ ମୁହଁରୁ ସବୁ ଘଟଣା ଶୁଣି ଗୁମ୍ ମାରି ଠିଆ ହେଲା ଘଡ଼ିଏ । ତାପରେ ଲମ୍ବା ନିଶ୍ୱାସ ଛାଡ଼ି କହିଲା– ‘‘ଭାଇମାନେ, ତୁମେ ଆଜି ଗାଁର ଜଣେ ମାଇପିକୁ ବିପଦ ମୁହଁରୁ ରଖିଲ । ନ ହେଲେ ତାର ମାନ ମହତ ଆଜି ଭଖୁଲା ହୋଇ ଯାଇଥାନ୍ତା । ତୁମର ଋଣ ସେ ଜୀବନ ଯାକ ଶୁଝି ପାରିବ ନାଇଁ । କିନ୍ତୁ ଏଇ ବଦମାସମାନଙ୍କ ଉପରେ ଆଉ ଜୁଲୁମ୍ କରି ଲାଭ ନାଇଁ । ଏ ସବୁ ପର ଶିକ୍ଷା ବୁଦ୍ଧିର ଫଳ । ଏମାନଙ୍କୁ ଛାଡ଼ିଦିଅ...’’

 

ଏଇ ଅଜ୍ଜବ କଥା ଶୁଣି ଇଏ ତା ମୁହଁକୁ ସିଏ ୟା ମୁହଁକୁ ଚୁହାଁ ଚୁହିଁ ହୋଇ ନୀରବ ରହିଲେ । ହେଲେ ଲୋକଟାର କଥା କାହାରି ମନକୁ ପାଇଲା ନାହିଁ । ସେମାନଙ୍କ ଭିତରୁ ଜଣେ କହିଲା– ‘‘ତମେ କିଏ ହୋ, ଏତେ ଭଲଲୋକି ସାଜିବାକୁ । ଆମ ଗାଁର ଝିଅ ଭଉଣୀ ହୀନସ୍ତା ହଟହଟା ହେଉଥିବେ ଆଉ ଆମେ ଇ ସଳେଙ୍କୁ–ତାକ୍ ଦୁଲ ଦୁଲ କରୁଥିବୁ ?’’ ହଳିଆମାନଙ୍କ ମନୋଭାବ ବୁଝିପାରି ଲୋକଟି ପୁଣି ଗମ୍ଭୀର ହୋଇ କହିଲା– ‘‘ଭାଇମାନେ, ମତେ କଣ ଏତେ ଜଲଦି ପାସୋରି ଦେଲଣି ମୋର ତ ତୁମମାନଙ୍କ ସବୁକଥା ଅଜିତକ ଶୋର ଅଛି । ମୋର ନାଁ ମହନ, କାଳିମାଟିରୁ ଆସୁଛି ।

 

ଏ କଥା ଶୁଣି ଗୋଟାଏ ହଲଚଲ ଖେଳିଗଲା ଲୋକଙ୍କ ଭିତରେ । ସମସ୍ତେ କାବା ହୋଇ ଅନାଇଁ ଅନାଇଁ ରହିଲେ ଏଡ଼େ ଏଡ଼େ ଆଖିରେ । ସେମାନେ ସ୍ୱପ୍ନ ଦେଖୁଛନ୍ତି କି ଚେତିଛନ୍ତି ବୁଝିପାରିଲେ ନାହିଁ କେହି । ଯେଉଁ ମହନର ମଲା ଖବର ଶୁଣି ଗାଁ ସାରା କାଠ ପାଲଟି ଯାଇଥିଲ ଯା'ର ଗୁଣ ବାହୁନି ବାହୁନି ପିଲାଠୁ ବୁଢ଼ାଯାଏ ସମସ୍ତଙ୍କ ଆଖି କଣରେ ଜକେଇ ଆସିଥିଲା ଲୁହ, ଆଜି ତାକୁ ପୁଣି ଦେଖୁଛନ୍ତି ଜୀଅନ୍ତା ମଣିଷ ପରି ସେ କଥା କହୁଛି । ଅତି ତାଜ୍ଜୁବ କଥା ! ଏମିତି କଥା ପୁଣି ବିଶ୍ୱାସ ହେବ ବା କିପରି ? ହଁ–ହେଇପାରେ......ସେ ମହନର ଭୂତ । ନ ହେଲେ ମଶାଣିରୁ ମହନର ପ୍ରେତ ଆତ୍ମା ଜନ୍ମ ମାଟିର ମୋହ କାଟି ନ ପାରି ଫେରି ଆସିଥିବ । କିଛି ହେଲେ ଅସମ୍ଭବ ନୁହେ ଆଜିର ଏ ଦୁନିଆରେ । ଏମିତି ତ କେତେ ମଲା ମଣିଷଙ୍କ ପ୍ରେତ, ଭୂତ ପେତୁଣୀ ହେଇ ଛିନାଛକା ଭାତଖିଆ ରାତିରେ ମଶାଣୀ ପାଦ ଆମ୍ବବୁରାଇ କଡ଼େ ଟହଲୁଥାନ୍ତି । ଏକଲା ବୁକଲା କାହାକୁ ଭେଟିଲେ ବାଟ ଛେକି ବିଶେଷ ହଇରାଣ କରନ୍ତି । ତେବେ ଆଜି ମହନର ପ୍ରେତ ଯେ ଆସି ନ ଥିବ ବୋଲି କିଏ କହିବ ? ସତକୁ ସତ ଏକ ଅହେତୁକ ଭୟ ରଙ୍ଗି ଆସୁଥିଲା ସେମାନଙ୍କ ଛାତି ଭିତରକୁ । ସେଠାରେ ଆଉ ବେଶୀ ସମୟ ନ ରହି ସେମାନେ ଗୁଣ୍ଡାମାନଙ୍କୁ ଛାଡ଼ିଦେଇ ଅତରଛନିଆଁ ପଳେଇ ଆସିଲେ ।

 

ମହନର ଚିର ପରିଚିତ ଗଳା ଆବାଜ ଶୁଣି ତୁଲ୍‍ସାର ପିଣ୍ଡରେ ପ୍ରାଣ ଚହଲି ଉଠିଲା । ମୁହଁରେ ତାର ଖେଳି ଉଠିଲା ଅଜଣା ଆନନ୍ଦ ଓ ଉଷୁମ ଶିହରଣର ଢେଉ । ଓଠ କଡ଼ରେ ଫୁଟି ଉଠିଲା ମୁରୁକି ମୁରୁକି ହସ ! ନିଜର ଏତେ ନିକଟରେ ତାର ହୃଦୟର ଇଷ୍ଟ ଦେବତାକୁ ପାଇ ସେ ମହନର ପାଦତଳେ ନିଜକୁ ଲେଟାଇ ଦେଲା । ଥପ୍ ଥପ୍ କରି ଦୁଇବୁନ୍ଦା ଆନନ୍ଦର ଲୁହ ଝରିପଡ଼ିଲା ମହନର ଧୂଳିଆ ପାଦ ଉପରେ । ଦୁଇ ହାତରେ ତୁଲ୍‍ସାକୁ ତଳୁ ଉଠାଇ ଆଣି ମହନ ଛାତିରେ ଭିଡ଼ି ଧରିଲା ତାକୁ ଅତି ନିବିଡ଼ ଭାବରେ । ଦୁଇଟି ଛାତିର ଉଷୁମ ପରଶରେ ଫୁଟି ଉଠିଲା କେତେ ସୁନେଲି କଳ୍ପନାର ପଦ୍ମକଳି ।

 

ମାଡ଼ଖାଇ ଗୁଣ୍ଡାମାନଙ୍କ ମଦ ନିଶା ଭାଙ୍ଗି ଯାଇଥିଲା ! ଯନ୍ତ୍ରଣାରେ ସେମାନେ କେବଳ ଚିତ୍କାର କରୁଥିଲେ । ମହନ ଏ ଦୃଶ୍ୟ ଦେଖି ଆଉ ସମ୍ଭାଳି ପାରିଲା ନାହିଁ । ଯାଇ ସେମାନଙ୍କ ହାତ ଗୋଡ଼ରେ ବନ୍ଧା ହୋଇଥିବା ରସି ଖୋଲିଦେଲା । ସେମାନେ ମହନର ପାଦତଳେ ଲୋଟି ପଡ଼ିଲେ-? ଯେଉଁମାନଙ୍କ କୁଶିକ୍ଷା ବୁଦ୍ଧିରେ ପଡ଼ି ସେମାନେ କେବଳ ଟଙ୍କା କେଇଟା ଲୋଭରେ ଆଜି ଏଇ ଦୁଷ୍କର୍ମ ଭିଆଇବାକୁ ଆସିଥିଲେ, ସେମାନଙ୍କ କୂଟଚକ୍ରାନ୍ତ କଥା ଖୋଲି କରି କହିଗଲେ ମହନ ସାମ୍ନାରେ । ମହନର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଏ ସବୁ ଚାଲ୍‍ର ମୂଳରେ କଇରୁ ଆଉ ପରମା ଛଡ଼ା ଆଉ କେହି ନାହିଁ ! ସବୁ ବିଷୟ ଶୁଣି ଘୃଣା ଆଉ କ୍ରୋଧରେ ମହନର ମୁହଁ ରଙ୍ଗା ପଡ଼ିଗଲା । ନାକପୁଡ଼ା ଫୁଲି ଫୁଲି ଉଠିଲା । ଛାତିର ପଞ୍ଜରା କେଇଖଣ୍ଡକୁ ଝୁଣି ଦେଇ ବାହାରି ଆସିଲା ଖର ନିଶ୍ୱାସ । ପିଠିର ଭାଇ ପୁଣି ଏତେ ନିଷ୍ଠୁର ହୋଇପାରେ ସେ ସପନରେ ବି ଭାବି ନ ଥିଲା କେବେ । ତୁଲ୍‍ସାକୁ ଧରି ଚୁପ ହୋଇ ଗାଁ ଆଡ଼କୁ ବାହାରି ଆସିଲା.... ।

 

ଏଗାର

 

ବୁଇ ନାନୀକୁ ଏ ଅଞ୍ଚଳରେ କିଏ ନ ଜଣେ ? ତା ହାତରୁ ପାନ ବିଡ଼େ ଯେ ଥରେ ଖାଇଛି ସେ ବୁଇ ନାନୀକୁ ଭୁଲି ପାରେନା । ଭୁଲି ପାରେନା ତା ପାନଭଙ୍ଗା ଚାତୁରୀକି । ବୟସ ପାଖାପାଖି ପଚାଶ ହେଲେ କଣ ହେଲା ମୁଣ୍ଡର ମସୃଣ ବାଳ ଧଳା ହୋଇ ନାହିଁ ଏ ଯାଏ । ଆଖିରେ ଭରି ରହିଛି ଧାଙ୍ଗଡ଼ି ଗଜା ବୟସର ମଦନିଶା । ଆଜି ବି ସେ ଆଖିରେ କଜଳ ମାଖେ; ମୁହଁରେ ପାଉଡ଼ର ଘସେ, ଆଉ ଭ୍ରୂଲତା ନଚେଇ କଟାକ୍ଷ ହାଣେ । ବଇଶାଖର ସଞ୍ଜବେଳେ ବାସନା ତେଲର ଖୋସା ଚାରିପଟେ ନିଆଳି ଫୁଲର ଧଳା ମାଳଟିଏ ସଜାଡ଼ି ସୁରତା ଧରି ଯେତେବେଳେ ସେ ଠକ୍ ଠକ୍ କରି ଗୁଆ କାଟି ବସେ ତା ଦୋକାନରେ ମହୁମାଛି ପରି ଜମେ ଗରାଖର ଭିଡ଼ । ଆଜି ତାର ଚମର ଆକର୍ଷଣ ନ ଥିଲେ ବି ଗଜାବୟସିଆ ଭେଣ୍ଡିଆ ପିଲା ଦେଖିଲେ ପଦେ ଅଧେ ଟାହି ଟାପରା ନ ହେଲେ ତା ମନର ଶୋଷ ମେଣ୍ଟେନା । ବେଳେ ବେଳେ ହଜିଲା ଦିନର ଜୀର୍ଣ୍ଣ ପୃଷ୍ଠା ଖୋଲି ବୁଇ ନାନୀ ଗାଇଯାଏ ତାର ପିଛିଲା ଜୀବନର ବେସୁରା ରାଗିଣୀ ଅତି ନିଃସଙ୍କୋଚ ଭାବରେ । ଏଥିରେ ପାଏ ସେ ଆନନ୍ଦ, ତୃପ୍ତି ! ଅତୀତର କଳା ଚାନ୍ଦୁଆ ଅନ୍ତରାଳରେ ହଜି ଯାଇଛି ତାର କେତେ ଅଲିଭା ସ୍ୱପ୍ନ । କେବଳ ମଦଶୂନ୍ୟ ବୋତଲ ପରି ବାସହୀନ ଜୀବନଟାକୁ କଟାଇନେବା ବାହାନାରେ ବାଟଘର ପିଣ୍ଡାରେ ମେଲିଛି ଏକ ଛୋଟିଆ ପାନ ଦୋକାନ । କିନ୍ତୁ ତାର କୁଡ଼ିଆର ଅନ୍ତରାଳରେ ଯେ କି କୁତ୍ସିତ କାଣ୍ଡ କାରଖାନା ଚାଲିଛି କେହି ଜାଣି ନାହିଁ ତାହା; ଜାଣିବାକୁ ସୁଯୋଗ ପାଇ ନାହିଁ କେହି । ଯେଉଁ କେତେଜଣ ଜଣାଶୁଣା ଲୋକ ତା କୁଡ଼ିଆ ଭିତରକୁ ବିଶେଷ ଗତାଗତ କରନ୍ତି ସେ ଭିତରୁ କଇରୁ ସାହୁ ଆଉ ପରମା ନାଏକ ଦୁଇଜଣ ପୁରୁଣା ଗରାଖ ।

 

ମଦ ଆଉ ମାଂସର ପ୍ରଲୋଭନ ଭିତରେ ଜୁଆ ଖେଳର ଆଡ଼ା ଚାଲେ ବାରିପଟ ଆମ୍ବଗଛ ତଳେ । କେତେ ଟଙ୍କା ପଇସାର ସୁଅ ବହେ । କେତେ କଳି ତକରାଳର ଅଶୋଭନୀୟ କାଣ୍ଡ ଘଟିଯାଏ ଏଠି, ତାର କେବଳ ମୂକ ସାକ୍ଷୀ ଏଇ ଝାମ୍ପୁଡ଼ା ଆମ୍ବଗଛ । କେତେ ସୁନାର ସଂସାର ଜଳି ଯାଇଛି ଏଠି । କେତେ ସତୀ ସାଧ୍ଵୀ କୁଳବଧୁର ତତଲା ନିଶ୍ୱାସର ଅଣୁ ପରମାଣୁ ଏବେ ସୁଦ୍ଧା ଏଇ ଗଛର ପତ୍ରେ ପତ୍ରେ ଜଡ଼ି ଯାଇ ତାର ବିଷାକ୍ତ ବାୟୁମଣ୍ଡଳରେ କେତେ ଲକ୍ଷ୍ମୀଛଡ଼ା ଉତ୍ସୃଙ୍ଖଳ ଧନୀ ଯୁବକଙ୍କୁ ଦାଣ୍ଡର ଭିକାରୀ କରିଛି । ତାର ଟିକି ନିଖି ଇତିହାସ କହିଲେ କହିବ ଏଇ ଆମ୍ବଗଛ ।

 

ସବୁଦିନ ପରି ଆଜି ବି ଜମିଛି ଜୁଆ ଖେଳର ଆଡ୍ଡ଼ା । ଗାଁର ଲଇଖନ ମଳିକ, ଟେରା ଘିଭେଲା, ନାକଫୋଡ଼ା ଜେନା ଆଦି କେତେଜଣ କର୍ମକୁଣ୍ଠ ଅକାଳକୁଷ୍ମାଣ୍ଡଙ୍କ ସଙ୍ଗେ ଯୁଟିଛି କଇରୁ ସାହୁ । କାଞ୍ଚି କଉଡ଼ିରେ ଆଜି ତାର ପଡ଼ିଛି ହାରିବା ପାଳି । ସ୍ତ୍ରୀ ଦେହର ତାଡ଼, ବାହାସୁତା, କତରିଆ, ବନ୍ଦରିଆ, ପଇଁରି ଆଦି ଯାହା ଅଳଙ୍କାର ଥିଲା ସବୁ ଯାଇଛି ଗୋଟି ଗୋଟି ହୋଇ । ଜୁଆର ନିଶା ଆଜି ତାକୁ କରିଛି ମତୁଆରା । ମଝିରେ ମଝିରେ ଗଞ୍ଜେଇ ବଳା ଚାଲିଛି । ଜଣେ ବଢ଼େଇ ଦଉଚି ଆର ଜଣକ ହାତକୁ । ଗଞ୍ଜେଇ ଧୂଆଁର କୁଣ୍ଡଳି ଭିତରେ ଜୁଆଖେଳରେ ସମସ୍ତେ ମସ୍‍ଗୁଲ । ଭୋକ ନାହିଁ–ଶୋଷ ନାହିଁ–କେବଳ କଉଡ଼ି ଉପରେ ସମସ୍ତଙ୍କ ଆଖି । ଟଙ୍କା ଜିତିବାର ଏକ ଅତି ସହଜ, ଲୋଲୁପ ଉପାୟ । ମନୁଷ୍ୟର ଆଶା ଆଉ ତାଙ୍କର ମୋହ ମନରେ ଦିଏ ଅକଳନା ବଳ, ଅସୁମାରି ସାହସ । କଇରୁର ଆଶା ଥରକର ଜିତରେ ତାର କରମ ବଦଳିଯିବ । ଆଶାର ଏଇ କାଉଁରିକାଠିର ପରଶରେ ମଣିଷ ହାତରୁ ହରାଇ ଖୁଲିର ଭିକାରୀ ହୋଇ ଗଲେ ସୁଦ୍ଧା ଆସେ ନାହିଁ ତାର ଚେତନା । କଇରୁ ଦେଖିଲା ଆପଣାରେ ସ୍ତ୍ରୀର ଆଖିରେ ଲୁହଭରି ଯୋର ଜୁଲୁମ କରି–ଯେଉଁ କେତେ ଖଣ୍ଡ ଅଳଙ୍କାର ଆଣିଥିଲା ସବୁତକ ମେଜିକ୍ ପରି ଉଭେଇ ଗଲାଣି ଅଣ୍ଟିରୁ ତାର । ପାର ବସାଇବାକୁ ଆଉ କାଣି କଉଡ଼ିଟିଏ ବି ନାଇଁ ହାତରେ । ଯାହା ବା ଖୁରି ଗିନା ବାସନ ବର୍ତ୍ତନ, ଜମି ବାରି ଥିଲା ସେସବୁ ମହାଜନ ଘରେ ବନ୍ଧା ପଡ଼ିଛି ଆଗରୁ । ନିରୁପାୟ ହୋଇ କଇରୁ ଗୁମ୍‍ମାରି ବସି ପଡ଼ିଲା । ଆଖି ଆଗରେ ତାର ଗଛ ଖୁଣ୍ଟ ଘର ବାରି ସବୁ ଘୂରିବାକୁ ଲାଗିଲେ । ଏପରି ଅବସ୍ଥା ବି ମଣିଷକୁ ଭୋଗିବାକୁ ପଡ଼େ, ଯେତେବେଳେ ଚାରିଦିଗ ଦିଶେ ଆଖିକି ତାର ଅନ୍ଧାର । ଉପାୟଶୂନ୍ୟ ହୋଇ କେବଳ ରାଉଳା ଭୂତ ପରି ଅନ୍ଧକାର ଭିତରେ ସେ ଖୋଜିବୁଲେ ଆଶା ସଳିତାର କ୍ଷଣ ଆଲୋକ ରେଖା ।

 

କଇରୁର ବିକଳିଆ ଚେହେରା ଦେଖି ପିଠି ଥାପୁଡ଼େଇ ପରମା ନାଏକ କହିଲା– ‘‘ଆରେ ବାବୁ, ଏତିକିରେ ଭାଙ୍ଗି ପଡ଼ିଲେ ଚଳିବ ? ହାର ଜିତ୍‍ତ ଲାଗିଛି । ତୁ ଅବିକା ହାରିଛୁ ତାହାବଲି କଣ ଆଉ ଜିତିବୁ ନାଇଁ ?’’ କଇରୁ ତା ଆଡ଼କୁ ମୁହଁ ଟେକି ଅନାଇଲା ! ଆଖିରେ ପୂରିଥିଲା ତାର ଶତ ନିରାଶର ପ୍ରଶ୍ନଚିହ୍ନ । ‘‘ହାତ ମୁଠି ଟାଣ କରିବାକୁ ହେବ କଇରୁ । ଭାଙ୍ଗି ପଡ଼ନା ଥରକେ.... ।’’ ପୁଣି ଧିର ଅଥଚ ଗମ୍ଭୀର ଗଳାରେ କଇରୁକୁ ଲକ୍ଷ୍ୟ କରି କହିଲା ପରମା ।

 

ଚା ଆଉ ପାନ ଆଣି ଯାଚିଲା ବୁଇ ନାନୀ ! କିଛି ଛୁଇଁଲା ନାଇଁ କଇରୁ । କାହିଁରେ ତାର ସଉକି ନାହିଁ ଆଜି । ମନ ଭାଙ୍ଗି ପଡ଼ିଲେ ମନର ସରାଗ ମଉଳିଗଲେ ଏହିପରି ସବୁ ଜିନିଷ ଲାଗେ ପିତା । କାହିଁରେ ଆଉ ରହେନାଇଁ ସଉକି । କଇରୁ ଜୁଆର ଆଡ଼୍‍ଡା ଯାଗାରୁ ଧୀରେ ଧୀରେ ପଦାକୁ ବାହାରି ଆସିଲା । ସେତେବେଳେ ରାତି ଘନେଇ ଆସିଲାଣି । ଗାଁରେ କାହାରି ଶୋର ଶବ୍ଦ ନାହିଁ । ପାଖ ତେନ୍ତୁଳି ଗଛରୁ ଝିଙ୍କାରୀର କାନଫଟା ରୋଳରେ ନିଃଶବ୍ଦ ରାତିର ଛାତି ଦୁଲୁକି ଉଠୁଛି-। ଆକାଶରେ ଭେଳା ଭେଳା ଜୁଳୁଜୁଳିଆ ପୋକ ଆଉ ମିଟି ମିଟି ତାରାମାନଙ୍କ ମଉଚ୍ଛବ-। ଅନ୍ଧାରର ଛାତି ଚିରି କଇରୁ ପାଦ ବଢ଼ାଇଲା ଆଗକୁ । ମନରେ ତାର ଅବଶୋଷ–ବେରାମ ପୁଅର ଓଷଦ କିଣିବାକୁ ସ୍ତ୍ରୀ ତାକୁ ଦେଇଥିଲା ଗୋଟିଏ ସୁନାମୁଦି । ତାକୁ ବି ସେ ଜୁଆରେ ଗୁଆଁଇ ଦେଇଛି । ଭାବୁ ଭାବୁ ଛାତିର ପଞ୍ଜରା ଥରାଇ ତାର ବାହାରି ଆସିଲା ଗୋଟିଏ ଲମ୍ବ ନିଶ୍ୱାସ.......

 

ଗାଁ ଝୁଲି କଡ଼ରୁ ଭିତରକୁ ସରୁ ରାସ୍ତାଟିଏ ପାରିହେଲେ ପହିଲେ ପଡ଼େ ମହନର ଘର । ତା ପଛପଟ ଠିକ୍‍ ବାରିକୁ ଲାଗି କଇରୁର ଘର । ଘରମୁହାଁ ହୋଇ ପାଦ କଣ୍ଟି କଣ୍ଟି ଅନ୍ଧାର ଭିତରେ ଆଗେଇ ଚାଲିଛି କଇରୁ । ହଠାତ୍ ପାଦ ଦୁଇଟା ତାର କେଜାଣି କାହିଁକି ଅଟକିଗଲା ଦୁଇଟି ଗଳାର ଫିସ୍ ଫିସ୍ ଆବାଜ ଭାସି ଆସୁଥିଲା ପାଖ ଗଳି ରାସ୍ତା ଆର ପାଖରୁ । କଇରୁର ମନରେ ଆଗ୍ରହ ଆଉ ଉତ୍କଣ୍ଠା ଜମାଟ ବାନ୍ଧୁଥିଲା । ଆବାଜ ଭାସି ଆସୁଥିବା ଦିଗକୁ ଆଗେଇ ଚାଲିଲା ସେ । କଣ ଦେଖି ହଠାତ୍ ଚମକି ପଡ଼ିଲା କଇରୁ । ମହନର ଘର ଭିତରେ ଜଳୁଛି ମିଞ୍ଜି ମିଞ୍ଜି ହେଇ ଦୀପଟିଏ-। ଝରକା ଦେଇ ଭିତରକୁ ଅନାଇଲା । ଦେଖିଲା ଦୁଇଜଣ ଛାୟାମୂର୍ତ୍ତି ଠିଆ ହୋଇଛନ୍ତି ପାଖା ପାଖି-। ନିଘାକଲେ ବାରି ହେଉଛି ସେ ଭିତରୁ ଜଣେ ମାଇକିନା ଆଉ ଆରଜଣକ ପୁରୁଷ ।

 

ତା ହେଲେ–ଏ ଦୁଇଜଣ କି...........ଏ........ ??

 

କଇରୁର କପାଳରେ ଉକୁଟି ଉଠିଲା କେତୋଟି ପ୍ରଶ୍ନରେଖା । ଉତ୍‍କଣ୍ଠା ବି ବଢ଼ିଉଠିଲା ବେଳୁ ବେଳ । କଇରୁ ବାହାରେ ଠିଆ ହୋଇ ଟାକି ରହିଲା ସେମାନଙ୍କ ପିଛା କରିବାକୁ । ଅଳ୍ପ ସମୟ ପରେ ଘର ଭିତରୁ ତରତର ହୋଇ ବାହାରି ଆସିଲା ମାଇକିନାଟି । ପୁରୁଷଟି ଡିବିରି ଧରି ଅନ୍ଧାର ଘରେ ବାଟ ଦେଖାଇ ଦେଲା ତାକୁ । ଡିବିରିର ତେରଛା ଆଲୁଅରେ କଇରୁ ଲକ୍ଷ୍ୟ କଲା–ମାଇକିନାଟି ତାର ସ୍ତ୍ରୀ ରେବ ଛଡ଼ା ଆଉ କେହି ନୁହେଁ । ତାକୁ ବାଟ ବଳେଇ ଦେଉଛି ତାର ଭାଇ ମହନ । କଇରରୁ ଛାତିରୁ ଅତରା ଖସି ପଡ଼ିଲା ଯେପରି । ଆଖିକି ତାର ବିଶ୍ୱାସ ନାଇଁ । ଏତେ ରାତିରେ ରେବ ମହନ ଘରେ.....ମତଲବ.... ? ସେ ଆଉ ଭାବି ପାରିଲା ନାହିଁ । ମୁଣ୍ଡ ତାର ଗୋଳମାଳ ହୋଇଗଲା । ହଠାତ୍ ମନେ ପଡ଼ିଗଲା ଦିନକର କଥା । ପରମା ତାକୁ ଥରେ ଚେତାଇଦେଇ କହିଥିଲା–‘‘ମାଇକିନାଟାକୁ ଟିକେ ନଜର ରଖିଥିବୁ କଇରୁ । ମହନ ସଙ୍ଗେ ତାର ଭଲ ପଟେ ।’’ ତା' ହେଲେ ପରମା ତ ମିଛ କହି ନାଇଁ । ମାଇକିନା ଜାତିଟାକୁ ବି ସହଜେ ବିଶ୍ୱାସ କରିବା ଠିକ୍ ନୁହେଁ । ପେଟରେ ଗୋଟିଏ କଥା ରଖି ମୁହଁରେ କହନ୍ତି ଭିନେ କଥା । ଯାହା କରନ୍ତି ସବୁ ଲୁଚେଇ ଛପେଇ । ବିଲେଇ ଆଖି ବୁଜି ଗୋରସ ପିଉଥିଲେ ଭାବୁଥାଏ ତାକୁ ଯେପରି କେହି ଦେଖୁ ନାହାନ୍ତି । ଭାବୁ ଭାବୁ କଇରୁର ତାଳୁଠାରୁ ତଳିପା ଯାଏ ଜଳି ଉଠିଲା ରାଗରେ । ସେ ବାରିପଟ ସରୁ ଗଳି ଭିତରେ ଭୁସ୍‍କିନା ପଶିଯାଇ ତା ଘର ସଦର ଦରଜା ପାଖରେ ବାଟ ଛେକି ଛିଡ଼ା ହେଲା । ଘର ଭିତରକୁ ପଶି ଯାଉଁ ଯାଉଁ କଇରୁକୁ ହଠାତ୍ ଏମିତି ଅବସ୍ଥାରେ ଦେଖି ରେବ ଚମକି ପଡ଼ିଲା । ଛାତିରେ ତାର ପଶିଲା ଛନକା । ଗୋଡ଼ ହାତ ତାର ଲଜ୍ ଲଜ୍ ହୋଇ ଥରି ଉଠିଲା ଧିର ପବନରେ ପିପ୍‍ପଳ ପତ୍ର ଥରିଲା ପରି ।

 

‘‘କାହିଁ ଯାଇଥିଲୁ ଏତେ ରାତିରେ.....

 

ରୁକ୍ଷ ଆଉ ଚଢ଼ା ଗଳାରେ ପଚାରିଲା କଇରୁ । ରେବ ନୀରବ ।

 

‘‘କଣ କାମ ଥିଲା ତୋର......’’

 

କଇରୁ ପୁଣି ପଚାରିଲା । ପ୍ରଶ୍ନଗୁଡ଼ିକ ରେବର ଛାତିରେ ତାତିଲା ଡାମ୍ଫଣ ଭୁସିଲାପରି ଗଳିଯାଉଥିଲା ଯେପରି । ଥରିଲା ଗଳାରେ ସେ ଉତ୍ତର ଦେଲା–

 

‘‘ବଇଦ ଡକାଇବାକୁ ମହନ ପାଖ....କୁ....

 

କଥା ତାର ଅଧାରେ ଅଟକି ଗଲା । ଚିହିଁକି ଉଠିଲା କଇରୁ ।

 

‘‘ମହନ ମହନ–ସବୁବେଳେ ଖାଲି ମହନ...ତା ଛଡ଼ା ଯେପରି ତୋର ଆଉ କେହି ନାହିଁ ଏଠି........ ।’’

 

ରେବ ଛାତିରେ ଦମ୍ଭ ଠୁଳକରି କହିଲା– ‘‘ପିଲାଟାକୁ ଜର ହେଲାଣି ତିନିଦିନ ହେଲା ଓଷଧ ଟିକିଏ ନାଇଁ ପେଟରେ ! ତାତି ତ ଖଇ ଫୁଟୁଛି ସବୁବେଳେ । ବଉରା ହେଇ ବକୁଛି କଣ ବଲି କଣ । ତୁମେ ତ କେତେବେଳେ ହେଲେ ନାହଁ ଘରେ । କଣ ଆଉ ଅଛି ଯେ ।’’

 

‘‘ଚୁପ୍ କର–କହିଲା–କଣ ଆଉ ଅଛି....କିଛି ନାଇଁ ତ ବେକରୁ କାଢ଼ି କଣ ଦେଉଥିଲୁ ତାକୁ ।’’

 

ଏକଥା ଶୁଣି ଚମକି ଉଠିଲା ରେବ । ତାର ଜୀବନର ସମ୍ବଳ କରି ବିବାହ ବେଦିର ସୋହାଗଭରା ସୁନା ହାରଟିକୁ କେତେ ଆଦରରେ ସାଇତି କରି ରଖିଥିଲା ସେ । ଆଜି ପିଲାର ଓଷଦ କିଣିବାକୁ ଘରେ ଆଉ କିଛି ନ ଥିବାରୁ ହାରଟିକୁ ବନ୍ଧା ପକାଇବାକୁ ମହନ ହାତରେ ଦେଇଥିଲା । କିନ୍ତୁ ମହନ ତାକୁ ରଖିଲା ନାହିଁ ଫେରାଇ ଦେଲା ରେବକୁ ! ଭାଉଜ ବେକ ମେଲା କରି ଓଷଦ ଆଣିବାକୁ ତାର ମନ ବଳିଲା ନାହିଁ ! ଓଦା ଗଲାରେ କହିଲା ବହୂ, ତୁମେ ମୋର ମାଁ ବାଗିର ଆଜି ବିପଦ ବେଳେ ଧାଇଁ ଆସିଛ । ମୁଁ କଣ ସାହା ହୋଇ ପାରିବି ନାହିଁ । ତୁମେ ଚିନ୍ତା କର ନାହିଁ । ମୁଁ ଯାଇ ବଇଦକୁ ଡାକି ଆଣିବି !’’ ଏଇ ସୁନା ହାରଟି କଇରୁର ନିଜର ଏଡ଼ି ରହି ପାରି ନାହିଁ । ତାର ହେଇ ଆଉ କଣ ବା ଅଛି ଗୋଟି ଗୋଟି କରି ଅଳଙ୍କାର ଯୋର ଜବରଦସ୍ତ କରି ଡରେଇ ଧମକେଇ ନିଆ ହେଇଛି ତା ଦେହରୁ । ଥିଲା ଘରୁ ଆସିଥିଲା ବୋଲି ବାପ ତାର କେତେ ଆୟ ଅଳଙ୍କାରରେ ଦେହ ଛାଇ ଦେଇଥିଲା । ଅଳଙ୍କାର ତେଜରେ ଦେହ ତାର ଝଟକି ଉଠୁଥିଲା ! ଗାଁ ସାରା ମାଇପିମାନେ ଜିଭ ଚାବି ପକାଇଥିଲେ ତାର ଏଇ ଭଳି ଭଳି ଅଳଙ୍କାର ଦେଖି । କିନ୍ତୁ ହାୟ, ଆଜି ସେ ସବୁ ଗଲା କୁଆଡ଼େ । ଲୁଗା ଖଣ୍ଡେ ଥୁଣ୍ଟା ଛଡ଼ା ଗଛ ପରି ଆଜି ଦେହ ତାର ଲଙ୍ଗଳା ! ରେବର ଆଖିପତା ଓଦା ହୋଇ ଆସିଲା ! କଇରୁ ରେବ ପାଖକୁ ଲାଗିଆସି ହାତ ପତାଇ ମାଗିଲା– ‘‘ସୁନା ହାରଟି ଦେ, ମୁଁ ଓଷଦ ଆଣିବି..... ।’’ ରେବ ପଛକୁ ଘୁଞ୍ଚିଯାଇ କାନ୍ଦିଲା ଗଳାରେ କହିଲା– ‘‘ଏମିତି ତ ଖଣ୍ଡେ ଖଣ୍ଡେ କରି ସବୁ ନେଲ । ତମ ମନ ତଥାପି ବୋଧ ହୋଇ ନାହିଁ ଯେ ଏଇ ଶେଷ ପୁଞ୍ଜିଟାକୁ ଛଡ଼ାଇ ନେବାକୁ ବସିଛ ।’’ କଇଁ କଇଁ ହୋଇ କାନ୍ଦି ଉଠିଲା ସେ । କୋହରେ ଫୁଲି ଫୁଲି ଉଠିଲା ତାର କଣ୍ଠ ସ୍ୱର । ‘‘ମୁଁ ଜାଣେ, ମତେ ଠକି ସବୁ ଅଳଙ୍କାର ଖୁରି ବାସନ ଖୁଣ୍ଟି ଖଡ଼ିକା ଯାଏ ସବୁ ହାରିଲ ଜୁଆରେ । ଆଜି ଆଉ ମୁଁ ବିଶ୍ୱାସ କରିବି ମୋ ପୁଅ ପାଇଁ ତମେ ଓଷଦ ଆଣିବ....... ?’’

 

କଇରୁ ରେବର କଥା ପ୍ରତି ଭୃକ୍ଷେପ ନ କରି ଆଗେଇ ଆସିଲା ରାଗରେ । ରେବର ଗଳାକୁ ଦୁଇ ହାତରେ ଭିଡ଼ି ଧରି ସୁନା ହାରଟିକୁ କାଢ଼ିବାକୁ ପାରୁ ପରିଯନ୍ତେ ଚେଷ୍ଟା କଲା । ରେବ କଇରୁର ବାହୁ ମୁଠାରୁ ନିଜକୁ ମୁକୁଳାଇବାକୁ ଯାଇ ଟାଣି ଓଖାରି ହୋଇ ଚିତ୍କାର କରି ଉଠିଲା– ‘‘ସୁନାହାର ମୁଁ ଦେବି ନାହିଁ.......ସୁନାହାର ମୁଁ ଦେବି ନାହିଁ !!’’ କଇରୁର ରକ୍ତ ତାଳୁ ଉପରକୁ ଚଢ଼ି ଉଠୁଥିଲା । କଳା କଳା ଡୋଳାରେ ତାର ଜଳୁଥିଲା ନିଆଁ । ରାଗରେ ପାଗଳ ହୋଇ ସେ ରେବକୁ ମାରିଲା ଗୋଟିଏ ଧକ୍କା । ଅବଳା ନାରୀ...ସହି ପାରିଲା ନାହିଁ ଧକ୍କାର ଯୋର୍ । ସଙ୍ଗେ ସଙ୍ଗେ କାନ୍ଥ ଦେହରେ ମୁଣ୍ଡ ଠେସି ହୋଇ ଟଳି ପଡ଼ିଲା ସେ ତଳେ । ମୁଣ୍ଡର କଳା ବାଳକୁ ଓଦା କରି ଗାଲ ଉପରକୁ ବହି ଆସିଲା କେଇଧାର ତତଲା ରକ୍ତ । ଏ ଦୃଶ୍ୟ ଦେଖି କଇରୁ ଶଙ୍କିଗଲା ଭୟରେ । କ୍ଷଣିକ ଉତ୍ତେଜନାରେ ସେ ଯାହା କରି ପକେଇଲା ସେଥିରେ ବିଚଳିତ ହୋଇ ପଦାକୁ ପଳାଇ ଯାଉଥିବା ବେଳେ ସଙ୍ଗରେ ବଇଦ ଧରି ହଠାତ୍ ଆସି ପହଞ୍ଚିଲା ମହନ । ଭାଉଜକୁ ବେହୋସ ହୋଇ ପଡ଼ିଥିବାର ଦେଖି ଚମକି ପଡ଼ିଲା ସେ ।

 

ଏଇ ରକ୍ତାକ୍ତ କାଣ୍ଡ ଦେଖି ଘଟଣାଟିକୁ ଠଉରେଇ ନେବାକୁ ବାକି ରହିଲା ନାହିଁ ତାକୁ ! କଣ କରିବାକୁ ହେବ କିଛି ଠିକ୍ କରି ନ ପାରି ସେ ପଦାକୁ ଧାଇଁ ଯାଇ ଦେଖିଲା କଇରୁ ତରତର ହୋଇ ଅନ୍ଧାର ଗଳି ଭିତରେ ଲୁଚି ଯାଉଛି । ଏକା ନିଶ୍ୱାସକେ ଦଉଡ଼ିଯାଇ ପଳାଇ ଯାଉଥିବା କଇରୁର ପଛପଟୁ କରିଆ ଧରି ଟାଣି ଆଣିଲା ସେ ଘର ଭିତରକୁ । ମହନର ନାକ ପୁଡ଼ା ଫୁଲି ଫୁଲି ଉଠୁଥିଲା ରାଗରେ । ଦୁଇ ଅଣ୍ଟାରେ ହାତ ଦେଇ ଚଢ଼ା ଗଳାରେ ପଚାରିଲା–

 

ଇଛେନ୍ ମନ ସନ୍ତୋଷ ହେଲା ତୋର ? ଯଦି ରାଗ ମେଣ୍ଟି ନାଇଁ ଘରେ ନିଆଁ ଲେଛେଇ ଦେ । ଯାହା ଅଛି ସବୁ ସଫା ହେଇଯିବ...... । କଇରୁ ଢେମା ଢେମା ଆଖିରେ ମହନକୁ ଗୁଣ୍ଡରେଇ କରି ଚାହିଁ ବିଚିକିଟିଆ ମୁଖ ଭଙ୍ଗିରେ ପଚାରିଲା– ‘‘ତୁଇ କିଏ ରେ ମତେ କହିବାକୁ । ମୁଇଁ ଯାହା କଲି ମୋର୍ ମର୍‍ଜି । ତୋର ଛାତି କାହିଁକି ଚର୍‍ଚରେଇ ଯାଉଛି !’’

 

ମହନ ରକ୍ତ ସାଲୁବାଲୁ ହୋଇ ଶୋଇଥିବା ରେବ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା ‘‘ଇ ନିରୀହା ଅବଳା ଉପରକୁ ହାତ ଉଠିଲା ତୋର କିପରି ? କଣ ଦୋଷ କରିଥିଲା ସେ....... ?

 

କଇରୁ ମୁଣ୍ଡ ଗାଜି ଚୁପ୍ ହୋଇ ରହିଲା । ପାଟିରୁ ତାର ବାହାରିଲା ନାହିଁ ପଦିଏ କଥା । ଆହୁରି ପାଖକୁ ଲାଗି ଆସି ମହନ କଇରୁକୁ ଲକ୍ଷ୍ୟ କରି କହିଲା– ‘‘ଚୁପ୍ ହେଲୁ କାହିଁକି ? ପାଟି ଫିଟାଇବାକୁ ସାହସ ହେଉନାଇଁ ନା ! ଜମି ବାରି ଟଙ୍କା ସୁନା ଗୁଆଁଇ ଦେଇ ମାଇକିନା ଉପରେ ଜୁଲୁମ । ଲାଜ ଲାଗୁ ନାହିଁ ତୋତେ....ସରମ ଲାଗୁନାହିଁ..... ?’’

 

ନାଗସାପ ଲାଞ୍ଜରେ ହାତ ମାରି ଦେଲେ ସେ ଯେପରି ଫଣା ଟେକି ଫଁ କିନା କେଳା ଆଡ଼କୁ ଚୋଟ ମାରେ, ଠିକ୍ ସେହିପରି ମହନର କଥାରେ ହଠାତ୍ ଚିହିଁକି ଉଠିଲା କଇରୁ । ତୁଫାନି ଆୱାଜ ତୋଳି ଫଣ ଫଣ ହୋଇ କହିଲା– ‘‘ପରସ୍ତ୍ରୀ ସଙ୍ଗେ ରାତି ଅଧରେ ନାଟ ଲଗେଇଲା ବେଳେ କେମିତି ଲାଜ ଲାଗେ ନାଇଁ ? ଓଲଟା ମୋ ଉପରେ ରିଷ ଝାଡ଼ିବାକୁ ଆଇଛୁ ନା...... ? ଆଉ କିଏ ହୋଇଥିଲେ ପାହାରକେ ସୁହା କରି ଦେଇଥାନ୍ତି ଦୁଇଙ୍କୁ । ଦେଖିଥାନ୍ତୁ ମୋର କରାମତି ସେତେବେଳେ...... ।’’

 

କଇରୁ ମୁହଁରୁ ଏ କଥା ଶୁଣି କାଠ ପାଲଟିଗଲା ମହନ । ତାଳରୁ ତଳିପା ଯାଏ ତାର ଝାଳେଇ ଗଲା ଏକାବେଳକେ । ମୁଣ୍ଡ ଭିତରେ ତାର ବିଜୁଳିବତୀର ଫେନ ଘୂରୁଛି ଘିରିଘିରି ହୋଇ-। କଣ ଶୁଣୁଛି ସେ ? ଏତେ ବଡ଼ ଅପବାଦ ପାହାଡ଼ ଆଜି ତାର ମୁଣ୍ଡ ଉପରେ ଲଦି ଦିଆହେଲା-। ଯେଉଁ ଭାଉଜକୁ ସେ ଆଜିଯାଏ ନିଜର ମା ବୋଲି ବିଚାରି ଆସିଛି, ଦେଖାଇ ଆସିଛି ଭକ୍ତି ଆଉ ଶ୍ରଦ୍ଧା ତାରି ସଙ୍ଗରେ ଏତେ ବଡ଼ କୁତ୍ସା ଆଉ ମିଛ ଅଭିଯୋଗ । ଏଇ ଡାହା ମିଛ କଥାଗୁଡ଼ାକୁ ବକିବାକୁ କଇରୁର ଜିଭ କିପରି ଲେଉଟିଲା ? ମହନ ଆଉ ଭାବି ପାରିଲା ନାହିଁ । ଆଗକୁ ତାକୁ ଜଣାଗଲା ପେଟ ଭିତରଟା ଯେପରି କଖାରୁ କୋରିଲା ପରି କୋରି ଦେଉଛି କିଏ । ମୁଣ୍ଡ ତାର ଗୋଳମାଳ ହୋଇଗଲା । ଏତେ ସରିକି କରିଥିଲେ ବି ଯେଉଁ ଭାଈ ପ୍ରତି ତାର ସ୍ନେହ ମମତା ଟିକିଏ ହେଲେ କମି ଯାଇନାହିଁ, ତାଠୁ ବଦଳରେ କଣ ସେ ପାଇଛି ? ହିଂସା ଆଉ ଲୋଭରେ ଅନ୍ଧ ହୋଇ କଣ ନ କରିଛି ସେ । ତାକୁ ଜମିରୁ ବେଦଖଲ କରିବାକୁ ପ୍ରାଣପଣେ ଚେଷ୍ଟା କରିଛି ସିନା ! ତାର ଅନୁପସ୍ଥିତିର ସୁଯୋଗ ନେଇ ନିଜର ଭାଇବୋହୂ ପ୍ରତି କମ୍ ଅତ୍ୟାଚାର ଓ ଅବିଚାର ଭିଆଇ ନାହିଁ । ତଥାପି ସବୁକୁ ମୁଣ୍ଡପାତି ସହି ନେଇଛି ସେ ! ଦାଦା ବିପକ୍ଷରେ ସ୍ୱର ତୋଳିନାଇଁ କେବେ-। ଯେତେହେଲେ ବି ବଡ଼ ଭାଇ ବାପ ସମାନ !! କିନ୍ତୁ ଆଜି ସେ ଶୁଣୁଛି କଣ ? ମହନର ମୁଣ୍ଡ ତରହେଟି ଦୋଳିପରି ଘୂରିଗଲା ! ଜିଭ ତାର ଶୁଖି ଶୁଖି ଆସିଲା ! ପାଟିରୁ ତାର ଆଉ ବାହାରିଲା ନାଇଁ କଥା । ସେଠାରେ ଆଉ ମୁହୂର୍ତ୍ତେ ବି ନ ରହି ସେ ଚାଲି ଆସିଲା ।

 

ସେତେବେଳକୁ କଇରୁର ବଡ଼ ଝିଅ ଆଉ ବଇଦ ଦିହେଁ ମିଶି ରେବର ରକ୍ତ ଜୁଡ଼ୁବୁଡ଼ୁ ଦେହଟାକୁ ଉଠାଇ ଆଣି ଖଟ ଉପରେ ଶୁଆଇ ଦେଇଥିଲେ । କ୍ଷତ ଯାଗାରୁ ରକ୍ତର ଧାର ଶୁଖି ନ ଥିଲା । ମୁଣ୍ଡ ତଳ ତକିଆଖଣ୍ଡକ ରକ୍ତରେ ଓଦା ହୋଇ ଯାଉଥିଲା । ଯାହଉ ବଇଦର ଚେଷ୍ଟା ଆଉ ଚିକିତ୍ସାରେ ରେବର ହୋସ୍ ଫେରି ଆସୁଥିଲା । ଆସ୍ତେ ଆଖିପତା ଖୋଲି ସେ ଚାରିଆଡ଼କୁ ଅନାଇଲା । ସତେ ଯେପରି ସେ ମନେ ମନେ ଖୋଜୁଥିଲା କାହାକୁ । ପାଖରେ କଇରୁ ମଉନ ହୋଇ ଠିଆ ହୋଇଥିବା ଦେଖି ହାତଠାରି ଡାକିଲା । ଖୁନୀ ଆସାମୀପରି କଇରୁ ରେବର ବିଛଣା ପାଖକୁ ଆସିଲା । ରେବ ଗଲାରୁ ରକ୍ତବୋଳା ସୁନାହାରଟି କାଢ଼ୁ କାଢ଼ୁ ଶୁଖିଲା ଗଳାରେ ଥାକି ଥାକି କହିଲା–

 

‘‘ତୁମେ ମହନକୁ ଅବିଶ୍ୱାସ କରୁଛ ସିନା, ଏଥିରେ ତାଙ୍କର କିଛି ଦୋଷ ନାହିଁ । ପିଲା କାଇଲା ହେବାରୁ ଛାନିଆଁ ହେଇ ବଇଦ ଡକେଇବାକୁ ମୁଁ ଯାଇଥିଲି ତାଙ୍କ ପାଖକୁ । ହଉ ଏଇ ନିଅ ତମର ସୁନାହାର । ମୋର ଶେଷ ପୁଞ୍ଜି । ତାକୁ ନେବାକୁ ତୁମର ଯଦି ଏତେ ସଉକି ସେ ମୋର ନୁହେଁ ତମ......ର...... ।

 

ରେବ ଥରିଲା ହାତରେ ସୁନାହାରଟି ବଢ଼ାଇ ଦେଲା କଇରୁ ହାତକୁ । କଇରୁ ମୂକ ପାଷାଣ ପରି ଠିଆ ହୋଇ ରହିଲା । ମୁହଁରୁ ତାର ଫିଟୁ ନ ଥିଲା ଭାଷା । ସତେ ଯେପରି ପଥର ଖୋଦା ମୂର୍ତ୍ତିଟିଏ । ଆଖିରେ ଲୁହ ପୂରିଯାଇ ସବୁ ଜିନିଷ ଦିଶୁଥିଲା ଝାପ୍‍ସା । ଛାତି ଭିତରେ ଉଠୁଥିଲା ଅନୁଶୋଚନାର କୋହ । ଏଇ କେତେଘଣ୍ଟା ଭିତରେ କଣ ସେ ନ କଲା । ଅକାରଣଟାରେ ନ ବୁଝି ନ ଶୁଝି ରକ୍ତାକ୍ତ କାଣ୍ଡ ଭିଆଇ ଦେଲା ସିନା । ନିଜ ନାକକୁ ଅଣ୍ଟି ଛୁରିରେ କାଟିବାକୁ ଯାଉଥିଲା କାହିଁକି ?

 

ରେବ ତାର ବିବାହିତା ପତ୍ନୀ । ବିଭା ହେଲାଦିନୁ ସବୁବେଳେ ରହି ଆସିଛି ଅବହେଳିତା ଆଉ ଉପେକ୍ଷିତା ହେଇ । ମନର ସରାଗ ମନରେ ମରିଛି ତାର । କେବଳ ଜୁଆ, ମଦ ଆଉ ଗଞ୍ଜେଇ ନିଶାରେ ଭୋଳ ହୋଇ ସେ ହୋଇଛି ସର୍ବସ୍ୱାନ୍ତ । ସ୍ତ୍ରୀର ସବୁ ଅଳଙ୍କାର ଲୁଟି ନେଇଛି ଗୋଟି ଗୋଟି କରି । ପିଲାମାନେ ତାର ଭୋକ ଉପାସରେ କଲବଲ ହୋଇଛନ୍ତି । ଘରର ହାନିଲାଭ ସେ ବୁଝିନାଇଁ ଆଜିଯାଏ । ରେବ ସବୁ ଚଳାଇ ନେଇଛି ସୁରୁଖୁରୁରେ । ବଦଳରେ ତାଠୁ ପାଇଛି ଗାଳି ଆଉ ମାଡ଼ । ପ୍ରକୃତରେ ରେବ ଦୋଷୀ ନୁହେଁ । ଦୋଷ କରିନାହିଁ ସେ । ସେ ନିଷ୍କଳଙ୍କିନୀ । ଦୋଷ ତାରି । ସେ ନିଜେ ଦୋଷୀ । ହଁ ସେ ନିଜେ । ସେ ଖୁନ୍‍ କରିଛି ସେ ଖୁନୀ !!

 

ଆଉ ମହନ ତାରି ପିଠିର ଭାଇ । କଣ ନ କରିଛି ସେ ଏଇ ମହନ ପ୍ରତି । ତାର ସୁନାର ସଂସାର ଜାଳି ପୋଡ଼ି ଛାରଖାର କରି ଦେବାକୁ କେତେ ହୀନ ଚକ୍ରାନ୍ତ ନ ଖେଳିଛି । ନିରୀହା ଭାଇ ବହୁ ଉପରେ କରିଛି ଅସୁମାରୀ ଜୁଲମ । କାହିଁକି ? କେବଳ ଖଣ୍ଡେ ଜମି ଲାଳସାରେ । ପରମା ନାଏକର ନୀଚ ଶିକ୍ଷା ବୁଦ୍ଧିରେ ପଡ଼ି ସେ ଆପଣା ଇଜ୍ଜତ ବରବାଦ କରିଛି । ଘର ନିଆଁ ପଦାରେ ପକାଇବାକୁ ତାର ଟିକିଏ ବି ସଂକୋଚ ହୋଇନାଇଁ କେବେ ? କେଡ଼େ ହୀନ ସେ, କେତେ ନୀଚ । ଲୋକେ ଭାଇଟିଏ ଖୋଜନ୍ତି ବିପଦ ଆପଦକୁ ସାହା ହେବ ବୋଲି, କିନ୍ତୁ ସେ କଣ କରିଛି ? ସୁନା ହାର ଗଳାରୁ ଫିଙ୍ଗି ଦେଇ ତା ବଦଳରେ ପିନ୍ଧିଛି ବିଷଧର ନାଗ । ଶେଷରେ ମିଛ ଅଭିଯୋଗ କରି ଭାଇକୁ ତାର ଘଉଡ଼ାଇ ଦେଇଛି ଘରୁ । ମହନର ମନରେ କି ଆଘାତ ଲାଗି ନ ଥିବ ? କେଡ଼େ ନିଷ୍ଠୁର ସେ...... ।

 

ଅନୁଶୋଚନା ଆଉ ପଶ୍ଚାତ୍ତାପରେ ଟେଙ୍କର କଇରୁର ମୁଣ୍ଡ ଭିତରେ ନାଦୁଡ଼ ଆଘାତ କରୁଥିଲା । ବିଷଜ୍ଜ୍ୱାଳାରେ ଅସ୍ଥିର ହୋଇ ଉଠୁଥିଲା ସେ । ଗଲା କଥା ସବୁ ମନରେ ଗୋଟି ଗୋଟି ହୋଇ ଉଙ୍କି ମାରି ଦୁଇ ଆଖିକି ତାର ଲୁହରେ ଧୋଇ ଦେଉଥିଲା କେବଳ । ବାପ କହିଥିବା ପଦିଏ କଥା ତାର ଠିକ୍‍ ହେତୁ ହେଇ ଯାଉଥିଲା–

 

‘‘ତାକି କରି ତର୍‍କି ଥିବୁ,

ଦେଖି କରି ଭିର୍‍କି ଥିବୁ ।’’

 

ଠିକ୍ ଏତିକିବେଳେ ପାହାନ୍ତିଆ ପହର ଫିକା ଜହ୍ନ ଖସି ପଡ଼ୁଥିଲା ଦୂର ଦିଗ୍‍ବଳୟ କୋଳକୁ । କେଉଁ ଦୂର ବନ ବନାନ୍ତରୁ ସିରିସିରିଆ ମହୁଆ ପବନ ଭାସି ଆସି ଝରକା ବାଟେ ରେବର ଶେତା ମୁଁହରେ ବୁଣି ଦେଉଥିଲା ବୁନ୍ଦା ବୁନ୍ଦା ଶିଶିର କଣା ।

 

ବାର

 

ରେବର ଅବସ୍ଥା ବେଳକୁ ବେଳ କାଇଲା ହୋଇ ଆସିଲା । ରକ୍ତସ୍ରାବ ବନ୍ଦ ହୋଇନାହିଁ ଏ ଯାଏ । ନିରୁପାୟ ହୋଇ ଗାଁ ଲୋକଙ୍କ ସାହାଯ୍ୟରେ କଇରୁ ତାକୁ ସହରର ବଡ଼ ଡାକ୍ତରଖାନାକୁ ନେଇଯାଇଛି । ଖବର ପାଇ ଥାନା ଇନ୍‍ସପେକ୍‍ଟର ବାବୁ ଆସି ରେବ ମୁହଁରୁ ମରଣକାଳୀନ ଇଝାର ନେଲେ । ଚାଉଁ ଚାଉଁ ଶୁଖିଯାଉଛି ତଣ୍ଟି । କଥା କହିବାକୁ ବପୁ ପୂରୁନାହିଁ । ଯନ୍ତ୍ରଣାରେ ସେ ହୋଇ ଯାଉଛି କାଇଲା ! ସତେ ଯେପରି ପ୍ରାଣ ପକ୍ଷୀ ପିଞ୍ଜରା ଫାଡ଼ି ଉଡ଼ିଯିବ ନିମିଷକରେ । ଅତି କଷ୍ଟରେ ରହି ରହି ରେବ ବୟାନ କଲା– ‘‘ରାତି ଅଧରେ ପଦାକୁ ଉଠିଲାବେଳେ ପଥର ପାହାଚରେ ଝୁଣ୍ଟି ପଡ଼ିଲି । ଏଥିରେ କାହାରି ଦୋଷ ନାହିଁ ।’’ ଥାନାବାବୁ ଡାଇରୀରେ ବୟାନତକ ଟିପି ନେଲେ । ରେବ ମୁଁହରୁ ମିଛ ବୟାନ ଶୁଣି ମୂକ ହୋଇ ଯାଇଥିଲା କଇରୁ । ତାକୁ ବଞ୍ଚାଇବା ପାଇଁ ଯେ ରେବ ମିଛ କହିଛି ଏଥିରେ ସନ୍ଦେହ କରିବାର କିଛି ନ ଥିଲା । ସପନରେ ହେଲେ ବି ସେ ଭାବି ନ ଥିଲା, ରେବ ମୁହଁରୁ ଏପରି ବୟାନ ଶୁଣିବ ବୋଲି !

 

ଅବିବେକୀ ପୁରୁଷ ସିନା ବୁଝେ ନାହିଁ, କିନ୍ତୁ ବିବାହିତା ହିନ୍ଦୁ ସ୍ତ୍ରୀ ଜାଣେ ସ୍ୱାମୀ କି ଭଳି ଜିନିଷ । ଆଖିରେ ସ୍ୱାମୀ ତାର ଦେବତା । ନିଜ ଜୀବନ ବିନିମୟରେ ସେ କରେ ସ୍ୱାମୀର ସେବା । ହୃଦୟର ରକ୍ତ ନିଗାଡ଼ି କରେ କୁଳ ଉଜ୍ଜ୍ୱଳ । ରେବର ଜୀବନରେ ତାର ବ୍ୟତିକ୍ରମ ହୁଅନ୍ତା କିପରି ?

 

ଡାକ୍ତର ପରୀକ୍ଷା କରି କହିଲେ ଅବସ୍ଥା ସିରିଅସ୍ । ବଜାରରୁ ଇଞ୍ଜେକ୍‍ସନ ଓ ଔଷଧ କିଣି ଆଣିବାକୁ ହେବ । ବିଳମ୍ବ ହେଲେ ରୋଗୀ ବଞ୍ଚିବା ଆଶା କମ୍ । କାଗଜ ଖଣ୍ଡ ଧରି କଇରୁ ଆକାଶକୁ ଚାହିଁ ରହିଲା ବଲବଲ କରି । ବୁଦ୍ଧି ବାଟ ସବୁ ହଜିଗଲା ତାର । ଅଣ୍ଟିରେ କାଣି କଉଡ଼ିଟିଏ ବି ନାହିଁ । ଘରେ ଯାହା ଥିଲା ସବୁତକ ଆଗରୁ ଯାଇଛି ଜୁଆରେ । ଏବେ ତାର ଆଖିକୁ ସବୁ ଦିଶୁଛି ଜାଲିଜାଲିଆ ।

 

ଟଙ୍କା ! ମାତ୍ର କେତୋଟି ଟଙ୍କା !!

 

ତାର ନିର୍ଦ୍ଦୋଷ, ରେବକୁ ବଞ୍ଚାଇବାକୁ ହେବ । ଆଉ ସେଥିଲାଗି ଲୋଡ଼ା କେତୋଟି ଟଙ୍କା । କେଉଁଠୁ ପାଇବ ସେ ଟଙ୍କା ?

 

କାହିଁକି ? ଚୋରି.....

 

ନା ନା ଏହା ତା ଦେଇ ହୋଇ ପାରିବ ନାହିଁ । ଚୋରିବିଦ୍ୟା ସେ ଜାଣେ ନା । ତାର୍ ତ ପୁଣି ଇଜ୍ଜତ ଅଛି, ମାନମହତ ଅଛି ।

 

ତା ହେଲେ ହାତ ପତାଇ ମାଗିଲେ କ୍ଷତି କଣ ?

 

କିନ୍ତୁ କିଏ ଶୁଣିବ ତା କଥା । ବିପଦର ବନ୍ଧୁ କେହି ନୁହଁନ୍ତି ।

 

ମହନ ଆଗରେ ହାତ ପାତିଲେ କଣ ଶୁଣିବ ନାହିଁ ?

 

କିନ୍ତୁ କେଉଁ ମୁହଁରେ ଯିବ ସେ ମହନ ଆଗରେ ଗୋଡ଼ ଭାଙ୍ଗି ଠିଆ ହେବାକୁ । ସେ ତାକୁ ଅପମାନ କରିଛି । ମିଛ କଳଙ୍କ ବୋଳିଛି ତାରି ନାଁରେ ।

 

ତା ହେଲେ…...

 

ଉପାୟ ପାଉନି । ବାଟ ଦିଶୁନି । ବୁଦ୍ଧି ବୁଡ଼ିଯାଉଛି ଧିରେ ଧିରେ । ବିବେକ ହାର ମାନିଛି । ଅଲରା ବାଳ ଭିତରେ ଆଙ୍ଗୁଠି ପୂରାଇ ବଙ୍କାଟଙ୍କା ଖେତଆଡ଼ି ଉପରେ ବସିପଡ଼ିଲା କଇରୁ । ଖେତ ମାଳରେ ଶାଗୁଆ ଶସ୍ୟରାଜିର ଅପୂର୍ବ ସମ୍ଭାର । ଗର୍ଭିଣୀ ଧାନକେଣ୍ଡାର କାନେ କାନେ ମହୁଲିଆ ବେଉରା ପବନ ଚୁପିଚୁପି ଗାଇଯାଉଛି ତାର ରସ୍‍ରସିଆ କବିତା । ଧାନଗଛ ନୂଆ ବହୂପରି ମୁଣ୍ଡ ପୋତୁଛି ଲାଜରେ । ଖେତଆଡ଼ିର ଭୁର୍ ଭୁସା ବହଳିଆ ଦୁବ ଘାସ ଉପରେ ଟିକି ଟିକି ହଳଦିବସନ୍ତ ଆଉ ଫୁଲ ଚୂହିଁ ଚଢ଼େଇ ଖିଲିଖିଲି ହେଇ ହସୁଛନ୍ତି ଧାନଗଛର ଏଇ ଲାଜକୁରା ବେଶ ଦେଖି । ରାଞ୍ଜ ଦେହରେ ଜହ୍ନି ଆଉ କଖାରୁ ଫୁଲର ମାଳ ଲମ୍ବେଇ ଦେଇ ଦଶହରା ଲେଉଟି ଯାଉଛି କେଉଁ ଅଜଣା ରାଇଜକୁ । ତା ଯିବା ବାଟକୁ ସାଫ୍ କରିବାପାଇଁ କେଉଁ ଶାଳବଣ ଆଢ଼ୁଆଳରୁ ଅମାନିଆ କାକର ପବନ ଧାଇଁ ଆସି ମେଘ ମୁକୁଳା ଆକାଶକୁ ଓଳେଇ ପକାଉଛି । ଚାଷୀ, ହଳିଆମାନେ କାନ୍ଧରେ କୋଡ଼ି ଧରି ଖେତଆଡ଼ି ଉପରେ ବୁଲିବୁଲି ଘାଇ ବାନ୍ଧୁଛନ୍ତି । ସେ ସବୁ କାହିଁରେ କଇରୁର ନଜର ନାହିଁ । ସବୁ ଯେପରି ଦିଶୁଛି ଆଜି ନୀରସ ବାଲିମୟ ମରୁଭୂମି ।

 

କଇରୁ ଉଠି ଠିଆ ହେଲା । ବେଳ ରଙ୍ଗି ରଙ୍ଗି ଆସୁଛି । ତାକୁ ଉପାୟ ଖୋଜିବାକୁ ହେବ । ନ ହେଲେ ରେବ ତାର ଫେରିବ ନାଇଁ । ସେ ପାଦ ବଢ଼ାଇଲା ବଙ୍କାଳିଆ ଖେତଆଡ଼ି ଉପରେ । ଅମାନିଆ ପାଦ ଦିଟା ତାକୁ ଟାଣି ନେଇ ଯାଉଛନ୍ତି କାଳି ଡୁଙ୍ଗୁରୀର ମଥାନ ଉପରକୁ । ସେ କୁଆଡ଼େ ଯାଉଛି ଆଉ କାହିଁକି ଯାଉଛି ଜାଣେ ନା । କପାଳରୁ ନିର୍ଝରି ପଡ଼ୁଛି ବୁନ୍ଦା ବୁନ୍ଦା ଝାଳ-। ଚିନ୍ତା ଆଉ ନିରାଶର ଏକ ସ୍ପଷ୍ଟ ସୂଚନା । କାଳିଡୁଙ୍ଗୁରୀ ସିଘା କମୋରଗଛ ତଳେ ଥକ୍‍କା ମାରି ବସି ପଡ଼ିଲା କଇରୁ । ଗଲାଦିନର କଥା ସବୁ ମନ ଭିତରେ ଉଙ୍କିମାରି ଲୁଚି ଯାଉଛି ଗୋଟି ଗୋଟି ହୋଇ । ଠିକ୍ ସାଗର ବେଳାରେ ମଥା ପିଟି ଅସରନ୍ତି ଢେଉ ଲୁଚିଗଲା ପରି ।

 

‘‘ଚୋରର ମା କାନ୍ଦେ–ଯଦି କାନ୍ଦେ ଗୁଣ୍ ସୁମରି କାନ୍ଦେ ।’’

 

କାହାକୁ କହିବ ? ବିପଦ ବେଳେ କିଏ ବା ଶୁଣିବ ତା କଥା । ଅଜାଗା ଘା’ ଦେଖାଇ ହୁଏ ନାହିଁ ! ସେ ତ ଜୀବନରେ କାହାରିକି ସାହା ହେଇନାହିଁ କେବେ ? ତେବେ ଆଜି ଅନ୍ୟଠାରୁ ସହାନୁଭୂତି ଲୋଡ଼ିବାରେ ତାର କି ହକ୍ ଅଛି । ତାକୁ ତ କେହି ଆଡ଼ ଆଖିରେ ଦେଖିବେ ନାହିଁ । ପାଣି ନ ଥିବା ପଇଡ଼ ଖୋଳପା ପରି ଫିଙ୍ଗି ଦେବେ ଦୂରକୁ ସିନା ! ଛାତି ଭିତରୁ ଉଠୁଛି ତୁହାଇ ତୁହାଇ କୋହ । ପାଟି ଖୋଲି କାନ୍ଦିବାକୁ କେବଳ ଇଛା ହେଉଛି, ଦୁଇ ଆଣ୍ଠୁ ଭିତରେ ମୁହଁ ଗୁଞ୍ଜି ବସିରହିଛି କଇରୁ କାଳି ଡୁଙ୍ଗୁରୀ ମଥାନ ଉପରେ ।

 

ଦୂରରୁ ବାଜା ଆଉ ମହୁରୀର ବୋଲ ଭାସି ଆସୁଛି ! କଇରୁ ମୁଣ୍ଡ ଟେକି ଅନାଇଲା ସେଇ ଆଡ଼କୁ । କେଉଁ ଦୂର ଗାଁରେ ବିଭାସାରି କନିଆଁ ଧରି ବଙ୍କା ଟେଙ୍କା ଶଗଡ଼ିଆ ହୁରି ରାସ୍ତା ଉପରେ ପଛକୁପଛ ଲମ୍ବିଛନ୍ତି ପନ୍ଦର କି କୋଡ଼ିଏ ଖଣ୍ଡ ଶଗଡ଼ ଗାଡ଼ି । ଗାଡ଼ି ପଛ ପଟେ ଉଡ଼ୁଛି ଅସୁମାରି ଧୂଳିର କୁହୁଡ଼ି । ବଳଦମାନଙ୍କ ଗଳାରେ ଘୁଘୁଳା ମାଳ । ଚାଲିଲା ବେଳେ ତୋଳୁଛି ଏକ ମଧୁର ଝଙ୍କାର । ଶଗଡ଼ିଆ ବାପୁଡ଼ା ମେଲି ଦେଇଛି ତାର ମନମତାଣିଆ ସ୍ଵରଲହରୀ । ଗାଡ଼ିଗୁଡ଼ିକ ଗଛ, ବୁଦା ଆଢ଼ୁଆଳରେ ଲୁଚି ଲୁଚି ଯାଉଛି । ହଜିଯାଉଛି ହଳିଆର ସୁମଧୁର ରାଗିଣୀ । ଅତି ନିର୍ଲିପ୍ତ ଚାହାଣୀରେ କଇରୁ ଅନେଇଛି ସେଇ ଆଡ଼କୁ । ଆଖି ଆଗରେ ଝଲସି ଉଠୁଛି 'କୁମ'ର ବିଭାଘରିଆ ବେଶ । କୁମ ତାର ଝିଅ । ବିଭା ହେବାର ବଏସ ହୋଇ ଗଲାଣି, କିନ୍ତୁ ସେ ଆଜିଯାଏ ଭାବି ନାଇଁ ତା କଥା କେବେ ? ତାପାଇଁ ବରପାତ୍ରଟିଏ ବି ଯୋଗାଡ଼ ହୋଇପାରି ନାଇଁ ଆଜିଯାଏ-। କେବଳ ଜୁଆ ଆଉ ଗଞ୍ଜେଇରେ ତାର ଦାମିକା ସମୟ ଗଡ଼ି ଯାଇଛି ଧିରେ ଧିରେ-

 

ବହୁ ବେଶରେ କେଡ଼େ ସୁନ୍ଦର ଦିଶନ୍ତା କୁମ । କେତେ ପିଠା ପଣାର ଉସୁନାକ ଲାଗିଯାନ୍ତା ତାର ଟିକି କୁଡ଼ିଆ ଭିତରେ । ବନ୍ଧୁବାନ୍ଧବଙ୍କ କଳରୋଳରେ ଉଛୁଳି ଉଠୁଥାନ୍ତା ଘର । ବାଜା, ନାଚ, ଆଉ ବରଘରର ଫୁଲ ରୋଷଣୀରେ ଦୁଲୁକି ଉଠୁଥାନ୍ତା ଗାଁ ଖୁଲି ! କିନ୍ତୁ କାହିଁ ସେ ଦିନ ? ସବୁ ସାତ ସପନ ହୋଇ ଯାଇଛି ଆଜି ଏଥିପାଇଁ ଦାୟୀ କିଏ ? ସେ ନିଜେ......ହଁ...ହଁ ଦାୟୀ ସେ ନିଜେ !

 

ସେ ନିଜେ ସୁନାଘରକୁ ତାର କରିଛି ଚୂନା । ଘରର ସର୍ବସ୍ଵ ହରାଇ ଆଜି ସେ ହୋଇଯାଇଛି ରାସ୍ତାର ଭିକାରି । ତା ନିଜ ଦୋଷରୁ ତା ଅବହେଳାରୁ ଆଜି ବିବାହିତା ପତ୍ନୀ ତାର ଚାଲିଯାଉଛି ଜୀବନର ପର ପାରିକୁ । ତାକୁ ସେ ଅଟକାଇ ପାରୁ ନାହିଁ । ଧିକ୍‍ ତାର ଜନମ କରମ-। ଧିକ୍‍ ତାର ମଣିଷ ପଣିଆ ! ତା ପକ୍ଷର ମରିଯିବା ବରଂ ଭଲ । ସେ ଆଉ ଜିଇଁ ଥାଇ ଲାଭ କଣ-?

 

ବମୋର ଗଛର ଡାଳଟିଏ ଲମ୍ବି ଆସିଛି ମୁଣ୍ଡ ଉପରକୁ । କଇରୁ ଉଠି ଠିଆ ହେଲା । ଅଣ୍ଟାରୁ ଗାମୁଛା କାଢ଼ି ଡାଳରେ ଗୋଟିଏ ଅଗ ବାନ୍ଧି ଆଉ ପାଖରେ ଘାସ ପକାଇ ଠିକ୍ ବେକରେ ଗଳାଇବାକୁ ଗଲାବେଳେ ହଠାତ୍ ପଛପଟୁ କେହି ଜଣେ ଭିଡ଼ି ଧରିଲା ତାକୁ । ଚାଉଁକିନା ଚମକି ପଡ଼ି ଅତରଛରେ ସେ ଅନେଇ ଦେଲା ପଛକୁ ଦେଖିଲା ଖଣ୍ଡେ ଦୂରରେ ଠିଆ ହୋଇ ମୁରକି ମୁରୁକି ହସୁଛି ତାର ପୁରୁଣା ଦୋସ୍ତ.....ପରମା ନାଏକ । କଇରୁର ଅତି ନିକଟକୁ ଆସି ଗମ୍ଭୀର ଅଥଚ କଡ଼ା ଗଳାରେ କହିଲା ପରମା–

 

‘‘ଧେତ୍ ପାଗଳ...ଏତିକିରେ ତୁ ଭାଙ୍ଗି ପଡ଼ୁଛୁ ? ପାପର ପ୍ରାୟଶ୍ଚିତ କଣ ଏପରି କରାଯାଏ ?’’ କଇରୁ ପରମାର ମୁହଁକୁ ବଲ ବଲ କରି ଅନାଇଁ ଥିଲା । ତାକୁ ଚୁପ୍ ରହିବାର ଦେଖି ପୁଣି କହିଲା ପରମା–

 

କଇରୁ ତୋର ମୁଣ୍ଡ କଣ ଖରାପ ହୋଇଗଲା କିରେ–ଏଡ଼େ ବଡ଼ କାଣ୍ଡ ତୁ ପୁଣି କରିବାକୁ ଯାଉଛୁ ତୋ ନିଜ ହାତରେ !

 

‘‘ମୋ ପାଖରେ ତୁ ରହନା ପରମା । ମୋ ସାଙ୍ଗରେ ଆଉ ଚାହାଳି ହ ନା । ତୋର ମୁଖଡ଼ା ମୁଁ ଦେଖିବାକୁ ଚାହେଁ ନାଇଁ ।’’ ଘୃଣା ଆଉ ବିରକ୍ତିରେ ମୁହଁ ନେଫଡ଼େଇ କହିଲା କଇରୁ ।

 

‘‘ହେଃ ମୁଁ ତତେ ଯେତେବେଳେ ମରଣ ମୁହଁରୁ ଘିଚି ଆଣିଛି ତୁ ଆଉ ମୋ ମୁଖଡ଼ା ଚାହିଁବୁ କାଇକି ? ତେବେ ମୁଁ ତତେ ଏତିକି ପଚାରୁଛି ପିଲା କବିଲା କାହାକୁ ଦେଇ ତୁ ଉଚ୍‍କି ହେଉଛୁ ?’’ ପରିହାସ ଗଳାରେ ପଚାରିଲା ପରମା !

 

‘‘ସେଥିରେ ତୋର ଯାଏ କେତେ ଆସେ କେତେ ? ଘରେ ନିଆଁ ଲଗାଇ ଦେଇ ତାଳି ମାରି ମଜା ଦେଖିବାକୁ ଆସିଛୁ ମୋ ପାଖକୁ ।’’ ରାଗିଲା ଭଙ୍ଗିରେ ସ୍ଵର ତୋଳି ଉତ୍ତର ଦେଲା କଇରୁ ।

 

‘‘ମୁଁ ତୋ ଘରେ ନିଆଁ ଲଗାଇଲି । ଜୁଆ ଖେଳି ଘର ବୁଡ଼ାଇଲି । ଆଉ ମାଇକିନାଙ୍କୁ ଧକ୍‍କା ମାରି ଘାଇଲା କଲି ନା । ଦେଖ୍ କଇରୁ, ମୋ କଥା ଯଦି ମାନି କାମ ନ କରୁ ପୋଲିସକୁ ସତ ଘଟଣା କହି ତତେ ବନ୍ଧେଇ ଦେବି । ଅଣ୍ଟାରେ ହାତ ଦେଇ କଇରୁକୁ କଟମଟ କରି ଚାହିଁ କହିଲା ପରମା ! ଏକଥା ଶୁଣି କଇରୁ ଟିକିଏ ଶଙ୍କିଗଲା ଭୟରେ । ସେ ବିକଳିଆ ହେଇ ମୁଣ୍ଡ ପୋତି କହିଲା– ‘‘ଆଜି ମତେ ଏତେ ସରିକି କଲାପରେ ବି ତୋର ମନ ବୁଝିନାଇଁ ପରମା ! ଫେର୍ ଆସିଛୁ ମଡ଼ା ଉପରେ କୋରଡ଼ ମାରିବାକୁ ।’’

 

‘‘ମାନ୍ ମୋ କଥା.....ତୋରି ଭଲ ପାଇଁ କହୁଛି ।’’

 

ପୁଣି ଦୃଢ଼ କରି କହିଲା ପରମା ।

 

‘‘ତୁ ମୋ ଭାଇ ବିପକ୍ଷରେ ମତାଇଲୁ । ତା ପଦର ଖଣ୍ଡକ ହାତ କରିବା ପାଇଁ ଷଡ଼ଯନ୍ତ୍ର କଲୁ । ଉଇଲ୍ ଷ୍ଟାମ୍ପ ଖଣ୍ଡକ ଫେରାଇ ଆଣିବା ବାହାନାରେ ମୋ ଭାଇ ବହୂ ଉପରେ କଲୁ ଜୁଲୁମ୍-। ମୋର ପୁତୁରାକୁ ଅଣବାପୁଆ ବୋଲି ପଞ୍ଚ ଡକାଇଲୁ ତୁ । ମୋ ସ୍ତ୍ରୀ ନାଁରେ ମିଛ କଳଙ୍କ ବୋଲିଥିଲୁ ତୁ । ଆଉ ଆସିଛୁ ମୋ ପାଖକୁ ଭଲେଇ ହେବାକୁ ।’’ କହୁଁ କହୁଁ କଇରୁର ନାକ ଫୁଲି ଫୁଲି ଉଠୁଥିଲା ରାଗରେ । ଆଖିରେ ଜଳୁଥିଲା ନିଆଁ ।

 

‘‘ତୁ ତ ଆଉ ରଙ୍ଗିଲା ଛୁଆ ନୁହେଁ ଯେ ମୁଁ ଯାହା କହିଦେବି କରିଦେବୁ । ତୋର ତ ଫେର୍ ବିବେକ ଅଛି ବୁଝିବା ଶକ୍ତି ଅଛି । ମୁଁ ଜାଣିବାକୁ ଚାହେଁ, ତୁ ମରିବାକୁ ଯାଉଛୁ କାହିଁକି ?’’ ପଚାରିଲା ପରମା ।

 

‘‘ମୁଁ ଆଉ ବଞ୍ଚିଥାଇ ଲାଭ କଣ ? ମାଇକିନାଟା କଲବଲ ହେଉଥିବ, ଆଉ ମୁଁ ଦେଖୁଥିବି ଚୁପ୍ ହେଇ । ମୋର ଟଙ୍କା ଲୋଡ଼ା । ମାତ୍ର କେତେଟା ଟଙ୍କା’’ ବିକିଳିଆ ହେଇ କହିଲା କଇରୁ । ଆଖିରେ ତାର ଜକେଇ ଆସୁଥିଲା ଲୁହ ।

 

‘‘ଖାଲି ଟଙ୍କା କେଇଟା ପାଇଁ ବହୁମୂଲ୍ୟ ଜୀବନଟାକୁ ସାରି ଦେଉଛୁ କଇରୁ ? କିଛି ଚିନ୍ତା କରନା, ମୁଁ ତତେ ଟଙ୍କା ଦେବି । ମାତ୍ର ମୋର ଗୋଟିଏ ସର୍ତ୍ତ ରଖିବାକୁ ହେବ ।’’ ଅତି ସହଜ ଗଳାରେ ମୁରୁକି ହସି କହିଲା ପରମା ନାଏକ ! କଇରୁ ଅନାଇଥିଲା ପରମାର ମୁହଁକୁ, ମରୁଭୂମିରେ ଶୋଷିଲା ବାଟୋଇ ଝରଣାର ସୁରାକ୍ ପାଇଲା ପରି ! ସେହିପରି ସହଜ ଗଳାରେ କହିଲା ପରମା– ‘‘ମୁଁ ତୋତେ ଟଙ୍କା ଦେବି । କିନ୍ତୁ ସର୍ତ୍ତ ହେଉଛି–କୁମ ହେବ ମୋର । ମୋ ସଙ୍ଗେ ବିଭା ଦେବାକୁ ତୁ ରାଜି ହେବୁ । ବାସ୍‍–ସେତିକି । କଣ କହୁଛୁ.... ?’’

 

କଥାଟା ଶୁଣି ହଠାତ୍ ଚଡ଼କ ପଡ଼ିଲା ପରି ଲାଗିଲା କଇରୁକୁ । କେଡ଼େ ନୀଚ; କେଡ଼େ ସ୍ୱାର୍ଥପର ସତେ ପରମା ! କେଡ଼େ କୁତ୍ସିତ ତାର ଏ ସର୍ତ୍ତ । କଣ କରିବ ସେ ? ତାକୁ ଉପାୟ ଦିଶୁନାହିଁ । ନିରୀହା ରେବକୁ ବଞ୍ଚାଇବାକୁ ହେଲେ ତାର ଟଙ୍କା ଲୋଡ଼ା । କିନ୍ତୁ ତାର ଆଦରର ସୁକୁମାରୀ ଝିଅକୁ ଛେଳି ମେଣ୍ଢା ପରି ବିକ୍ରିକରି ସେ ଟଙ୍କା ଆଣି ପାରିବ ନାହିଁ । ଅମଣିଷ ଜାନୁଆର ହାତରେ ଜାଣି ଜାଣି କଅଁଳା ଝିଅକୁ ଟେକି ଦେବ କିପରି ? ଜାଣି ଜାଣି ଜୀବନଟାଯାକ ତାକୁ ସେ ଦହସତ କରି ମାରିବ କାହିଁକି ? ନା ସେ ଏହା କରି ପାରିବ ନାହିଁ । ତା ଦେଇ ଆଉ ହେଇ ପାରିବ ନାଇଁ ଏ କଥା । କଇରୁର ଦେହ ସାରା ଝାଳେଇ ଗଲା ଭାବୁ ଭାବୁ । ମୁଣ୍ଡ ତାର ଗୋଳମାଳ ହୋଇଗଲା ।

 

ଏଇ ପରମାର ପ୍ରରୋଚନାରେ ପଡ଼ି ଦିନେ ସେ ହୋଇଥିଲା ପୋଖତ ଜୁଆଡ଼ି । ଏଇ ପରମାର କୁଶିକ୍ଷା ବୁଧିରେ ପଡ଼ି ଗାଁ ପଞ୍ଚସଭା ଉପରେ ସେ ଘୋଷଣା କଲା ମହନର ମଲାଖବର-। ଏଇ ପରମାର ଷଡ଼ଯନ୍ତ୍ରରେ ଭୁଲି ସେ ତୁଲ୍‍ସାର ମହତ ଉଖୁଲା କରିବାକୁ ଗୁଣ୍ଡା ପୋଷିଥିଲା ସିନା–ସେଇ ପରମା ଆଜି ପୁଣି କେତୋଟି ଟଙ୍କାର ଲୋଭ ଦେଖାଇ ତାରି କଲିଜାର ଟୁକୁରାଟିଏ ଛଡ଼ାଇ ନେବାକୁ ବସିଛି । ଆଜି ସେ ତାକୁ ଜୀଅନ୍ତା ଛାଡ଼ିବ ନାହିଁ ! ନିଷ୍ଠୁର ଜୁଆଖୋରର ମୁଣ୍ଡ ବିଦାରି ଟିକି ଟିକି କରି ଛିଣ୍ଡାଇ ଦେବ ତାର କଲିଜା । ତେବେ ଯାଇ ରାଗ ତାର ମେଟିବ । ସେଇ ହେବ ତାର ଅସଲ ପ୍ରତିଶୋଧ । କଇରୁର ଆଖି ଡୋଳା ଦୁଇଟି ଘୂରୁଥିଲା କୁମ୍ଭାର ଚକ ପରି-। ହାତ ଗୋଡ଼ ଥରୁଥିଲା ଲଜ୍‍ଲଜ୍ ହେଇ । ପରମା କିଛି କହିବା ଆଗରୁ ହାତ ବଢ଼ାଇ ସେ ପରାମା ଆଡ଼କୁ ଧାଇଁଗଲା ଠିକ୍ ଚିଲପକ୍ଷୀ ପାହାଡ଼ିଆ ମୂଷା ଉପରକୁ ଝାମ୍ପ ମାରିଲା ପରି । କଇରୁର ଏଇ ବିଚ୍‍କିଟିଆ ରୂପ ଦେଖି ଶିହରି ଉଠିଲା ପରମାର ଦେହ । ଦୁଲୁକି ଉଠିଲା ତାର ଛାତି-। ସେ ପଳାଇବା ଆଗରୁ ଦୁଇ ହାତରେ କଇରୁ ଜାବୁଡ଼ି ଧରିଲା ତାର ତଣ୍ଟି । ପରମା ପାଟି କରି ରଡ଼ି ଛାଡ଼ିଲା । ‘‘ମାର୍‍ନା ମତେ କଇରୁ–ମୋତେ ମାରନା–ମୋର ଭୁଲ୍ ହୋଇଛି, ଛାଡ଼ିଦେ ମତେ-। ତୋର ପାଦ ଧରୁଛି ।’’

 

କଇରୁର ହାତମୁଠା ଢିଲା ହୋଇ ଆସିଲା । ଛାଡ଼ି ଦେଲା ସେ ପରମାର ଗଳା । ଠିକ୍ ଚିଲ ଥଣ୍ଟରୁ ଖସି ପଡ଼ିଥିବା ପାହାଡ଼ିଆ ମୂଷା ପରି ପରମା ଅତରଛନିଆଁ ହେଇ ପାହାଡ଼ ଉପରୁ ଡିଆଁ ମାରି ପଳାଇଲା । ନିରର୍ଥକ ଆଖିରେ ସେଆଡ଼କୁ ଅନାଇ ଥିଲା କଇରୁ । ହଠାତ୍ ଭୋକିଲା ଆଖି ତାର ଚିକ୍ ଚିକ୍ କରୁଥିବା ଗୋଟିଏ ଜିନିଷ ଉପରେ ଖୋସି ହୋଇ ଗଲା । କୌତୂହଳରେ ସେ ତାକୁ ତଳୁ ଗୋଟାଇ ଆଣି ଦେଖିଲା, ଗୋଟିଏ ସୁନାହାର ଖରା ତେଜରେ ଚିକ୍ ଚିକ୍ କରୁଛି । ହାର ଦେହରେ ଲାଗିଛି ରକ୍ତର ଦାଗ । ଗଲା ରାତିର କଥା ତାର ହଠାତ୍ ମନେ ପଡ଼ିଗଲା । ରକ୍ତ ଯୁଡ଼ୁ ବୁଡ଼ୁ ହାତରେ ରେବ ବଢ଼ାଇ ଦେଇଥିଲା ତା ହାତକୁ ଏଇ ସୁନାହାରଟି । ଅଣ୍ଟି ଖୋସଣିରୁ ଖସି ପଡ଼ିଛି କେତେବେଳେ ତାକୁ ଜଣାନାହିଁ । ହାର ଦେଖି କଇରୁର ଶେତା ମୁହଁରେ ଫୁଟି ଉଠୁଥିଲା ସରସତାର ଆଭା । ଠିକ୍ ସେତେବେଳେ ମୁଣ୍ଡ ଉପରକୁ ଚଢ଼ି ଆସୁଥିଲା ବେଳ । କଇରୁ ମୁହଁର ଝାଳ ପୋଛିଲା । ବମୋର ଗଛ ଡାଳରୁ ଡେଣା ଝାଡ଼ି ଉଡ଼ିଗଲେ ଟିଟେଇ ଚଢ଼େଇ ହଳେ । ଚମକି ପଡ଼ିଲା ସେ...

 

ତେର

 

କୁହୁଡ଼ି ରଙ୍ଗର ଫୁଲ ଫୁଟା ପାଟ ଶାଢ଼ି ପିନ୍ଧି କେଉଁ ଦୂର ଦେଶରୁ ଧରଣୀ ଉପରେ ଓହ୍ଲେଇ ଆସିଲା କାର୍ତ୍ତିକ । ହାତରେ ତାର ମାଳ ମାଳ ଶିଶିର ମୁକୁତା ହାର । ମାଟି ମାଆର ଦେହସାରା ଜଡ଼େଇ ଦେବ ବୋଲି ଆଣିଛି ଉପହାର । ଆଟମାଳରେ ଛଣ ଆଉ କାଉଁରିଆର ବିଚିତ୍ର ପରିପାଟି । ସୁନାରଙ୍ଗିଆ ଫୁଲ ଗଜରାରେ ବେଣୀ ସାଜିଛି ଛଣଗଛ । ହିଡ଼ କଡ଼େ କଡ଼େ ଅସୁମାରି ସେବତୀ ଆଉ ମଖ୍‍ମେଲ୍ ଫୁଲର ରୋଷଣୀ । ଜାତି ଜାତିକା ପ୍ରଜାପତି ଡେଣା ଝାଡ଼ି ଫୁଲର ନରମ ଗାଲରେ ଆଙ୍କି ଦେଉଛନ୍ତି ଗୋଟିଏ ଗୋଟିଏ ସରୁ ଚୁମ୍ବନ । ଶୀତେଇ ଉଠୁଛି ଫୁଲର ଦେହ । ହାତରେ ଦାଆ ଧରି ଅଣ୍ଟା ନୁଆଇଁ ଛଣ ଦଉଛି ମହନ । ପାଖରେ ବାଙ୍କୁଡ଼ି ଶିଂଘା ଗଡ଼ରା ପଟକ ମୁଣ୍ଡ ଗାଜି ଚରୁଛି । ଖରା ପଡ଼ିବା ଆଗରୁ ମହନ ଲାଗିଛି ତା କାମରେ । ଗଲା ରାତିରେ ଘରକୁ ଯାଇ ନାହିଁ । ଖେତରେ ହରିଶଙ୍କର୍ ଡେଙ୍ଗୁବରେହି ଆଦି ଧାନ ପାଚିଗଲାଣି । କର୍ଣ୍ଣି, କୁସୁମାତକ ତ କେଭୁଁ ଆଦାୟ ହେଇ ଘରକୁ ଅଣା ସରିଲାଣି । ବାହାଲରେ ବାକୀ ଝିଲିପୁଆଗି ନାମାଲ୍ ଆଦି ବଡ଼ ଧାନ ସବୁ ଖେଡ଼ ପୁର୍‍ରେଇ ବସିଲାଣି । ଏସୁବର୍ଷ ଚୋରର ରାକା ଶୁଣି ମହନ କୁର୍‍ମା ଗାଡ଼ି ଖେତରେ ଶୋଉଛି । ଗାଁର ହାନିଲାଭ ଭଲମନ୍ଦ କିଛି ଜାଣି ପାରୁନାହିଁ । ତାର ବିଲୟ ନାହିଁ ସେଇ ଆଡ଼କୁ । ନିଜ ବାରି ଆଉ ବେଉସା ଛାଡ଼ି ଅନ୍ୟଥିରେ ମୁଣ୍ଡ ପୁରାଇବା କି ଦରକାର ? କଣ ବା ମିଳିବ ତାକୁ ସେଥିରୁ ? କେତେ ବେଳୁ ଏକ କଣ୍ଟରେ ଦାଇ ଦାଇ ଅଣ୍ଟା ଭାଙ୍ଗି ପଡ଼ିଲାଣି । ତେଣୁ ଦା'ଟା ତଳେ ଥୋଇ ଦେଇ ହାଇ ମାରି ଟିକିଏ ଛାଟ୍ ହେବା ପାଇଁ ସେ ଠିଆ ହେଲା ।

 

ଶିଶିର ମଖା ଘାସ ଗାଲିଚା ଉପରେ ପାଦ ରଖି ଜାଡ଼ରେ ଗୋଡ଼ କୋଲ ମାରି ନେଉଛି-। ଖରା ପଡ଼ିନାହିଁ ଭଲ କରି । ପାଖ ବହଳ ଆଉ ପଲ୍‍ସା ଗଛର ଚଉଡ଼ା ଚଉଡ଼ା ପତ୍ର ଅଗରୁ ନିର୍ଝରି ପଡ଼ୁଛି କାକର ବୁନ୍ଦା । ମହନ ନିଆଁ ବେଣ୍ଟିଆ ଆଣି କାନସନ୍ଧିର ଥୁଣ୍ଟି କାହାଳି ଲଗାଇ ନିଆଁ ଧରାଇଲା । କଡ଼ାକରି ଦୁଇ ଦମ୍ ଧୂଆଁ ଟାଣି ଦୂରରୁ କିଏ ଆସୁଥିବା ଜାଣି ସେଆଡ଼କୁ ନିଘା କଲା-। ଦୂର ପାହାଡ଼ ମାଳ କୁହୁଡ଼ି ଚାଦର ଘୋଡ଼ି ହୋଇ ଶୋଇଛନ୍ତି । ଏତେ ବେଳଯାଏ ନିଦ ତାଙ୍କର ଭାଙ୍ଗିନାହିଁ । ଏପଟକୁ ହାତୀ ପାଞ୍ଜଲ ଗଛ କଡ଼େ କଡ଼େ ଲାଗିଛି କାଇଁସ ଗଛର ଅରମା ଜଙ୍ଗଲ-। ସକାଳୁଆ ଜାଡ଼ ପରଦା ଖୋଲି ସୁରୁଜ ଉଇଁ ଆସିଲେଣି ଦୂର ଦିଗ୍‍ବଳୟ ଆର ପାରିରୁ । ତାଙ୍କରି ଆସିବା ବେଳକୁ ଟାକି ଟାକି ଚାମର ଢାଳୁଛି କାଇଁସ ବଣ ।

 

ତୁଲ୍‍ସାର ଆସିବା ବେଳ ହୋଇନାହିଁ । ସେ ସବୁଦିନ ଆସେ ମୁଣ୍ଡରେ ଥିର କଂସା ଧରି-। ଛେଳି ଢିଲା ବେଳକୁ ମହନ ଅନେଇଁଥାଏ ତାହାରି ବାଟକୁ । ଘଡ଼ି ନାଇଁ, ଘଣ୍ଟା ନାଇଁ ହେଲେ ଠିକ୍ ବେଳ କାଳ ଜାଣି ସେ ଆସି ପହଞ୍ଚି ଯାଏ । ଏଇ ଜାଡ଼ ସକାଳରେ ଗରମ କାହାଳି ଧୂଆଁ ଦୁଇଢୁକା ଛାତିକି ଉଷୁମ ଆଣୁଛି । ବେଶ୍ ଆରାମ ଲାଗୁଛି ତାକୁ । କବାର କରି କରି ଯେତେବେଳେ ପାଟି ପିତା ପିତା ଲାଗେ, ସେତେବେଳେ ଏଇ ଧୂଆଁ ଦୁଇଢୁକା ଏକା ଦେହରେ ଦିଏ ତାର ନୂଆ ବଳ, ନୂଆ ଆଗ୍ରହ ।

 

ମହନ ଦେଖିଲା ଯୋର କୂଳିଆ କାଇଁସ ଲଟା ପାରି ହୋଇ କେହି ଜଣେ ଆସୁଛି ତାରି ଆଡ଼କୁ । ସର୍ବାଙ୍ଗଯାକ ଦେଢ଼ି ଚାଦରରେ ଘୋଡ଼ି ହେଇଛି । ଚିହ୍ନି ହେଉ ନାହିଁ । ଆଡ଼ି ଉପରକୁ ଚଢ଼ି ସେ ଲୋକଟାକୁ ଚିହ୍ନି ପାରି ଯୁହାର କଲା ।

 

‘‘ଆରେ, ମୁନ୍‍ସୀ ମଉସା ତ ? ଆଜି ବାଟ ଘାଟ ଭୁଲିଗଲ କାଏଁ ମଉସା ? ...କେନ କାଳେ ତ ଦେଖା ଦର୍ଶନ ନାଇଁ ? ଆଜି କେନ୍ ଆଡ଼ୁ ଫେର୍‍ ବେଲ୍‍ ଉଦିଲା ?’’

 

ଲୋକଟାକୁ ଦେଖି ହସି ହସି ମହନ କହିଲା । ମୁଣ୍ଡ ଉପରୁ ଦେଢ଼ି ଚାଦରର ଓଢ଼ଣା ଖସାଇ ଦେଇ ଭାନୁମଲ ପନ୍‍ସାରୀଙ୍କ ମୁନ୍‍ସୀ କହିଲେ– ‘‘କଣ କହିମିରେ ପୁଅ । ଇ ବୁଢ଼ା ବଏସରେ ତ ହକିକତ୍ ହେବାକୁ ମୋ କପାଳରେ ଲେଖା ଅଛି । କାହାକେ କହିମି । ସବୁ ମୋ ଭାଗ୍ୟର ଦୋଷ...... !’’

 

ମହନ ଥୁଣ୍ଟି କାହାଳିରେ ନିଆଁ ଧରାଇ କହିଲା– ‘‘କଣ ହେଲାକି ମଉସା ? ଏତେ ସକାଳୁ କଣ ଗରଜ ପଡ଼ିଲା ଆଜି ?’’ ମୁନ୍‍ସୀ ବୁଢ଼ା ଚନ୍ଦାମୁଣ୍ଡରେ ଅଲରା ବାଳ ଦୁଇକେରା ସାଉଁଳୁ ସାଉଁଳୁ କହିଲେ– ‘‘ଗରଜ କଥା କଣ ପଚାରୁଛୁ ବାବୁ ? ଇ ଯାଡ଼ କାକରରେ ନିଆଁ ଉମ୍ଭେଇ ଛାଡ଼ି ଘରୁ ଫେର୍‍ ଗୋଡ଼ କାଢ଼ିବା କିଏ ? ହେଲେ ଦଇବ ଦଉଡ଼ି ମନୁଷ ଗାଈ । ଆମର ଆଉ ଆଇତ କଣ ? ମହନ ଥୁଣ୍ଟା କାହାଳିଟା ଫିଙ୍ଗି ଦେଇ ହିଡ଼ ତଳେ ମେଞ୍ଚାଏ ଛେପ ପକାଇ ବୁଢ଼ା ମୁହଁକୁ ଖାଲି ଅନେଇ ରହିଲା । ସେ ତାଙ୍କ କଥାର ମତଲବଟା ବୁଝି ପାରିଲା ନାହିଁ । ମୁନ୍‍ସୀ ବୁଢ଼ା ମହନର ମୁହଁରୁ ସେ କଥା ଠଉରେଇ ନେଇ କହିଲେ– ‘‘କଥା କଣ କି ? ରାମପୁରରେ ତିଆଡ଼ି ଘର ମଝିଆ ପୁଅ ସଙ୍ଗରେ ବୁଇର ସମ୍ପର୍କ କଥା ଠିକ୍‍ଠାକ୍ ହୋଇଥିଲା । ପଡ଼ାପାଟକ ସଙ୍ଗରେ ନେଇ ଟଙ୍କା ନଡ଼ିଆ ଧରାଇ ଦେଇ ଆସିଥିଲି । ଲଗ୍ନ ହେଲା ମଡ଼ୁଆ ଛ ମଡ଼ା ମରା ହେଲା । ବନ୍ଧୁବାନ୍ଧବଙ୍କୁ ଖାଲି ଗୁଆ ନିଉତା ଦେବାର ବାକି । ଶୁଣିଛି ତିଆଡ଼ି ପରା ପରସ୍ତାବରେ ରାଜି ନୁହେଁ । ଏବେ ତୁଇ କହ ପୁଅ, ଏଥିରେ କାର୍ ମନଟା ଖରାପ ନ ହେବ ?

 

ମହନ ତଳକୁ ମୁଣ୍ଡ ଗାଜି ଏ କଥାଗୁରାକ ଶୁଣୁଥିଲା । ଲମ୍ବ ନିଶ୍ୱାସଟାଏ ଛାଡ଼ି ମୁଣ୍ଡ ଟେକି ସେ କହିଲା–ହଁ ଇନ୍ତା କଥା । ଇ ଟା କାହାର ଚାଲବାଜି ବଲି ତ ମୋର ପୂରା ବିଶ୍ୱାସ । ତିଆଡ଼ି ତ ଦୁଚଡ଼ିଆ ଲୋକ ନୁହେଁ । ପରର ଶିକ୍ଷା ବୁଦ୍ଧିରେ ପଡ଼ି ଆଜି ସେ ଅସତିଆ ହେଉଥିବ । ସାତ୍ କଥାଥି ସତୀ ତୁଲସି ବଲସନ୍ ପାରେ ?

 

‘‘ସେଥିର୍ ଲାଗି ତ ଇ ଶୀତ କାକର ସକାଳ ପହରୁ ତାର ପାଖକୁ ଦଉଡ଼ି ଥିଲି ।’’

 

‘‘କଣ କହିଲା...... ?’’

 

‘‘କଣ ଆଉ କହିବ ! ସେ ଗୁଟେ ଯିବ ତ । ଘଡ଼ି ସାଇକେଲ ନାଇଁ, ହେଲେ ତାର ପୁଅ ବେଦୀକୁ ଯିବନାଇଁ । ପଦେକେ ଛିର୍‍ଲା ।’’

 

‘‘ଘଡ଼ି ସାଇକେଲ....ହେଃ ହସ ଲାଗୁଛି ମଉସା ! ଇ ସହରିଆ ଖାତୁ ଫେର୍ ନିପଟ ମଫସଲମାନଙ୍କୁ କିପରି ଚାପି ଆସିଲାଣି ଦେଖ । ଆରେ ବାବୁ, ମାଇନର ତକ୍ ତ ନାଇଁ ଡେଗ୍‍ଲ । ଶାଠେ ଟଙ୍କିଆ ମାଷ୍ଟର ମୁଡ଼୍‍କେ ବି ଅଲାଏକ୍ । ଫେର୍ ଘଡ଼ି ପିନ୍ଧି ସାଇକେଲ ବଘ୍‍ବ କେନ୍ ଲାଜେ......ସଳା ଚିପୋ...ଘଡ଼ି ସାଇକେଲ ମୂଲଉଛେ ଘୃଣାରେ ମୁହଁ ନେଫଡ଼େଇ ମହନ ଏ କଥାତକ କହି ଛେପ ପକାଇଲା ।

 

‘‘ନାଇଁ ମହନ...ସେଥିକୁ ମୁଁ ବି ଅପରାଗ ନୁହେଁ । ହେଲେ ଚାକିରିଟେ ଥିଲା ଯେ ଦୁଇପଇସା ଆସୁଥିଲା । ଘରର ଭାବ ଅଭାବକୁ କେଡ଼େ ଉପଗାର କରୁଥିଲା । ସେ କଥା ତ ଆଉ ଏବେ ନାଇଁ । ଟେକ ଟାଣ ମୋର ଭାଙ୍ଗିଯାଇଛି । ଜମି ଦୁଇ ଡୁଲିରୁ ଯାହା କମାଣି, ଛୁଆପିଲା ଘରକୁ ତ ସେତକ ନିୟଣ୍ଟ । ଆଉ ଏବେ ଘଡ଼ି ସାଇକଲ କିଏ ଆଉ ମୁଁ କିଏ ?

 

ମୁନ୍‍ସୀ ବୁଢ଼ା ମୁହଁରୁ ଏଇ ଉଦାସିଆ କଥା କେଇ ପଦ ଶୁଣି ମହନ ଚମକି ପଡ଼ିଲା । ଥରିଲା ଗଳାରେ ସେ ପଚାରିଲା– ‘‘କଣ କହିଲା ମଉସା ? ଚାକିରି ନାଇଁ.... ?

 

କଥା ତଣ୍ଟିରେ ଅଟକି ଗଲା । ସେ ବଲବଲ କରି ଅନେଇ ରହିଲା ମୁନ୍‍ସୀ ବୁଢ଼ାର ନୀରସ ରୂଢ଼ିଆ ଚେହେରା ଆଡ଼େ । ମୁନ୍‍ସୀ ବୁଢ଼ା ଅଣ୍ଟି ଖୋସଣୀରୁ ଭାଙ୍ଗ ଡିବା କାଢ଼ି ଦୁକୁତା ଟିପେ ଜିଭ ଅଗରେ ପକେଇ କହିଲେ–

 

ତୁ କଣ ନିଜେ ଜାଣୁ ମହନ ? କାଲି ମହାଜନ ମୋର ଉପରେ ତୁଛାରେ ରଗ ରଗ ହେଲା । ବିରକ୍ତ ହୋଇ ମୁହଁ ନେଫଡ଼େଇ ଶୁଣେଇ ଦେଲା ଯେ ମୋର ଆଜିଠାରୁ ଛୁଟି । ମୋର ଜାଗାରେ ସେ ନୂଆ ଲୋକ ମୁକ୍‍ରିର କରିବ । କାମ କରି କରି ଆସି ବୁଢ଼ା ହେଲୁ । ଇ ଲାଲ ବସ୍ତାନି ଘାଣ୍ଟି ଘାଣ୍ଟି ଦିହକ କାଟିଲା । ଇ ହାତେ ହଜାର ହଜାର ଟଙ୍କା ଗଣି ହଜାର ହଜାର ତମସୁକ୍ କାରବାର କରି ଆଖି ପିତ୍‍ଲେଇ ଯାଇଛି । ଆଉ ଆଜି ଆମେ ହେଲୁ ହିସାବ ପତରକୁ ଅପାରବାର-। କେଡ଼େ ଫେସାଦି କଥା ଦେଖ୍ ତ ବୁଆ । ହଉ....

 

‘‘କାହାକୁ ଫେର୍ ମହାଜନ ରଖୁଛି...... ?

 

‘‘କାହାକୁ ଆଉ ରଖିବ, ସେ ପରମା !! ଯେତେ ସବୁ ଅନ୍ୟାୟ ଅନୀତିର ମୂଳେ ତ ସେ-। ସେ ଯେନ୍ତା କରି ନଚଉଛେ, ମହାଜନ ଠିକ୍ ସେନ୍ତା ନାଚୁଛି ।’’

 

କହି କହି ମୁନ୍‍ସୀ ବୁଢ଼ା ଚାଲିଯାଉ ଥିଲେ । ଅଧବାଟରୁ ଫେରି ଆସି କଥାର ଖିଅ ଧରି କହିଲେ–‘‘ତିଆଡ଼ିର ପିଲା ଘଡ଼ି ସାଇକେଲର କଣ ନାଁ ଶୁଣିଥିଲା କେବେ ? ଇ ସଲା ପରମା ତାକୁ ଶିଖେଇ ପଢ଼େଇ ମତାଇଲା ବଲି ସିନା, ଆଜି ସେ ରୁବାବ୍ କାଢ଼ୁଛି ?’’

 

ଏତିକି କହି ସାରି ସେ ତର ତର ହେଇ ଚାଲିଯାଉ ଥିଲେ । ହଠାତ୍ ଫେର୍ କଣ ମନେ ପଡ଼ି ଯିବାରୁ ପୁଣି ବୁଲି ପଡ଼ି ମହନ ପାଖକୁ ଫେରି ଆସି କହିଲେ– ‘‘ଆଉ ଫେର୍ କଣ ? ନିଜେ ମହାଜନର ମୁନ୍‍ସୀ ହେବ ବୋଲି ତ ମହାଜନର ପଛରେ ଲାଗି ଲାଗି ମୋର ଚାକିରି ନେଲା । ଇ ବୁଢ଼ା ବଏସେ ମୋର ଦାନା ମାର୍ ଲା । ଏ ଧର୍ମ ସହିବ ? ଫଳିଯିବ ନାଇଁ ତାର ଦିହେ ?

 

ମହନ ବୁଢ଼ା କଥାକୁ ସମର୍ଥନ କରି କହିଲା– ‘‘ହଁ–ହଁ । ସେ ସବୁ ଅଧରମ କଥା ଟିଖେ ପାର୍ ଯିବ ନାହିଁ ଯେ । ଢେଲାଟେ ମାରିଥିଲେ ପଥରଟେ ଥୁଆ ହୋଇଛି । ଆଉ ବିନାଦୁଷେ ଆଜି ତୁମର ଯେଉଁ ସର୍ବନାସ କଲା, ପରମା ତାର ପରାଭୋଗ ନାଇଁ । ଭୁଗି ଆଉ ଯିବା କେନ୍ ଆଡ଼େ ! ର–ର ଇ ଆଖି ଦେଖିବ !!

 

ଟିକିଏ ମହନ ପାଖକୁ ଲାଗି ଆସି ମୁନ୍‍ସୀ ବୁଢ଼ା ଫେର୍ ଆରମ୍ଭ କଲେ– ‘‘ତୋର ପଦର ଖଣ୍ଡକ ହାତ କରବାକେ ଆଉ ଏତେ ଫନ୍ଦି ଫିକର କାହିଁକି ଜାଣିଛୁ ? ସେଠି ପରା ଧାନକଳ ଆଉ କରତ କଳ ହେବା ପାଖେ ଇସଟେସନ୍ ହେଉଛି କି ନାଁ । ତାକୁ ମାଲ୍ ନେବା ଆଣିବାକୁ ସୁବିଧା ହେବ । ନିଜେ ପରମା ହେବ ଇ ମିଲମାନଙ୍କର ମେନେଜର । ସେଥିର୍ ଲାଗି ସିନା ତୋର ପଦର୍ ପିଛାରେ ସେ ଏତେ ଲାଗିଛି । ବଡ଼ା ଗହୀର୍ ଚାଷ ମହନ । ମୁଇଁ ତା ଭିତରେ ଥିଲି ବଲି ସବୁ ଜାଣିଛି ସିନା । ନାଇଁ ହେଲେ ଇ କଥା ଆଉ କେହି ନାଇଁ ଜାଣି ।’’

 

ମହନ ମୁନସୀ ମୁହଁରୁ ଏତେଗୁଡ଼ାଏ ଭିତିରି କଥା ଶୁଣି ତାଟକା ହୋଇଗଲା । ଆଜି ସେ ପରମାର ମତଲବ୍ ବେଶ୍ ଜାଣି ପାରିଲା । ଏଇ ଭୂଇଁଖଣ୍ଡକ ହାତ ପୈଠ କରିବା ପାଇଁ ପରମା କେଡ଼େ ନୀଚ୍ଚସ୍ତରକୁ ଚାଲିଯାଇଛି । କଇରୁକୁ ହାତବାରିଶି କରି କି ଚକ୍ରାନ୍ତ ନ କରିଛି ସେ ? ବିନା ଦୋଷରେ ତା ଉପରକୁ ଯେଉଁ ବିପଦର ଲହଡା ମାଡ଼ି ଯାଇଛି ଗୋଟିକ ପରେ ଗୋଟିଏ ହେଇ । ହେତୁ କଲେ ଆଜି ବି ଦେହ ତାର ଶୀତେଇ ଉଠେ । ଧମନୀରେ ତାତି ଉଠେ ରକ୍ତ । ଗଲା କଥା ସବୁ ଭାବୁ ଭାବୁ ମହନର ଛାତିରେ କୁହୁଳି ଉଠେ ନିଆଁ ।

 

ମୁଣ୍ଡରେ ଥିର କଂସା ଧରି କେତେବେଳୁଁ ଆସି ପହଞ୍ଚି ଗଲାଣି ତୁଲ୍‍ସା । ସେଆଡ଼କୁ ମହନର ନିଘା ନାଇଁ । ମୁନ୍‍ସୀ ବୁଢ଼ା ଚାଲି ଗଲେଣି । ସେଆଡ଼କୁ ବି ଖିଆଲ ନାଇଁ ତାର । ସେ ଖାଲି ଭାବୁଛି ପରମା ନାଏକର କଥା । ଅତୀତ ଆଉ ଭବିଷ୍ୟତ ମଧ୍ୟରେ ତୁଳି ଦେଖୁଛି ସେ । ବେଳୁବେଳ ଆଖିକି ତାର ସବୁ ଦିଶୁଛି ଜାଲୁ ଜାଲୁଆ । ଝାପ୍‍ସା ଗଲା କଥା ସବୁ ନାଚିଯାଉଛି ଆଖି ଆଗରେ । ଦିନେ ରାତିରେ ଏଇ ପରମା ଆସିଥିଲା ତା ସ୍ତ୍ରୀ ପାଖକୁ । ଉଇଲ ଷ୍ଟାମ୍ପଖଣ୍ଡକ ଫେରାଇ ନେବାକୁ ଜୁଲମ କାଢ଼ିଲା । ସେଥିରେ ତାର ଦାଉ ମେଣ୍ଟିଲା ନାଇଁ । ଛିନାରୁକା ଦେଖି ସଞ୍ଜବେଳେ ଦିନେ ତୁଲ୍‍ସା ଉପରେ କଣ ନ କଲା ? କେତେ କଷ୍ଟ ନ ସହିଛି ଏଇ ନୀରିହା ମାଇପିଟି । କଇଁଫୁଲ ପରି କଅଁଳ ନାଡ଼ଟିଏ, ଅକାଳରେ ଝାଉଁଳି ପଡ଼ିଥିଲା । ଠିକଣା ବେଳେ ସେ ଆସି ପହଞ୍ଚିଲା ବୋଲି ସିନା, ନ ହେଲେ ଖରାଝାଞ୍ଜିରେ ସଜଫୁଲ ପରି କେଭୁଁ ମଉଳି ପଡ଼ନ୍ତାଣି । କାହାକୁ ନେଇ ସେ ଆଜି ଘର କରିଥାନ୍ତା ! କା'ର ଅପେକ୍ଷାରେ ସେ ଏଇ ନିଛାଟିଆ ଖେତ, ବାହାଲ, ଯୋର କୂଳରେ ଟାକି ବସିଥାନ୍ତା । ଏ ସବୁ ଗଲା କଥା ଭାବୁଁ ଭାବୁଁ ମହନର ମନ ବିକଳରେ ବାହୁନି ଉଠୁଥିଲା । ଆଖି କୋଣରେ ତାର ଜକେଇ ଆସୁଥିଲା ଲୁହ । ହଠାତ୍ ତୁଲ୍‍ସାର କଅଁଳ ଡାକରେ ଚିନ୍ତା ରାଇଜରୁ ଫେରି ଆସିଲା ତାର ମନ । ଓଠ କଡ଼ରେ ମୁରୁକି ହସର ଢେଉ ଖେଳେଇ ମହନ ପିଠିକୁ ଲାଗି ଆସି ତୁଲ୍‍ସା ପଚାରିଲା– ‘‘ଏଗ୍‍ବାରି ଚମ୍‍କି ପଡ଼ୁଛ ଯେ–କାଣା ଭାବୁଛ ଏତେ...... ?’’

 

ମହୁବୋଳା ଏଇ କଥାପଦକ ଶୁଣି ମହନର ସବୁ ଚିନ୍ତା, ସବୁ ଦୁଃଖ ଉଭେଇଗଲା । ସତେ ଯେପରି ସେ ପାଇଛି ନୂଆ ଜୀବନ ! ଟିକିଏ ଚମକି ପଡ଼ି ମହନ କହିଲା– ‘‘ଆରେ କେତେବେଳୁ ତୁଇ ଆଏଛନ ? ଆର୍ ମୁଇ ତତେ ଯେ ଟାକି ଟାକି ଅଥା ।’’

 

ପାଣି ଗଡ଼ୁକ ମହନ ହାତକୁ ବଢ଼େଇ ଦେଉଁ ଦେଉଁ ଅଭିମାନ ମିଶା ଗଳାରେ ତୁଲ୍‍ସା କହିଲା– ‘‘ଖୋଃ, ବଡ଼େ ଘାଏ ଚାଖି ହେଇ ଜାନଲନ ବଲ ତ । ଅସତିଆ...

 

ମହନ ମୁହଁ ଧୋଉଁ ଧୋଉଁ ତୁଲ୍‍ସା କଥାର ଜବାବ ଦେଇ କହିଲା– ‘‘ମୁଇଁ କେବେ ମିଛ କହେସିଁ ? ତତେ ଟିଖେ ନାଇଁ ଦେଖ୍‍ଲେ ମୁଇଁ କେନ୍ତା ହେସିଁ କାହିଁ ଜାନ୍‍ବୁ ସେ କଥା ।’’ ଏ କଥା ଶୁଣି ତୁଲ୍‍ସା ଟିକିଏ ମୁରବିପଣିଆଁ ସାଜି ମୁହଁ ହଲାଇ ଏକ ବିଚିତ୍ର ଭଙ୍ଗିରେ ପଚାରିଲା– ‘‘ମରିଯାଏ ସିଁ ତ । ସତେ ଯେନ୍ତା ମୁଇଁ ନୁଆଁ ହେଇ ଆଇଛେଁ ? ମୋର୍ ଲାଗି ନାଇଁ ହେଲେ ବି ଥିର୍ ଟିକେକର୍ ଲାଗି ହେନ୍ତା ହେଉଥିବ ।’’ ତୁଲ୍‍ସା ସାହାଡ଼ା ବୁଟା ଛାଇକୁ ବସି ଗାଲରେ ହାତ ଦେଇ ମହନର ମୁହଁକୁ ଅନାଇଁ ରହିଲା ତାର କଥାର ଉଚିତ୍ ଜବାବ ଶୁଣିବା ଲାଗି । ମହନ ଦୁଇ କାଳରେ ସାହାଡ଼ା କାଠି ଖଣ୍ଡେ ରଗଡ଼ି ଜିଭ କୋରି କହିଲା– ‘‘ଥିର୍ କିଏ ନାଇଁ ପି ବାର ସେ । ଖାଏବାର ଲାଗି କିଏ ମରୁଛେ ? ଖାଲିତୋର ମିଠା କଥା ଦୁଇପଦ ମୋତେ ବଉରା କରିଦେଲି ବଲି କଥା ପଡ଼ିଛେ । ସବୁ ଉର୍‍ଘା ପାସ୍‍ରି ଦେଲି ମୁହିଁ । ମଦ ପତ୍‍ରେ କ ଯେନ୍ତା ମଜା, ତୋର କଥା ପଦଦୁ ଠିକ୍‍ ସେନ୍ତା ମଜା । କାଏଁ ଜାଦୁ ସତେ ଅଛେ ତୋର ଇ କଥାଥି କେ ଜାନେ...... ?’’

 

ନିଜର ତାରିଫ୍ କଥା ଶୁଣି ଲାଜେଇ ମୁଣ୍ଡ ପୋତିଲା ତୁଲ୍‍ସା । ମହନଆଡ଼କୁ ଟିକିଏ କଡ଼େଇ କରି ଚାହିଁ କାନି ପଣତକୁ ଦାନ୍ତରେ ଚାବି ଚାବି କହିଲା– ‘‘ହଉ ରଖ ତୁମର ଛଡ଼ି । ପେଟ୍ ଯାଇ ରାସାନ୍ ତାଳେ ପସ୍‍ଲାନ । ଆର୍ କେଡ଼େ ଘାଏ ଚାଖି ହେଇ... ।

 

ମହନ ହସି ହସି ବାସୀ ପଖାଳରେ ଲୁଣ ଓ କଞ୍ଚାମରିଚ ଗୋଳିଦେଇ ଦୁଇଗର୍‍ସା ଖାଇ ମୁହଁ ଧୋଇଲା । ତୁଲ୍‍ସା ଅଇଁଠା ଖୁରି ଧରି ଚାଲିଗଲା ବେଳେ ପାଟି କରି ମହନ କହିଲା– ‘‘ବୁଟୁର୍ ମା ଯୁଏଟିକେ ଆନ୍ ବାର ଲାଗି କହିଥିଲି ପାଶ୍‍ରି ଦେଲୁକାଏଁ ।’’ ଯୋର ଭିତରେ ଖୁରିରେ ବାଲି ବୋଳି ପାଣିରେ ଧୋଉଁ ଧୋଉଁ ତୁଲ୍‍ସା ଉତ୍ତର ଦେଲା– ‘‘ଦେହେରୀ ଘର ଖଳା ଥୁଁ ବେଣ୍ଟିଆ ଘାଏ ମାଗି ଥ । କାଲି ଯୁଏ ଖାଡ଼ି ପୁଡ଼େ ଘିନ୍ ଲେ ହେବା ।’’

 

ମହନ ପିକା ପହଟାଇବା ଲାଗି ଦେହେରୀ ଘର ଖଳାଆଡ଼କୁ ମୁହାଁଇଲା । ବାଟରେ ଶିମୁଳୀ ଗଛ ତଳେ ହଠାତ୍ କାହାକୁ ଦେଖି ଚମକି ପଡ଼ିଲା ସେ । ଆଖିକି ବିଶ୍ୱାସ କରି ପାରିଲା ନାହିଁ । ଏଡ଼େ ବିଭତ୍ସ ରୂପ । ବିକଟାଳ ଚେହେରା । ଏତେ କମ୍ ସମୟ ଭିତରେ ଏ କି ଅଦ୍ଭୁତ ପରିବର୍ତ୍ତନ । ମହନ ଥକ୍‍କା ହୋଇ ଠିଆ ହେଲା । ବଙ୍କା ଟଙ୍କା ଖେତ ଆଡ଼ି ଉପରେ ବାଉଳା ହେଇ ଢଳି ଢଳି ଆସି ପହଞ୍ଚିଲା କଇରୁ ସାହୁ । ମହନର ବଡ଼ଭାଇ, ଖଣ୍ଡେ ଦୂରରେ ମୁଣ୍ଡପୋତି ଛିଡ଼ା ହୋଇ ରହିଲା ସେ । ପାଟିରେ ନାଇଁ କଥା । ମୁହଁରେ ନାଇଁ ସରସତା । ଦେହର ରୂପ କଳାକାଠ ପଡ଼ି ଯାଇଛି । ମୁଣ୍ଡ ଭୃକୁଣ୍ଡା । ଖସଖସିଆ ବାଳ ଉପରେ ସତେ ଯେପରି ତେଲ ବାଜି ନାହିଁ କେଉଁ କାଳରୁ । ଡୋଳା ଦିଓଟି ହାତେ ଗାଡ଼ ଭିତରୁ ମିଟ୍ ମିଟ୍ କରୁଛି କେବଳ । ଗାଲର ହନ୍ତୁହାଡ଼ ବାହାରି ପଡ଼ିଛି । ଛାତିର ପଞ୍ଜରା ଗଣି ହୋଇ ଯାଉଛି ଗୋଟି ଗୋଟି ହେଇ । ଅଣ୍ଟା ତଳକୁ ଆଣ୍ଠୁଯାଏ ଖଣ୍ଡେ ଚିରା ଲେଙ୍କରା ଗୁରେଇ ହେଇଛି । ମନେ ହେଉଛି କେଉଁ ମଶାଣୀ ପଦା ଗାଡ଼ ଭିତରୁ ମାଟି ଠେଲି ଉଠି ଆସିଛି ସଦ୍ୟ ଗୋଟାଏ ସର୍ଦ୍ଦାର । କଇରୁର ଏ ଅଦ୍ଭୁତ ପରିବର୍ତ୍ତନ ନୀରବରେ ଲକ୍ଷ୍ୟ କରୁଥିଲା ମହନ । ରକ୍ତ ସମ୍ପର୍କରେ ଏକ ଅଜଣା କରୁଣାତା ଫୁଟି ଉଠୁଥିଲା ମୁହଁରେ ତାର । ମହନକୁ ଦେଖି କଇରୁ । ଆଡ଼ି ଉପରେ ବସିପଡ଼ି ଭୋ ଭୋ କାନ୍ଦି ଉଠିଲା । ଏଇ କାନ୍ଦ ଶୁଣି ମହନ ଆଉ ଥୟଧରି ରହି ପାରିଲା ନାହିଁ । ଗଲା କଥା ସବୁ ପାଶୋରି ପକାଇ କଇରୁର ପାଖକୁ ଯାଇ ପଚାରିଲା– ‘‘କଣ ହେଲା ? ଏମିତି କାନ୍ଦୁଛୁ କାହିଁକି ?

 

କଇରୁ ହେଁକେଇ ହେଁକେଇ କାନ୍ଦିଲା ଗଳାରେ କହିଲା– ‘‘ବହୂ ତୋର ଚାଲିଗଲା ମହନ । ଆମକୁ ମଝି ନଈରେ ଭସେଇ ଦେଲା । ଯେତେ ଚେଷ୍ଟା କଲି, ଯେତେ ପଇସା ସାରିଲି, ସେ ଆଉ ଆଖି ଖୋଲି ଚାହିଁଲା ନାହିଁ । ମତେ ଏତ୍‍କି ସରିକି କରିବାକୁ କଣ୍ଟ ଥିଲା ।’’

 

କଇରୁର କୋହ ବଢ଼ି ଉଠୁଥିଲା । ବାଷ୍ପ ରୁନ୍ଧି ହୋଇ ଗଳାରୁ ତାର ଆଉ କଥା ଫୁଟୁ ନ ଥିଲା । ମହନ ମୁଣ୍ଡ ପୋତି କହିଲା– ‘‘ଆଉ ଏବେ କାନ୍ଦିଲେ କଣ ହେବ ? ମୁଣ୍ଡପିଟି ଦେଲେ ବି ସେ ତ ଆଉ ଲେଉଟି ଆସିବେ ନାହିଁ । ସେ ଯାଇଛନ୍ତି ଭଲ ହୋଇଛି । କେତେ ଦିନ ଆଉ ଜଞ୍ଜାଳରେ ଦହଗଞ୍ଜ ହୁଅନ୍ତେ... ?’’

 

‘‘ମୁଁ ତାକୁ ମାରିଛି ମହନ–ମୁଁ ତାକୁ ମାରିଛି । ନ ହେଲେ ସେ ଆଜି କାହିଁକି ଦିକ୍‍ଦାର ହେଇ ଚାଲି ଯାଇଥାନ୍ତା...... ।’’

 

‘‘ମଣିଷ ଯେତେ ଦିନ ମାଗି ଆଣିଥାଏ ତେତେ ଦିନ ଭୋଗ କରେ । ଭୋଗ ସରିଗଲେ ସେ ଚାଲିଯାଏ । ଏଇ ତ ଦୁନିଆଁର ନିଅମ । ଆମେ ଦିନେ ଆସିଛୁ । ଲୀଳା ଖେଳା ସରିଲେ ଆମେ ବି ଏମିତି ବାଟ କାଟିବା ।’’

 

‘‘ନାଇଁ ମହନ, ମୋର ଅନ୍ୟାୟ ବରଦାସ୍ତ କରି ପାରିଲା ନାହିଁ । ମୁଁ କମ୍‍ ଜୁଲୁମ୍‍ କରି ନାଇଁ ତା ଉପରେ । ଆଜି ତା ଆଖିର ଲୁହ ଲହୁ ହେଇ ମୋ ଆଖିତୁ ଝରୁଛି ସିନା । ମୋର ପାପର ଫଳ ମୁଁ ନ ଭୋଗିବି ତ ଆଉ କିଏ ଭୋଗିବ ?

 

‘‘ହଉ ଛାଡ଼ ସେ ସବୁ ଗଲା କଥା ! ସେଥିରୁ ଆମର କଣ ମିଳିବ ? ସେତେବେଳେ ତ ଚେତନା ପଶିଲା ନାଇଁ । ଆଉ ଆଜି ଯେତେ ହୁରଗୁନି ହେଲେ ଉହାତି ମନସ୍ତାପ ସିନା ସାର ହେବ-। ଫାଇଦା କିଛି ନାହିଁ । ତୋର ଚିଙ୍ଗୁରି ବାଛୁରି ଛୁଆପିଲାକୁ କିପରି ମଣିଷ କରିବୁ, ସେ କଥା ଭାଲ୍‍ ବିଚାର କଲେ ସିନା ହେବ ।’’

 

‘‘ଅପନେ ଚାଲିଗଲା ବେଳୁ ମତେ ସବୁ ଦିକ୍ ଲାଗୁଛି । କେଉଁ ଆଡ଼େ ଭାଗିଯିବାକୁ ମନ ହେଉଛି । ଇ ସଂସାରରେ ଆଉ ଜିଇଁ ଥାଇ ମୋର କି ସୁଖ ?’’

 

‘‘ପଗଲା ହେଲୁ ଦାଦା । ଏଇ ଦରବୁଢ଼ା ବଏସରେ ନି ତୋର ଟିକିଏ ଗିଆନ ହେଲା ନାଇଁ । କେଉଁଆଡ଼େ ଭାଗି ଗଲେ ତୋର କେନ୍ ସଧଟା ମେଟିବ ? ଘରବୁଡ଼ି ପାଣି ଆଣ୍ଠୁଏ ହେଲେ ବି ତୋର ଟିକିଏ ହେଲେ ଚେତା ପଶି ନାଇଁ ।’’

 

‘‘ମୁର୍ଦ୍ଦାର ପିଠରେ କୁର୍ଡ଼ା ପିଟିଲେ ଆଉ ତାକୁ କାଟିବ କି ମହନ ? ତୁଇ ମୋର ପିଠିର ଭାଇ ହେଇକରି ଯଦି ଏମିତି କହିବୁ ଆଉ ପର ଲୋକେ କଣ ଛାଡ଼ିବେ ?’’

 

‘‘ଆଜି ତୋର ଶୋର ପଡ଼ୁଛି ମହନ ପିଠିର ଭାଇ ବୋଲି । ଯେତେବେଳେ ପରମା ସାଙ୍ଗେ ମିଶି ମୋ ଉପରେ ଦାଉ ସାଧିଲ, ସେତେବେଳେ ମୁଇଁ ତୋର ଆଖିର କୁଟା, ବାଘର ବଇରୀ ହୋଇଥିଲି ।’’

 

ମୋର କସୁର ଆଜି ମୁଇଁ ବୁଝି ପାରୁଛି ମହନ । ପସ୍ତେଇ ହେଉଛି ଏ ସବୁ ମୁଁ କାହିଁକି କଲି ବୋଲି । ମତେ ସେ ସଲା ପରମା ଗୁଠ୍ ଠା ଆଜି ଏତ୍‍କି ସରିକି କଲା ସିନା......

 

‘‘ପରମାକୁ ତୁ ଚିହ୍ନି ନ ଥିଲୁ ଆଜିଯାଏ । ସେ ଲୋକଟାର ଶିର ଗୁଚ୍ଛା ନାଇଁ । ନିଆଁ ପାଣିକି ଡର ନାଇଁ ତାର । କଣ ସେ ନ ଭିଆଇଛି ଏ ଗାଁରେ ? କେତେ ଘର ସେ ନ ଭାଙ୍ଗିଛି, କେତେ ହାଣ କାଟ ମାଲି, ମକଦ୍ଦମା ନ ହେଇଛି ତାରି ଲାଗି ? ତୋତେ ଆଜି ସେ ନିହାତି ମୁରୁଖ ସମଝି ହାତବାରିଶୀ କଲା । ତାର ଜାଲେ ଫସି ତୁଇ ଜୁଆଡ଼ି ହେଲୁ । ଘରଦ୍ୱାର ଜମିବାରି ସବୁ ବନ୍ଧା ପଡ଼ିଲା । ମାଇକିନା ଦେହରୁ ଯୋର୍ ଜବରଦସ୍ତ କରି ଅଳଙ୍କାରପାତି ଲୁଟି ନେଇ ଜୁଆରେ ହାରିଲୁ । ଶେଷରେ ହୁରଗୁନି ହେଇ ହେଇ ମାଇଝି ବି ମଲା । ଇହାଦେ ପୁଡ଼େଇ ଖାଇବାକୁ ଲୁଣ ଗୁଡ଼େ ନାଇଁ ଘରେ । କଣ ଥିଲା ତୋ ଘର କଣ ହେଲା ଏବେ ? ସରଗ ପରି ଘର ଆଜି ନରକ ମିତାନ୍ ହେଇ ଯାଇଛି ।’’

 

‘‘ମୋର କରମେ ଏତ୍‍କି ଦୂର୍ ହେବାର ଥିଲା...... ।’’

 

‘‘କରମକୁ ଦୋଷ ଦେଇ କିଛି ଫାଇଦା ନାଇଁ ଦାଦା । ଯେ ଯାହା କରେ, ତାର ଫଳ ଠିକେ ଠିକେ ପାଏ । ଲିମ୍ବଗଛରେ କେବେ ଆମ୍ବ ଫଳେ ନାଇଁ ।’’

 

‘‘ଭାଇ ମହନ ମୁଇଁ ଯାହା କଲି, ଆଜି ସେଥିଲାଗି ଜାଳି ପୁଡ଼ି ହେଇ ମରୁଛି । ଯାହା ପାପ ଅର୍ଜିଲି ତାର ଦଶା ମୋତେ ମିଳି ଯାଇଛି । ଆଜି ମୋର ଛୁଆ ପିଲାଯାକ ତୋତେ ସମର୍ପି ଦେବାଲାଗି ମୁଁ ଆସିଛି ଭାଇ । ତୁଇ ଆଜି ସେମାନଙ୍କର ବୁଆ ମା । ମୋତେ ଆଉ ଖୋଜା ଖୋଜି କରିବୁ ନାଇଁ ।’’

 

‘‘ମହନ ମୁଣ୍ଡ ପୋତି କଇରୁର ଦରଦ ବୋଳା କଥାଗୁରାକ ଶୁଣି ଯାଉଥିଲା । କଇରୁ ତାର ବଡ଼ ଭାଇ । ଗୋଟିଏ ଗଛର ଦୁଇଟି ଶାଖା, ଗୋଟିଏ ନାଡ଼ର ଦୁଇଟି ଫୁଲ । ଏକା ରକ୍ତ । ଗୋଟିଏ ନାହି ଦୁଇଖଣ୍ଡ ହୋଇଛି । ଆଜି ସେ କେତେ ପର ହୋଇ ଯାଇଛି । ସଂପର୍କ ଘୁଞ୍ଚି ଯାଇଛି ଦୂରକୁ ଦୂରକୁ । ଯାହା ପାପ ଭିଆଇଛି, ପାଇ ଯାଇଛି ତାର ଉଚିତ ପରାଭୋଗ । ତା ପ୍ରତି ସହାନୁଭୁତିରେ ନଇଁ ପଡ଼ୁଥିଲା ମହନର ସରଳ ମନ ।’’

 

ଥରେ ଥରେ ମଣିଷ ଭଲ ଅସାର ପର ଆପଣା, ବିଷ ଅମୃତର ଭେଦା ଭେଦ ବୁଝି ପାରେ ନାହିଁ । ଅନ୍ଧାର ରାସ୍ତାରେ ଦରାଣ୍ଡି ହେଲା ପରି ଆଖି ବୁଜି କରିଯାଏ ନାନା ଅପକର୍ମ । ଦୁଶ୍ଚିନ୍ତା ନାଗ ଖପୁରୀ ଭିତରେ ତାର ବସା ବାନ୍ଧି ବିବେକକୁ ଚୋଟ ମାରେ । ବିଷ ଜ୍ୱାଳାରେ ମନୁଷ୍ୟ ବାଟ ବଣା ହୋଇ ଅବାଟରେ ଦଉଡ଼େ ଅଣନିଶ୍ଵାସୀ ହୋଇ । ଯେତେବେଳେ କଚଡ଼ା ଖାଏ, ଠୋକ୍‍କର ବାଜେ ତା ମୁଣ୍ଡରେ । ରକ୍ତାକ୍ତ ହୁଏ ତାର ଆଣ୍ଠୁ ଗଣ୍ଠି । ସେତେବେଳେ ମୁଣ୍ଡରେ ତାର ଚେତନା ପଶେ । ସେ ହୋସ୍‍କୁ ଆସେ । ପିଛିଲା କଥା ଲାଗି ଅନୁଶୋଚନା କରେ । କଇରୁର ଆଜି ଆସିଛି ଠିକ୍ ସେଇ ଅବସ୍ଥା ।

 

ସ୍ୱର୍ଗ ଆଉ ନରକ ଦୁଇଟା ଅଲଗା ଅଲଗା ଚିଜ । ଗୋଟିକରୁ ଅନ୍ୟଟି କେତେ ତଫାତ୍-। ମନୁଷ୍ୟ ଇହକାଳର ଦୋଷ, ଗୁଣର ଫଳାଫଳ ପରକାଳରେ ପାଏ ବୋଲି ପଣ୍ଡିତ, ଜ୍ଞାନୀମାନେ କହନ୍ତି । କିନ୍ତୁ ମଲା ପରେ ମନୁଷ୍ୟର ଅବସ୍ଥା କଣ ହେଉଛି । ତାର ଆତ୍ମା କୁଆଡ଼େ ଯାଉଛି କିଏ କହିବ ? ପାପ ପୁଣ୍ୟର ବିଚାର ମଲା ପରେ ହେଉଛି କି ନାହିଁ ତା ତ ଜାଣିବାର ଉପାୟ ନାହିଁ-? କିନ୍ତୁ ମନୁଷ୍ୟ ଇହ ଜୀବନରେ ଯାହା ଭୋଗେ ବା ଯାହା ପାଏ, ତାକୁ ସମସ୍ତେ ଦେଖନ୍ତି-। ଏଇ ଜୀବନ ହିଁ ମନୁଷ୍ୟର ସ୍ୱର୍ଗ ଓ ନରକର ଦ୍ୱାର । କଇରୁର ଜୀବନରେ ଯାହା ଘଟିଗଲା ତାହା କେଉଁ ନରକର ଯନ୍ତ୍ରଣାରୁ କମ୍ ? ନରକର ବାଟ ସେ ନିଜେ ଧରିଛି । କାହାକୁ କହିବ ? ଅଜାଗା ଘା ଦେଖାଇ ହୁଏ ନାହିଁ । ମହନ ଦୀର୍ଘନିଶ୍ୱାସ ଛାଡ଼ିଲା !! କଇରୁର ହାତ ଧରି କହିଲା– ‘‘ହଉ ଛାଡ଼ ସେ ସବୁ । ଗଲା କଥାକୁ ଉଖାରି ଲାଭ ନାହିଁ । ଗୁହ ଘାଣ୍ଟିଲେ ଗନ୍ଧିବ ସିନା ! ଯାହା ହେଇଗଲା ସେ ସବୁ ଦଇବର ବରାଦ । ମଣିଷର ଆଇତ ନାଇଁ ସେଥିରେ । ଏତେ ବେଳଯାଏ ପେଟରେ ତୋର କିଛି ପଡ଼ି ନ ଥିବ । ଏବେ ଚାଲ ଘରକୁ ଯିବା ।’’

 

‘‘ମହନ ମୋତେ ଆଉ ଘରକୁ ନେବାକୁ ଜିଗର କରନା । କେଉଁ ଲାଜରେ ଆଉ ମୁଁ ଗାଁ ମୁଣ୍ଡ ମାଡ଼ିବି ? କା ଆଗରେ ମୁହଁ ଦେଖାଇବି ମୁଁ ?’’

 

‘‘ଦାଦା ଏତେ ସରିକି ହେଲା ପରେ ବି ତୋର ଘରବୁଡ଼ା ବୁଧି ଗଲା ନାହିଁ । ନିଜ ଗାଁ ଛାଡ଼ି ଘରଦ୍ୱାର ଛାଡ଼ି, ପିଲା କୁଟୁମ୍ବଠୁଁ ଦୂରରେ ରହି ତୁ ଭାବିଛୁ ଆଉ କେଉଁଠି ଶାନ୍ତି ପାଇବୁ ? ତୁ ଭାବିଛୁ, ତୋ ଜୀବନର ମୂଲ୍ୟ ନାହିଁ । ଏତେ ସହଜରେ ଅମୂଲ୍ୟ ଜୀବନକୁ ତୁ ହଜାଇ ଦେବାକୁ ଯାଉଛୁ । ଛାଡ଼ ସେ ଦୁର୍ବୁଦ୍ଧି । ଏବେ ମାନ ମୋ କଥା । ପୂଝାରୀ ବଢ଼ା ଦେଉଳରେ ସଦ୍‍ଗିଆନ ବୁଝାନ୍ତି ପରା ! ଈଶ୍ୱରେ ଜୀବକୁ ଜନମ ଦେଇଛନ୍ତି, ସେ ଜଗତର ଭଲ କରିବ ବୋଲି । ଅକାରଣେ ଜଳି ପୋଡ଼ି ମାରିବାକୁ ନୁହେଁ । ଫୁଲଟାଏ ଫୁଟିଛି କେବଳ ଝଡ଼ିଯିବାକୁ ନୁହେଁ । ତାର ବାସ୍ନାରେ ବି ମୂଲ୍ୟ ଅଛି । ତୁ ଚାହିଁଲେ ତୋ ଭଙ୍ଗା ସଂସାର ଫେର ଗଢ଼ି ଉଠିବ ।’’

 

‘‘ମହନ ତୁ ମୋର ସାନ ଭାଇ । ହେଲେ ମୋଠିଁ ତୋ ବୁଧି ତ ସାନ ନୁହେଁ । ମୋତେ ବାଟ ଦେଖାଇ ଦେ । ସବୁ ଅନ୍ଧାର ଦିଶୁଛି ମୋତେ । ବାଟ ପାଉନାଇଁ ମୁଁ । ତୁ ଯାହା ବତାଇବୁ ମୁଁ ସେଇଆ କରିବି । ଆଉ ପରମାର ଘରବୁଡ଼ା ବୁଧିରେ ପଡ଼ିବି ନାଇଁ ।’’

 

ମହନ ଦେଖିଲା କଇରୁ ଠିକ୍ ବାଟକୁ ଆସିଛି ଏବେ । ତାକୁ ଖାଲି କଣ୍ଟାଝଣ୍ଟା ଭିତରୁ ଆଣି ସଳଖ ରାସ୍ତାରେ ପକାଇ ଦେଇ ପାରିଲେ ତାର ଜୀବନକୁ ସୁଧାରି ନେଇ ପାରିବ ସେ । ଖେତ ଭିତରୁ ମୁଠାଏ ମାଟି ଆଣି ସେ କଇରୁ ହାତକୁ ବଢ଼ାଇ ଦେଇ କହିଲା– ଏ ମାଟି ହେଉଛି ଆମର ମାଁ । ଏଇ ମାଟି କୋଳରେ ଆମର ଜନମ କର୍ମ ସବୁ । ଏ ମାଟି ହସି ହସି ଆମ ପାଟିରେ ଦିଏ ଢୋକେ ତୋରାଣୀ । ୟାର ରସ ଆଜି ରକ୍ତ ହେଇ ଆମକୁ ଦେଉଛି ବଳ, ବୁଦ୍ଧି ତାକତ୍ । ଆମକୁ ମଣିଷ ଭଳି ମଣିଷ ହେଇ ଜିଇଁବାକୁ ସାହସ ଦେଉଛି ଏଇ ମାଟି ମା । ଏଇ ମାଟି ମୁଠାକ ଭିତରେ ଛପି ରହିଛି ଆମ ବାପ ଅଜା ତିନି ପୁରୁଷର କେତେ ପାଆ ଚିହ୍ନ । ତୀର୍ଥମାଟି ପରି କେଡ଼େ ପବିତ୍ର କେଡ଼େ ମୂଲ୍ୟବାନ । ଏ ମାଟି ଆମ ଲାଗି । ତୁ ଆଜି ଏ ମାଟିକି ମୁଣ୍ଡରେ ଲଗାଇ ରାଣ ପକାଇ କହ, ଯେପରି ଆଉ ଥରେ ଏ ମାଟିକି ଲାତ ମାରିବୁ ନାଇଁ । ମାଟିକି ସଉକିରେ ଆବୋରି ନେ, ସେ ତୋତେ କରିବ ଆଶୀର୍ବାଦ । ତୋ କୋଳରେ ଆଜାଡ଼ି ଦେବ ଭରଣ ଭରଣ ସୁନା ଆଉ ମଣି ମୁକ୍ତାର ଫସଲ ।’’

 

ମହନ କହିବା ଅନୁସାରେ କଇରୁ ମାଟି ମୁଠାକ କପାଳରେ ଲଗାଇ ମୁଣ୍ଡ ନୁଆଁଇଲା । ଦୁଇ ଆଖିରୁ ତାର ଠସ୍ ଠସ୍ ହେଇ ଝରି ପଡ଼ିଲା ଦୁଇବୁନ୍ଦା ତାତିଲା ଲୁହ । ପଞ୍ଜରା ଠେଲି ଛାତି ଭିତରୁ ବାହାରି ଆସିଲା ଏକ ଦୀର୍ଘନିଶ୍ୱାସ । ତା ସଙ୍ଗେ ସଙ୍ଗେ ସତେ ଯେପରି ସମସ୍ତ ଦୁଃଖ ଅବସାଦ ଧୋଇ ହୋଇ ଯାଉଥିଲା ତା ମନରୁ । ସେ ପାଟି ଖୋଲି କହିଲା– ‘‘ଏଇ ମାଟିକୁ ସାଖି ରଖି ଆଜି ମୁଁ କିରିଆ କରି କହୁଛି ଯେ ଜିଇଥିବା ଯାଏ ମାଟିର ସଙ୍ଗ ଛାଡ଼ିବି ନାଇଁ । ଜୁଆ, ଚୋରି, ଦାରୀ ଆଉ ନିଶା ଏ ଚାରି ବଇରୀଠୁ ଦୂରରେ ରହିବି ।’’

 

କଇରୁ ମୁହଁରୁ ଏ କଥା ଶୁଣି ଦିନର ଝାଞ୍ଜିମରା କଇଁ ପାଖୁଡ଼ା ରାତିର ଜହ୍ନ ଆଲୁଅରେ ହସି ଉଠିଲା ପରି ମହନର ଓଠ କଡ଼ରେ ଖେଳି ଉଠିଲା ହସର ଲହରୀ । ମନ ହେଲା କେତେ ହାଲୁକା ପିଛିଲା ଦିନର ରାଗ ରିଶା, ଅଭିମାନ ସବୁ ନିମିଷକରେ ପୋଛି ହେଇଗଲା ମନରୁ ତାର ।

 

ଦୁଇ ଭାଇ ଆଗପଛ ହେଇ ଗାଁଆଡ଼େ ଆଗେଇଲେ ।

 

Unknown

ଚଉଦ

 

ଗାଁ ମୁଣ୍ଡ ବରଗଛ ତଳେ ଆଜି ସଭା ହେବ । ଆଖ ପାଖ ଗାଁ ମାନଙ୍କରୁ ଲୋକ ଆସୁଛନ୍ତି ଦଳଦଳ ହୋଇ । ଏ ଅଞ୍ଚଳର ଲୋକପ୍ରିୟ ଏମ୍. ଏଲ. ଏ. ଶ୍ରୀ କରୁଣାବାବୁ ଆଜି ସଭାରେ ଭାଷଣ ଦେବେ । ଲୋକଙ୍କଠାରୁ ଭୋଟ ପାଇ ଯାଇଛନ୍ତି । ଲୋକଙ୍କ ହାନିଲାଭ ଅଭାବ ଅସୁବିଧା ନ ବୁଝିବେତ ଆଉ କିଏ ବୁଝିବ । ଘର ଆଉ ଜମିବାରୀ ପାଇଁ ତାଙ୍କ ଯେତିକି ଚିନ୍ତା ନାଇଁ, ଦେଶ ଓ ଦେଶବାସୀଙ୍କ ପାଇଁ ତାଙ୍କ ସେତିକି ଚିନ୍ତା । ଦେଶଟା କେମିତି ଆଗେଇ ଯାଆନ୍ତା । ଲୋକେ ପେଟକୁ ମୁଠାଏ ପେଟ ପୂରା ପାଆନ୍ତେ, ଅନ୍ନ ଚିନ୍ତାଟା ଦେଶରୁ ଦୂର ହୋଇଯାଆନ୍ତା । ତିନିତାଲା କୋଠା ପାଖକୁ ଯୁଝି ହେଇ କୁଡ଼ିଆ ଖଣ୍ଡେ ନ ରହନ୍ତା । ନିରୋଳାବେଳେ ଏଇ ଚିନ୍ତା ତାଙ୍କ ମନ ଭିତରେ ପଶି ହନ୍ଦାଳୁଥାନ୍ତି । ଲୋକଙ୍କ ଅଭାବ ଅସୁବିଧା ଦୂର କରିବାକୁ ସେ ଯଦି କିଛି ହେଲେ କରିପାରନ୍ତେ ତା ହେଲେ ସେତୁବନ୍ଧର ଗୁଣ୍ଡୁଚି ମୂଷା ପରି ନିଜକୁ ଧନୀ ମନେ କରନ୍ତେ । ଭୋଟ ପାଇ ଗଲେ ସୁନା ପୁଅ ପରି ନାହିରେ ତେଲ ଦେଇ ଘର କୋଣେ ଶୋଇ ରହିଲେ ତ ହେବ ନାହିଁ । ବରଂ ଗାଁ ଗାଁ ଯାଇ ଲୋକଙ୍କ ସଙ୍ଗେ ମିଳାମିଶା କରିବା, ଲୋକଙ୍କ ଆଭାବ ଅସୁବିଧା ବୁଝିବା, ନିଜେ ଗାଁ ବାସୀଙ୍କ ଭିତରୁ ଜଣେ ପ୍ରଜା ଭାଇ ବୋଲି ବିଶ୍ୱାସ ଆଣିବା.ଲୋକଙ୍କ ମତାମତ ସଂଗ୍ରହ କରି ସରକାରଙ୍କ ଆଗରେ ଦାବୀ ଉପସ୍ଥାପିତ କରିବା ତାଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ଧରି ନେଇଛନ୍ତି । ଏହି ସତ ଉଦ୍ଦେଶ୍ୟ ଯୋଗୁଁ ଓ ଗାଁ ଗହଳର ଉନ୍ନତି ପାଇଁ ତାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଲୋକେ ତାଙ୍କୁ ଖାତର କରନ୍ତି ଆଉ ଭକ୍ତି ବି କରନ୍ତି ।

 

ଲୋକେ ଧିରସ୍ଥିର ହୋଇ ବସିଲେଣି । ଗାଁ ଗଣ୍ଡାର ଖେତ ବାହାଲରେ ବଡ଼ ଧାନ ସବୁ ପାଚି ଆସିଲାଣି । ପ୍ରଜାମାନଙ୍କର ଆଉ ନାକ ପୋଛିବାକୁ ତର ନାଇଁ । ମୁଣ୍ଡରେ ପାଗ ବାନ୍ଧି ଅଣ୍ଟା ନୁଆଇଁ ଧାଡ଼ି ଧାଡ଼ି ହୋଇ କାଦୁଆ ବାହାଲି ମାନଙ୍କରେ ଧାନ ଦାଇବାରେ ଲାଗି ପଡ଼ିଛନ୍ତି । ଆଠକାଳି ବାରମାସୀ ଖେତ କାମରେ ଫୁରୁସତ୍ ମିଳେ ନାହିଁ । ଧାନ କଟା ସଙ୍ଗକୁ ଭୂଇଁଚଣା କୁଡା, କନ୍ଦମୂଳ ଖୋଳା, ମୁଗ ଘିଚା, କୁଶାରୀ କଟା ଆଦି କେତେ କାମ ଲାଗି ରହିଥାଏ ଗୋଟିକ ପରେ ଗୋଟିଏ । ଏ ସମୟରେ ଚାଷୀ କାହାଳି ଢୋକେ ପିଇବାକୁ ବି ଭୁଲିଯାଏ । ମୁଣ୍ଡରେ ପାନିଆଁ ବୁଲାଇବାକୁ ଟିକିଏ ତର ପାଏ ନାହିଁ । ପେଟ ପୂରା କରି କଂସାଏ ପଖାଳ ଖାଇବାକୁ ସମୟ ନିଅଣ୍ଟ ହୁଏ । ଦୁଇ ଗୁଣ୍ଡା ଖାଉଁ ଖାଉଁ ସାଉକାର ଘର ଦୁଆରେ ଡାକେ । ପିଲାଛୁଆଙ୍କୁ ଟିକିଏ କାଖେଇ ଗେଲ କରିବାକୁ ସଉକି ହେଉଥିଲେ ବି ଦାଆ ଆଉ ଶୂଳି ଆସି ନିଜ ନିଜ ଜାଗା ଆବୋରି ନିଅନ୍ତି । ରାତିରେ ଖଳାରେ ଶୋଇବାକୁ ପଡ଼େ । ଖାଇସାରି ମାଇଝି ସଙ୍ଗରେ ଟିକିଏ ଖୁସି ଗପ କରିବାକୁ ବି ସୁଯୋଗ ଜୁଟେ ନାହିଁ । କେବଳ କାମ । କାମଛଡ଼ା ଯେପରି ଚାଷୀର ଆଉ ଅନ୍ୟ ଧନ୍ଦା ନାହିଁ । କାମ ହିଁ ତାର ସାଧନା । କାମହିଁ ତାର ଭଗବାନ । ୟା ଛଡ଼ା ଯେପରି ତାର ଅନ୍ୟ ଗତି ନାହିଁ, ମୁକ୍ତି ନାହିଁ । ଦୁନିଆଁର କନ୍ଦି ବିକନ୍ଦି ଭିତରେ ନିତି ଦିନିଆଁ କଣ ଯେ ଘଟି ଯାଉଛି ସେ ବିଷୟରେ ଏମାନେ ପୂରାପୂରି ଅଜ୍ଞ ଜାଣିବାକୁ ବି ଆଗ୍ରହ ନାହିଁ ! ଖବର କାଗଜ ଖଣ୍ଡେ ପଢ଼ିବାକୁ ବା ସମୟ ମିଳିବ କାହୁଁ । ଖରା ବର୍ଷା ଶୀତର ଦାଉ ଅଙ୍ଗେ ନିଭେଇ ଅଠିପର୍‍ ଏମାନେ ଖଟୁଥାନ୍ତି ମାଟିର ନିଶାରେ ମତୁଆରା ହୋଇ । ଆଜି ସଭା ହେଉଛି । ଦେଶର ହାଲ୍ ଟିକିଏ ଶୁଣିବା ପାଇଁ ଯେ ଯେମିତି ସଭା ଜାଗାରୁ ଟହଲି ଆସୁଛନ୍ତି ।

 

ମହନ ଆଉ କଇରୁ ଦୁଇଭାଇ ଯାଇ ସଭା ଭିତରେ ବସିଛନ୍ତି । ଆଜି ଯାହା ହେଉ ଦେଶର ଖବର ଶୁଣିବେ । ବଡ଼ ବଡ଼ ଯୋଜନା ସବୁ ହେଉଛି । କଳ କାରଖାନା ବସୁଛି, ନଦୀବନ୍ଧ ବନ୍ଧା ହେଉଛି, ଇସ୍କୁଲ ଡାକ୍ତର ଖାନା, ରାସ୍ତାଘାଟ କେତେ ନୂଆ ନୂଆ କଥା ଗଢ଼ି ଉଠୁଛି । ଦେଶର ରୂପରେଖ ବଦଳି ଯାଉଛି ଦିନକୁ ଦିନ । ବ୍ଲକ୍ ଅଞ୍ଚଳରେ ସରକାର ଲୋକଙ୍କ ଉନ୍ନତି ପାଇଁ ପାଣି ପରି ଟଙ୍କା ବୁହାଇ ଦେଉଛନ୍ତି । ତଥାପି ଦେଶ ଯେତେଦୂର ଆଗେଇବା କଥା ଆଗେଇ ପାରୁ ନାହିଁ-। ଲୋକଙ୍କ ଅଭାବ ଅସୁବିଧା କମୁ ନାହିଁ । ଯେଉଁ ଗାଁରେ ସରକାରୀ ପଇସାରେ ବନ୍ଧ କୁଡ଼ା ହେଇଛି ସେ ଗାଁରେ ପାଣି ଗୁଳୁଗୁଳା ବେଶୀ । ସରକାରୀ ପଇସାରେ ସ୍କୁଲ ଘର ତିଆରି ହେଉଛି-। ହେଲେ ବର୍ଷା କାଳରେ ଘର ଭିତରେ ପିଲାଏ ପାଠ ପଢ଼ିବେ କଣ ମାଛ ମାରନ୍ତି । ବନ୍ଧ, କଟା, କୂଅଁ ପାଇଁ ଟଙ୍କା ଖର୍ଚ୍ଚ ହେଉଛି । ଖର୍ଚ୍ଚ କରିବାକୁ ଅଫିସରମାନଙ୍କ ବି ଅଭାବ ନାହିଁ । ତଦାରଖ କରିବାକୁ ଆଉ ଗୁଡ଼ାଏ ଅଫିସରଙ୍କ ଜି.ପ୍ ଦଉଡ଼ରେ ଗାଁର ମାଟି ପଥର ବି ଧୂଳି ହେଇଯାଏ । ହେଲେ ଦେଖିଲା ବେଳକୁ କୂଅ ବା ପୋଖରୀରେ ଟୋପାଏ ପାଣି ନାଇଁ । ଗାଁ ଲୋକେ ଯେଉଁ ତିମିରେକୁ ସେଇ ତିମିରେ । ତେବେ ଦୋଷ ରହିଲା କେଉଁଠି ? ଏହାର ବା ପ୍ରତିକାର କଣ ? ଏ ପ୍ରଶ୍ନର ସମାଧାନ ନ ହେବା ଯାଏ ଲୋକଙ୍କ ଅଭାବ ଅସୁବିଧା ରହିବ ହିଁ ରହିବ ।

 

ମହନ ଖେତ କାମ ଛାଡ଼ି ସଭା ଜାଗାକୁ ଦେଶର ହାଲ ବୁଝିବାକୁ ଦଉଡ଼ି ଆସିଛି । ଖାଲି ଅନ୍ଧ ଭାବରେ କମାଣି କରି ଖାଇପିଇ ଦିନ କାଟିଲେ ଆତ୍ମୋନ୍ନତି ହେବ କଣ ? ଦେଶର ଗତି ବିଧି ଲକ୍ଷ୍ୟ କରିବାକୁ ହେବ । ସଭ୍ୟତା ସଙ୍ଗେ ତାଳ ଦେଇ ନିଜକୁ ବି ଆଗେଇବାକୁ ପଡ଼ିବ ? ଏଇପରି ସେ ନାନାଆଡ଼ୁ ନାନା କଥା ଭାବୁ ଭାବୁ ସରପଞ୍ଚଙ୍କ ସଙ୍ଗରେ ସଭାସ୍ଥଳରେ ଆସି ପହଞ୍ଚିଲେ କରୁଣାବାବୁ । ଫୁଲମାଳ ଦେଇ ତାଙ୍କୁ ପାଛୋଟି ନିଆ ହେଲା । ସଭାସ୍ଥଳର ପ୍ରାରମ୍ଭିକ କାମ ସରିବା ପରେ ସଭାପତି ଏମ୍: ଏଲ. ଏ. ଙ୍କୁ କିଛି କହିବାକୁ ଅନୁରୋଧ କଲେ ।

 

କରୁଣାବାବୁ ଦେଶର ପରିସ୍ଥିତି ଓ ପଞ୍ଚବାର୍ଷିକ ଯୋଜନା ଆଦି କେତେ କଥା ନେଇ ଲୋକଙ୍କୁ ବୁଝାଇଲେ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରାସ୍ତା ଘାଟ ଆଦିର ଉନ୍ନତି ପାଇଁ ଗାଁ ଗହଳରେ କିପରି ବ୍ୟାପକ ବ୍ୟବସ୍ଥା କରାଯାଉଛି ସେ ବିଷୟରେ ଏକ ପ୍ରାଞ୍ଜଳ ଚିତ୍ର ବାଢ଼ି ସେ କହିଲେ– ‘‘ଆମ ଦେଶରେ ଅଧିକାଂଶ ଲୋକ ଗାଁ ଗହଳରେ ବାସ କରନ୍ତି । ଏଣୁ ଦେଶର ଉନ୍ନତି କରିବାକୁ ହେଲେ । ଗାଁ ଗହଳରେ ସର୍ବବିଧ ଉନ୍ନତି କରିବାକୁ ହେବ । ଏଇ ଉଦ୍ଦେଶ୍ୟ ସାଧନ ପାଇଁ ସରକାର ଯତ୍‍ପରୋନାସ୍ତି ଉଦ୍ୟମ କରୁଛନ୍ତି । ଏବେ ପଲ୍ଲୀ ଅଂଚଳକୁ ସମୃଦ୍ଧିଶାଳୀ କରିବାପାଇଁ ଆମ ଲୋକପ୍ରିୟ ସରକାର ପଞ୍ଚାୟତ ସ୍ତରରେ ଶିଳ୍ପ କାରଖାନା ସ୍ଥାପନ କରିବା ପାଇଁ ଉଦ୍ୟମ କରୁଛନ୍ତି । ଗାଁ ଗହଳରେ ବିଜୁଳି ଯୋଗାଣ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି । ବାସ୍ତବିକ ଏହା ଆଶା ଓ ଆନନ୍ଦର ବିଷୟ । ଗାଁ ଗହଳରେ ଶିଳ୍ପ କାରଖାନା ବସାହେଲେ ଆମ ଗ୍ରାମବାସୀମାନଙ୍କର ବେକାରୀ ଓ ସ୍ଥାଣୁ ଦୂର ହୋଇଯିବ । ପ୍ରାଣେ ପ୍ରାଣେ ଚହଲି ଉଠିବ ନୂତନ ଜୀବନ ଓ ନବୀନ ଜାଗରଣ । ମାତ୍ର ଭାଇମାନେ ଆମେ ସରକାରଙ୍କ ଉପରେ ସବୁ ନିର୍ଭର କରି ଦେଇ ଚୁପ୍ ରହିଗଲେ ତ ଚଳିବ ନାହିଁ । ଆମକୁ ସରକାରଙ୍କ ସହଯୋଗ କରିବାକୁ ହେବ । ହାତ ମିଳାଇବାକୁ ପଡ଼ିବ ।’’

 

ଭାଷଣ ସରିଲାରୁ ଜନତାକୁ ଧନ୍ୟବାଦ ଦେଇ ଏମ୍:ଏଲ୍:ଏ: ମହାଶୟ ଆସନ ଗ୍ରହଣ କଲେ । କରତାଳି ଧ୍ୱନିରେ ସଭାସ୍ଥଳ ମୁଖରୀତ ହୋଇ ଉଠିଲା । ସରପଞ୍ଚବାବୁ ଉଠି ଲୋକଙ୍କ ଉଦ୍ଦେଶ୍ୟରେ କହିଲେ– ‘‘ଭାଇମାନେ, ଆମର ପରମ ସୌଭାଗ୍ୟର ବିଷୟ ଯେ, ଆମେ ଆମ ଏ ଅଞ୍ଚଳର ଏମ:ଏଲ୍:ଏ: ମହାଶୟଙ୍କୁ ଆଜି ଆମ ଗ୍ରାମରେ ପାଇଛୁ ଲୋକଙ୍କ ଅଭାବ ଅସୁବିଧା ବୁଝିବାକୁ ସେ ଆଜି ଏ ଅଞ୍ଚଳକୁ ଆସିଛନ୍ତି । ଏ ସୁଯୋଗ ଆମେ ହରାଇବା ଅନୁଚିତ । ଆମର ଯାହା କିଛି ଅଭାବ ଅସୁବିଧା ହାରି ଗୁହାରୀ ସବୁ ତାଙ୍କ ଆଗରେ ଉପସ୍ଥାପିତ କଲେ ସେ ତାର ଉଚିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିଶ୍ଚୟ ଚେଷ୍ଟା କରିବେ । ଆଜି ଆଉ ସେ ଅନ୍ଧାରି ଶାସନ ନାହିଁ । ଏବେ ଚାଲିଛି ପ୍ରଜାର ରାଜ । ପ୍ରଜାର ଭଲ ମନ୍ଦ ପ୍ରଜାହିଁ ବିଚାର କରିବେ । ଆମେ ଆମ ଦେଶକୁ ଯେଉଁପରି ଗଢ଼ିବାକୁ ଯିବା ଦେଶ ଠିକ୍‍ ସେଇ ଛାଞ୍ଚରେ ଗଢ଼ା ହେବ । ଏଥିରେ ନାଇଁ ଜୋର ଜୁଲମ ଏଥିରେ ନାହିଁ ଅନ୍ୟାୟ ଅତ୍ୟାଚାର । ଆମେ କୌଣସି ମହତ କାମରେ ହାତଦେଲେ ସରକାର ଆମକୁ ନିଶ୍ଚୟ ସାହାଯ୍ୟ କରିବେ । କିନ୍ତୁ ଭାଇମାନେ ଆମକୁ ଗୋଟିଏ ବିଷୟକୁ ବାଦ ଦେବାକୁ ହେବ । ସେ ହେଉଛି–ଭଣ୍ଡାମି ଆଉ ଦଳାଦଳି । ଆଜି ଆମେ ସମସ୍ତେ ଭାବିବା ଉଚିତ ଯେ ଆମେ ସମସ୍ତେ ଭାଇ ଭାଇ ଏକ ମାଁର ପୁଅ । ଯେଉଁ କାମରେ ହାତ ଦେବା ଏକ ମନ ଏକ ପ୍ରାଣରେ କରିବା । ଏକତା ହେଲା ବର୍ତ୍ତମାନ ଏକ ବଡ଼ ଜିନିଷ ଏଇ ଏକତା ବଳରେ ଆମେ ଏ ଗାଁ ମାଟିକୁ ସୁନା କରି ଦେବା ବର୍ତ୍ତମାନ ମୁଁ ଆମ ଏ ଅଞ୍ଚଳର ଏକ ଦାବୀ ଉପସ୍ଥାପିତ କରିବି । ଆଉ ଆଶା କରୁଛି ଆମର ଏମ:ଏଲ:ଏ: ମହାଶୟ ତାକୁ ନିଶ୍ଚୟ ସମର୍ଥନ କରିବେ । ...ଦେଖୁନ୍‍ ଆମର ଏ ଦଶ ବାର ଖଣ୍ଡ ଗାଁ ଭିତରେ ଖଣ୍ଡିଏ ମାଇନର ସ୍କୁଲ ବି ନାହିଁ । ଗାଁ ସ୍କୁଲରେ ପଢ଼ା ସାରି ଆମ ପିଲେ ବହିରେ ଡୋର ବାନ୍ଧୁଛନ୍ତି । ଉପରକୁ ପଢ଼ିବାକୁ ସୁବିଧା ନାହିଁ ବା ସୁଯୋଗ ନାହିଁ । ଗରିବ ବାପ ମା ପିଲାକୁ ଆଉ ସହରକୁ ପଠାଇବାକୁ ସମର୍ଥ ନୁହନ୍ତି ।

 

ଏଣୁ ମୁଁ ଆଜି ଦାବୀ କରୁଛି ଯେ ଆମ ଅଞ୍ଚଳରେ ଗୋଟିଏ ମାଇନର ସ୍କୁଲ ହେଉ । ଏହି ଦାବୀକୁ ଉପସ୍ଥିତ ଜନତା କରତାଳି ଦ୍ୱାରା ଦୃଢ଼ଭାବରେ ସମର୍ଥନ କଲେ ।

 

କରୁଣାବାବୁ ଉତ୍ତର ଦେବାକୁ ଯାଇ କହିଲେ– ଭାଇମାନେ, ଶିକ୍ଷାର ବିସ୍ତାର ପ୍ରତି ଆପଣମାନଙ୍କ ନଜର ପଡ଼ିଛି ଏଟା ଅତି ଆନନ୍ଦର କଥା । ଆଜି ଗାଁ ଗାଁରେ ପ୍ରାଇମେରୀ ସ୍କୁଲ ସବୁ ବସୁଛି । ଏଣୁ ଉଚ୍ଚ ଶିକ୍ଷା ପାଇଁ କେନ୍ଦ୍ର ଜାଗା ମାନଙ୍କରେ ମାଇନର ସ୍କୁଲ ଓ ହାଇସ୍କୁଲମାନ ମଧ୍ୟ ବସିବା ଦରକାର । ଶିକ୍ଷାର ବିସ୍ତାର ପାଇଁ ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି । ଦେଶବାସୀ ଯେତେ ଶିକ୍ଷିତ ହେବେ ଦେଶ ପକ୍ଷରେ ତାହା ତେତେ ମଙ୍ଗଳଜନକ । ଏଣୁ ଆପଣଙ୍କ ଏ ଅଞ୍ଚଳରେ ଗୋଟିଏ ମାଇନର ସ୍କୁଲ ହେବା ନିହାତି ଜରୁରୀ । ମୁଁ ଆପଣଙ୍କ ଏଇ ଦାବୀକୁ ସମର୍ଥନ କରୁଛି ।’’

 

ଉଚ୍ଛ୍ୱସିତ କରତାଳି ଧ୍ଵନିରେ ସ୍ଥାନଟି ଗୁମରି ଉଠିଲା । କରୁଣାବାବୁ ଟିକିଏ ରହି ପୁଣି ଆରମ୍ଭ କଲେ– ‘‘କିନ୍ତୁ ସ୍କୁଲ ବସାଇବାକୁ ହେଲେ ଉପଯୁକ୍ତ ସ୍ଥାନର ଆବଶ୍ୟକ । ଯେଉଁଠି ଜମି ଓ ଘରର ଅଭାବ ପୂରଣ ହୋଇ ପାରୁଛି, ସେଇଠି ନୂତନ ସ୍କୁଲପାଇଁ ସରକାର ସ୍ୱୀକୃତି ଦେଉଛନ୍ତି । ଏଣୁ ଆମେ ଅଯଥା ସରକାରଙ୍କ ଉପରେ ନିର୍ଭର ନକରି ଯଦି ଗାଁ ଭାଇଙ୍କ ସହଯୋଗରେ ସ୍କୁଲ ଘରଟିଏ ତୋଳିପାରିବା, ତାହାହେଲେ ଏହା ଆଦର୍ଶ ହୋଇ ରହିବ । ଅନ୍ୟ ଗାଁ ଲୋକେ ତାକୁ ଅନୁକରଣ କରିବେ । ମାଟିର ସ୍କୁଲ ଘର ତୋଳିବାକୁ ହେଲେ ପହିଲେ ଜମିର ଆବଶ୍ୟକ.... ।

 

କରୁଣାବାବୁ ଏତକ କହି ସାରି ଲୋକଙ୍କ ଆଡ଼କୁ ଚାହିଁ ରହିଲେ । ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ମଧୁର ଗୁଞ୍ଜନ ଚହଲି ଗଲା । ଜମି ଦେବାର ପ୍ରତିଶ୍ରୁତି କାହାରିଠାରୁ ମିଳିଲା ନାହିଁ । ଲୋକେ ନିଜ ସ୍ୱାର୍ଥପାଇଁ ଏତେ ପାଗଳ ଯେ ଦେଶର ସ୍ୱାର୍ଥ କଥା ଭାବିବାକୁ ତାଙ୍କର ଅବସର କାହିଁ ? ଜମି ପଡ଼ିଆ ପଡ଼ିଥିଲେ ସୁଦ୍ଧା ଦେଶର ହିତ ପାଇଁ ଟେକିଦେବା କଥା କେତେଜଣ ଭାବନ୍ତି ଆମ ଦେଶରେ ?

 

ସଭାସ୍ଥଳର ଗୋଟିଏ କୋଣକୁ ବସି ମହନ ଲୋକଙ୍କ ସବୁ ଭାବଭଙ୍ଗୀ, କଥାବାର୍ତ୍ତା ଲକ୍ଷ୍ୟ କରୁଥିଲା । ମନରେ ତାର ଉଙ୍କି ମରୁଥିଲା କେତେ ଭାବନାର ଖାପ୍‍ଛଡ଼ା ଖିଅ । ସେ ଯେତେ ବେଳେ କାଳିମାଟିରେ ଥିଲା, ଲକ୍ଷ୍ୟ କରିଛି ନାନା ବେଶଭୂଷାରେ ସଜ୍ଜିତ ହୋଇ ପ୍ରଜାପତି ପରି ଘୂରି ବୁଲୁଥିଲେ କେତେ ଯୁବକ ଯୁବତୀ । କି ଭଦ୍ର ବ୍ୟବହାର କି ଶିଷ୍ଟାଚାର । ଶିକ୍ଷା ଯୋଗୁ ଏସବୁ ସମ୍ଭବ ହୋଇ ପାରିଛି ସିନା । ଆମ ଗାଁରେ ପିଲାଏ କେତେ ଅପରିଛନିଆଁ । କେତେ ଅଭଦ୍ର । ଦେହଠୁ ବେଶୀ ମଇଳା ତାଙ୍କ ମନ । କା ବାରିରେ ପଶି କାକୁଡ଼ି ଚୋରି କରିବା, ଛିନା ଛକା ବେଳେ ଆମ୍ବ ବୁରେଇରେ ଆମ୍ବ ଝାଡ଼ିବା, କା କୂଅଁରେ ମଲା ସାପ ପକେଇବା, ଏ ହେଲା ଆମ ବେକାର ମନର ନିତିଦିନିଆ ଧନ୍ଦା । ଏଥିରେ ଆମ ପିଲାଙ୍କର ଭବିଷ୍ୟତ୍‍ ଉନ୍ନତି ହେବ କଣ ? କଥାରେ କହନ୍ତି ଖସିଲା ଗୋଡ଼ ତଳକୁ ତଳ । ଉଶୃଙ୍ଖଳ ମନକୁ ଉନ୍ନତିର ଛାଞ୍ଚରେ ଢାଳିବାକୁ ଉପଯୁକ୍ତ ଶିକ୍ଷା ଦରକାର । ପିଲାଏ କୂଅ ବେଙ୍ଗ ପରି ପଡ଼ି ସଢ଼ୁଛନ୍ତି । ନାନା ଅସତ୍ ଚିନ୍ତା ମନରେ ବସା ବାନ୍ଧୁଛି ତାଙ୍କର । ସ୍କୁଲ ହେଲେ ସେମାନେ ଦେଶ ବିଦେଶର ନୂଆ ନୂଆ କଥା ଶିଖିବେ, ବୁଦ୍ଧି ତାଙ୍କର ପରିମାର୍ଜିତ ହେବ ।

 

ସେ ଟାଟାରେ ଥିଲାବେଳେ ଶୁଣିଛି ଏଇ ରେଲ ଇଞ୍ଜିନ୍, ରେଡ଼ିଓ, ସିନେମା, ଉଡାଜାହାଜ ସବୁ ମନୁଷ୍ୟ ବୁଦ୍ଧିର ଫଳ । ଭଗବାନ ତ ଆଉ ଏସବୁ ସ୍ଵର୍ଗରୁ ଖସେଇ ପକେଇ ଦେଇ ନାହାନ୍ତି । ଯେଉଁମାନେ ଏପରି ଅଦ୍ଭୁତ କାମ କରି ପାରିଛନ୍ତି ସେମାନଙ୍କର ବୁଦ୍ଧି କେଡ଼େ ପ୍ରଖର । ହୃଦୟ ତାଙ୍କର କେଡ଼େ ଉଦାର । ସେମାନେ ତ ଆଉ ଆମଭଳି ଅଶିକ୍ଷିତ ମୂର୍ଖ ନ ଥିବେ-। ତେବେ ଆମ ଏଇ ନିରାଟ ଅପନ୍ତରିଆ ମଫସଲର ପିଲାଛୁଏ ପଢ଼ିବା ପାଇଁ ସୁଯୋଗ ପାଇଲେ କାହିଁକି ପଛକୁ ବଡ଼ଲୋକ ନ ହେବେ ? ବଣ ମାଳତୀ ପରି ଏ ଦେଶର କେତେ ପ୍ରତିଭା ଅଜଣାରେ ଫୁଟି ଅକାରଣରେ ଝଡ଼ି ଯାଉଛି ସିନା । ହଠାତ୍ ମହନର ଆଖି ଆଗରେ ଝୁଲିଗଲା ତାର ପଦର ଭୂଇଁ ଖଣ୍ଡକର କଥା । ସ୍କୁଲ ଘର ହେବାକୁ ବେଶ୍ ସୁବିଧା ଜାଗା । ମଲା ପୂର୍ବରୁ ବାପ ବୁଢ଼ା ତା ନାଁରେ ଉଇଲ କରି ଦେଇଥିଲା । ଏଇ ଖଣ୍ଡକ ସେ ଯଦି ସ୍କୁଲ ପାଇଁ ଦାନ କରେ, ତାହେଲେ ସ୍କୁଲକୁ ସ୍କୁଲ ହେବ, ବାପ ବୁଢ଼ାର ନାଆଁ ବି ରହିବ ସବୁଦିନ ଲାଗି । ଭାବୁଭାବୁ ମହନର ମନ ଆନନ୍ଦରେ କୁରୁଳି ଉଠିଲା । ଆଉ ବିଳମ୍ବ ନ କରି ସେ ଠିଆ ହୋଇ କହିଲା– ‘‘ଭାଇମାନେ’’...... ! ଉପସ୍ଥିତ ଜନତାର ଶହ ଶହ ଆଖି ଡୋଳା ମହନର ମୁହଁ ଉପରେ ବୁଣି ହୋଇଗଲା । ସଭାସ୍ଥଳ ନୀରବ ଓ ନିସ୍ତବ୍‍ଧ । ମହନ ଗମ୍ଭୀର ଗଳାରେ କହିଲା– ‘‘ଇସ୍କୁଲ ଘର ତୋଳିବା ପାଇଁ ଜମି ଖଣ୍ଡେ ଦେବାକୁ କେହି ଭରସି ପାରିଲେ ନାହିଁ । ହେଲେ ମାଇନର ସ୍କୁଲ ଖୋଲିବା ପାଇଁ ପାଟି ତୁଣ୍ଡ କରିବାକୁ ଆମ ଭିତରେ ଲୋକର ଅଭାବ ନାହିଁ । ଖାଲି ବଡ଼ ବଡ଼ ଲେକଚର ଦେଲେ କଣ ହେବ, କାମରେ ଦେଖେଇ ଦେଲେ ସିନା ହେବ । ଏଥିଲାଗି ମୁଁ ଆଜି ଏଇ ସଭାରେ ଘୋଷଣା କରି କହୁଛି ଆମ ଗାଁରେ ମାଇନର ସ୍କୁଲ ଖୋଲିବା ପାଇଁ ମୋର ପଦର ଭୂଇଁ ଖଣ୍ଡକ ଦାନ କରୁଛି । ମାତ୍ର ଏଥିରେ ମୋର ଅନୁରୋଧ ଯେ, ଏଇ ଖଣ୍ଡକ ମୋର ବାପ ଭାଗର ଜମି । ତାର ନାଁଟି ଏଠି ଜିଇଁ ରହୁ ।’’

 

ହଠାତ୍ କରୁଣା ବାବୁ ଠିଆ ହୋଇ କହିଲେ– ‘‘ଅତି ଖୁସିର ବିଷୟ, ଆଜି ମହନ ସାହୁ ନିଜ ଇଚ୍ଛାରେ ତାଙ୍କ ପଦରଭୂଇଁ ଖଣ୍ଡକ ସ୍କୁଲ ଅନୁଷ୍ଠାନ ପାଇଁ ଦାନ କରିଛନ୍ତି । ଏମିତି ଆମ ଗାଁ ଭାଇମାନେ ଯଦି ସାହାଯ୍ୟ ସହଯୋଗ କରନ୍ତି, ତା ହେଲେ ଆମ ଦେଶର ରୂପ ବଦଳିଯିବ । ଶିକ୍ଷା, ସଭ୍ୟତା, କୃଷି ଓ ଶିଳ୍ପ ସବୁ ଦିଗରେ ଆମ ଗାଁ ଗଣ୍ଡା ଉନ୍ନତି ପଥରେ ଆଗେଇ ଚାଲିବ । ଲୋକେ ସୁଖ ଶାନ୍ତିରେ ରହିବେ । ଆଜି ମୁଁ ଏଇ ଶୁଭ ଅବସରରେ ଉଜଲ ସାହୁକୁ ଜନସାଧାରଣଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଦେଉଛି । ଆଉ ଘୋଷଣା କରୁଛି ଯେ ଏଇ ସ୍କୁଲଘର ତିଆରି ହେଲେ ତାରି ନାଁ ‘‘ଉଜଲ ମାଇନର ସ୍କୁଲ’’ ରଖାଯିବ ।

 

ଏଇ ଘୋଷଣା ପରେ ସଭାସ୍ଥଳ କରତାଳି ଧ୍ୱନିରେ ମୁଖରିତ ହୋଇ ଉଠିଲା । ସମସ୍ତଙ୍କ ମୁହଁରେ ଝଲସି ଉଠିଲା ଆନନ୍ଦର ଆଲୋକ ରେଖା । ଗୋଟିଏ ମାଇନର ସ୍କୁଲ ବସିବାର ପରିକଳ୍ପନା ଯେ ଏତେ ଶୀଘ୍ର ଫଳବତୀ ହେବ ଏହା କେହି ସ୍ଵପ୍ନରେ ବି ଭାବି ନ ଥିଲେ ।

 

ଠିକ୍ ଏତିକିବେଳେ ଗୋକୁଳ ମିଶ୍ରେ ଠିଆ ହୋଇ ଏମ୍:ଏଲ୍:ଏ: ଙ୍କୁ ଲକ୍ଷ୍ୟ କରି କିହଲେ– ‘‘ଆଜ୍ଞା, ଗୋଟିଏ କଥା ମୋର ଜଣାଇବାର ଅଛି । କଥା ହେଉଛି ଗାଁ ଲୋକେ ମିଶି ଗାଁ ଦାଣ୍ଡ ଖୁଲିରେ କୂଅଁ ଗୋଟିଏ ଖୋଲିଛୁ ଚାରି ହାତ ପାଣି ବି ଦେଇ ସାରିଲାଣି । ହେଲେ ସିମେଣ୍ଟ ଅଭାବରୁ ଏ ଯାଏଁ କୂଅଁଟା ବନ୍ଧା ହୋଇନାହିଁ । ସପ୍ଲାଇ ମହକମାକୁ ଦଉଡ଼ି ଦଉଡ଼ି ଗୋଡ଼ ଚନ୍ଦା ହୋଇଗଲାଣି । କିନ୍ତୁ ଏ ଗରିବଙ୍କ କଥା ଶୁଣିବାକୁ କାର ତର ଅଛି ସେଠି । ଯେଉଁଠି ମାରୱାଡ଼ି ଧନୀ କଣ୍ଟ୍ରାକଟର ଓ ଖଣି ମାଲିକମାନଙ୍କର କାରବାର ସେଠି ଆମେ କେଉଁ ଖେତର ତେଲ । ଆପଣ ଟିକିଏ ଯତ୍ନ ନ କଲେ କୂଅଁଟି ଭୁସୁଡ଼ି ପଡ଼ିବ ।’’

 

ଗୋକୁଳ ମିଶ୍ରେଙ୍କ ମୁହଁରୁ ଏକଥା ଶୁଣି କରୁଣାବାବୁ ମୁରୁକି ମୁରୁକି ହସୁଥିଲେ । ମିଶ୍ରେ ବସିଲାକ୍ଷଣି ସେ କହିଲେ– ଭାଇମାନେ, ଆପଣମାନଙ୍କ ସମବେତ ଚେଷ୍ଟାକୁ ପ୍ରଶଂସା ନ କରି ରହି ହେଉନାହିଁ, ଶୁଣି ବାସ୍ତବିକ ଛାତି ଆନନ୍ଦରେ ଫୁଲି ଉଠୁଛି ଯେ ଆପଣମାନେ ଗାଁ ଖୁଲିରେ ଗୋଟିଏ ପାଣି କୂଅଁ ଖୋଳି ଦେଲେଣି ! ଏଇ ସହଯୋଗ ଯଦି ରହେ ତାହେଲେ ଆମେ କଣ କରି ନପାରିବା ? ଆଜି କୂଅଁ ଖୋଳା, ହେଲା କାଲିକି ଫେରେ ସ୍କୁଲ ଘର ତୋଳିବା, ପଅର ଦିନ ଗାଁ ପୋଖରୀରୁ ଦଳ ସଫା କରିବା, ଏମିତି ଗାଁର ଉନ୍ନତି ପାଇଁ ଲାଗି ରହିବ ଆମର ଗୋଟିକ ପରେ ଗୋଟିଏ ଶ୍ରମଦାନ । ଆମକୁ ଦେଖି ଅନ୍ୟ ଗାଁ ଲୋକେ ବି ଅନୁକରଣ କରିବେ । ଏମିତି ହେଇ ଆମ ଗାଁ ଗହଳର ରୂପରେଖ ଅଳ୍ପ ଦିନରେ ବଦଳି ଯିବ । ଭାଇମାନେ, ଗାଁରେ ଦଳାଦଳି ମନୋଭାବ ଭୁଲିଯାଅ । ଶ୍ରମଦାନ ପାଇଁ ଅଣ୍ଟାଭିଡ଼ି ସମସ୍ତେ ବାହାରିପଡ଼ । ଆଉ ବ୍ୟସ୍ତ ହୁଅ ନାହିଁ । କୂଅଁ ପାଇଁ ମୁଁ ଦରକାରୀ ଟଙ୍କା ଓ ସିମେଣ୍ଟ ମଞ୍ଜୁର କରିବା ପାଇଁ ବିଭାଗୀୟ ଅଫିସରଙ୍କ ସଙ୍ଗେ ପରାମର୍ଶ କରିବି ! ଆଜି ମୋ ପକ୍ଷରେ ଏକ ସୌଭାଗ୍ୟ ଦିନ ଯେ ଆପଣମାନଙ୍କର ସଙ୍ଗଲାଭ କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ଆଉ ଆପଣମାନେ ମଧ୍ୟ ଖେତ ବାହାଲର କାମ ଅଧା ପନ୍ତୁରିଆ ପକାଇ ଆସି ଏଇ ସଭାରେ ଯୋଗଦେଇ ଥିବାରୁ ମୁଁ ଆନ୍ତରିକ ଧନ୍ୟବାଦ ଦେଉଛି । ଏତିକି କହି କରୁଣା ବାବୁ ଆସନ ଗ୍ରହଣ କଲେ । ଧିରେ ଧିରେ ଲୋକ ଭାଗଡ଼ି ହେବାକୁ ଲାଗିଲେ-। ସଭାପତିଙ୍କ ଭାଷଣ ପରେ ସଭା ଭଙ୍ଗ ହେଲା ।

 

ପନ୍ଦର

 

ଦୂର ତାଳବଣ ମଥାନ ଉପରେ ରଙ୍ଗ ବେରଙ୍ଗ ପିଚକାରୀ ମାରି ଲାଲି ଟହଟହ ସୂରୁଜ ଲୁଚିଗଲେଣି । ପୋଉଷର ଜହ୍ନ ଜୋଛନାର ଡାଲା ଧରି ତାଳ ଗଛ ଫାଙ୍କରେ ଓଢ଼ଣା ଖୋଲି ଉଙ୍କି ମାରୁଛି । କଇଁଫୁଲିଆ ଡଉଲ ଡାଉଲ ଚେହେରାରୁ ତାର ନିର୍ଝରି ପଡ଼ୁଛି ଲସ୍‍ଲସିଆ ଜୋଛନା । ଜହ୍ନ ଉଇଁବାର ଜାଣି ଦିଗରାଣୀ ରଙ୍ଗ ଶାଢ଼ୀ ପାଲଟି ଧଳା ରଙ୍ଗିଆ ତାରଫୁଟା ପାଟ ଖଣ୍ଡେ ପିନ୍ଧି ପକେଇଲାଣି । ସଭିଙ୍କ ମନରେ ଆଜି ଛୁଟିଛି ଖୁସି ଉସୁନାକର ଜୁଆର । ଚାଷି ମୂଲିଆଙ୍କ ଆଜି ବଡ଼ ପରବ ଦିନ । ଆନନ୍ଦ ଖୁସି ବାସରେ ସଭେ ମସ୍‍ଗୁଲ । ଖେତ ବାରି ଖାଲି ପଡ଼ିଲାଣି । ଘରେ ଓଳିଆରେ ଧାନ ମୁଗ, ବିରି କୋଳଥ ଭରପୁର । ସଭିଙ୍କ ଘରେ ହସୁଛନ୍ତି ଲକ୍ଷ୍ମୀ । ଦାଣ୍ଡ ପିଣ୍ଡାରେ ଜାତି ଜାତିଆ ପିଠଉ ଝୁଣ୍ଟି । ମହାଲକ୍ଷ୍ମୀଙ୍କ ଆବାହାନ ପାଇଁ ପହିଲି ଆୟୋଜନ । ଘରେ ଘରେ ପିଠା ମଣ୍ଡା ଆରସାର ସୁମଧୁର ବାସନା ।

 

ଗାଁ ସାରା ଜହ୍ନ ଆଲୁଅରେ ଚିକ୍ ଚିକ୍ କରୁଛି । ଖୁଲିଦାଣ୍ଡରେ ଚାଲିଛି ଛୋଟ ଛୋଟ ପିଲାଟୁକିଙ୍କର ମନ ମଉଜିଆ ଖେଳ । ଦୁଇ ଦଳ ଝିଅ ଧରାଧରି ହୋଇ ମୁହାଁ ମୁହିଁ ଠିଆ ହୋଇ ଗାଉଛନ୍ତି । ହୁମନନ ଗୀତ’ । ପହିଲି ଦଳ ଗୀତ ଆରମ୍ଭ କରି ବୋଲୁଛନ୍ତି ।

 

‘‘ହୁମନନ ନନ ଦେଶ ବଇଲିରେ

ହୁମନନ ନନ ଦେଶରେ

ନ ଖାଉଁ ତୁମର ଗୁଆ ପନସ

ନ ଯାଉଁ ତୁମର ଦେଶ ବଇଲିରେ

ନ ଯାଉଁ ତୁମର ଦେଶରେ’’

 

ଦ୍ୱିତୀୟ ଦଳ ପହିଲି ଦଳର ପାଖକୁ ଘୁଞ୍ଚିଯାଇ ଗୀତରେ କଥାର ଜବାବ ଦେଉଛନ୍ତି–

 

ହୁମନନ ନନ ଦେଶ ବୋଇଲିରେ ହୁମନନ ନନ ଦେଶରେ

ତୁମ ଦେଶ ଗଲେ କି କି କରିବୁ ତୁଚ୍ଛାଏ ଗଞ୍ଜର ଗଞ୍ଜା

ଗଞ୍ଜର ଗଞ୍ଜାକୁ ଫୁଲ ବିଛଣା ନାକ ତଳେ ଦଣ୍ଡି ଗୁଣା

କେତେ ହଲାଉଛୁ ନାକର ଗୁଣା ମୋଭାଇ କମାନି ସିନା ବୋଇଲିରେ

ମୋ ଭାବ କମାନି ସିନାରେ !!

 

ପାଖରେ ଆଉଦଳେ ଝିଅଙ୍କ ଭିତରେ ଚାଲିଛି ‘‘ଛିଲୋଲାଇ ଖେଳ’’ । ଆଣ୍ଠେଇ ବସି କୁମାରୀମାନେ ହାତ ଗୋଡ଼ ଖେଳାଇ ଗୀତ ଗାଇ ଚାଲିଛନ୍ତି ।

 

‘‘ଛିଲୋଲାଇ ଆ ଖେଲ୍‍ମା ବାଇ

ବାଇଗଲେ ରୁଷି ଆଗୋମା ପିଉସି

କଲା କଲା ବାଇଙ୍ଗନ ରୁଇଗଲି ଧାରେ

କଲାମୁଖା ସାନ୍‍ ଦିଅର ମାରିଦେଲା ବାରେ

ଘୁଞ୍ଚିଯାରେ ଘୁଞ୍ଚିଯା ମଚାତଲକୁ

ମଚାତଲର୍ ସିଙ୍ଗ ପାନିଆଁ ଭୁରସି ମୁଡ଼କ......’’

 

ଗାଁ ମଝି ନେଉଳ ମଣ୍ଡପରେ ଜମିଛି ଭାରି ଲୋକଭିଡ଼ । ମୁଣ୍ଡରେ ପାଗଭିଡ଼ି ପାଗସନ୍ଧିରେ କଲଙ୍ଗିଝୁମ୍ପା ଖୋସି ଗାଁର ଜୁଆନ ପିଲା ଅଣ୍ଟାରେ ଘୁଫରା ବାନ୍ଧୁଛନ୍ତି । ପେଟ୍ରୋମାକ୍‍ସ ଲାଇଟି ଜଳୁଛି । ରଜ ଏଠି ହେବ ଘୁମୁରା ନାଚ । ଆଜିର ଏଇ ପରବ ଦିନକୁ ଖୁସି ମଉଜରେ ବିତାଇ ଦେବାକୁ ପିଲାଠୁ ବୁଢ଼ା ଯାଏ ସଭୋ ବାଇ ବରଷକେ ଏଇ ଗୋଟିଏ ଦିନ କେବଳ ପିଠା ଆରିସା ଖିରି ପୁରୀରେ ଘର ମହକି ଉଠେ । ପରଜା ପୁଅ ଆଜି ପେଟ ପୁରାଇ ଖାଏ ଯେତିକି ସାଇ ପଡ଼ିଶା ଇଷ୍ଟ ମିତ୍ର ଘରେ ବାଣ୍ଟେ ତାଠୁ ବେଶି । ରାତିରେ ଖୁଲିଦାଣ୍ଡ ପୁରାଇ ନାଟ କୀର୍ତ୍ତନ ହୁଏ । କେଉଁଠି ବା ଘୁମୁରା ଢାପ୍ ଓ ବାହକ ମୃଦଙ୍ଗର ଦେଶୀ ପରିପାଟୀରେ ଗାଁର ଝିଅ ଭଉଣୀ ପିଲା ବୁଢ଼ା ସମସ୍ତେ ବିଭୋର ହୋଇ ଉଠନ୍ତି । ଆଜି ଆସିଛି ସେହି ରାତି । ଘୁମୁରା ନାଚ ଦେଖିବାକୁ ଗାଁ ଲୋକେ ଉବୁରି ପଡ଼ୁଛନ୍ତି । ଭିଡ଼ ଭାଙ୍ଗି ଲୋକଙ୍କୁ ଶାନ୍ତିରେ ବସାଇବାକୁ ନାଥ କଲସାଏ ଢାପ୍ ବଜାଇ ନାଇଁ ନାଇଁ ଗୀତ ଆରମ୍ଭ କରି ଦେଇଛି–

 

ତୋର ପାତଲ ଭେଜା ଲେଜା–

କନ୍ ହାଁ ପଇସାକେ ନାଇଁ କରବୁ ହେଜା......ଲେଜା

ଜୁହାର ଗୋ ମାଁ କନ୍ଧେନ ବୁଢ଼ୀ

ଗାଁ ତରେ ତୋର ଗୁଡ଼ି

ତକେ ଅଙ୍ଗର ରକତ କାଟି ଦେମି

ମକେ ପଦ ଆସୁ ଜୁଡ଼ି ଜୁଡ଼ି

ସଂଗାତେ–ମାଇ ମଜୁରରବେକ–ସଂଗାତେ

ଦୁଃଖର ସୁଖର କଥା ହେ ମା

ମୁଡ଼ର ମଠିଆ ରଖ.....ଇତ୍ୟାଦି !!

 

ମହନ ଗାଁ ଖୁଲିରେ ଖଟିଆ ଖଣ୍ଡେ ପାରି ବୁଟୁକୁ ଧରି ବସିଛି । ଛୋଟ ଛୋଟ କୁମାରୀମାନଙ୍କ ଏଇ ହୁମନନ ଓ ବାଙ୍ଗରୀ ଗୀତରେ ମନ ତାର ଆଜି ରସି ଯାଉଛି । ଆକାଶରୁ ମେଞ୍ଚାମେଞ୍ଚା ଜୋଛନା ଗାଁ ଖୁଲିର ଧୂଳିଆ ରାସ୍ତା ଉପରେ ଅଜାଡ଼ି ହେଉଛି । ଚିକ୍ ଚିକ୍ କରୁଛି କୁମାରୀମାନଙ୍କ ପୁରିଲା ଗାଲ । ମୁହଁରେ ନାଇଁ ପାଉଡ଼ର ଓଠରେ ନାହିଁ ଲିପଷ୍ଟିକ୍ । କଳା ଝିମ୍ ଝିମ୍ ବାଳ ଉପରେ ବୋଳା ହୋଇନାଇଁ ଶସ୍ତା ଉତ୍କଟ ବାସନା ତେଲ । ତଥାପି ଦେହରୁ ଫୁଟି ଉଠୁଛି ଏକ ଅପରୂପ ଲାବଣ୍ୟ । ମୁହଁରୁ ଝରୁଛି ପହିଲି ଯଉବନର ମୋହିନୀ ଆଭା । ମହନ ଭାବୁଛି ସହରିଆ ପାଠୋଇ ଯୁବତୀମାନଙ୍କ କଥା । ବାରଦିନେ ତେର ରୋଗର ଶିକାର ହୋଇ ଡାକ୍ତରମାନଙ୍କ ପାକେଟ ପୂରଣ କରିବାରେ ଅଭ୍ୟସ୍ତ ଏଇ ଆଧୁନିକ ବଡ଼ଘରିଆ ଝିଅମାନେ । ଆଖିରେ ନାଇଁ ଜ୍ୟୋତି, ମୁହଁରେ ନାଇଁ ଲାଳିତ୍ୟ । ଦେହରେ ଯୌବନ ଫୁଲ ବିକଶିତ ହେବା ଆଗରୁ ଅକାଳରେ ମଉଳିଯାଏ । କେବଳ ନାଇଲନ୍ କନାର ଛାପା ଶାଢ଼ୀ, ବ୍ଲାଉଜ ପିନ୍ଧି, ପାଉଡ଼ର, ସ୍ନୋ ଓ ଲିପଷ୍ଟିକ୍ ର ଫମ୍ପା ଆଡ଼ମ୍ବର ସଙ୍ଗକୁ କଟାକ୍ଷ ହାଣିବାର ଏକ ଶସ୍ତା ଅଭିନୟ କରନ୍ତି ଏମାନେ ।

 

ଏମିତି କେତେ କଣ ଭାବନା ଜାଗୁଛି ମହନର ମନରେ । ଅବଶୋଷ ଲାଗୁଛି ଯେ ଏହି ସହରିଆ ଫମ୍ପା ଫେସନ ଗାଁ ଗାଉଁଲିକୁ ଆଜି ସଂକ୍ରାମକ ରୋଗ ପରି ମାଡ଼ି ଆସୁଛି । ଗାଁ ଗହଳରେ ଝିଅମାନେ ସେଦିନର ତେଲ ହଳଦୀ, ପୋହଳା କଣ୍ଠି ଛାଡ଼ି ସେଲୁଲଏଡ଼ର ଫୁଲ ଖସିବାକୁ ବେଶୀ ପସନ୍ଦ କଲେଣି । କଡା ଗୁଡ଼ାଖୁର ଉତ୍କଟ ଗନ୍ଧରେ ମସ୍‍ଗୁଲ ହୋଇ ଉଠୁଛି ଗାଁ ମୁଣ୍ଡର ପୋଖରୀ ଘାଟ । କି ବିଚିତ୍ର ପରିବର୍ତ୍ତନ ସେ ଯୁଗ ଓ ଏ ଯୁଗର ସନ୍ଧି ବେଳାରେ । ଖାଣ୍ଟିକୁ ପାଶୋରି ନକଲିକୁ ଆଦରି ନେବାରେ କି ବ୍ୟର୍ଥ ଲାଳସା । ମେଘମୁକୁଳା ଆକାଶ । ସୁଲୁସୁଲିଆ କାଲୁଆ ବାଆ ବହିଆସୁଛି ଯୋର କୂଳଆଡ଼ୁ । ପଞ୍ଝାଏ କୁହ୍ଲିଆ ବିଗୁଲ ବଜାଇ ମଶାଣୀ ପଦାର ନୀରବତା ଭଙ୍ଗ କରୁଛନ୍ତି । ବୁଟୁ କୋଳରେ ଶୋଇ ପଡ଼ିଲାଣି । ମହନ ତାକୁ ଭିତିରି ଖଞ୍ଜାରେ ଶୁଆଇ ଦେବାକୁ ଗଲାବେଳେ ଦାଣ୍ଡପଟରୁ କାହାର ଡାକ ଶୁଣାଗଲା । ମହନ ତରତର ହୋଇ ଯାଇ ଦେଖିଲା ନିଜେ ଭାନୁମଲ୍ ପାନ୍‍ଶାରୀ ଦାଣ୍ଡ ଦୁଆରେ ଠିଆ ହୋଇଛନ୍ତି । ତଟସ୍ଥ ହୋଇ ସେ ବସିବାକୁ ତାଙ୍କୁ ଆସନ ଦେଲା । ପାଣି ଢାଳେ ଆଣି ତାଙ୍କ ସାମନାରେ ରଖିଦେଲା । ଯାହାହେଲେ ବି ବଡ଼ ଲୋକ, ଗୁରୁଜନ । ଏ ଅଞ୍ଚଳରେ ଗରିବ ମଳି ମୁଣ୍ଡିଆଙ୍କ ଆଶା ଭରସାର ମାଲିକ । ଅସମୟରେ ଗରିବ ଦୁଆରେ ପାଦ ପଡ଼ିଛି । ଯଥାଶକ୍ତି ତାଙ୍କ ସନ୍‍ମାନ୍ କରିବା କଥା ।

 

ମହନ ଚା, ପାନର ବ୍ୟବସ୍ଥା କରିଦେଇ ଆସିଲା । ମହାଜନେ ଖଣ୍ଡେ ବିଡ଼ି ଲଗାଇଲେ-। ପାନକଷିଆ ଦାନ୍ତ ଦିପାଟି ଦେଖାଇ ଟିକିଏ ଫିକ୍ କିନା ହସି ଦେଇ ପଚାରିଲେ– ‘‘ତମ ଗାଁରେ ତ ବଡ଼ ମଉଜ ଲାଗିଛି ମହନ ?’’ ମହନ କବାଟ କଡ଼କୁ ଆଉଜି ମୁଣ୍ଡକୁ ନୁଆଇଁ କହିଲା– ‘‘ଏଇତ ବରଷକର ତିହାର ସାଉ । ଖାନା ପିନା, ନାଚ ଗୀତ କରି ଆଜି ରାତିକ କଟାଇ ଦେବା କଥା-।’’ କଳେ ଧୂଆଁ ନାକ ବାଟେ ଛାଡ଼ି ମହାଜନେ କହିଲେ– ‘‘ହଁ ତା ତ ସତ କଥା । ଆମ ଗାଁରେ ବି ଆଜି ସୁଭଦ୍ରାହରଣ ନାଟ କରିବାକୁ ଉଦ୍‍ଯୋଗ କରୁଥିଲେ । ଲାଇଟ୍ ଆଉ ଦରିର ସୁବିଧା କରି ଦେଇ ଆସିଲି ପରା । ଗାଁର ଯାତରା ପରବରେ ମତେ କଣ ଆଉ ରଖି ଥୋଇ ଦଉଛନ୍ତି ।’’ ମହନ ହାତ ମଳି ମଳି କହିଲା– ‘‘ହଁ, ତୁମେ ତ ହେଲ ସାଉ, ଗାଁର ମାଲିକ । ତମେ ନ ଲାଗିଲେ ଆଉ କିଏ ଅଛି କି ? ହଉ ଛାଡ଼...ଆଜି ଏଇ ଅବେଳାରେ କେମିତି ବିଜେ ହେଲ......

 

ମୁରୁକି ମୁରୁକି ହସି ମହାଜନେ କିହଲେ– ‘‘ହେଃ, ଆମର ଆଉ ବେଳା ଅବେଳା କଣ ବାବୁ । ଆସିଥିଲି ଦେଉଳ ପଦର ଗାଁକୁ । ଫେରିଲା ବେଳେ ଭାବିଲି, ଯାଏଁ ଘେରାଏ ବୁଲିଆସେ । ଚିହ୍ନା ଜଣା ଲୋକ ଥିଲେ ମନ କଣ ବୁଝୁଛି ? ସେ ତ ତା ମନକୁ ଘିଚି ହେଇ ଆଉଛି...ଆଉ... ।

 

ମହାଜନ କଥାକୁ ସମର୍ଥନ କରି ମହନ ମୁଣ୍ଡ ଟୁଙ୍ଗାରିଲା–ଜିଇଁଥିବା ଯାଏ ସିନେହ ସଦଭାବ ଟିକକ ତ ବଡ଼ କଥା ସାଉ । ଦେବା ନେବାରେ କଣ ଥାଏ କି ? ଦୁଇ ଦିନିଆଁ କଥା ସେଟା । ଭଲ କଲ ଆସିଲ । ତୁମ ପାଦଧୂଳି ପଡ଼ି ଆମ କୁଡ଼ିଆ ଖଣ୍ଡକ ପବିତ୍ର ହୋଇଗଲା ଆଜି । ଆମର ଭାଗ୍ୟ... !!

 

ମହାଜନ ଆପ୍ୟାୟିତ ହୋଇ ଧାନ ଅମାର ପରି ପେଟଟାକୁ ନଚାଇ ନଚାଇ ହସି ଉଠିଲେ ।

 

କଥାବାର୍ତ୍ତା ହେଉଁ ହେଉଁ ଚା, ପାନ ଆଉ ଜଳଖିଆ ଆଣି ତୁଲ୍‍ସା କବାଟ ଫାଙ୍କରୁ ବଢ଼ାଇ ଦେଲା । ମହନ ତୁଲ୍‍ସା ହାତରୁ ଥାଳିଆ ଆଣି ମହାଜନ ଆଗରେ ଥୋଇ ଦେଲା । ଚା ଖାଁଉଁ ଖାଁଉଁ ମହାଜନ ଖଣ୍ଡିକାଶ ମାରି କହିଲେ– ‘‘ଏଃ, କେଡ଼େ ପରିଶ୍ରମଟେ କଲ ମୋ ପାଇଁ । କି ଦରକାର ଥିଲା କହ ତ ? ତାଉ ଘରୁ ପେଟ ଭରି ତ ଆସିଛି । କୁଁ ପେଟରେ ଏ ସବୁ ଭରିବି ? ଥାଉ.... ।’’ ପାନ ଦିଖଣ୍ଡ ଦିକଳରେ ଯାକି ମହାଜନ ମହନକୁ କହିଲେ–‘‘ଆଚ୍ଛା ମହନ, ତମୁକୁ ଗୋଟିଏ କଥା ବୁଝାଇ ଦେବି ବୋଲି ଭାବୁଛି । ଆସ ବସ ପାଖରେ । କଥା କଣ କି ? କହୁଁ କହୁଁ ଦିନ ଗଡ଼ି ଯାଉଛି ନା । ଟଙ୍କାଟା ରହିଗଲା । ସେଥିଲାଗି ଅବଶ୍ୟ କିଛି କଥା ନାଇଁ । ସୁଦଗୁଡ଼ାକ ବଢ଼ୁଛି ବୋଲି ଯାହା ଚିନ୍ତା, ତାକୁ ଜଲଦି ପଟାଇ ଦେବା ଦରକାର ।’’

 

ଏକଥା ଶୁଣି ଚମକି ପଡ଼ିଲା ମହନ । କଣ ଶୁଣୁଛି ସେ ଆଜି ? କେଉଁ ଟଙ୍କା ? କେଉଁ ସୁଦ ? ଅଜ୍ଜବ କଥା । ମହାଜନର ମୁଣ୍ଡ ବିଗିଡ଼ି ନାଇଁତ । ନିଶା ନୁଶି ଚଢ଼ାଇ ନାଇଁ ତ ସେ ଆଜି ? ନ ହେଲେ ଏମିତି ଅଜ୍ଜବ କଥା କେମିତି ବକୁଛି ସେ ଆଜି ? ତଥାପି ସନ୍ଦେହ ଦୂର କରିବାକୁ ପଦିଏ ପଚାରି ଦେଲେ କ୍ଷତି କଣ ? ମହନ ସାହସ ଭରି ପଚାରିଲା– ‘‘ଆଉ କୁଁ ଋଣ କଥା କହୁଚ ସାଉ ? ମୁଁ ତ ଆଉ ଟଙ୍କା ଲାଗି ତମ ଦୁଆରକୁ ଯାଇନାଇଁ କେବେ ?’’ ଏକଥା ଶୁଣି ଟିକିଏ ଗମ୍ଭୀର ହୋଇ ମହାଜନ କହିଲେ– ‘‘ଓହୋ, ମୁଁ କଣ ନାଇଁ କରୁଛି କି ? ମୁଁ କଣ ତୋର ନୂଆ କାରବାର କଥା କହୁଛି ? ତୋ ବାପ ଦିହକର ସେଇ ଜୁହ୍ନା ଋଣଟା ରହିଗଲା ବୋଲି କଥା ପଡ଼ିଛି ନାଁ...... । ଷ୍ଟାମ୍ପ ଖଣ୍ଡକ ତମାଦି ହେଇ ଯାଉଛି । ଟଙ୍କାଟା ଦେଇଦେ, ନ ହେଲେ ଷ୍ଟାମ୍ପ ଖଣ୍ଡକ ନୂଆ କରିଦେ । ବାସ ଛିଡ଼ିଲା ପାଇଟି...... ।

 

ମହାଜନର ମୁହଁକୁ ଭକୁଆ ଭଳି ଚାହିଁଥିଲା ମହନ । ବେଳକୁ ବେଳ ସେ ଯାହା ଶୁଣୁଛି କେମିତି ଅଡ଼ୁଆ ଅଡ଼ୁଆ ଲାଗୁଛି ତାକୁ । ମହାଜନର ପ୍ରତ୍ୟେକ କଥାରେ ଗୋଟାଏ ଚକ୍ରାନ୍ତ ଖେଳୁଥିଲା ପରି ମନେ ହେଉଛି । ତଣ୍ଟି ଅଠାଳିଆ ହୋଇ ଆସିଲାଣି । ମୁଣ୍ଡ ଭିତରେ ଚକ ଘୁରୁଛି ଘିର୍ ଘିର୍ ହୋଇ । ଆଖିରେ ପଲକ ପଡ଼ୁନାହିଁ । ଯାହାହେଉ ମୁହଁ ଖୋଲି ସେ ପୁଣି ପଚାରିଲା ‘‘ମୁଁ କାଳିମାଟିରେ ଥିଲାବେଳେ ବୁଢ଼ା ସବୁତକ ଟଙ୍କା ନେଇ ଶୁଝି ଆସିଥିଲା ପରା । ଆଉ କେଉଁ ଋଣ ମୋ ଉପରେ ରହିଲା ବୁଝି ପାରୁନାଇଁ ।’’

 

ମହନର କଥା ଶୁଣୁ ଶୁଣୁ ବିରକ୍ତିର ଭାବ ଉକୁଟି ଉଠୁଥିଲା ମହାଜନଙ୍କ ରୁଢ଼ିଆ ମୁହଁରେ-। ଓଠ ଦିକଡ଼ରୁ ବୁହି ପଡ଼ୁଥିଲା ଦୁଇ ଧାର ପାନପିକ । ତାକୁ ଡାହାଣ ମଣିବନ୍ଧରେ ପୋଛି ପକାଇ ସେ କହିଲେ– ‘‘ମତେ କଣ ଏମିତି ଦୁଚଡ଼ିଆ ଦେଖିଲୁ ତୁ ମହନ । ମିଛ କଥାକୁ ମୁଁ ସତ ବନେଇ ତୋ ଆଗରେ ଭଲେଇ ହେବି ? ମୋ ଦିହକରେ ଏଟା କେବେ ହେଇଛି ନା ହେବ-? ଟଙ୍କା ପାଇଥିଲେ ମୁଁ ପୁଣି କହନ୍ତି ପାଇଁ ନାଇଁ ବୋଲି ?’’ ଜିଭ ଫାଟି ଯିବ ନାଇଁ...ଛାଃ...ରାମ–ରାମ-!

 

ମହନ ନୀରବରେ ସବୁ କଥା ଶୁଣୁଥିଲା । ପାଟିରୁ ତାର ଆଉ ଫୁଟିଲା ନାହିଁ କଥା । ମହନକୁ ନୀରବ ରହିବା ଦେଖି ମହାଜନେ ପୁଣି ପାଟି ଫିଟାଇଲେ– ‘‘ଆରେ ବାବୁ, ଏତେ କଥାରେ ଆମର ପାଟିତୁଣ୍ଡ କାହିଁକି ହୋ ? ତୋ ବାପ ଲେଖି ଦେଇଥିବା ଷ୍ଟାମ୍ପ ଖଣ୍ଡକ ତ ତାର ସାଖି । ତାକୁ ତୁ ଦେଖିପକା । ଟଙ୍କା ଦେଇଥିଲେ ଆଉ ଷ୍ଟାମ୍ପ ଆସନ୍ତା କୁଆଡ଼ୁ ? ହେଃ...ହେଃ...ହେଃ... । ହଉ ମୁଁ ଉଠିଲି ।’’

 

ମହାଜନ ଯିବା ପାଇଁ ବାହାରିଲେ । ଅତୀତର ଅନ୍ଦିକନ୍ଦି ଭିତରେ ନିଜକୁ ହଜାଇ ଦେଇଥିଲା ମହନ । ନାନା ଦୁଶ୍ଚିନ୍ତାର ଜାଲ ମୁଣ୍ଡଟାକୁ ତାର ଗୁଡ଼ାଇ ତୁଡ଼ାଇ ପକାଉଥିଲା । ଅକାତ କାଟ ପାଣିରେ ସତେ ଯେପରି ସେ ଅଣନିଶ୍ଵାସୀ ହୋଇ ଉଠୁଥିଲା ! ସେ କାଳିମାଟିରେ ଥିଲାବେଳେ ରୀତିମତେ ଟଙ୍କା ପଠାଉଥିଲା ବୁଢ଼ା ପାଖକୁ ! ତାର ଠିକ୍‍ ମନେ ଅଛି ଥରେ ବୁଢ଼ା ତା ପାଖକୁ ଚିଠି ଲେଖିଥିଲା ମହାଜନର ସବୁତକ ହିସାବ ନିକାଶ ପଟି ଗଲାଣି ବୋଲି । ଯେଉଁ ଋଣ ଶୁଝିବାକୁ ଜନମ ମାଟିର ମମତା ଛିଣ୍ଡାଇ ସେ ସୁଦୂର କାଳିମାଟି କି ପଳେଇ ଆସିଛି ଆଜି ସେଇ ଋଣ ଖଲାସ ହେବା ଜାଣି ମନ ତାର ନାଚି ଉଠିଥିଲା । ସେ ଆନନ୍ଦରେ ହୋଇ ଉଠିଥିଲା ବିଭୋର-। ତେବେ ଆଜି ମହାଜନର ଏ ଚକ୍ରାନ୍ତ କାହିଁକି ? କି ମତଲବ ଅଛି ଏଥିରେ ? ବୁଢ଼ା ମୁରୁଖ ଲୋକ-। ଏତେ ଚଲାକ ଚତୁର ନୁହେଁ, ସାତ ପାଞ୍ଚ ଜାଣେ ନାଇଁ । ଟଙ୍କାଟା ସିଧା ସିଧା ଗଣି ଦେଇଛି-। ମହାଜନ ପାଖରୁ ଆଉ ଷ୍ଟାମ୍ପ ଖଣ୍ଡକ ବୋଧହୁଏ ଫେରାଇ ଆଣି ନାହିଁ । ସେଥିଲାଗି ମହାଜନର ଆଜି ଏଡ଼େ ଦିମାକ୍ ! ହଉ ଉପରେ ଧରମ ଉଁ'ଚି ବୁଡ଼ୁଚି ସେ ବୁଝିବ ସବୁ...ଭାବୁ ଭାବୁ ମହନ ଦୀର୍ଘନିଶ୍ୱାସ ଛାଡ଼ିଲା । ମହାଜନ ଯାଉଁ ଯାଉଁ କଣ ଭାବି ହଠାତ୍ ଫେରି ଆସିଲେ । ମହନ ପାଖକୁ ଲାଗି ଆସି ତା କାନ ପାଖରେ ଫିସ୍ ଫିସ୍ କରି କହିଲେ– ‘‘ମହନ, ତୋ ପଦର ଖଣ୍ଡକ ଥିଲାପରା-? ଟଙ୍କାଲାଗି ତାହେଲେ ତୋର ଏତେ ଚିନ୍ତା କାହିଁକି ? ସେଇ ଖଣ୍ଡକ ମୋତେ ଦେଇଦେ-! ବାସ୍, ତୋର ଋଣ ସାଫ......

 

ମହନ ଦେଖିଲା ଲୋକଟା ନିହାତି ଚାଲାକ୍ । କଳେବଳେ କଉଶଳେ ଗରିବ ଦୁଃଖିଙ୍କି ତା ପାଲରେ ପକେଇ ମଶା ଡାଆଁଶଙ୍କ ପରି ଏମିତି ରକ୍ତ ଶୋଷେ ଯେ କେହି ତାର କାରସାଦି ଜାଣି ପାରନ୍ତି ନାହିଁ । ପ୍ରଜା ତଳିତଳାନ୍ତ ହୁଏ । ଏଣେ ତାହାରି ଗାଣ୍ଡିରେ ଚର୍ବି ବଢ଼ି ଉଠେ ଦିନକୁ ଦିନ । ଏଇତ ଦୁନିଆଁର ନିତିଦିନିଆ ଘଟଣା । ଥିଲାଲୋକ ତାରି ଅବସ୍ଥା ଆଉ ଧନ ସଂପଦରେ କେବେ ହେଁ ସନ୍ତୋଷ ନୁହେଁ । ପରର ଶିରୀ ଦେଖିଲେ ତାର ଈର୍ଷା ବଢ଼େ । ନିତିଦିନିଆ ଗୁରାଏ ନିରୀହ ଦୁର୍ବଳ ଜୀବ ଉପରେ ଦାଉ ନ ସାଧିଲେ ମନରେ ତାର ଆସେନାଇଁ ତୃପ୍ତି । ଭାନୁମଲ୍ ପନ୍‍ଶାରୀର ଆଜି ପାଳି ପଡ଼ିଛି ତା'ରି ଉପରେ । ଘରେ ଅମାର ଅମାର ଧାନ । ବସ୍ତା ବସ୍ତା ଟଙ୍କା-। ସୁନା ରୁପା ଆୟ ଅଳଙ୍କାରରେ ଟ୍ରେଜେରୀ ଭରପୁର । ଜମିବାରି କଥା ବା କିଏ ପଚାରେ-। ହେଲେ ସୁଦ୍ଧା ନାନା ଫନ୍ଦି ଫିକର କରି ଯଦି ମାଣେ କଣେ ମିଳି ଯାଉଛି ଅଥବା ଜମି ଚାଖଣ୍ଡେ ହାତ ପୈଠ ହୋଇ ପାରୁଛି ତାହାହେଲେ ମହାଜନେ ଭାରି ଖୁସି । ସେଥିରେ ଯିଏ ଯାହା ହେଉ ତାଙ୍କର କି ଯାଏ ଆସେ ?

 

ମହନ ମହାଜନଙ୍କର ମତଲବ୍‍ଟା ଠିକ୍ ଠଉରେଇ ନେଲା । ସେ ପ୍ରତିବାଦ କରିବାକୁ ଯାଇ କହିଲା–‘‘ସାଉ, ତୁମ ମତଲବ୍ ମୁଁ କିଛି ସମଝି ପାରୁନାଇଁ । ଏବେ କହିଲ, ଟଙ୍କା ଶୁଝିବାକୁ, ଫେର୍ କହୁଛ ପଦର ଭୂଇଁ କଥା । ସେ ଭୂଇଁ ଆଉ ମୋର ହେଇ ନାଇଁ । ତାକୁ ମୁଁ ଇସ୍କୁଲ ନାଁରେ ଟେକି ଦେଇଛି ।’’ ଏ କଥା ଶୁଣି ମହାଜନ ଘଡ଼ିଏ ଗୁମ୍ ମାରି ଠିଆ ହୋଇ ରହିଲେ । କପାଳରେ ପାଞ୍ଚଟି ରେଖା କୁଞ୍ଚିତ ହୋଇ ଆସିଲା । ଧିରେ ଧିରେ ଦାଣ୍ଡ ଖୁଲି ଆଡ଼କୁ ପାଦ ବଢ଼େଇ ରହି ରହି କହିଲେ– ‘‘ଆଚ୍ଛା ହେଉ, ମୋର ଆଉ ଅଧିକ କିଛି କହିବାର ନାହିଁ । ଆସିଥିଲି ଖାଲି ତୋ କାନରେ ପଦିଏ ଶୁଣାଇ ଦେବାକୁ; କିନ୍ତୁ ମହନ ମନେରଖ, ମୁଁ ଆଉ ଟାଳ ମଟାଳ ମାନିବି ନାଇଁ । ମାସେ ମିଆଦ ଦେଲି । ୟା ଭିତରେ ତୋତେ ଟଙ୍କା ଯୋଗାଡ଼ କରିବାକୁ ହେବ ।’’ ମହାଜନ ଗର୍ ଗର୍ ହେଇ ଚାଲିଗଲେ । ତାଙ୍କ ଯିବା ବାଟକୁ ବଲ୍ ବଲ୍ କରି ଅନେଇଁ ରହିଲା ମହନ । କବାଟ ସନ୍ଧିରେ ଉଙ୍କି ମାରୁଥିଲା ଦୁଇଟି ନିରୀହ ଆଖି ।

 

ସେ ଦିନ ରାତିସାରା ଦିପ୍ରାଣୀ ଆଖିରେ ନିଦ ନାଇଁ । କେତେ ଆଡ଼ୁ କେତେ ଚିନ୍ତା, ଅଜଣା ଆଶଙ୍କା ଆଉ ଅହେତୁକ ମନସ୍ତାପ ଦିହିଙ୍କ ମନକୁ ଘୋଡ଼େଇ ପକାଇଥିଲା । ଡିବିରିର ତେଲ ସରି ସରି ଆସିଲା, ହେଲେ ମହନ ମୁଣ୍ଡରୁ ଚିନ୍ତା କମିଲା ନାଇଁ । ପୂରୁବ ଆକାଶରେ ସିନ୍ଦୁରା ଫାଟିଲାଣି । ଘରେ ଘରେ ଶସ୍ୟ ଶିରୀ ଭରି କୁହୁଡ଼ିର ରେଶମୀ ଶାଲ ଘୋଡ଼ିହୋଇ ପଉଷ ଲେଉଟି ଯାଉଛି ତାର ଅଜଣା ରାଇଜକୁ । ଝାମ୍ପୁରା ଗଛ ଲତାର ହେମାଳ ଡାଳପତ୍ର ଉପରେ ସକାଳୁଆ ହୁରିହୁରିଆ ଜାଡ଼ପବନ ହାତମାରି ଦେଇ ଦଉଡ଼ି ପଳାଉଚି ଏଣେ ତେଣେ । ଭୂଇଁ ଉପରେ ଝୁଣି ହେଇ ପଡ଼ୁଛି କାକର ବିନ୍ଦୁ । ସତେ ଯେପରି ପଉଷର ମେଲାଣି ବେଳାରେ ଗଛ ଲତାର ଆଖିରୁ ଝରୁଛି ଲୁହ ।

 

ମହନ ନିଆଁବେଣ୍ଟି ଆଉ ଟିଣ ଧରି ଯୋରଖଣ୍ଡି ଆଡ଼କୁ ପାଦ ବଢ଼ାଇଲା । ଆକାଶରେ ଭେଳା ଭେଳା ଚଢ଼େଇ ଲକ୍ଷ୍ୟହରା ହୋଇ ଉଡ଼ି ବୁଲୁଛନ୍ତି । ଯୋର ଖଣ୍ଡିରେ ଟାଲ ଖଜୁରୀର ବୁରେଇ । ତା ଆରପଟେ କାହିଁ କେତେ ଦୂର ଲମ୍ବି ଯାଇଛି ଶାଗୁଆ ଆଖୁ କିଆରୀର ଭୁରସା ବାରି-। ପ୍ରକୃତିର ବିଭାଘର ବରଯାତ୍ରୀ ଦଳରେ ନାଚୁଣିଆ ସାଜି ନାଚ ଦେଖାଇବାକୁ ଆଖୁଗଛମାନ ମୁଣ୍ଡରେ ଖଞ୍ଜିଛନ୍ତି ଧଳା ଧଳା କଲଙ୍ଗି ଝୁମ୍ପା । ସୁରୁସୁରୁ ଘରଚଟିଆ ଆଖୁବାରିର ବହଳ ପତ୍ର ଭିତରେ ଗଛରୁ ଗଛକୁ ଡେଇଁ ଡେଇଁକା ଖେଳୁଛନ୍ତି ବହୁଚୋରି ଖେଳ । କୁଳୁକୁଳୁ ସୁର ତୋଳି ଯୋର ଭିତରେ ପଥର କର୍ପଣରେ ବହିଯାଉଛି ଛୋଟିଆ ପାଣି ଧାରଟିଏ । ସକାଳୁଆ ଜାଡ଼ ପରଦା ଆଢ଼ୁଆଳରୁ ନାଲି ଟହ ଟହ ସୁରୁଜ ମୁହଁ ଦେଖେଇଲେଣି । ମହନର ମୁଣ୍ଡ ଭିତରେ ଚରି ବୁଲୁଛି ଖାପ୍ ଛଡ଼ା ଭାବନାର ଅଡ଼ୁଆ ଖିଅ । ଗଲାରାତିର କଥାସବୁ ଗୋଟି ଗୋଟି ଝଲସି ପଡ଼ୁଛି ଆଖି ଆଗରେ । କଣ ସେ କରିବ; ଉପାୟ ଦିଶୁନାହିଁ । ଦୀର୍ଘନିଶ୍ୱାସ ଛାଡ଼ି ସେ ଟେଣ୍ଡାରେ ଟିଣ ଫାନ୍ଦିଲା-। ତା ପରେ ଯୋର ଭିତର କୂଅଁର ପାଣିତେଣ୍ଡି ଖଜୁରୀ ଡଙ୍ଗାରେ ଟିଣପରେ ଟିଣ ଅଜାଡ଼ିବାକୁ ଲାଗିଲା । ଆଖୁ ବାରିରେ ବସିଛି ମାଏନ୍‍ମନସା ଫୁଲ ଫଳର ମେଳା । ଆଖି ଝଲସି ଉଠୁଛି-। ଏପଟକୁ ବାଇଗଣ ପାତଲଘଣ୍ଟା, ରାଶିଖଡ଼ା ଆଉ ଭେଣ୍ଡି ଗଛର ବୁଦାଳିଆ ବଣ । ଗଛଗୁଡ଼ିକ ପାହାନ୍ତିଆ ମୁକୁତା ମାଳରେ ଚିକ୍ ଚିକ୍ କରୁଛନ୍ତି । କଇରୁ ରଫାଧରି ପାଣି ବଳାଉଛି-। ବାରି ଭିତରେ ଦୁଇଭାଇ ନୀରବରେ ଯେଝା କାମରେ ସିଏ ବାଇ । ଥୁଣ୍ଟା କରଞ୍ଜ ଗଛର ଦୁଇକେନିଆଁ ଗଣ୍ଡି ଉପରେ ନିଆଁ ବେଣ୍ଟିଟି କୁହୁଳି କୁହୁଳି ସରି ଯାଉଛି । କିଏ କେମିତି ହଳିଆ ମୂଲିଆ ଖେତକୁ ଗଲା ବାଟରେ ଆସି ବେଣ୍ଟି ଲଗାଇ କାହାଳି ପହଟେଇ ନେଇଛନ୍ତି । କାମ ଧନ୍ଦା ମଝିରେ କୁହୁଳା ଦୁଇଢୁକା ନ ପଡ଼ିଲେ କବାର ଉସୁରେ ନାଇଁ ।

 

ବାଇଗଣ ବାରିରେ ପାଣି ମଡ଼ା ସରିଲାଣି । ଏଡ଼େ ଶୀତ କାକରରେ ବି ମହନ ଦେହରୁ ଗମ୍ ଗମ୍ ହେଇ ବହି ପଡ଼ୁଛି ଝାଳ ।

 

‘‘ମେଲଛା ପଟକ ନେଇ ମୁଁ ଯାଉଛି ହାଟକୁ । ତାକୁ ବିକି ମାଲଗୁଜାରୀଟା ବୁଝାଇ ଦେଇ ଆସିବି । ତହସିଲଦାର ନୋଟିସ୍ କରିଛି । ମିଆଦି ପୂରି ଗଲେ ଫେର୍ ବାର ଫଟ ଫଟ ।’’ ଶାଗ ତୋଳୁ ତୋଳୁ ମହନ କହିଯାଉଥିଲା– ‘‘ଥିର ପାଣି ପିଇ କରି ତ ଯିବୁ ?’’ କୁଠିଆକୁ ମେଲଛା ରଖିବାକୁ କହିଛୁ ତ...... ?’’ କଇରୁ ଭେଣ୍ଡି ତୋଳୁ ତୋଳୁ ପଚାରିଲା– ‘‘ହଁ, ମେଲଛା ଗୁହାଳେ ବନ୍ଧା ହୋଇଛି ।’’

 

‘‘ହେନ୍ତା ହେଲେ ତୁଇ ଯାଉଥା । ମୁଇଁ ବାଇଗଣ ପାତଲଘଣ୍ଟା ଦୁଇଚିଡ଼ି ତୁଳି ଦେଉଛିଁ । କୁଠିଆକୁ ପଠାଇ ଦେଲେ ଭାର ସିକା ଧରି ହାଟକୁ ବୁହିନେବ ।’’

 

ମହନ କୁଶାରୀ ବାରିରୁ କଣ୍ଟା ଝାଣ୍ଟିର କବାଟ ଠେଲି ବାହାରି ଆସୁଛି, ଠିକ୍‍ ଏତିକିବେଳେ ଆସି ପହଞ୍ଚିଲେ ମୁନ୍‍ସୀ ବୁଢ଼ା । ‘‘ମଉସା ଯୁହାର’’, ମହନ ମୁନ୍‍ସୀଙ୍କୁ ଯୁହାର କଲା-

 

ବୁଢ଼ା ମହନ ପାଖକୁ ଆସି କହିଲେ– ‘‘ଆରେ, ଏତେ ଜଲଦି ଆଜି କୁଆଡ଼କୁ ବାହାରିଲୁ ମହନ ।’’

 

‘‘ନାଇଁ ମଉସା, ଟିକିଏ ହାଟକୁ ଯିବାର ଅଛି । ମେଲଛା ପଟକ ନ ବିକିଲେ ତ ଆଉ ରକ୍ଷା ନାହିଁ । ମାଲ୍‍ଗୁଜାରୀ ଦେବାକୁ ନୋଟିସ୍ ଲାଗିଛି ପରା । ପାଞ୍ଚ ମାଇଲ ବାଟ । ଭାବୁଛି, ଥିର ଟିକିଏ ପିଇ ସହଳ ସହଳ ଚାଲିଯିବି ।’’

 

‘‘ହଁ....ହଁ...ଠିକ୍ କଥା । ଫେରୁ ଫେରୁ ବେଳ ବଡ଼ିବ କି ରାତି ହେବ କିଏ ଜାଣେ ? କଣ କହିବିରେ ପୁଅ, ଇଏ ଯୁଁ ସାଇବ ଆଇଛି, ବିନା ପଇସାରେ କଣ କଥା ହେଉଛି କା ସଙ୍ଗରେ । ହେଃ, ସେଦିନ ପରା, ନାଥ କାଲସାଏର ଜମି ଏନ୍ କର ଚ୍ ମେଟ୍ ବାବଦ ଇନ୍‍କୁଆରୀ କରିବାକୁ ଯାଇଥିଲି ତା କତିକି । ବେଟା କଣ ମଙ୍ଗିଲା କି ? ପକ୍ଷ ହାତରୁ ଯେତେବେଳେ ପନ୍ଦର ପଚିଶି ଝଡ଼ିଲା, ତେବେ ଯାଇ ସାଇବ ସାଇକଲ ବଘିଲା..... । ଓହୋ, କଣ କହିବି ତା କଥା । ମୂତରେ ଦୀପ ଜଳୁଛି ୟାଙ୍କର...... ।’’

 

‘‘ହଉ, ଯାହା କରୁଛି କରୁ । ସେମାନଙ୍କର ରାଇଜ । ହାତରେ କ୍ଷମତା ଅଛିବଲି ଦୁଇ ପଇସାର ଲୋଭ ସିନା । ବେଳ ପଡ଼ିଲେ ଫସିଯିବେ ଯେ । ସବୁଦିନ କଣ ପାର୍‍ଯିବ ଇ କଥା ।’’

 

‘‘ଛାଡ଼.....ହଁ କଣ କହୁଥିଲି କି......ତୁ ତ ଯିବାକୁ ତରତର ହେଲୁଣି ଆଉ...... ।’’

 

ନାଇଁ ମଉସା, ତର ତର ହେବାର କିଛି ନାଇଁ ଯେ । କଅଁଳି ବେଳ, ତ ମତେ ବିଳମ୍ବ ହେବ ନାଇଁ । କହ କଣ କହୁଥିଲ ?’’

 

‘‘କଥା କଣ କି–ବଡ଼ ଅରକଳେ ପଡ଼ିଛି ଏବେ ଶଳା ପରମା । ଲୁକେ କହନ୍ତି ନାଇଁ– ‘‘ଆମ୍ ଗଛେ ଡମ୍ ରଜା ଆମ୍ ସରିଗଲେ ଟିମକି ବଜା ।’’ ପରମାକୁ ଏବେ ଟିମକି ନ ବଜାଇ ଛାଡ଼ୁଛି କି ସହଜେ...... ?

 

‘‘କଣ ସବୁ କହୁଛ ମଉସା, ମୁଁ ତ କିଛି ବୁଝି ପାରୁନାଇଁ ।’’

 

‘‘ଏଥିରେ ଆଉ ବୁଝିବାର କଣ ଅଛିରେ ? ଜାଣିଥା ତାର କାଳ ବେଳା ଆସି ପହଞ୍ଚିଲା-। ତାର ଦିମାକ୍ ଆଉ ବେଶୀ ଦିନ ଠହରିବ ନାଇଁ ।

 

‘‘କଣ ଏମିତି ହେଇଛି କି... ?’’ ମହନ ଢେମା ଢେମା ଆଖିରେ ଆଶ୍ଚର୍ଯ୍ୟ ହେଇ ପଚାରିଲା । ମୁନ୍‍ସୀ ବୁଢ଼ା ଦୁକୁତା ଟିପେ ଜିଭ ଅଗରେ ପକାଇ କହିଲେ– ‘‘ଘବରାଇବା କଥା ନୁହେଁ ବାବୁ ଶୁଣ । ମୁଁ ଭିତିରି ସୁରାକ୍ ପାଇଛି ଯେ ମହାଜନ ପରମା ହାତରେ କଡ଼ିକାଠ, ମହୁଲ ଆଦି ବାହାରକୁ ଚୋରା ଚାଲାନ୍‍ କରୁଛି । ତାକୁ ହାତାହାତି ପଗଡ଼େଇ ଦେଲେ ତ ହେଲା–ତା ପରେ ସିଧା ମାମୁଁ ଘର ।

 

‘‘ଧରିଆନ ଷଣ୍ଢ୍‍କେ

ବକା ଦିଅ ଗଣ୍ଡ୍‍କେ’’ ।

 

ବାଉଁଶ ବାଡ଼ ପାଖରେ କଇରୁ ଏସବୁ କଥା ଶୁଣୁଥିଲା । ସେ ଦାନ୍ତକୁ ଦାନ୍ତ ରଗଡ଼ି ସେଇଠୁ ଉତ୍ତର ଦେଲା– ‘‘ଇସ୍‍ରେ–ବେଟା ଶଶୁରର ପୁତ, କାହିଁର ପୁଲିସ୍ ଫୁଲିସ । ରାତିବିକାଳି ପଛଆଡ଼ୁ ପରଘେଇ ଦେଲେ ତ ସୁହା...... ।’’

 

କଇରୁର ଫୁଲାଫାଙ୍କିଆ କଥା ଶୁଣି ଅଳ୍ପ ହସି ମୁନ୍‍ସୀ ବୁଢ଼ା କହିଲେ– ‘‘ହଇରେ, ଏମିତି କଣ ଦାଉ ସଧା ଯାଏ । ଇ ବୁଧିଲାଗି ତ ତୋର ଆଜି ଏତେ ଦଶା । ତାକୁ ପରଘେଇବୁ ଯେ ତୋର ଦଶା କଣ ହେବ କହିଲୁ ? ଶୁଣ୍...ମହନ ଉପରେ ଯେତେ ଦାଉ ସାଧିଛି ମୋ ଉପରେ ବି ତାଠୁ କମ୍ ସାଧିନାଇଁ ସିଏ । ବୁଢ଼ା ବେଳେ ମୋର ଦାନା ମାରିଲା, ମୋର ଝିଅକୁ ବାଡ଼ୁଅ କଲା-। ଯେଉଁଠି ସମନ୍ଧ ବାନ୍ଧିବାକୁ ଯାଉଛି ଚଟକିନା ଭଙ୍ଗେଇ ଦେଉଛି । ଆଉ ସେ ଶଳା ମହାଜନଟା ହେଲେ କଣ ଭଲ କି ? ଆରେ ବାପରେ, ତା କଥା କଣ କହିବି...... ?

 

କଥା ମଝିରେ ମହନ ମୁଣ୍ଡପୋତି କହିଲା– ‘‘ଛାଡ଼ ୟାଲ୍‍ପୋର କଥା ! ମୋ ଉପରେ ଆଜି ତିନିଶ ଟଙ୍କା ଦାବୀ କରୁଛି, ନ ହେଲେ ପଦର ଖଣ୍ଡକ ଭେଦା...ମୋର ତ ତଣ୍ଟି ଶୁଖି ଯାଉଛି, ୟାର ଏ ଅନ୍ୟାୟ ଜୁଲୁମ୍, ଦେଖି ।’’

 

‘‘ନା ନା, ଆଉ ଏମାନଙ୍କ ଜୁଲୁମ୍ ସହିହେବ ନାଇଁ ମହନ । କିଛି ଗୋଟାଏ ଫଇସଲା କଲେ ରିହାତି ମିଳିବ ଏକା ଏମାନଙ୍କ ଦାଉରୁ । ହଉ କଇରୁ–ତୁ ବାହାର ମୋ ସଙ୍ଗରେ । ସାଙ୍ଗହେଇ ଥାନାକୁ ଯିବା.....

 

କଇରୁ ମୁଣ୍ଡ ପୋତି ହଁ ଭରିଲା । ମହନ ଆକାଶକୁ ଚାହିଁ ଦେଖିଲା–ବେଳ ରଙ୍ଗି ଆସୁଛି ଉପରକୁ । ମୁନ୍‍ସୀ ବୁଢ଼ା ଯିବାକୁ ବାହାରିଲେ । କଇରୁ ଠୁଗାରୁ ଦୁଇ ଆଞ୍ଜୁଳା ଭେଣ୍ଡି ଆଣି ତାଙ୍କ କାନିରେ ବାନ୍ଧି ଦେଲା ।

 

ଷୋହଳ

 

କିଟିକିଟିଆ ଅନ୍ଧାର ରାତି । ନିଶା ସାଇଁ ସାଇଁ ଗର୍ଜୁଛି । ଝଙ୍କାଳିଆ ତେନ୍ତୁଳି ଗଛରୁ ଝିଙ୍କାରୀ ପୋକର ଗର୍ଜନରେ ଅତରା ପଡ଼ୁଛି । ଅନ୍ଧାର ରାତିର କଳା ଚାନ୍ଦୁଆ ତଳେ ଜୁଳୁଜୁଳିଆ ପୋକର ମଣିମୁକ୍ତା ସବୁ ଖଞ୍ଜା ହୋଇଛନ୍ତି । ଚାରିଆଡ଼ ନୀରବ ନିଶବ୍ଦ । ଜନ ମାନବର ଶୋରଶବ୍ଦ ନାହିଁ । ଦୂର ମଶାଣି ପଦାରେ ଜୁକ୍ ଜୁକ୍ ହୋଇ ଜଳୁଛି ଚିରଗୁଣୀ ଆଲୁଅ । ଗାଁ ମୁଣ୍ଡରୁ ଯୋର କୂଳେ କୂଳେ ଲମ୍ବିଯାଇଛି ଏକ ଧୂଳିଆ ଶଗଡ଼ିଆ ରାସ୍ତା । ରାସ୍ତା ଦୁଇ କଡ଼େ କୁରେ ପଳାସ ଆଉ ଭଦଭଦଳିଆ ଗଛର ଅରମା ବୁଦା ! ବୁଦା ଆଢ଼ୁଆଳରେ ଅନ୍ଧାରକୁ ଭୃକ୍ଷେପ ନକରି ବସିଥିଲେ କେତେଜଣ ଲୋକ । ବିଡ଼ି ସିଗାରେଟର ଧୂଆଁରେ ଜାଗାଟି ଧୂମାୟିତ ହୋଇ ଉଠୁଥିଲା । ମନେ ହେଉଥିଲା ସତେ ଯେପରି ସେମାନେ କାହାରିର ଅପେକ୍ଷାରେ ଟାକି ରହିଥିଲେ ଏହି ନିଛାଟିଆ ବୁଦୁବୁଦିକିଆ ପତର ଉହାଡ଼ରେ ।

 

ହଠାତ୍ ଦୂରରୁ ମୋଟର ଆବାଜ ଶୁଣି ଲୋକମାନେ ସତର୍କ ହୋଇ ଉଠିଲେ । ସେମାନଙ୍କ ଭିତରୁ ଜଣେ ଟୋପିପିନ୍ଧା ବାବୁ ରାସ୍ତା କଡ଼ରେ ଛିଡ଼ାହୋଇ ଗାଡ଼ି ରୋକିବାକୁ ହାତ ହଲାଇ ନିର୍ଦ୍ଦେଶ ଦେଲେ । ଗାଡ଼ି ପାଖକୁ ମାଡ଼ି ଆସିଲା । ଆଲୁଅରେ ଝଲସି ଉଠିଲା ଜାଗାଟି । ଟ୍ରକ୍ ଭିତରେ ଡ୍ରାଇଭର ପାଖକୁ ବସିଥିଲେ ନିଜେ ପରମା ନାଏକ । ହଠାତ୍ ଥାନାବାବୁଙ୍କୁ ଚିହ୍ନିପାରି ପରମାର ପଞ୍ଜରା ଦୋହଲି ଉଠିଲା । ଆଶୁ ବିପଦ ଆଶଙ୍କାରେ ଶିହରୀ ଉଠିଲା ତା'ଦେହ । ଗାଡ଼ି ରୋକିଲେ ସିଧାସଳଖ ହାତକଡ଼ି । ବରଂ ଜୀବନ ମୂର୍ଚ୍ଛା ପୋଲିସ କବଳରୁ ପଳାଇବା ଛଡ଼ା ଅନ୍ୟ ଗତି ନାହିଁ । ପରମା ପାଟିକରି ଡ୍ରାଇଭରକୁ ଆଦେଶ ଦେଲା– ‘‘ରୋକୋ ମତ–ଚଲାଅ ଗାଡ଼ି ଯୋରସେ....ଧୂଳି କୁହୁଡ଼ି ଭିତରେ ତୀର ବେଗରେ ଟ୍ରକଟି କୁଆଡ଼େ ଅଦୃଶ୍ୟ ହୋଇଗଲା । ପୋଲିସ ଆଖିରେ ଧୂଳିମାରି ଏତେ ସହଜରେ ଫାଙ୍କି ଦେବ ପରମା ଏହା ଥାନାବାବୁ ସ୍ଵପ୍ନରେ ବି ଭାବି ନଥିଲେ । ବରଂ ପରମାର ସାହସ ଦେଖି ସେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେ ନାହିଁ । ମୁନ୍‍ସୀ ବୁଢ଼ା ଓ କଇରୁ ସାହୁ ଥାନାବାବୁଙ୍କୁ ଘାଟି ଧରାଇ ଦେଇ ବୁଦା ଉହାଡ଼ରେ ଲୁଚି ଏ ସବୁ ଦୃଶ୍ୟ ଦେଖୁଥିଲେ । ପରମା ଗାଡ଼ି ଝପଟାଇ ପଳାଇଯିବା ଦେଖି ସେମାନେ ଥାନାବାବୁଙ୍କ ପାଖକୁ ଆସି ବଲ୍ ବଲ୍ କରି ତାଙ୍କ ମୁହଁକୁ ଅନାଇ ରହିଲେ । ଯେଉଁଠି ପୋଲିସର ଅକଲ ଗୁଡ଼ୁମ୍, ସେଇଠି ତାଙ୍କ କଥା ବା ପଚାରେ କିଏ ? ଥାନାବାବୁ ସାଇକେଲରେ ଚଢ଼ି ରାଗରେ ତମତମ ହୋଇ କହିଲେ– ‘‘ବେଟା ଯାଇ ଯାଇ କେତେଦୂର ପଳେଇବ । ଫୋନ୍ କରି ତାକୁ ମୁଁ ପଗଡ଼େଇ ଦେଉଛି ଯେ ।’’ ଥାନାବାବୁଙ୍କ ପଛେ ପଛେ କନେଷ୍ଟବଲ ଦୁହେଁ ସାଇକିଲ ଛୁଟାଇ ଦେଲେ ।

 

ପୋଲିସ ଆଖିରେ ଧୂଳି ଝଣ୍ଟି ଅନ୍ଧାର ରାତିରେ ପରମା ଟ୍ରକ ଛୁଟାଇ ପଳାଇ ଆସିଲା ସିନା, ହେଲେ ମନରେ ତାର ନଥିଲା ଶାନ୍ତି । ଭୟରେ ଛାତି ଖାଲି ଧଡ଼୍ ଧଡ଼୍ କରୁଥିଲା ତାର । ଅନେକ ଥର ତ ସେ ଏମିତି ଏଇ ରାସ୍ତାରେ ଟ୍ରକ ନେଇ ଯିବା ଆସିବା କରିଛି, କେବେତ ଏମିତି ଅଡ଼ୁଆ ପରିସ୍ଥିତିରେ ପଡ଼ିନାହିଁ । ତେବେ ଆଜି ତାର ଚୋରା କାରବାର କଥା ପୋଲିସ କାନକୁ ଗଲା କିପରି ? କିନ୍ତୁ ମନରେ ଆଶ୍ୱସ୍ତି ଆସୁଥିଲା ଯେ, ଯାହାହେଉ ପୋଲିସକୁ ଫାଙ୍କି ଦେଇ ପଳାଇ ଆସିପାରିଛି ସେ । ଆଉ ଏବେ ତାର କାହାକୁ ଭୟ ନାହିଁ । ମନରେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲା ସେ । ବାରମ୍ବାର ପଛକୁ ଓଲଟି ଚାହୁଁଥିଲା ପରମା, କାଳେ ଥାନାବାବୁ ତାର ପିଛା ଧରିଥିବ ବୋଲି । ମାତ୍ର ଅନ୍ଧାରୁଆ ଧୂଳି କୁହୁଡ଼ି ଭେଦି କିଛି ବାରି ହେଉ ନଥିଲା । ଗାଡ଼ି ଆହୁରି ଜୋରରେ ଚଳାଇବାକୁ କହି ନିଶ୍ଚିନ୍ତରେ ସେ ବସି ବିଡ଼ି ଟାଣିବାକୁ ଲାଗିଲା । ଭାରବାହୀ ଓଜନଦାର ଟ୍ରକ୍‍ଟି ଉଲ୍‍କା ବେଗରେ ଛୁଟି ଚାଲିଲା ଆଗକୁ ଆଗକୁ । ଖଣ୍ଡେ ଦୂରେ ଯୋର ଉପରେ ଏକ ପୋଲ ଦେଇ ରାସ୍ତାଟି କିନ୍ଦ୍ରିକରି ଜଙ୍ଗଲ ଭିତରକୁ ପଶିଯାଇଛି । ନିଶାଦାର ପଞ୍ଜାବୀ ଟ୍ରକ୍ ଡ୍ରାଇଭର ପୋଲ ଆରପଟେ ଗାଡ଼ିକୁ ଆଉ ଅକ୍‍ତିଆରରେ ରଖି ପାରିଲାନାହିଁ । ରାସ୍ତାର ମୋଡ଼ ଯାଗାରେ ହଠାତ୍ ଟ୍ରକ୍‍ଟି ଯାଇ ରାସ୍ତା କଡ଼ରେ ଏକ ଆମ୍ବଗଛ ଦେହରେ ପିଟି ହୋଇ ଯୋର ଭିତରକୁ ଗଡ଼ି ପଡ଼ିଲା । ଟ୍ରକ୍ ଉପରେ ଲଦା ହୋଇଥିବା କଡ଼ିକାଠ ସବୁ ଛିନ୍ନଛତ୍ର ହୋଇ ଏଣେ ତେଣେ ବୁଣି ହୋଇଗଲା । ରାତିର ଗଭୀର ଅନ୍ଧାର ଭିତରେ ଆଖି ପିଛୁଳାକେ ଯେ ଏଡ଼େ ବଡ଼ କାଣ୍ଡ ଘଟିଗଲା ତାହା କେହି ଜାଣି ପାରିଲେ ନାହିଁ ।

 

ରାତି ପାହୁ ନ ପାହୁଣୁ ଆଖ ପାଖ ପାଞ୍ଚଖଣ୍ଡ ଗାଁରେ ଘଟଣାଟି ହୁଲିଆଜାରୀ ହୋଇଗଲା । କ୍ଷେତ ବାରିର କାମ ଅଧାପନ୍ତୁରିଆ ପକେଇ ଲୋକେ ଘଟଣାସ୍ଥଳକୁ ଧାଇଁଲେ । ସେତେବେଳେ ଯୋର ଭିତର ବାଲି ଉପରେ ବେହୋସ ହୋଇ ପଡ଼ିଥିଲା ପରମା ନାଏକ । ଡାହାଣ ଗୋଡ଼ ଜଙ୍ଘ ଉପରେ ତାର ଟ୍ରକ୍‍ର ଗୋଟିଏ ପାଖର ହୁଡ଼ ମାଡ଼ି ପଡ଼ିଛି । ଏ କରୁଣ ଦୃଶ୍ୟ ଦେଖିବାକୁ ଲୋକ ଉବୁରି ପଡ଼ୁଛନ୍ତି । ପରମା ପାଖକୁ ଯିବାକୁ କାହାରି ସାହସ ହେଉନାହିଁ । ସମସ୍ତେ କେବଳ ଅନେଇଛନ୍ତି ବଲ୍ ବଲ୍ କରି । ସମସ୍ତଙ୍କ ମୁହଁରେ ଢାଙ୍କି ହୋଇଛି ଏକ ଭୟମିଶା ବିଷାଦର ଛାଇ । ମହନ ଭିଡ଼ ଠେଲି ପରମା ପାଖକୁ ଗଲା । ଦେଖିଲା ମୁହଁ ତାର ଶେତା ପଡ଼ିଯାଇଛି । ନାକରେ ହାତ ମାରି ଦେଖିଲା ଏକାକ୍ଷୀଣ ପବନଧାର ନାକ ପୁଡ଼ାରେ ଯା ଆସ କରୁଛି । ଦେହରୁ ରକ୍ତ ନିଗିଡ଼ି ଯାଇ ଜୀବନ ଦୀପ ତାର ନିଭି ନିଭି ଆସୁଛି । ମହନ ପରମାର ଏଇ ବିକଳିଆ ଅବସ୍ଥା ଦେଖି ଆଉ ଥୟ ଧରି ରହି ପାରିଲା ନାହିଁ । ପାଣି ଆଞ୍ଜୁଳାଏ ଆଣି ତାର ପାଟିରେ ଦେଲା । ତା ପରେ ଟ୍ରକ ହୁଡ଼ାକୁ ଟେକି ପରମାକୁ ଟାଣି ଆଣିବା ପାଇଁ ଲୋକଙ୍କୁ ଅନୁରୋଧ କଲା । ଚାହୁଁ ଚାହୁଁ ଲୋକେ ଟ୍ରକ ଉଠା କାମରେ ଲାଗି ପଡ଼ିଲେ । ମାତ୍ର ସବୁ ଚେଷ୍ଟା ଫସର ଫାଟିଲା । ଟ୍ରକ ଇଞ୍ଚେ ସୁଦ୍ଧା ଉଠିଲା ନାଇଁ । ଗୋଟିଏ ହୈ ଚୈ ଖେଳିଗଲା ନିଛାଟିଆ ଯୋର ପନ୍ତାରରେ । ପୋଲିସକୁ ଶୀଘ୍ର ଖବର ଦେବା ପାଇଁ ବିଭୀଷଣ ନାଗ, ଟେରା ଘିଭେଲା ଆଦି ପାଟି କଲେ ।

 

ମହନ ସେମାନଙ୍କୁ ବୁଝାଇ କହିଲା–ପୋଲିସକୁ ଖବର ଦେବା ଏବେ ବଡ଼ କଥା ନୁହେଁ-। ଲୋକଟାକୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ହେଲା ବର୍ତ୍ତମାନ ଅସଲ ସମସ୍ୟା । ହଠାତ୍ ମୁଣ୍ଡରେ ତାର ଗୋଟିଏ ଉପାୟ ଖେଳିଗଲା । ପରମାର ଗୋଡ଼ ତଳୁ ମାଟି ଉଖାରି ତାକୁ କେବଳ ନିରାପଦରେ ଟ୍ରକ୍ ତଳୁ କଢ଼ାଯାଇ ପାରେ । ଏହା ଛଡ଼ା ଅନ୍ୟ ଉପାୟ ନାହିଁ । ମହନର ଏଇ ପରସ୍ତାବ ସଭିଙ୍କ ମନକୁ ପାଇଲା । ମାଟି ଖୋଳା କାମ ଆରମ୍ଭ ହେଲା । ପରମାର ଗୋଡ଼ତଳେ ସୁଡ଼ଙ୍ଗ ଖୋଳି ତାକୁ ଖୁବ୍‍ ସାବଧାନରେ ଟାଣି ଅଣାଗଲା । ତାହାର ଡାହାଣ ଜଙ୍ଘ ଦୁଇ ଫାଳ ହୋଇ ନିଦିରି ଯାଇଥିଲା । ଗୋଡ଼ତଳ ଚକଡ଼େ ନାଲି ନାଲି ରକ୍ତରେ ଭିଜି ରଙ୍ଗୀନ ହୋଇ ଯାଇଥିଲା । ଆଉ କାଳ ବିଳମ୍ବ ନ କରି ତାକୁ ହେଡ଼୍ କ୍ୱାଟର ହାସପାତାଲକୁ ନିଆଗଲା ।

 

ଡାକ୍ତର ପରୀକ୍ଷା କରି କହିଲେ ବିଶେଷ ରକ୍ତସ୍ରାବ ହେତୁ ରୋଗୀର ଅବସ୍ଥା ସିରିଏସ୍‍ । ମୁଣ୍ଡରେ ଗୁରୁତର ଆଘାତ ଯୋଗୁଁ ଚେତନା ତାର ଫେରି ନାହିଁ ଏ ଯାଏ । ଏଣୁ ରୋଗୀ ପାଇଁ ରକ୍ତ ଦରକାର । କିନ୍ତୁ...ରକ୍ତଦେବ କିଏ... ??

 

ପୁଣି ରକ୍ତ ଦେବା ଲୋକ ସୁସ୍ଥ, ସବଳ ଓ ନୀରୋଗ ହେବା ଆବଶ୍ୟକ । ଏହା ଛଡ଼ା ନିଜ ଅଙ୍ଗରୁ ରକ୍ତ ଦାନ କରିବା ପାଇଁ ଇଚ୍ଛା ଥିବା ଦରକାର । ବଳପୂର୍ବକ ତ କା ଅଙ୍ଗରୁ ରକ୍ତ ଗ୍ରହଣ କରାଯିବ ନାହିଁ । କନ୍ଧେନପାଲି ଗାଁର ଯେତେ ଲୋକ ଆସିଥିଲେ ରକ୍ତ ଦେବା ପାଇଁ କେହି ମଙ୍ଗିଲେ ନାହିଁ । ଜୀବନରେ ଔଷଧ କଣ, ଇଂଜେକସନ୍ କି ଭଳି ଜିନିଷ, ଡାକ୍ତରଙ୍କ ଗଳାରେ ସାପ ପରିକା ଯେଉଁ ଜିନିଷ ଥାଏ ତହିଁରେ କଣ କରାଯାଏ, ଏ ସବୁ ବିଷୟରେ ଯେ ସଂପୂର୍ଣ୍ଣ ଅଜ୍ଞ, ଇଞ୍ଜେକ୍‍ସନର ସିରିଂଜ ଦେଖିଲେ ଯାହାଙ୍କର ଛାତି ଶିହରି ଉଠେ, ଭୟରେ ସେ ପୁଣି ନିଜ କଞ୍ଚା ମାଉଁସ ଫଟାଇ ତାତିଲା ରକ୍ତ ନିଗାଡ଼ି ଦେବାକୁ ମଙ୍ଗିବ କିପରି ? ଡାକ୍ତରଙ୍କ କଥା ଶୁଣି ଯିଏ ଯେଝା ବାଟ କାଟିଲେ । ପରମା ନାଏକ ତ ଜୀବନରେ କାହାରି ଉପକାର କରି ନାହିଁ, ଆଜି ତା ବିପଦ ବେଳେ ସାହାହୋଇ ଆହା ପଦ କହିବାକୁ ବା କାହା ମନ ବଳିବ ? ଲୋକେ କହନ୍ତି ‘‘ଦେଇ ଥିଲେ ପାଇ ବୁଣିଥିଲେ ଦାଇ... ।’’ ପରମା ତ ଜୀବନରେ ଦେଇ ନାଇଁ କେବେ ? ଅନ୍ୟର ବିପଦଆପଦ ବେଳକୁ ଗୋଡ଼ ଭାଙ୍ଗି ଠିଆ ହୋଇ ନାଇଁ ଥରଟିଏ । ପର ହିଂସା, ପର ବାଦ, ପର ରମଣୀ, ପର ଧନରେ ସଧ ବଳାଇ ସେ ନିଜର ସ୍ୱାର୍ଥ ସାଧନରେ କେବଳ ଜୀବନର ଦାମିକା ଉମରତକ ବିତାଇ ଦେଇଛି । ଆଜି କଲିଜା ଖୋଲି ବହୁମୂଲ୍ୟ ରକ୍ତତକ କିଏ କାହିଁକି ବା ନିଗାଡ଼ି ଦେବ ତା ପାଇଁ ।

 

ମହନ ଫେରି ଯାଉଥିଲା । ଅଧବାଟରୁ କେଜାଣି ପାଦ ଦୁଇଟି ତାର ପୁଣି ଡାକ୍ତରଖାନା ହତା ଭିତରକୁ ଓଟାରି ହୋଇ ଆସିଲେ । ଆଜି ତାର ପୂରାପୂରି ମନେଅଛି ଯେତେବେଳେ ସେ ଟାଟା ଲୁହାକାରଖାନାରେ ସିଡ଼ି ଉପରୁ ପଡ଼ି ଗୋଡ଼ ଭାଙ୍ଗି ଡାକ୍ତରଖାନାରେ ପଡ଼ିଥିଲା, ମୁଣ୍ଡ ଫାଟି ଏମିତି ଗୁଡ଼ାଏ ରକ୍ତସ୍ରାବ ହୋଇଥିଲା ତାର । ତା ସାଥି ମଜୁରିଆ ଭାଇମାନେ ରକ୍ତଦାନ କରି ନ ଥିଲେ ସେ ଆଜି କଣ ମଣିଷ ହେଇ ଜିଇଁ ଥାଆନ୍ତା ? ତା ପାଖକୁ ଆଜି ସେଇ ଡାକରା ଆସିଛି । ଏ ଡାକ ଧର୍ମର ଡାକ । ବିବେକର ଡାକ । ରକ୍ତ ଦୁଇଧାର ଦେଇ ମୁମୂର୍ଷୁର ଜୀବନ ବଞ୍ଚାଇବା ପାଇଁ ଆଜି ଡାକୁଛି ତାର ବିବେକ । ପରର ଉପକାର କରିବାକୁ ଆଜି ମିଳିଛି ତାକୁ ପରମ ସୁଯୋଗ । ତା ରକ୍ତର ବିନିମୟରେ ଯଦି ଗୋଟିଏ ଜୀବନ ବଞ୍ଚିଯାଇ ପାରେ ତାହା ହେଲେ ଏହାଠାରୁ ବଳି ଆଉ ସୌଭାଗ୍ୟର କଥା କଣ ହୋଇ ପାରେ ।

 

ଠିକ୍ ପର ମୁହୂର୍ତ୍ତରେ ମହନର ଅନ୍ଧାରି ଗୋହିରୀ ଭିତରୁ କିଏ ଜଣେ ମୁଣ୍ଡଟେକି ଇସାରା କରେ–ନା ନା ଏତେ ଧର୍ମ ପୁଣ୍ୟ କାହିଁକି ? କଣ ନ କରିଛି ସେ ତୋର । ଶତ୍ରୁ ଆଉ କଣ ଗଛ ଖୁଣ୍ଟରେ ଫଳନ୍ତି । ଆଜି ଶତ୍ରୁର ଦୁଃଖରେ ଦୟା ଜାଗୁଛି ମନରେ ନା ? ଭୁଲିଗଲୁ ଗଲା ଦିନର କଥା ସବୁ । ଦୁଧ ଦେଇ ନାଗ ପୋଷିବାକୁ ବସିଛୁ କିନ୍ତୁ ମନେରଖ, ସେ ବିଷେଦଗାର କରି ପୁଣି ଦଂଶିବ ତୋତେ ।

 

ଏମିତି ଭାବନାର ଦ୍ୱନ୍ଦରେ ପର କଣ ହୋଇଯାଉଛି ମହନର ମନ । କଣ କରିବ, କଣ ନ କରିବ କିଛି ଠିକ୍‍ କରି ପାରୁ ନାହିଁ ସେ । ମନେ ହେଉଛି ସତେ ଯେପରି କୋରଣାରେ ମୁଣ୍ଡ ଭିତରଟା ତାରି କିଏ ଯେପରି କୋରି ଆଞ୍ଚୁଡ଼ି ପକାଉଛି । ପୁଣି ସତ୍ ଭାବନା ଆସି ମୁଣ୍ଡରେ ତାର ବସା ବାନ୍ଧୁଛି । ଗଲାକଥାକୁ ଆଉ ମନେ ଧରି ବସିଲେ ଚଳିବ ନାହିଁ । ଯାହା ହୋଇ ଯାଇଛି ତହିଁକି ଆଉ ଶୋଚନା କରି ଲାଭ ନାହିଁ । ଆଗାମୀ କାଲିର ଚିନ୍ତାହିଁ ଆମର ପଥ ପ୍ରଦର୍ଶକ ହେବା ଆବଶ୍ୟକ ।

 

ଭଲ ହେଉ ବା ମନ୍ଦ ହେଉ, ଯେ ଯାହାକରେ ତହିଁର ଉଚିତ ପାଉଣା ତାକୁ ଅଦୃଷ୍ଟର ଅଦାଲତରେ ମିଳିଯାଏ । ଅଦୃଷ୍ଟର ନିକିତିରେ ପାପ ପୁଣ୍ୟର ପାସଙ୍ଗ ଚାଲିଛି ଗୋପନରେ; ଅତି ନିଭୃତରେ । ମଣିଷର ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଲୋଭ, ମୋହ ଆଉ ହିଂସା । ଏଣୁ କେହି ଜାଣି ପାରୁନି ସେ କଥା । ପରମ ନାୟକ ସୃଷ୍ଟି ବାହାରର ମଣିଷ ନୁହେଁ । ସେ ଯାହା କରିଛି ପାଇଛି ତାର ଉଚିତ ପରାଭୋଗ । ଯଦି କିଞ୍ଚିତ୍‍ ଦାନ ଯୋଗୁଁ ତାର ଜୀବନ ରକ୍ଷା ହୋଇ ପାରେ ତାହାହେଲେ ଏ ଘଟଣା ଅଦୃଷ୍ଟର ଡାଇରୀରେ ଅମର ଅକ୍ଷରରେ ଲେଖା ହୋଇ ରହିବ ନିଶ୍ଚୟ । ଏମିତି କେତେ କଣ ଭାବୁଁ ଭାବୁଁ ମହନର ଆଖି ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା । ଧିରେ ଧିରେ ସେ ଡାକ୍ତରଙ୍କ ପାଖକୁ ଯାଇ ରକ୍ତ ନେବା ପାଇଁ ହାତ ବଢ଼ାଇ ଦେଲା ।

 

ରକ୍ତ ଦେବାର କେତେ ଘଣ୍ଟା ପରେ ପରମାର ଚେତା ଧିରେ ଧିରେ ଫେରି ଆସିଲା । ମରଣ କାଳୀନ ଇଝାର ନେବାକୁ ଥାନା ବାବୁ ଆସି ପହଞ୍ଚିଗଲେ । ପରମା ମହାଜନର ଚୋରାକାଠ କାରବାର କଥା ସ୍ୱୀକାର କଲା । ଥାନାବାବୁ ସବୁ କଥା ଡାଇରୀରେ ଗୋଟି ଗୋଟି କରି ଟିପିନେଲେ । ସେତେବେଳେ ପଶ୍ଚିମ ଦିଗ୍‍ବଳୟର ପର ପାରିରୁ ବାସନ୍ତୀ ସନ୍ଧ୍ୟା ରଙ୍ଗ ବେରଙ୍ଗ ଶାଢ଼ି ପିନ୍ଧି ଧରଣୀର କୋଳକୁ ଓହ୍ଲେଇ ଆସୁଥିଲା । ଦଳ ଦଳ ହୋଇ ବକ ଓ ପାଣିକୁଆଳି କୁଁ…କୁଁ ରବ କରି ନିଜ ନିଜ ବସା ଅଭିମୁଖେ ବାହୁଡ଼ି ଆସୁଥିଲେ । ହେନା ଓ ରଜନୀଗନ୍ଧାର ପରାଗ ମାଖି ମଳୟ ପବନ ଅଙ୍ଗେ ଅଙ୍ଗେ ତୋଳୁଥିଲା ନୂତନ ଶୀହରଣ । ସନ୍ଧ୍ୟାକାଳୀନ ରଙ୍ଗୀନ ଆକାଶ ଆଡ଼େ ବଲ ବଲ କରି ଅନେଇଥିଲା ପରମା; ଯନ୍ତ୍ରଣାର ଏକ ସ୍ପଷ୍ଟ ଛାପ ମୁହଁରେ ତାର ଉକୁଟି ଉଠୁଥିଲା । କପାଳରେ ଫୁଟି ଉଠୁଥିଲା ବୁନ୍ଦା ବୁନ୍ଦା ଝାଳ ।

 

ଶେଷ

 

ଯେଉଁ ଅପନ୍ତରା ପଦର ଭୂଇଁ ଖଣ୍ଡକ ପାଇଁ ମହନ ଓ କଇରୁର ଜୀବନରେ ବହିଯାଇଛି କେତେ ଝଡ଼ ଝଞ୍ଜା । ସେଇ ଟାଙ୍ଗରା ନିଛାଟିଆ ଭୂଇଁ ଉପରେ ଆଜି ଠିଆ ହୋଇଛି ଗୋଟିଏ ସ୍କୁଲ ଘର ଗାଁବାସୀଙ୍କର ସହଯୋଗର ଫଳ ଓ ଶ୍ରମଦାନର ସମୂହ ସାର୍ଥକତା । ଅଇଲା ଅକ୍ଷୟତୃତୀୟା ଦିନ ଇସ୍କୁଲ ଘର ଉଦ୍‍ଘାଟିତ ହେବ । କୃଷିମନ୍ତ୍ରୀ ମହୋଦୟ ଏଇ ଉତ୍ସବରେ ଯୋଗ ଦେବାକୁ ଆସିବେ । ଜିଲ୍ଲା ଲୋକ ସମ୍ପର୍କ ବିଭାଗ ଓ ବି. ଡି. ଓ.ଙ୍କ ଅକ୍ଲାନ୍ତ ଚେଷ୍ଟାରେ ଏହି ଉତ୍ସବ ଉପଲକ୍ଷେ ଖୋଲା ଏବଂ ଏକ କୃଷି ଓ ପଶୁ ପ୍ରଦର୍ଶନୀ । ଆଜିଠାରୁ ଜୋର ଶୋରରେ କାମ ଆରମ୍ଭ ହୋଇଗଲାଣି । ହାତରେ ଆଉ ମୋଟେ ଅଳ୍ପଦିନ । କହୁଁ କହୁଁ ପାଣି ସୁଅପରି ବହିଯିବ । ଏ ଅଞ୍ଚଳରେ ଏମିତି ପଦର୍ଶନୀ ହେବା ଏଇ ପ୍ରଥମ । ଆଉ ଏ ଅଞ୍ଚଳକୁ ମନ୍ତ୍ରୀ ବିଜେ କରିବା ବି ଏଇ ନୂଆ । ସେଥିପାଇଁ ପିଲାଠୁଁ ବୁଢ଼ାଯାଏଁ ସଭିଙ୍କ ମନରେ ଖେଳି ଉଠିଛି ନୂତନ ଉନ୍ମାଦନା ଓ ଆଗ୍ରହ । ମନ୍ତ୍ରୀଙ୍କୁ ଦେଖିବେ କିମ୍ଭୂତ କିମାକାର ଜୀବଟିଏ ହୋଇଥିବେ ପରା । ଛୋଟ ଛୋଟ ପିଲାଙ୍କ ମନରେ ମନ୍ତ୍ରୀଙ୍କ ବିଷୟ ନେଇ କେତେ କଳ୍ପନା ଜଳ୍ପନା, କେତେ ଉତ୍କଣ୍ଠା ।

 

ଇସ୍କୁଲ ଘର ସାମ୍ନା ଖୋଲା ପଡ଼ିଆରେ କେତେ ମାଣ୍ଡୁଆ ଛାମୁଣ୍ଡାର ପରିପାଟି ସାଜି ଉଠୁଛି । କେଉଁଠି ସ୍ୱେଚ୍ଛାସେବକମାନଙ୍କ ପାଇଁ ତମ୍ବୁ ପଡ଼ିବ ତ କେଉଁଠି କୁକୁଡ଼ାମାନଙ୍କ ପାଇଁ ତାରଜାଲି ଘେରାଯିବ । ନିଜେ ପଞ୍ଚାୟତ ସମିତି ଚେୟାରମେନ ଓ ସରପଞ୍ଚ ବାବୁ ଆସି ପ୍ରତ୍ୟେକ ବିଷୟରେ ନିର୍ଦ୍ଦେଶ ଦେଇ ଯାଉଛନ୍ତି ।

 

ଦିନ ପାଖେଇ ଆସିଲାଣି । ଚାଳଘରମାନଙ୍କରେ ହରିଆନା, ସିନ୍ଧିଗାଈ, ମହିଷୀ, ଷଣ୍ଢ ଆଦି ଆଣି ରଖା ହେଲେଣି । କେତୋଟି ସ୍ଥଳରେ ଉତ୍କୃଷ୍ଟ ଲୋମଶ ମେଣ୍ଢା ଓ ବଡ଼ ବଡ଼ ବିଦେଶୀ କୁକୁଡ଼ା ଆଣି ଛଡ଼ା ଯାଇଛନ୍ତି । ପ୍ରତ୍ୟେକ ଷ୍ଟଲ ରଙ୍ଗବେରଙ୍ଗ କାଗଜ ଓ ଜରିକାମରେ ସଜା ହୋଇଛନ୍ତି । ସ୍କୁଲଘର ଚଉପାଖରେ ଆମ୍ବ ତୋରଣ ଓ ରଙ୍ଗକାଗଜ ଫୁଲମାଳର ପରିପାଟୀ । ଜାରି ପତାକାର ସାଜସଜ୍ଜା ବେଶ୍‍ ମନୋରମ ହୋଇଛି । ସାମ୍ନା ଫାଟକ ଆଗରେ ସୁନେଲି ରଙ୍ଗ ଅକ୍ଷରରେ ଲେଖା ହୋଇଛି–ଉଜ୍ଜ୍ୱଳ ମଧ୍ୟଇଂରାଜୀ ବିଦ୍ୟାଳୟ । ରାତିରେ ପେଟ୍ରୋମାକ୍‍ସ ଆଲୁଅ ଜାଳି ଗାଁଲୋକ ସ୍କୁଲ ଘର ସଜାଇବାରେ ଲାଗି ପଡ଼ିଛନ୍ତି । ଲୋକଙ୍କ ମନରେ ଏମିତି ଅଦ୍ଭୁତପୂର୍ବ ଜାଗରଣ ଓ ଉତ୍ସାହ ଆଉ କେବେ ଦେଖା ଦେଇ ନ ଥିଲା ।

 

ଆଜି ଅକ୍ଷୟ ତୃତୀୟା ।

 

ସ୍କୁଲ ଘର ଓ କୃଷି ପ୍ରଦର୍ଶନୀ ଉଦ୍‍ଘାଟନ କରିବାକୁ ଆସିବେ ଓଡ଼ିଶାର କୃଷିମନ୍ତ୍ରୀ ମହୋଦୟ । ଲୋକ ଗହଳିରେ ଜାଗାଟି ପୂରି ଉଠିଲାଣି । ପ୍ରଦର୍ଶନୀ ମଣ୍ଡପ ଭିତରେ କେତେ ଜାତିର ଫଳ, ଫୁଲ ଓ ପନିପରିବା । ଜାତିଜାତିକା ଗଛ, ଲତା ଓ ଫସଲ କେଣ୍ଡାର ସାଜସଜ୍ଜା ବେଶ ଚମତ୍କାର ହୋଇଛି । ହଠାତ୍ ମୋଟର ଆବାଜ ଶୁଣାଗଲା । ଡାକବାଜି ଯନ୍ତ୍ରରେ ସରପଞ୍ଚ ବାବୁ ଲୋକଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଜଣାଇ ଦେଲେ । ଲୋକଙ୍କ ପାଟିତୁଣ୍ଡ ବନ୍ଦ ହୋଇଗଲା । ମନ୍ତ୍ରୀଙ୍କୁ ଦେଖିବାକୁ ଠେଲା ପେଲା ଆରମ୍ଭ ହୋଇଗଲା । ଫୁଲମାଳ ପିନ୍ଧାଇ ମନ୍ତ୍ରୀ ମହାଶୟଙ୍କୁ ସଭା ମଣ୍ଡପକୁ ପାଛୋଟି ଅଣାଗଲା । ମଣ୍ଡପର ପ୍ରଧାନ ଫାଟକ ପାଖରେ ପହଞ୍ଚି ମନ୍ତ୍ରୀ ମହୋଦୟ ପ୍ରଦର୍ଶନୀ ଉଦ୍‍ଘାଟନ କଲେ । ପ୍ରଦର୍ଶନୀ ଦେଖିବାକୁ ଆଖପାଖ କୋଡ଼ିଏ ପଚିଶି ଖଣ୍ଡି ଗାଁରୁ ମାଇପି ପିଲା ସମେତ ବୁଢ଼ା ଭେଣ୍ଡା ହୋଇ ପାଞ୍ଚ ସାତ ହଜାର ସାରିକି ଲୋକ ଜମିଛନ୍ତି । ନୂଆ ନୂଆ ଚିଜ ଦେଖିବାକୁ ସଭିଙ୍କ ମନ ଆଜି ଉଚ୍ଛନ । ମନ୍ତ୍ରୀ ମହାଶୟଙ୍କୁ ପ୍ରଦର୍ଶନୀର ସମସ୍ତ ବିଭାଗ ବୁଲାଇ ଦେଖାଇ ଦିଆଗଲା । ଗାଁବାସୀଙ୍କ ଆଗ୍ରହ ଓ ଉନ୍ନତ କୃଷିଜାତ ଜିନିଷର ପରିପାଟୀ ଦେଖି ମନ୍ତ୍ରୀ ମହାଶୟ ବିଶେଷ ପ୍ରୀତ ହେଲେ । ପ୍ରଦର୍ଶନୀ କେନ୍ଦ୍ରସ୍ଥଳରେ ଉନ୍ନତ ଧରଣ ଚାଷପ୍ରଣାଳୀ, ବିଦେଶୀ ସାରର ବ୍ୟବହାର, ଜାପାନୀ ପ୍ରଣାଳୀ ଚାଷ ଓ ମାଛଚାଷର ନମୂନାମାନ ଦେଖାଇ ଦିଆହୋଇଛି । ପ୍ରଦର୍ଶନୀ ମଇଦାନରେ ମନ୍ତ୍ରୀଙ୍କ ମନୋରଞ୍ଜନ ପାଇଁ ଗର୍ରା (ମେଣ୍ଢା) ଲଢ଼େଇର ବ୍ୟବସ୍ଥା ହୋଇଥିଲା । ବଛା ବଛା ବଳୁଆ ମେଣ୍ଢାମାନଙ୍କ ମଧ୍ୟରେ ଦୁଇ ଦୁଇଟା କରି ଲଢ଼େଇ କରାଗଲା । ବାସ୍ତବିକ୍‍ ଗର୍ରା ଲଢ଼େଇ ଏତେ ଚମକପ୍ରଦ ଓ ମାଦକଭରା ବୋଲି ମନ୍ତ୍ରୀ ମହାଶୟ ଜାଣି ନ ଥିଲେ । ଦଶପଟ ମେଣ୍ଢାକୁ ଲଢ଼େଇରେ ହରାଇ ଦେଇ ମହନର ମେଣ୍ଢା 'ଗୁଲଠୁ' ଶେଷରେ ଜିତିଲା ! ମନ୍ତ୍ରୀ ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ ଗୁଲ୍‍ଠୁ ଗଳାରେ ଫୁଲମାଳଟିଏ ଲମ୍ବାଇ ଦେଲେ । କରତାଳି ଧ୍ୱନିରେ ସ୍ଥାନଟି ମୁଖରିତ ହୋଇ ଉଠିଲା । ମହନର ଆନନ୍ଦ ଆଜି ଦେଖେ କିଏ ?

 

ପ୍ରଦର୍ଶନୀ ମଣ୍ଡପରେ ଘେରାଏ ବୁଲି ଆସି ମନ୍ତ୍ରୀ ସ୍କୁଲ ଘର ଉଦ୍‍ଘାଟନ କରିବାକୁ ଗଲେ । ମନ୍ତ୍ରୀ ଯିବା ଆଗରୁ ସ୍କୁଲ ସାମନା ଚାନ୍ଦୁଆ ତଳେ ଲୋକ ଭିଡ଼ ଜମିଯାଇଥିଲା । ମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଓ ପୁରସ୍କାର ବିତରଣ ଦେଖିବା ପାଇଁ ଲୋକଙ୍କ ଭିତରେ ଭରି ଉଠୁଥିଲା ନୂତନ ଉନ୍ମାଦନା । ସ୍କୁଲ ଘର ଉଦ୍‍ଘାଟନ କରି ମନ୍ତ୍ରୀ ମହାଶୟ ବେଦୀ ଉପରକୁ ଫେରି ଆସିଲେ-

 

ମନ୍ତ୍ରୀ ଆସନ ଗ୍ରହଣ କଲାପରେ ସରପଞ୍ଚ ବାବୁ ମାଇକ ପାଖକୁ ଯାଇ ଅଭିନନ୍ଦନ ପତ୍ର ପାଠ କଲେ । ତାପରେ ଏକ କ୍ଷୁଦ୍ର ଭାଷଣ ଦେଇ ସେ କହିଲେ, ‘’ଆମର ପରମ ସୌଭାଗ୍ୟର ବିଷୟ ଯେ ଆଜି ଆମ କୃଷିମନ୍ତ୍ରୀ ମହୋଦୟଙ୍କ ପାଦଧୂଳି ଆମ ଗାଁରେ ପଡ଼ିଛି । ତାଙ୍କ ଆସିବା ଖବର ପାଇ ଗାଁ ଲୋକେ ଦୁଇଗୁଣ ଉତ୍ସାହରେ ଲାଗିପଡ଼ି ଆଜି ସ୍କୁଲ ଘର ତିଆରି କରିଛନ୍ତି । ଗାଁ ଲୋକେ ବିନା ଦ୍ୱିଧାରେ ଏଥିପାଇଁ ଚାନ୍ଦା ଭେଦା ଦେଇ ଗାଡ଼ିହଳ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ମାଟି ଚକୁଟି ଇଟାଗଢ଼ି ମାସ ଗୋଟାକରେ ସ୍କୁଲଘର ତିଆରି କରି ଦେଇଛନ୍ତି । କେବଳ ସ୍କୁଲ ଘର ନୁହେଁ ଏହି ମାସକ ମଧ୍ୟରେ ଗାଁର ଯୁବକ ଦଳଙ୍କ ଶ୍ରମଦାନ ଫଳରେ ଗାଁ ଖୁଲିରେ ଖୋଳା ହୋଇଛି ଏକ ବିରାଟ କୂଅଁ । ପ୍ରତିବର୍ଷ ଗ୍ରୀଷ୍ମକାଳରେ ଲୋକେ ପାଣିପାଇଁ ଯେପରି ହଟହଟା ହୁଅନ୍ତି ଚଳିତ ବର୍ଷଠାରୁ ସେହି ସମସ୍ୟାର ସମାଧାନ ହେଲା ବୋଲି କହିବାକୁ ହେବ । କେବଳ ସେତିକି ନୁହେଁ ଏହି ଯୁବକ ଦଳ ନିଜ ହଳ ଗାଡ଼ି ଓ ହଳିଆ ଦ୍ୱାରା ଗେଟି, ପଥର ବାଲି ରୁଗୁଡ଼ି ଆଦି ବୁହାରି ଗାଁ ମୁଣ୍ଡରୁ ସ୍କୁଲ ଘର ପର୍ଯ୍ୟନ୍ତ ଏକ ପ୍ରଶସ୍ତ ପକ୍କା ସଡ଼କ ମଧ୍ୟ ନିର୍ମାଣ କରିଛନ୍ତି । ଏଣୁ ଏହି ସଂଗଠିତ ଚେଷ୍ଟାକୁ ଉତ୍ସାହିତ କରିବା ପାଇଁ ମୁଁ ମନ୍ତ୍ରୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏତିକି କହି ସରପଞ୍ଚ ବାବୁ ଆସନ ଗ୍ରହଣ କଲେ । ତାପରେ ଉତ୍କୃଷ୍ଟ କୃଷିଜାତ ଦ୍ରବ୍ୟ ତଥା ଫଳ, ଫୁଲ ଓ ପଶୁ ପାଇଁ ବିଭିନ୍ନ ପୁରସ୍କାର ସବୁ ବିତରଣ କରାଗଲା । ମହନର ତରଭୁଜ, କାକୁଡ଼ି, ମକା ଓ ବାଇଗଣ ଦେଖି ମନ୍ତ୍ରୀ ତଥା ଜନତା ବିଶେଷ ଖୁସି ହେଲେ । ମହନର ପରିଶ୍ରମ ଯୋଗୁ ତାକୁ ଉତ୍ସାହିତ କରିବା ପାଇଁ ଓ ଅନ୍ୟାନ୍ୟ ଚାଷୀ ଭାଇଙ୍କୁ ଏଇ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ତାକୁ ପଂଚାୟତ ସମିତି ତରଫରୁ ଟ୨୦୦ଙ୍କାର ଏକ ବିଶେଷ ପୁରସ୍କାର ଦିଆଗଲା । ଏହାଛଡ଼ା ମନ୍ତ୍ରୀ ମହାଶୟ ମହନର ଗର୍ରା ମାଡ଼ରେ ଖୁସି ହୋଇ ନିଜ ହାତରୁ ଏକଶତ ଟଙ୍କାଦାନ କଲେ । କରତାଳି ଓ ଆନନ୍ଦ ଧ୍ୱନିରେ ସଭାସ୍ଥଳ ଉଛୁଳି ଉଠିଲା । ସବାଶେଷରେ ମନ୍ତ୍ରୀ ମହାଶୟ ଭାଷଣ ଦେବା ପାଇଁ ଡାକବାଜି ଯନ୍ତ୍ର ପାଖକୁ ଆସିଲେ । ଲୋକଙ୍କ ମଧ୍ୟରେ ହଠାତ୍ ଖେଳିଗଲା ନୀରବତା ।

 

ମନ୍ତ୍ରୀ ମହାଶୟ ତାଙ୍କ ଭାଷଣରେ ଗାଁ ଲୋକଙ୍କ ସଂଗଠିତ ଚେଷ୍ଟା, ଉତ୍ସାହ ଓ ପରିଶ୍ରମକୁ ପ୍ରଶଂସା କଲେ । ସେ କହିଲେ ସବୁ ଗାଁ ଯଦି ଏହି ଆଦର୍ଶରେ ଅନୁପ୍ରାଣିତ ହେବେ ତାହା ହେଲେ ପ୍ରତ୍ୟେକ ଗାଁର ରୂପରେଖ ବଦଳିଯିବ । ଯେଉଁଠି ଲୋକଙ୍କ ଚେଷ୍ଟା, ଉତ୍ସାହ ଓ ସହଯୋଗ ପ୍ରକାଶ ପାଉଛି ତା ପଛରେ ସରକାରଙ୍କ ସାହାଯ୍ୟ ନିଶ୍ଚୟ ରହିବ । ଏହା ସଙ୍ଗେ ଶ୍ରମଦାନର ମହତ୍ୱ ବୁଝାଇ ସେ କହିଲେ ଆଜି କନ୍ଧେନ ପାଲି ଗାଁ ଲୋକଙ୍କ ଶ୍ରମଦାନ ଫଳରେ ଗଢ଼ିଉଠିଛି ଦୁଇଟି ଅମୂଲ୍ୟ ଜିନିଷ । ଗୋଟିଏ ବିଦ୍ୟାଳୟଘର ଓ ଅନ୍ୟଟି କୂଅଁ । ଗୋଟିଏ ପାଖରେ ଶିକ୍ଷାର ବିସ୍ତାର, ଅନ୍ୟ ପାଖରେ ସ୍ଵାସ୍ଥ୍ୟରକ୍ଷାର ଅଭିନବ ପ୍ରଚେଷ୍ଟା । ଏହି ମହତ୍‍ ଉଦ୍ଦେଶ୍ୟକୁ କେହି ପ୍ରଶଂସା ନ କରି ରହି ପାରିବେ ନାହିଁ । ଏଇ ନିରାଟ ମଫସଲର କ୍ଷୁଦ୍ର ପରିସର ମଧ୍ୟରେ ଯେ ଏମିତି ଉଦାର ଓ ସମାଜସେବୀ ଅଛନ୍ତି ଏହା ବାସ୍ତବିକ୍‍ ମୋତେ ମୁଗ୍‍ଧ କରିଛି । ମୁଁ ଚାହେଁ, ପ୍ରତ୍ୟେକ ଗାଁରେ ଏଇ ଆଦର୍ଶ ପ୍ରତିଫଳିତ ହେଉ । ଗାଁ ଗାଁରୁ ନିଭିଯାଉ ଦଳଗତ ନୀଚ ମନୋବୃତ୍ତି ଓ କୁତ୍ସା ପ୍ରଚାର । ମୋର ଅନୁରୋଧ, ଅବସର ସମୟରେ ଚାଷୀ ଭାଇମାନେ ଅଯଥା କଳି ତକରାଳ ମାଲିମୋକଦ୍ଦମା ଆଦିରେ ସମୟ ନଷ୍ଟ ନ କରି ବାରି ବଗିଚାରେ କାମ କରନ୍ତୁ, ଉତ୍ପାଦନ ବଢ଼ାନ୍ତୁ । ଆମେ ଚେଷ୍ଟା ଅଲେ ଏଇ ମାଟିରେ ସୁନା ଫଳିବ । ଆମର ଅଭାବ ଦୂର ହେବ । ତା ସଙ୍ଗକୁ ଆମେ ଦୁଇ ପଇସା ରୋଜଗାର କରିପାରିବା । ଗାଁରେ ଗୋଟିଏ ‘’କୁଟୀରଶିଳ୍ପ ସମବାୟ ସମିତି’’ ହେଉ । ପଟି, ମଶିଣା ମୁଗୁରା, ଛାଞ୍ଚୁଣି, ପାଚିଆ, କୁଲା, ଚାଲୁଣି, ଟୋକେଇ, ପଘା, ଦଉଡ଼ି, ଖେଳନା ଆଦି ଲୋକଙ୍କ ସହଯୋଗରେ ତିଆରି ହୋଇ ଏଇ ସମିତିରେ ରଖାଯାଉ । ତାକୁ ସମିତି ନେଇ ସହର ଅଞ୍ଚଳରେ ବିକ୍ରୀ କରି ବେଶ ଲାଭବାନ ହୋଇ ପାରିବ । ତା ସଙ୍ଗେ ସଙ୍ଗେ ଲୋକେ ବି ଦୁଇପଇସା ଅର୍ଜନ କରି ପାରିବେ । ଗାଁର ଯୁବକ ଭାଇମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଗାଁରେ ଗୋଟାଏ ପାଠାଗାର ଖୋଲିବାକୁ ମୁଁ ପ୍ରତିଶ୍ରୁତି ଦେଉଛି ।

 

ଏଇ ଗାଁ କଡ଼େ ଏକ ରେଳ ଲାଇନ ପଡ଼ୁଛି । ଏଇଠି ହେବ ଏକ ଶଖା ଷ୍ଟେସନ । ଆପଣଙ୍କ ଗାଁର ପରିସର ଆହୁରି ବଢ଼ିଯିବ । ଗାଁର ରୂପରେଖ ଏକାବେଳକେ ବଦଳିଯିବ । ତେଣୁ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣମାନଙ୍କୁ ଆଜିଠୁଁ ପ୍ରସ୍ତୁତ ହେବାକୁ ପଡ଼ିବ । ଏଇ କୃଷି ଓ ପଶୁ ପ୍ରଦର୍ଶନୀଟି ଅତି ଚମତ୍କାର ହୋଇଛି । ଏଥିରୁ ନାନା କଥା ମଧ୍ୟ ଶିଖିବାର ଅଛି । ଏହା ଛଡ଼ା ଏଇ ନୂଆ ମାଇନର ସ୍କୁଲଟି ଏ ଅଂଚଳର ଏକ ବଡ଼ ଅଭାବ ପୂରଣ କରିଛି । ଏଣୁ ଉଦ୍ୟୋକ୍ତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ବିଶେଷ କରି ଏଇ ଜମିର ମାଲିକ ଶ୍ରୀ ମୋହନ ସାହୁ ଆମ୍ଭମାନଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି ।

 

ଭାଷଣ ଶେଷ କରି ମନ୍ତ୍ରୀ ମହାଶୟ ଆସନ ଗ୍ରହଣ କଲେ । ଏ ସମୟରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଲା । ଲୋକଙ୍କ ଭିଡ଼ ଠେଲି ଜଣେ ଅଚିହ୍ନା ଲୋକ ଅନ୍ୟ ଜଣେ ଲୋକର କାନ୍ଧରେ ହାତ ରଖି ମନ୍ତ୍ରୀଙ୍କ ଆଡ଼କୁ ଆଗେଇ ଆସିଲା । ଚେହେରା ତାର ରୁକ୍ଷ ଓ ମଳୀନ, ମୁହଁରେ ନିଶ ଦାଢ଼ିର କୁତ୍ସିତ ରୂପ । ମୁଣ୍ଡର ବାଳ ଯତ୍ନ ଅଭାବରୁ କସରା ପଡ଼ିଗଲାଣି । ଆଖି ଦିଓଟି ତାର କୋଟରଗତ, ତଥାପି ଏହି ରୁକ୍ଷ ଚେହେରା ଭିତରୁ ଏକ ଆନନ୍ଦର ଦୀପ୍ତି ସ୍ଵତଃ ଫୁଟି ଉଠୁଥିଲା । ହାତରେ ଥିଲା ତାର ଏକ ଟଙ୍କା ଥଳି । ଲୋକଟିର ଗୋଟାଏ ଗୋଡ଼ ନାହିଁ; କେବଳ ଗୋଟାଏ ଗୋଡ଼ରେ ଅନ୍ୟଲାକର କାନ୍ଧରେ ହାତ ରଖି ସେ ଆଗେଇ ଆସିଲା । ଏଇ କିମ୍ଭୁତକିମାକାର ଲୋକଟିକୁ ଦେଖି ସଭା ମଣ୍ଡଳୀ ଅବାକ୍ । ସମସ୍ତେ ଅନାଇଛନ୍ତି ବଲ୍ ବଲ୍ କରି ! ଲୋକଟି ଟଙ୍କା ଥଳିଟି ନେଇ ମନ୍ତ୍ରୀଙ୍କ ହାତକୁ ବଢ଼ାଇ ଦେଲା । ତା'ପରେ ଅତି କ୍ଷୀଣସ୍ୱରରେ କ'ଣ କହିଲା କେହି ଶୁଣି ପାରିଲେ ନାହିଁ । ମନ୍ତ୍ରୀଙ୍କ ମୁହଁରେ ଏକ ଆନନ୍ଦର ସ୍ପଷ୍ଟ ରେଖା ଉକୁଟି ଉଠିଲା-। ସେ ଆସନ ଛାଡ଼ି ଜନତାକୁ ଲକ୍ଷ୍ୟ କରି କହିଲେ–

 

‘‘ଭାଇମାନେ–ଆଜି ଆଉ ଏକ ଆନନ୍ଦର କଥା ଏ ସ୍ଥାନୀୟ ଜଣେ ବଦାନ୍ୟ ବାସିନ୍ଦା ତାଙ୍କର ସ୍ଵପାର୍ଜିତ ସମସ୍ତ ଧନ ଏକ ଛାତ୍ରାବାସ ନିର୍ମାଣ ପାଇଁ ଦାନ କରିଛନ୍ତି । ମୁଁ ତାଙ୍କୁ ଏହି ମହତ ଦାନ ପାଇଁ ଜନତା ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ ଦେଉଛି ।’’

 

କରତାଳି ଧ୍ୱନିରେ ସଭାସ୍ଥଳ ଉଛୁଳି ଉଠିଲା । ଲୋକଙ୍କ ମଧ୍ୟରେ ଖେଳିଗଲା ଏକ ଅହେତୁକ କଳରବ । ଲୋକଟିର ପରିଚୟ ଜାଣିବାକୁ ଜନତା ଉଦ୍‍ଗ୍ରୀବ ହୋଇ ଉଠିଲେ । ମାତ୍ର ସେତେବେଳକୁ ସେ କୁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲା । ସଭା ଭଙ୍ଗ ହେଲା, ଲୋକମାନେ ଯେ ଯୁଆଡ଼େ ଚାଲିଗଲେ । ମନ୍ତ୍ରୀ ମହାଶୟ ମଧ୍ୟ ଗାଡ଼ିରେ ଚଢ଼ି ଚାଲିଗଲେଣି ।

 

ସଭା ପରେ ସରେ ଗୁଡ଼ିଆ ପସରା ଓ ମନୋହାରୀ ଦୋକାନମାନଙ୍କରେ ଜମି ଉଠିଲା ଭିଡ଼ । ରେହେଟି ଦୋଳିରେ ଗରାଖର ଭିଡ଼ ଅସମ୍ଭାଳ ହୋଇ ଉଠିଲା । ଫୁକା ଦୋକାନ ସାମନାରେ ଛୋଟ ଛୋଟ ପିଲା ଟୋକୀମାନେ ଅରଷ୍ଟି ଆରମ୍ଭ କରିଦେଲେ । ସିନେମା ଦେଖେଇବା ପୂର୍ବରୁ ଲୋକ ସମ୍ପର୍କ ବିଭାଗ ତରଫରୁ ଗ୍ରାମଫୋନ୍ ସଙ୍ଗୀତର ମୂର୍ଚ୍ଛନା ଆରମ୍ଭ ହୋଇଗଲାଣି । ଲୋକଙ୍କୁ ଭୋକ ଶୋଷ ଆଉ ବାଧୁ ନାହିଁ । ସମସ୍ତଙ୍କ ମନ ଆଜି ଆନନ୍ଦରେ କୁଣ୍ଢେମୋଟ । ମହନର ପୁଅ ଆଉ ଝିଆରୀମାନେ ଫୁକା କିଣିବାକୁ ଅରଷ୍ଟି କରିଛନ୍ତି । କିଏ ଲଗେଇଛି ରେହେଟି ଦୋଳିରେ ବସିବ, କିଏ ରାହା ଧରିଛି ନିମିକି ଖାଇବତ, କିଏ କହୁଛି ପେଁକାଳୀ କିଣିବ । ଛୁଆମାନଙ୍କ ଫର୍ମାସ ଶୁଣି ଶୁଣି ମହନ ଏକାବେଳକେ ନାକେଦମ । ଫୁକାବାଲାକୁ ଡାକି ଶେଷରେ ସଭିଙ୍କ ପାଇଁ ଗୋଟାଏ ଗୋଟାଏ ଫୁକା କିଣିଦେଲା ମହନ । ଫୁକା ପାଇ ଛୁଏ ଆନନ୍ଦରେ ଡିଆଁ ମାରିଲେ । ଏ ସମୟରେ ସେ ଅନୁମାନ କଲା କେହି ଜଣେ ତା ଆଡ଼କୁ ଆଗେଇ ଆସୁଛି । ମାଛି ଅନ୍ଧାର ହୋଇଗଲାଣି, ଭଲ କରି ବାରି ହେଉ ନାହିଁ । ପଶ୍ଚିମ ଦିଗ୍‍ବଳୟର ଦୂର ପାହାଡ଼ ଫାଙ୍କରେ ସୂର୍ଯ୍ୟ ଲୁଚି ଗଲେଣି କେତେବେଳୁ । ବସା ବାହୁଡ଼ା ପକ୍ଷୀମାନଙ୍କ କାକଳିରେ ଆକାଶ ଉଛୁଳି ଉଠୁଛି । ମହନ ଲକ୍ଷ୍ୟ କଲା ଲୋକଟିକୁ ସେ ସଭା ସ୍ଥଳରେ ଦେଖିଥିଲା । ଏଇ ଲୋକଟି ମନ୍ତ୍ରୀଙ୍କ ହାତକୁ ବଢ଼ାଇ ଦେଇଥିଲା ଟଙ୍କାର ଥଳି । କିଏ ସେ-?? ଲୋକଟି ଅତି ସନ୍ତର୍ପଣରେ ଅନ୍ୟ ଜଣେ ଲୋକର କାନ୍ଧରେ ହାତ ଭରା ଦେଇ ଗୋଟିଏ ଗୋଡ଼ରେ ଛୋଟେଇ ଛୋଟେଇ ଆସି ମହନ ପାଖରେ ପହଞ୍ଚି ତାର ଦୁଇହାତକୁ ଧରି ପକାଇଲା-। ମହନ କିଛି ବୁଝି ନ ପାରି ହାତକୁ ତାର ଛିଞ୍ଚାଡ଼ି ଆଣିଲା ବେଳେ ଏକ ଦରଦ ଭରା ଗଳାରେ ଲୁହଭରା ଆକୁଳ ଆବାଜ ଶୁଣିବାକୁ ପାଇଲା–

 

‘’ଭାଇ ମହନ……’’

 

ମୋତେ ମାଫ୍ କରି ଦେ ଭାଇ । ମୁ କେତେ ଅପରାଧ କରିଛି । କେତେ ଅନ୍ୟାୟ କରିଛି । ଭୁଲିଯା ସେ ଗଲାକଥା ସବୁ । ତୁ ଯେ ମଣିଷ ନୋହୁଁ ସାକ୍ଷାତ ଦେବତା ଏକଥା ମୁଁ ଜାଣି ନ ଥିଲି ଭାଇ । ଆଜି ତୋର ଏଇ ମହତ ଦାନ ଆଖି ମୋର ଖୋଲି ଦେଇଛି ।

 

‘‘ଭାଇ…ମୋତେ…ମାଫ୍…କରିଦେ… !!’’

 

‘‘କେଉଁ ମୁହଁରେ ଆସିଛୁ ପରମା ଭାଇ ବୋଲି ଡାକିବାକୁ ‘‘ଘୃଣାରେ ମୁହଁ ନେଫଡ଼େଇ କହିଲା ମହନ ।

 

‘‘ମହନ ଭୁଲିଯା..... ଭୁଲିଯା ମୋର ସବୁ ଅପରାଧ । ମୁଁ ଘୋର ପାପ କରିଛି; ଆଉ ତାର ପରାଭୋଗ ବି ମିଳି ଯାଇଛି ମୋତେ । ମଣିଷ ସମାଜ ଆଗରେ ମୁହଁ ଦେଖାଇବାକୁ ମତେ ଆଜି ଲାଜ ଲାଗୁଛି । ମୋତେ ଆଉ ସେ ଆଗ ପରମା ବୋଲି ଭାବ ନା ମହନ । ସେଇ ପରମା ମଶାଣୀରେ କେଭୁଁ ଜଳିପୋଡ଼ି ଖାର ହୋଇ ଯାଇଛି ।

 

‘‘ତାହେଲେ ତୁ କଣ ଚାଁହୁଛୁ ?’’

 

‘‘ମୁଁ–ମୁଁ ଆଉ କଣ ଚାହିଁବି ଭାଇ । ତୁ ମୋର ମୁର୍ଦ୍ଦାର ଦେହରେ ଜୀବନ ଦେଲୁ, ସେ କଥା ମୁଁ ଜିଇଁ ଥିବା ଯାଏ ଭୁଲି ପାରିବି ନାହିଁ । ତୁ ମୋତେ ମାଫ୍ କରିଦେଲେ ମୁଁ ମୋ ବାଟରେ ଚାଲିଯିବି, ତୋତେ ଆଉ ହରବର କରିବାକୁ ଆସିବି ନାହିଁ ।’’

 

‘‘ମୁଁ ମୋର କର୍ତ୍ତବ୍ୟ କରିଛି । ଏଥିରେ ମାଫି ମାଗିବାର କଣ ଅଛି ?’’

 

‘‘ନାଇଁ ମହନ, ତୁ ମୋତେ ମାଫ୍ ନ କଲେ ମୁଁ ଶାନ୍ତିରେ ରହି ପାରିବି ନାହିଁ ।’’

 

ମହନ ଆକାଶକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା– ‘‘ମୁଁ ତୋତେ ମାଫ୍ କଲେ ତ ହେବ ନାହିଁ । ମୋଠୁ ବଡ଼ ଆଉ ଜଣେ ଅଛି, ସେହି ତୋତେ ମାଫ୍ କରିପାରିବ ।’’

 

‘‘ତୁ ମୋତେ ମାଫ୍ ନ କଲେ ସେ ମୋତେ କେବେହେଲେ ମାଫ୍ କରିବ ନାହିଁ ମହନ-।’’ ଆକୁଳ କଣ୍ଠରେ କହିଲା ପରମା । ଆଖିରେ ତାର ଫୁଟି ଉଠୁଥିଲା ଶତ ବିନତିର ଇସାରା-। ଗଳାରେ ତାର ସ୍ୱର କୋମଳ ହୋଇ ଉଠୁଥିଲା । ନିସ୍ତଭ ଦୀପଶିଖା ପରି ଚେହେରା ତାର ବେଳୁବେଳ ହୋଇ ଆସୁଥିଲା ମଳିନ । ମହନ ପରମାର ଏଇ ବିକଳିଆ ଅବସ୍ଥା ଦେଖି ଆଉ ସମ୍ଭାଳି ପାରିଲା ନାହିଁ । ତାର ସବୁ ରାଗ ଅଭିମାନ ବରଫ ପରି ତରଳିଗଲା । ସେ କୁଣ୍ଢାଇ ପକାଇଲା ପରମାକୁ ।

 

‘‘ତୁ ମନୁଷ୍ୟ ନୁହେଁ ମହନ, ଦେବତା ।

 

ଆଜି ତୁ ମୋର ଆଖି ଖୋଲି ଦେଇଛୁ । ମୁଁ ମୋର ସ୍ଥାବର ଅବସ୍ଥାର ସବୁ ସମ୍ପତ୍ତି ଦେଶ ଲାଗି ସଁପି ଦେଇଛି ।’’

 

‘ଏଇ ଭାବନା ଆଗରୁ ହୋଇଥିଲେ କେଡ଼େ ଭଲ ହୋଇଥାନ୍ତା; ଏତେ ସରିକି ହେବାକୁ କାହିଁକି ପଡ଼ିଥାନ୍ତା ତତେ ?

 

‘ଠିକ୍ କହିଛୁ ମହନ । ୱାଜିବ କଥା କହିଛୁ । କିନ୍ତୁ ଟଙ୍କାର ମୋହ ମଣିଷକୁ ଏତେ ଅବାଟରେ ନିଏ ବୋଲି ମୁଁ ତ ଆଉ ଆଗରୁ ଜାଣି ନ ଥିଲି । ସେଇ ମହାଜନ ହିଁ ମୋର ଅଧୋଗତିର କାରଣ ସିନା । ସେ ମୋତେ ଟଙ୍କାର ଲୋଭ ଦେଖାଇ ନ ଥିଲେ ମୁଁ କାହିଁକି ଜାଣି ଜାଣି ସାପ ଗାତରେ ହାତ ଦେଇଥାନ୍ତି ?

 

ମହାଜନ ଏବେ କେଉଁଠି ??

 

‘‘ଜେଲ ହାଜତରେ !!’’

 

ଅନ୍ୟାୟ ଆଉ ଅଧର୍ମ କାର୍ଯ୍ୟ କଲେ ତାହା ସବୁବେଳେ ପାର ଯାଏ ନାହିଁ । ଏବେ ମୁଁ ଭଲ କରି ବୁଝିଲି ସେ କଥା.... ହଉ..... ଭାଇ ମୋତେ ଯିବାକୁ ଦେ.... ଡେରି ହେଉଛି ।

 

‘କୁଆଡ଼େ ଯିବୁ ?

 

‘‘ଡାକ୍ତରଖାନାକୁ...... । ମୁଁ ପୂରାପୂରି ଆରାମ ହୋଇ ନାଇଁ ଏ ଯାଏ !! ହଉ, ଭାଇ, ମୁଁ ଚାଲିଲି ! ଆଜିର ଏଇ ଦିନଟିକୁ ମୁଁ ଜୀବନରେ ପାସୋରି ପାରିବି ନାହିଁ ।’’ କହୁ ଏହୁ ପରମା ଆଖିରୁ ଥପ ଥପ କରି ଦୁଇ ବୁନ୍ଦା ଲୁହ ଥିପି ପଡ଼ିଲା ମହନର ବାହୁ ଉପରେ । ମହନର ଆଖିରେ ବି ଜକେଇ ଆସିଲା ଲୁହ । ସେତେବେଳେ ଜମାଟ ବାନ୍ଧି ଆସୁଥିଲା ସଞ୍ଜପହରର ମେଞ୍ଚା ମେଞ୍ଚା ଅନ୍ଧାର । ଆକାଶର କଳା ଚାନ୍ଦୁଆତଳେ ମିଟିମିଟି ହୋଇ ଅନେଇ ଥିଲେ ଭେଳା ଭେଳା ତାରାଫୁଲ-

 

ଜନଗହଳି ଭିତରେ ହଜିଗଲା ପରମା । ଆଉ ସେ ଆଡ଼କୁ ବଲ ବଲ କରି ଅନେଇ ରହିଥିଲା ମହନ ।

Image